ଦ୍ୱିତୀ ଚନ୍ଦ୍ର ସାହୁ
ସତୁରୀ ଦଶକର କଥା । ଶହ ଶହ ଏକର ଜମିର ସମସ୍ତ ଦାୟିତ୍ୱ ବାପାଙ୍କ ଉପରେ । ଫସଲର ସୁରକ୍ଷା ନେଇ ସବୁବେଳେ ଚାପ । ସୁରକ୍ଷିତ ଭାବେ ଉତ୍ପାଦିତ ଫସଲ ସାଉକାରଙ୍କ ଘରେ ପହଂଚି ଗଲେ ଚିନ୍ତାମୁକ୍ତ । ଶୀତ ଋତୁ ତମାମ ଜମିରେ କଟେ ତାଙ୍କ ଜୀବନ । ମାସ ମାସ ଧରି ଚାଲେ ଅମଳ ପ୍ରକ୍ରିୟା । ଏଇ କ୍ରମରେ ବହୁ ଜୀବଜନ୍ତୁଙ୍କ ସହ ସାମ୍ନା ହୁଏ କାଳେ ତାଙ୍କର । ଏମିତିକି ବାଘ ସହ । ତେବେ ସେ ବାଘ କାଳେ ପାଲଟା ବାଘ । ମଣିଷରୁ ବାଘ ହୁଏ ରାୟଗଡ଼ା ଜିଲ୍ଲା କନ୍ଧ ରେଲ୍ଲାର ଦାନ୍ତା ମାଝୀ । କନ୍ଧ ସଂପ୍ରଦାୟର ହୃଷ୍ଟପୃଷ୍ଟ ମଣିଷ । ପେଟପାଟଣାର ଦାଉରେ ବାପାଙ୍କ ସହ କାମ କରେ ଜମିରେ ଦାନ୍ତା । ଏଇ କାରଣରୁ ବାପା ସୁରକ୍ଷାକୁ ନେଇ ଚିନ୍ତିତ ନଥିଲେ ମଧ୍ୟ ତା କର୍ମକୁ ନେଇ ସବୁବେଳେ ଶଙ୍କାରେ ରହୁଥିଲେ । କେତେବେଳେ ବାଘର ଖାଦ୍ୟ ହୋଇଯିବାର ସମ୍ଭାବନା ମାରି ଗୋଡ଼ାଉଥାଏ । ଦାନ୍ତାର ବାଘ ପାଲଟିବା ରହସ୍ୟ ବାପା ଜାଣିଥିଲେ ହେଁ ବାପାଙ୍କ ପ୍ରତି ରହିଥିବା ବିଶ୍ୱାସ ହେତୁ ସେ ଥିଲେ ନିରାପଦ । ମଣିଷ ବାଘ ପାଲଟିଯିବାର ରହସ୍ୟ ସଂପର୍କରେ କୌତୁହଳ ପିଲା ମନ ବାସ୍ତବତାକୁ ନେଇ ଅନେକ ପ୍ରଶ୍ନ ପଚାରିବା ସ୍ୱାଭାବିକ । ତାର ଉତ୍ତର ଦେବାକୁ ଯାଇ ବାପା କହିଥିଲେ ଅନେକ ରୋଚକ ତଥ୍ୟ । ଦାନ୍ତା ସମୟେ ସମୟେ କାଳେ ବାଘ ପାଲଟିଯାଏ ଆଦିବାସୀ ତନ୍ତ୍ର ବିଦ୍ୟାରେ । ଏଇ କଥା ତା’ ସ୍ତ୍ରୀ ଛଡ଼ା କିଏ ଜାଣେନା । ରାତି ତମାମ ଘୁରିବୁଲେ ନିଜର ଶତ୍ରୁକୁ ଶିକାର କରିବା ଲାଗି । ତାକୁ ମାରିଦେବା ପରେ ସେ କାଳେ ଘରକୁ ଫେରେ । ଆଉ ତା ସ୍ତ୍ରୀ ନିର୍ଦ୍ଧାରିତ ଉପଚାର ପରେ ପୁଣି ବାଘରୁ ମଣିଷ ପାଲଟିଯାଏ । ଦାନ୍ତା ଭୟରେ କୌଣସି ଜଂଗଲୀ ଜନ୍ତୁ କିମ୍ବା ଚୋରଙ୍କ ଫସଲ ପ୍ରତି ଲୋଲୁପ ଦୃଷ୍ଟି ନଥିଲା ବୋଲି ବହୁବାର ବାପା ଆମ ପରିବାର ସଦସ୍ୟଙ୍କୁ କହିଥିବା ଖୁବ୍ ମନେ ଅଛି । କିନ୍ତୁ ଏଥିର ସତ୍ୟତା ପରଖିବାକୁ ଦାନ୍ତା ନାହିଁ କି ବାପା ବି ନାହାନ୍ତି ଏବେ । ବାପାଙ୍କ ଏଇ କଥା ଅନେକ ଦିନ ଧରି ଏକ କାହାଣୀ ବୋଲି ମନରେ ରହି ଆସିଥିଲା ଯଦିଓ ଆମ ମାଆ ସମେତ ମୋ ବଡ଼ ଭାଇମାନେ ଦାନ୍ତା ଭଳି ଚରିତ୍ର ସହ ମିଶିଥିବା ଦାବି କରି ଆସିଛନ୍ତି । ତାର ଢେର ବର୍ଷ ପରେ ଏଇ ରୋଚକ ରହସ୍ୟକୁ ନେଇ ମହେଶ ଭଟ୍ଟ ନିର୍ମାଣ କରିଥିଲେ ସିନେମା ଜୁନୁନ । ମଣିଷ ବାଘ ପାଲଟିବା ପୁଣି ବାଘରୁ ମଣିଷ ହେବାର ପରଦା ଉପରେ ବାସ୍ତବ ଚିତ୍ରାୟନ ସମସ୍ତଙ୍କୁ ସେତେବେଳେ ମନ୍ତ୍ରମୁଗ୍ଧ କରିଥିଲା । ଚଳଚ୍ଚିତ୍ରଟି ବି ଲୋକପ୍ରିୟ ହୋଇଥିଲା । ଦୀର୍ଘ ଦିନ ଧରି ରହି ଆସିଥିବା ଦାନ୍ତା କାହାଣୀ ପରେ ସତ ବୋଲି ଏକ ରକମ ଧରି ନେଇଥିଲି । ଆଉ ମଣିଷ ବି ବାଘ ପାଲଟିପାରେ ମନରେ ଦୃଢତର ହୋଇ ପଡ଼ିଥିଲା ।
ବର୍ତ୍ତମାନ ସ୍ଥିତିରେ ଏଇ କାହାଣୀ ଏକ କଳ୍ପନା ବୋଲି ଅନେକ କହିପାରନ୍ତି ସତ । କିନ୍ତୁ ଏକଥା କଦାପି ଅସ୍ୱୀକାର କରିପାରିବେନି ମଣିଷ ବି ବାଘ ପାଲଟିଯାଏ । ସମାଜରେ ଅନେକ ଚିତ୍ରଚରିତ୍ର ମଣିଷ ହୋଇ ବି ବାଘ ପାଲଟି ଯାଉଛନ୍ତି । ମଣିଷ ଭିତରେ ବିବେକ ହଜିଗଲେ ମଣିଷତ୍ୱ ମରିଯାଏ । ମାନବିକତା ସରିଗଲେ ମଣିଷ ପଶୁ ପାଲଟିଯାଏ । ବସ୍ତୁବାଦୀ ଦୁନିଆରେ ମରିମରି ଆସୁଛି ଦୟା, ଧର୍ମ, ଉଦାର, କ୍ଷମା, କରୁଣା ଭଳି ଗୁଣ । ମଣିଷ ଭୁଲୁଣ୍ଠିତ ହେଉଛି ଅର୍ଥ ଓ ସ୍ୱାର୍ଥ ନିକଟରେ । ସଂପର୍କର ମାନେ କିଛି ନାହିଁ । ମୋହ ଓ ଲାଭ ସବୁକିଛି । ସବୁ ସଂପର୍କ ଭିତରେ ବି ଗୋଟେ ସ୍ୱାର୍ଥକୁ ଅପେକ୍ଷା ରଖେ ମଣିଷ । ତାହା ପ୍ରକାଶ୍ୟରେ ନହେଲେ ବି ସୁପ୍ତ ଭାବେ ଥାଏ ହୃଦୟ ଭିତରେ । ସେଇ ସ୍ୱାର୍ଥକୁ ନେଇ ସଂପର୍କର ଡୋର ବନ୍ଧା । ସ୍ୱାର୍ଥରେ ବାଧା ଆସିଲେ ଡୋର ତୁଟିଯାଏ । ଆକର୍ଷଣ କମିଯାଏ । ଇର୍ଷା ଓ ଦ୍ୱେଷ ଜନ୍ମି ଯାଏ ଆପେ । ପ୍ରେମ ଓ ସ୍ନେହ ସ୍ଥାନରେ ଜମାଟ ବାନ୍ଧେ ପ୍ରତିହିଂସା ଓ ପ୍ରତିଶୋଧ । ପର-ଆପଣାର ଜ୍ଞାନ ବି ଭୁଲିଯାଏ ସେ । ଏପରିକି ରକ୍ତ ସଂପର୍କ ବି ପାଲଟିଯାଏ ବଇରୀ । ସେଇଠୁ ପ୍ରସ୍ତୁତ ହୁଏ ପ୍ରତିପକ୍ଷର ବିନାଶ ଲାଗି ନକ୍ସା । ଆରମ୍ଭ ହୁଏ ବହୁ ଚକ୍ରାନ୍ତ । ମନରେ ଜାଗ୍ରତ ହୁଏ ଖଳ ଚିନ୍ତା । ଆପଣାଛାଏଁ ସମସ୍ତ ମାନବୀୟ ଗୁଣ ହରାଇ ବସେ ବ୍ୟକ୍ତିଟି । ବନ୍ଦ ହୋଇଥିବା ଚେତନା, ଅପମୃତ୍ୟୁ ହୋଇଥିବା ସଦ୍ ଚିନ୍ତନ ଓ ସଂପର୍କର ହତ୍ୟା ମଣିଷକୁ ଅମଣିଷ କରିଦିଏ । ମଣିଷ ଥରେ ଅମଣିଷ ହୋଇଗଲେ ତାର ଚିନ୍ତା ଓ ଚେତନା ହଜିଯାଏ । ସମ୍ମାନ ଓ ସ୍ୱାଭିମାନ ତୁଚ୍ଛ ହୋଇଯାଏ । ପରିଚୟ ଖୋଜେନା ସେ । ସଂପର୍କ ଲୋଡ଼େନା । କାମନା, ବାସନା, ଲୋଭ, ମୋହ, ସ୍ୱାର୍ଥ ସବୁ ଆବୋରି ବସେ ମନ ଓ ହୃଦୟକୁ । ଯାବତୀୟ ଦାନବ ଓ ପଶୁ ସୁଲଭ ଗୁଣ ତା ଅଜାଣତରେ ଜାଗ୍ରତ ହୁଏ । ସେଇଠୁ ଲୀଳାଖେଳା ଆରମ୍ଭ କରେ । ଆକ୍ରମଣ କରିବା, ଝାମ୍ପି ନେବା, ରକ୍ତ ଶୋଷିବା , ବିଦାରିବା , ଗର୍ଜ୍ଜନ କରିବା , ଭୟଭୀତ କରାଇବା ଭଳି ବାଘ ସୁଲଭ ପ୍ରକୃତି ଏବେ ମଣିଷ ନିକଟରେ ସୁସ୍ପଷ୍ଟ । ସ୍ଥାବର ଅସ୍ଥାବର ସଂପତିକୁ ଲୁଟିବା, ଅନ୍ୟର ଝିଅ ବୋହୁଙ୍କ ଉପରେ ଲୋଲୁପ ଦୃଷ୍ଟି ରଖିବା, ହତ୍ୟା କରିବା, ଜୋର ଜବରଦସ୍ତି ଝାମ୍ପି ନେବା ଭଳି ଘଟୁଥିବା ବହୁ ଘଟଣା ଏଇ ପର୍ଯ୍ୟାୟର । ରାଜନୀତିରେ କେବେ ନେତା ବାଘ ପାଲଟିଯାଏ ତ ଆଉ କେବେ ଦେଶର ପୁଂଜିପତି । ନେତା ଓ ପୁଂଜିପତିଙ୍କ ମଧୁ ଚନ୍ଦ୍ରିକାରେ ବଶୀଭୂତ ଗଣତନ୍ତ୍ର ଖାଲି ନିଥର ପାଲଟିଯାଏ । ବାଘଙ୍କୁ ଆୟତ ଲାଗିଥିବା ଜନ୍ତା ରୂପୀ ନିୟମ ସବୁ ମୁକୁଳା ହୋଇଯାଏ । ବାଘ ସେଇଠୁ ମୁକ୍ତ । ମାତିଉଠେ ଏଠି, ସେଠି, ସବୁଠି । ସମାଜରେ ବି ଏମିତି ଅନେକ ବାଘ ଅଛନ୍ତି । ବିକାରଗସ୍ତ ମଣିଷ ପାଲଟିଯାଆନ୍ତି ବାଘ । ବାଘର ଶିକାର ହୁଅନ୍ତି ଗରୀବ, ଅସହାୟ, ଅବଳା ଓ ଦୁର୍ବଳାମାନେ । ଏବେ ସମାଜରେ ବହୁ ରୂପରେ ବହୁଳ ଭାବରେ ବାଘମାନେ ମାତିଛନ୍ତି ଠିକ ଦାନ୍ତା ମାଝୀ ଭଳି । କୋଉ ମୁହୁର୍ତ୍ତରେ ମଣିଷ ବାଘ ପାଲଟିଯାଏ କେହି ଜାଣିପାରନ୍ତିନି । ସେହି ସୂତ୍ର ପାଲଟା ବାଘ ହିଁ ଏକା ଜାଣେ । ଜଂଗଲର ବାଘକୁ ଜାଣି ହୁଏ ତାର ପାଦ ଚିହ୍ନରୁ ଓ ହେଣ୍ଟାଳରୁ । ଚିହ୍ନି ହୁଏ ବହୁ ଦୂରରୁ ତାର ବର୍ଣ୍ଣରୁ । ସେଥିପାଇଁ ପୂର୍ବରୁ ସର୍ତକ ହେବାର ସମ୍ଭାବନାଟି ରହିଥାଏ । ଏଇ କାରଣରୁ ଶୀକାର କରିବା ପୂର୍ବରୁ ବେଳେବେଳେ ନିଜେ ଶୀକାର ହୋଇଯାଏ ବାଘ । କିନ୍ତୁ ପାଲଟା ବାଘକୁ ଚିହ୍ନି ହୁଏନା ସହଜରେ ତା ଭେକରୁ ଅଥବା ବୃତ୍ତି ଓ ପ୍ରବୃତ୍ତିରୁ । ଖୁବ ନିଜର ଭଳି ଥାଏ ସେ । କିନ୍ତୁ ସୁବିଧା ସୁଯୋଗ ଦେଖି ସଠିକ ସମୟରେ ଆକ୍ରମଣ କରେ । ସୁତରାଂ ବେଳ ଥାଉଥାଉ ଚିହ୍ନିବାକୁ ଚେଷ୍ଟା କରନ୍ତୁ ପାଲଟା ବାଘଙ୍କୁ । କାରଣ ସେ ବି ହୋଇପାରେ ଆପଣଙ୍କ ଏକାନ୍ତ ଆପଣାର !
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା-୭୬୫୦୦୧, ମୋ – ୯୪୩୭୯୦୯୬୭୧
ଲେଖକ ପରିଚୟ
ବୃତ୍ତିରେ ଶିକ୍ଷକ ମାତ୍ର ନିଶା ହେଉଛି ଲେଖିବା । ଗଳ୍ପ, ପ୍ରବନ୍ଧ, ଫିଚର, କବିତା, ନାଟକ, ଉପନ୍ୟାସ, ଜୀବନୀ, ଶିଶୁ ସାହିତ୍ୟ, ସ୍ତମ୍ଭ ସର୍ବୋପରି ଜନଜାତି ଗବେଷଣା ପ୍ରସୂତ ଲେଖା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖିଛି । ଏଯାବତ୍ ୪ ଟି ଗଳ୍ପ ସଂକଳନ, ୨ ଟି ଉପନ୍ୟାସ, ୩ ଟି ପ୍ରବନ୍ଧ, ୨ ଟି ଆଦିବାସୀ ଗବେଷଣା ପୁସ୍ତକ, ଶିଶୁ କାହାଣୀ ଆଦି ୧୪ ଖଣ୍ଡ ବହି ପ୍ରକାଶିତ ହୋଇଛି । ସମାଜର ସଂଘାତ, ସଂଘର୍ଷ, ଦୁଃଖ ତଥା ଜନଜୀବନର ଚିତ୍ରକୁ ନିଜ ଲେଖା ମାଧ୍ୟମରେ ସବୁବେଳେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଆସିଛି । ଏଇ କ୍ରମରେ ଏବେ ସମୟ ଓ ସମାଜକୁ ନେଇ କିଛି ନିଚ୍ଛକ ଆଲୋଚନା “ସଫା କଥା”ରେ ।
ଉପସ୍ଥାପନା ଖୁବ୍ ସୁନ୍ଦର । ମଣିଷ ବି ବାଘ ହେଇଯାଏ ଏହା ଏକ କଳ୍ପନା କି ସତ୍ୟ ସେ ପ୍ରସଙ୍ଗକୁ ଛାନଭିନ୍ କଲେ ଜଣାପଡ଼େ ବିବେକ ହରାଇ ବସିଲେ ହିଁ ମାନବ ପଶୁ ତୁଲ୍ୟ ହୁଏ । ହେଲେ ବୋଧେ ପୁରା ପଶୁ ହୁଏନା । କାରଣ ସତରେ କଣ ଗୋଟିଏ ପଶୁ ଅଥବା ବାଘ ଭଳି ହିଂସ୍ର ପଶୁ ପାଖରେ ଥାଏ, ଲୋଭ, ଈର୍ଷା, ଦ୍ଵେଷ ଓ ସ୍ଵାର୍ଥ ? ପ୍ରଶ୍ନ ଏବେ ବି ଆନ୍ଦୋଳିତ କରେ ମନକୁ … ଉଚିତ୍ ଶୀର୍ଷକଟିଏ ତେଣୁ ଦେଇଛନ୍ତି ଲେଖକ ମହୋଦୟ । ପାଲଟା ବାଘ, ଯିଏ ବେଳ ଉଣ୍ଡି ଆକ୍ରମଣ କରେ ନିଜ ଲୋକ ଉପରେ ଠିକ ଏକ ବଣ୍ୟ ପଶୁ ପରି ।
Thanks a lot
ସମାଜରେ ଅନେକ ଚିତ୍ରଚରିତ୍ର ମଣିଷ ହୋଇ ବି ବାଘ ପାଲଟି ଯାଉଛନ୍ତି । ମଣିଷ ଭିତରେ ବିବେକ ହଜିଗଲେ ମଣିଷତ୍ୱ ମରିଯାଏ । ମାନବିକତା ସରିଗଲେ ମଣିଷ ପଶୁ ପାଲଟିଯାଏ । ବସ୍ତୁବାଦୀ ଦୁନିଆରେ ମରିମରି ଆସୁଛି ଦୟା, ଧର୍ମ, ଉଦାର, କ୍ଷମା, କରୁଣା ଭଳି ଗୁଣ । ମଣିଷ ଭୁଲୁଣ୍ଠିତ ହେଉଛି ଅର୍ଥ ଓ ସ୍ୱାର୍ଥ ନିକଟରେ । ସଂପର୍କର ମାନେ କିଛି ନାହିଁ । ମୋହ ଓ ଲାଭ ସବୁକିଛି । ସବୁ ସଂପର୍କ ଭିତରେ ବି ଗୋଟେ ସ୍ୱାର୍ଥକୁ ଅପେକ୍ଷା ରଖେ ମଣିଷ । ତାହା ପ୍ରକାଶ୍ୟରେ ନହେଲେ ବି ସୁପ୍ତ ଭାବେ ଥାଏ ହୃଦୟ ଭିତରେ
ଖୁବ ସୁନ୍ଦର ଉପସ୍ଥାପନା
ଖୁବ ସୁନ୍ଦର ଉପସ୍ଥାପନା, ମଣିଷ ଭିତରର ପରିର୍ବତ୍ତନ ।
ସର୍ବାଙ୍ଗ ସୁନ୍ଦର ସୁଲିଖିତ ସ୍ତମ୍ଭ, ସମ୍ପୂର୍ଣ୍ଣ ମନୋପୂତ
ବାସ୍ତବତା ର ଚମତ୍କାର ଉପସ୍ଥାପନା, ଅଭିନନ୍ଦନ
Long ago was reading a chapter on this same topic, Palata bagha in a Sahitya book.,you also might have read.He leaves with with a warning to slosh that abulalation ………On him after he returns from the window,but one day his wife had forgotten the mantra,to pour tabulated and diluted water,mantra pain,since that day he is moving,in that tiger form,and the human soul in the animal thinks and rethinks when her wife get the mantra recollected,to reverse,from the howling and from the roar,we can detect them,but it is highly difficult to detect the conspirators.Very very nice,lucid, appealing.it touched my heart.highlights a compulsive creative talent,there is a convincing fury.Thanks.
Thanks a lot