ଓଡ଼ିଶା ସାହିତ୍ୟ ଏକାଡ଼େମୀର ୬୬ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ୬୬ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ପ୍ରଖ୍ୟାତ ମରାଠୀ ଲେଖକ ବିଶ୍ୱାସ ପାଟିଲ୍‍ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ଏହାସହିତ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବିଶିଷ୍ଟ ଅତିଥି ଏବଂ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ନିଜର ମତ ରଖିବାକୁ ଯାଇ ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ‘ସାହିତ୍ୟ ବିନା ଜୀବନ ଓ ଜୀବନ ବିନା ସାହିତ୍ୟ କେବେ ସମ୍ଭବ ନୁହେଁ’ ବୋଲି କହିଥିଲେ । ମୁଖ୍ୟଅତିଥି ଶ୍ରୀ ପାଟିଲ୍‍ ତାଙ୍କ ଅଭିଭାଷଣରେ ରାମାୟଣ ଓ ମହାଭାରତକୁ ଦୃଷ୍ଟାନ୍ତରେ ରଖି ନୂତନ ପିଢି କିପରି ସ୍ମାର୍ଟଫୋନ୍‍ ଓ ୟୁଟ୍ୟୁବ୍‍ ଆଦି ଦ୍ୱାରା କବଳିତ ହୋଇ ସାହିତ୍ୟ ପାଠ ଓ ଚର୍ଚ୍ଚାକୁ ଅପ୍ରାସଙ୍ଗିକ ମନେ କରୁଛନ୍ତି ସେ ବିଷୟରେ କହିଛନ୍ତି । ଏହାସହିତ ମାତୃଭାଷାରେ ଶିକ୍ଷାଦାନ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବୃଦ୍ଧି କରିବ ବୋଲି ମଧ୍ୟ ଶ୍ରୀ ପାଟିଲ୍ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।

ଏତଦବ୍ୟତୀତ ଏକାଡ଼େମୀ ପକ୍ଷରୁ ପୂର୍ବରୁ ବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ସାରସ୍ୱତ ପ୍ରତିଯୋଗିତାରେ ଭାଗ ନେଇ ୨୫ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ମୂଳକ ରାଶି ସହିତ ଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହାସହିତ ୮ ଟି ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ଓଡ଼ିଆ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଦଶ ହଜାର ଓ ପନ୍ଦର ହଜାର ଅର୍ଥରାଶି ପ୍ରୋତ୍ସାହନ ରୂପେ ଦିଆଯାଇ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରାଯାଇଛି । ସେହିଭଳି ମାଧ୍ୟମିକ ଶିକ୍ଷା ପରିଷଦର ଶୀର୍ଷ ପରୀକ୍ଷାରେ ଓଡ଼ିଆରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଙ୍କୁ ପାଞ୍ଚ ହଜାର ଟଙ୍କା ଅର୍ଥରାଶି ସହ ଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଦ୍ୟ ପରଲୋକଗତ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରାଉତଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେପରେ ଏକାଡ଼େମୀର ସଚିବ ସୁଚିସ୍ମିତା ମନ୍ତ୍ରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଏକାଡ଼େମୀର ଉପ- ସଭାପତି ସଂଗ୍ରାମ ଜେନା ଉପସଂହାର ବକ୍ତବ୍ୟ ରଖିଥିଲେ ।

Related Posts

Leave a Reply

Your email address will not be published. Required fields are marked *