ସାହିତ୍ୟକୃତି ସ୍ୱର୍ଣ୍ଣ ଦେବୀଙ୍କୁ ଚିରଅମର କରି ରଖିବ

ପଦ୍ମଲୋଚନ ପ୍ରଧାନ

ଓଡ଼ିଶାର ଜଣେ ଆଗଧାଡ଼ିର କଳାଶିଳ୍ପୀ ଡ. ସ୍ୱର୍ଣ୍ଣ ଦେବୀ । ତାଙ୍କର ନାଁ ଯେମିତି, ସେ ଥିଲେ ବି ସେମିତି । ସୁନାପରି ଚେହେରାରେ ସବୁବେଳେ ଔଜ୍ଜ୍ୱଲ୍ୟ, ହସ ହସ ଚେହେରା, ସ୍ନେହପୂର୍ଣ୍ଣ ବ୍ୟବହାର, ନମନୀୟ ବ୍ୟକ୍ତିତ୍ୱ, ମଧୁର କଥାବାର୍ତ୍ତା, ସମସ୍ତ ମାନବ ପ୍ରତି ପ୍ରେମ ଥିଲା ତାଙ୍କ ବୈଶିଷ୍ଟ୍ୟ ।

   ଯେମିତି ଥିଲେ, ସେମିତି ଲେଖୁଥିଲେ । ୪୦ ବର୍ଷ ଧରି ସାହିତ୍ୟ ଜଗତରେ ସକ୍ରିୟ ଯୋଗଦାନ ଦେଇଛନ୍ତି । ଶତାଧିକ ଗଳ୍ପ ଓ ୪ଟି ସୁଖପାଠ୍ୟ ଉପନ୍ୟାସ ଲେଖି ପାଠକୀୟ ଆଦୃତି ଲାଭ କରିଛନ୍ତି । ସେହିପରି  ୨୧ବର୍ଷ ଧରି ଓଡି଼ଆ ଭାଷା, ସାହିତ୍ୟର ଅଧ୍ୟାପକ ଭାବେ ବହୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ ଓ ସଂସ୍କୃତି ପ୍ରତି ଗଭୀର ଅବବୋଧ ସୃଷ୍ଟି କରିପାରିଛନ୍ତି ।

      ଡ. ସ୍ୱର୍ଣ୍ଣ ଦେବୀ ଜନ୍ମ ନିଅନ୍ତି ୧୯୫୫ ମସିହା ବାଲେଶ୍ୱର ଜିଲ୍ଲା ଜଗେଇ ଗାଁରେ । ପିତା ଭଗବାନ ବିଶ୍ୱାଳ, ମାତା ପ୍ରଭାତୀ ଦେବୀଙ୍କ ବଡ଼ ଝିଅ ଭାବେ ଖୁବ୍‍ ଗେଲବସରରେ ବଡ଼ ହୁଅନ୍ତି । ଗାଁ ନିକଟସ୍ଥ ସ୍କୁଲରେ ପାଠପଢ଼ା ପରେ ମାତ୍ର ୧୪ ବର୍ଷ ବୟସରେ ବିବାହ କରନ୍ତି ନିକଟବର୍ତ୍ତୀ ଗାଁ ପ୍ରତାପପୁରର ଶ୍ୟାମାନନ୍ଦ ପାତ୍ରଙ୍କୁ । ବିବାହ, ସଂସାରର ଜଞ୍ଜାଳ ତାଙ୍କୁ ଘରକୋଣରେ ଅଟକାଇ ରଖି ପାରେନି । ସେ ପୁଣି ପାଠ ପଢ଼ିବାକୁ ଆରମ୍ଭ କରନ୍ତି । ପରିବାର ସମ୍ଭାଳିବା ସହ ସେ ଗୋଟାଏ ପରେ ଗୋଟାଏ ଡିଗ୍ରୀ ହାସଲ କରନ୍ତି । ୧୯୮୬ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡି଼ଆ ଭାଷା, ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରନ୍ତି ।

     ପିଲାଟି ବେଳରୁ ସାହିତ୍ୟ ପ୍ରତି ତାଙ୍କର ରୁଚି । କୈଶୋର ଅବସ୍ଥାରୁ କବିତା, ଗଳ୍ପ ଲେଖିବା ଆରମ୍ଭ କରନ୍ତି । ୧୯୮୨ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ‘ଦୂରାନ୍ତର ପକ୍ଷୀ’ ପ୍ରକାଶିତ ହୋଇ ଚର୍ଚ୍ଚିତ ହୁଏ । ୧୯୯୨ରେ ‘ଏତେ ପାଖରେ ଆକାଶ’, ପରବର୍ତ୍ତୀ ସମୟରେ ‘ପ୍ରତୀକ୍ଷିତ ସୂର୍ଯ୍ୟୋଦୟ’ ଓ ‘ଶୃଙ୍ଖଳିତା’ ପ୍ରକାଶିତ ହୋଇ ବେଶ୍‍ ପ୍ରଶଂସିତ ହୁଏ ।

     ପ୍ରତିଭାଶାଳୀ ଗାଳ୍ପିକା ଭାବେ ଡ. ସ୍ୱର୍ଣ୍ଣ ଦେବୀ ଅଧିକ ପରିଚିତ । ତାଙ୍କର ଗଳ୍ପଗୁଡି଼କ ସମସ୍ତ ସମ୍ଭ୍ରାନ୍ତ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଆସୁଥିଲା । ‘ରୁଦ୍ଧ ଦ୍ୱାର’, ‘ଛାଇ ଆଲୁଅର ବାଟ’, ‘ସ୍ୱପ୍ନର ଘର’, ‘ଅଧା ଅଧା’, ‘କଣ୍ଟା ବାଡ଼’ ଆଦି ପୁସ୍ତକରେ ଗଳ୍ପଗୁଡ଼ିକ ସଙ୍କଳିତ ହୋଇଛି ।

     ତାଙ୍କ ସାହିତ୍ୟରେ ସବୁବେଳେ ଉଦାର ଦୃଷ୍ଟିଭଙ୍ଗୀ, ଆଶାବାଦ ଫୁଟି ଉଠେ । ଜୀବନର ହରେକ ସମସ୍ୟା ଭିତରେ ସେ ଦେଖାନ୍ତି ସମ୍ଭାବନାର ସୂର୍ଯ୍ୟୋଦୟକୁ । ନାରୀ ଜୀବନର ଅକୁହା କାହାଣୀ, ମଣିଷ ଜୀବନର ଆଶା, ନିରାଶାର ଲୁଚକାଳି ଖେଳ, ସମ୍ପର୍କର ଜଟିଳତାର ସମାଧାନ ରାସ୍ତା ଦେଖାଇଥାଏ ତାଙ୍କ ସାହିତ୍ୟ ।

     ଯଥାର୍ଥ ସମୀକ୍ଷା କରି ଓଡି଼ଆ ସାହିତ୍ୟର ଇତିହାସକାର ଡ. ସୁରେନ୍ଦ୍ର କୁମାର ମହାରଣା ଲେଖିଛନ୍ତି, ‘ସ୍ୱର୍ଣ୍ଣ ଦେବୀଙ୍କ ଗଳ୍ପ ଆବେଗପୂର୍ଣ୍ଣ ଜୀବନବୋଧ ଉଚ୍ଚାରଣ ପାଇଁ ମନକୁ ଛୁଏଁ । ସମକାଳୀନ ସମାଜର ଓ ଚରିତ୍ରର ଆଧାରରେ ସେ ବାସ୍ତବଧର୍ମୀ ଗଳ୍ପ ଲେଖନ୍ତି, ଯେଉଁଥିରେ ନାରୀ-ଚରିତ୍ର ଚିତ୍ରଣ ଓ ମନୋବିଶ୍ଳେଷଣର ସାର୍ଥକ ଛବି ଫୁଟିଉଠେ ବର୍ଣ୍ଣନାଶୈଳୀର ଚମତ୍କାରିତା ଯୋଗୁଁ ।’

     ଲୋକପ୍ରିୟ ଗଳ୍ପଗୁଡ଼ିକ ବିଭିନ୍ନ ଭାଷାରେ ଅନୂଦିତ ହୋଇଛି । ୨ଟି ଗଳ୍ପ ସଙ୍କଳନ ‘କଟିଲି ବାଡ଼’, ‘ସ୍ୱାତିମୁକ୍ତା’ ଓ ଉପନ୍ୟାସ ‘ଦୂରକି ପରିନ୍ଦା’ ହିନ୍ଦୀରେ ଅନୁବାଦ ହୋଇ ବେଶ୍‍ ଆଦୃତ ହୋଇପାରିଛି । କିଛି ଗଳ୍ପ ତେଲୁଗୁ ଭାଷାରେ ମଧ୍ୟ ଅନୂଦିତ ହୋଇଛି ।

   କେବଳ ସାହିତ୍ୟ ନୁହଁ, ଗବେଷଣା କ୍ଷେତ୍ରରେ ମଧ୍ୟ ସ୍ୱର୍ଣ୍ଣ ଦେବୀଙ୍କ ଦକ୍ଷତା ଦେଖିବାକୁ ମିଳେ । ୨୦୦୧ ମସିହାରେ ପ୍ରଥିତଯଶା କଥାକାର ମନୋଜ ଦାସଙ୍କ ଗଳ୍ପ ସମ୍ଭାରକୁ ନେଇ ଗବେଷଣା କରନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ତତ୍କାଳୀନ ପ୍ରଫେସର ଆଦିକନ୍ଦ ସାହୁଙ୍କ ତତ୍ତ୍ୱାବଧାନରେ ‘ମନୋଜ ଦାସଙ୍କ ଗଳ୍ପକଳ୍ପ ଓ ବିଷୟ ବୈଚିତ୍ର’ ସନ୍ଦର୍ଭ ପାଇଁ ସମ୍ମାନଜନକ ଡକ୍ଟରେଟ ଉପାଧି ହାସଲ କରନ୍ତି । ଏହାସହ ସାହିତ୍ୟରେ ଉତ୍କର୍ଷତା ପାଇଁ ‘ବ୍ୟାସ କବି ସମ୍ମାନ’, ‘ଜୀବନ ରଙ୍ଗ’ ଆଦି ବିଭିନ୍ନ ସମ୍ମାନ ଓ ପୁରସ୍କାର ସହ ରାଜ୍ୟ ତଥା ବାହାରେ ସମ୍ବର୍ଦ୍ଧିତ ହୋଇଛନ୍ତି ।

     ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ସ୍ୱାମୀ ଚାକିରି କରୁଥିଲେ । ପରେ ଛେଣ୍ଡ୍‍ କଲୋନୀ ତାଙ୍କର ସ୍ଥାୟୀ ଠିକଣା ହୋଇଗଲା । ଜୀବନର ଶେଷ ସମୟ ଯାଏ ସେ ସହରର ଓ ରାଜ୍ୟର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ  ଜଡି଼ତ ଥିଲେ । ପରିବାରକୁ ସମୟ ଦେବା ପରେ ସାହିତ୍ୟ ରଚନା, ଅଧ୍ୟାପନା ଓ ସାହିତ୍ୟ ସଂଗଠନର ବିଭିନ୍ନ କାର୍ଯ୍ୟରେ ନିଜକୁ ବ୍ୟାପୃତି କରିଥିଲେ । ଓଡ଼ିଆ ଲେଖିକା ସଂସଦ ସୁନ୍ଦରଗଡ଼ ଶାଖାର କୋଷାଧ୍ୟକ୍ଷ ଓ କଲଚରାଲ ଏକାଡେମୀର ବରିଷ୍ଠ ସଦସ୍ୟା ଭାବେ ଦୀର୍ଘ ବର୍ଷ ଧରି ସୂଚାରୁରୂପେ ଦାୟିତ୍ୱ ସମ୍ପନ୍ନ କରିଛନ୍ତି ।   

    ୧୯୯୪ ମସିହାରେ ସ୍ୱର୍ଣ୍ଣ ଦେବୀ ଓଡ଼ିଆ ଅଧ୍ୟାପକ ଭାବେ ରାଉରକେଲା ଛେଣ୍ଡସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟରେ ଯୋଗଦେଇ ୨୦୧୫ରେ ଅବସର ନିଅନ୍ତି । ୨୧ ବର୍ଷ କାଳ ଅମାୟିକ, ମାତୃସୁଲଭ ଓ ସ୍ନେହଶୀଳ ବ୍ୟବହାର ଦେଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିଛନ୍ତି । କଲେଜ ସାହିତ୍ୟ ସଂସଦର ଉପଦେଷ୍ଠା ଭାବେ ଦୀର୍ଘ ବର୍ଷ ରହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା, ସାହିତ୍ୟ ପ୍ରତି ଆଦର ସୃଷ୍ଟି କରିପାରିଛନ୍ତି ।

   ରୋଗାକ୍ରାନ୍ତ ହେବା ଯାଏ ତାଙ୍କ କଲମ ଥିଲା ଚଳଚଞ୍ଚଳ । ମାତ୍ର ୬୭ ବର୍ଷ ବୟସରେ ତାଙ୍କର ପରଲୋକ ଗମନ ସମସ୍ତଙ୍କୁ ଶୋକାପ୍ଳୁତ କରିଛି । ପାଠକ ଓ ସାହିତ୍ୟିକ ମହଲରେ ତାଙ୍କର ଅଭାବବୋଧ ଅନୁଭବ ହେଉଛି । ଛାତ୍ରଛାତ୍ରୀମାନେ ଝୁରି ହେଉଛନ୍ତି । ସେଇ ସରସ୍ୱତୀ ପୁତ୍ରୀଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଆତ୍ମାର ସଦ୍‍ଗତି ପାଇଁ ଈଶ୍ୱରଙ୍କ ପାଖେ ପ୍ରାର୍ଥନା କରୁଛି । ତାଙ୍କ ସାହିତ୍ୟକୃତି ମାଧ୍ୟମରେ ହିଁ ସେ ଚିରଅମର ହୋଇ ରହିବେ ସଦାକାଳ ।

                                  (ବିଶିଷ୍ଟ କଥାଶିଳ୍ପୀ ଡ. ସ୍ୱର୍ଣ୍ଣ ଦେବୀଙ୍କ ଏକାଦଶାହ ଅବସରରେ)

ଲେଖକ ପରିଚୟ

ପଦ୍ମଲୋଚନ ଏବେ ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳରେ ଏକାଡେମିକ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ । ପୂର୍ବରୁ ସେ ସାମ୍ବାଦିକତା କରୁଥିଲେ । କିଛି ବର୍ଷ ସରପଞ୍ଚ ଭାବେ ନିର୍ବାଚିତ ହୋଇ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *