ଶିବାଶିଷ ପାଢ଼ୀ

ବହୁତ ବର୍ଷପରେ ଦେଖାହେଲା । ନାଇଁମ ବାସ୍ତବରେ ନୁହେଁ ଫେସବୁକ କାନ୍ଥରେ । ଏକ ନାଲି ଶାଢୀରେ ଠିକ ଏକ ସାଧବବୋହୂ ପରି ଦେଖାଯାଉଥିଲା ସାଧନା । ଠିକ ଆଗପରି । କିଛି ବି ତ ବଦଳିନି । ନା ବୟସର ଛାପ ନା ଆଖିର ଚମକରେ କୌଣସି ମଳିନତା । ଚମକୁଥିଲା ସାଧନା । ଚମକି ପଡ଼ିଲେ ଆଶୁତୋଷ । କାରଣ ଅନେକ ଦିନପରେ କିଛି ସମୟ ପୂର୍ବରୁ ସାଧନାଙ୍କ କଥା ହିଁ ଚିନ୍ତା କରୁଥିଲେ ସେ ।

ହଠାତ ଆଖି ଆଗକୁ ଆସିଗଲା ସେ ପୁରୁଣା ସମୟ । ଲାଗିଲା ଯେପରି ହଠାତ ଆସିଥିବା ଘୁର୍ଣ୍ଣିଝଡ଼ଟି ଧୋଇ ନେଇଗଲା ଏ ଭିତରେ ବିତି ଯାଇଥିବା କୋଡ଼ିଏ ବର୍ଷର ସମୟକୁ ।

ଏମିତି ନୁହେଁ ଯେ ସେ ସାଧନାକୁ ଏଇ କାନ୍ଥରେ ଆଗରୁ ଦେଖି ନଥିଲେ । ଦେଖିଥିଲେ କଣ ନିୟମିତ ଦେଖୁଥିଲେ । ଘର ସଂସାରର ବ୍ୟସ୍ତତା ଭିତରେ ହଠାତ କେବେକେବେ କୌଣସି କଥା କିମ୍ବା କୌଣସି ଭାବନା, ସାଧନା ସହ ଜଡ଼ିତ ସ୍ଥାନ, ଲୋକ ଇତ୍ୟାଦି ସହ ସମ୍ପର୍କରେ ଆସିଲେ ଝଡ଼ ପରି ଆସି ମୁଣ୍ଡରେ ସବାର ହୋଇ ଯାଉଥିଲା ସାଧନା । ସେତେବେଳେ ସେ ତାର ପ୍ରୋଫାଇଲକୁ ଯାଇ ସାଧନାକୁ ଦେଖୁଥିଲେ । ସାଧନା ଯେ ଭଲରେ ଅଛି ସେକଥା କହୁଥିବା ପ୍ରୋଫାଇଲକୁ ଦେଖି ସନ୍ତୁଷ୍ଟ ହେଉଥିଲେ ।

ବୋଧେ ସେ ଲୁଚିଛପି ଦେଖୁଥିବା କଥାକୁ କୌଣସି ସୂତ୍ରରୁ ଜାଣି ଯାଇଥିଲେ ସାଧନା । ସେଇଥିପାଇଁ ପ୍ରୋଫାଇଲକୁ ଲକ କରି ଦେଇଥିଲେ ସେ । ତଥାପି ଯାହା ଦେଖା ଯାଉଥିଲା ସେତକ ଦେଖୁଥିଲେ ଆଶୁତୋଷ । ମୃତ ସମ୍ପର୍କକୁ ପୁଣି ଯୋଡ଼ିବାର ଚେଷ୍ଟା କେବେ କରି ନଥିଲେ । ହଁ, ଥରେଥରେ ବଦମାସ ମନ ଏଇଥିପାଇଁ ତାଙ୍କୁ ପ୍ରବଳ ଚାପ ପକାଉଥିଲା ସତ । କହୁଥିଲା-

ଏତେ ଦିନ ଗଲାଣି ଆଉ କଣ ଅଛି ? ଏବେ ବି ତ ବନ୍ଧୁପରି ରହିହେବ । କେତେବେଳେ କେମିତି ପଦେ ଦୁଇପଦ ହେଲେ ମନକୁ ଶାନ୍ତି ମିଳିବ । ହେଲେ ମନା କରୁଥିଲା ବିବେକ । ମନ ଓ ବିବେକର ଏ ଅଘୋଷିତ ଲଢେଇରେ ପ୍ରବଳ କ୍ଷତିଗ୍ରସ୍ତ ହେଉଥିଲେ ଆଶୁତୋଷ । ହଇରାଣ ହେଉଥିଲେ ସେ ।

କିନ୍ତୁ ବିବେକ ବୁଝାଉଥିଲା । କହୁଥିଲା –

ହୁଏ ତ ତୁ ଯେମିତି ସାଧନାଙ୍କୁ ଦେଖୁଛୁ ସେ ବି ତ ଏଠାରେ ତୋତେ ଥରେଅଧେ ଦେଖିଥିବେ ନିଶ୍ଚୟ ! ତୋର ଅବସ୍ଥିତି ପ୍ରତି ସଚେତନ ଥିବେ । ସେ ବି ତ ସମ୍ପର୍କ ଯୋଡ଼ିବା କଥା । କିନ୍ତୁ କାହିଁକ ଆଜିଯାଏଁ ଯୋଡ଼ି ନାହାନ୍ତି ତ ? ତୋତେ ଦେଖି ନିଶ୍ଚୟ ଦୁଃଖିତ ହେଉଥିବେ ସେ । ତୋ ଭଳିଆ ଲୋକଙ୍କୁ ଦିନେ ବିଶ୍ୱାସ କରି ବିଶ୍ୱାସଘାତକତାର ଜ୍ୱଳନକୁ ସହିଥିବାର ଦୁଃଖକୁ କଣ ଭୁଲି ଯାଇଥିବେ ସେ ? ଏତେ ସୁଖରେ ଥିଲେ ବି ଏବେ ବି ନିଶ୍ଚୟ ସେ ଦୁଃଖ ତାଙ୍କ ହୃଦୟର କେଉଁ କୋଣରେ ନିଶ୍ଚୟ ସାଇତା ହେଇଥିବ । କିଛି ତ କାରଣ ଥିବ । ତୋଠାରୁ ବେଶି ପରିପକ୍ୱ ସେ । ତାଙ୍କ ବିଚାରରେ ଭୁଲ ନଥିବ ।

ନା ନା, ମୁଁ ବିଶ୍ୱାସଘାତକତା କରିନାହିଁ । ଅପରିପକ୍ୱ ଥିଲି ମୁଁ । ସବୁ ଭୁଲ ମୋର ନଥିଲା । କହିବାର ଚେଷ୍ଟା କରୁଥିଲା ସିନା ହେଲେ ବିବେକର ଏ ଅକାଟ୍ୟ ଯୁକ୍ତି ଆଗରେ ହାର ମାନୁଥିଲା ମନ । କାରଣ ମନ ବି ଜାଣିଥିଲା ସାଧନାଙ୍କ ପରିପକ୍ୱତାକୁ । ଯେତେଦିନ ବି ତାଙ୍କୁ ଜାଣିବାର ସୁଯୋଗ ମିଳିଥିଲା ସେତିକିରେ ତାଙ୍କୁ ଚିହ୍ନିଥିଲା ମନ । ବୟସରେ ସାନ ହେଲେ ବି ଆଶୁତୋଷଙ୍କ ଚଞ୍ଚଳ ମନ ଅପେକ୍ଷା ବେଶ ପରିପକ୍ୱ ଥିଲେ ସାଧନା । ଅତ୍ୟନ୍ତ ସରଳ ନିଷ୍କପଟ ଚେହେରା ତଳେ ଥିଲା ଏକ ସଚେତନ ଏବଂ ନିର୍ମଳ ମନ । ନିଜ କଥା କମ ଅନ୍ୟମାନଙ୍କ ମନର କଥାକୁ ବେଶି ବୁଝୁଥିଲେ ସେ । ଆଉ ସେଇଥିପାଇଁ ତ ଆଶୁତୋଷ ତାଙ୍କୁ ଏତେ ପସନ୍ଦ କରୁଥିଲେ !

ସେଇଥିପାଇଁ ଆଜି ଯାଏ ସାଧନାଙ୍କ ପାଖକୁ କୌଣସି ମେସେଜ କି ରିକ୍ଵେଷ୍ଟ ପଠାଇବା ପାଇଁ କନକନ ହେଉଥିବା ମନକୁ ସମ୍ଭାଳି କି ରଖିଥିଲେ ସେ । ହେଲେ ଆଜିର କଥା ଅଲଗା ଥିଲା । ଆଜି ପ୍ରାୟ କୋଡ଼ିଏ ବର୍ଷ ପରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସାଧନାଙ୍କ ଗାଁକୁ ଯାଇଥିଲେ ସେ । ଜାଣିଥିଲେ ସାଧନାଙ୍କ ଗାଁକୁ ଯିବା ମାନେ ଫେରିଯିବା ସେ ପୁରୁଣା ସମୟକୁ । ଏଣୁ ମନା କରୁଥିଲେ ପ୍ରଥମେ । କିନ୍ତୁ ବାଧ୍ୟ୍ୟବାଧକତା ଥିଲା । ବିବେକ କହିଥିଲା –
ଆଉ କଣ ଅଛି ? କାହିଁକି ସେ ପୁରୁଣା ସମୟରେ ଘାଣ୍ଟି ହେଉଛୁ ତୁ ? ବର୍ତ୍ତମାନକୁ ଦେଖ । ତୋ ପାଖରେ ବି ତ ସବୁକିଛି ଅଛି !
ବୁଝି ଯାଉଥିଲେ ସେ, ହେଲେ ସେତେବେଳେ କେଉଁଠିଥିଲା କେଜାଣି ମନ ଆସି କହିଥିଲା –

ସବୁକିଛି ଅଛି ଯେ, ସାଧନା ତ ନାହିଁ ! ପୁଣି ଦୁଃଖିତ ହୋଇଯାଇଥିଲେ ସେ । ପୂର୍ଣ୍ଣତା ଭିତରେ ଅପୂର୍ଣ୍ଣତାର ଅନୁଭବ ଦୁଃଖକୁ ବଢ଼ାଇ ଦେଉଥିଲା ।

ଏମାନେ ଲଢୁଥିଲେ ଏମିତି । ଆଶୁତୋଷ ଯାଇକି ଫେରିଥିଲେ । କିଛି ଆଶଙ୍କା ସତ ହୋଇଥିଲା ତ ଆଉ କିଛି ଅମୂଳକ ସାବ୍ୟସ୍ତ ହୋଇଥିଲା । ମନଟା କିନ୍ତୁ ଜମା ଭଲ ନଥିଲା । ସେଇଥିପାଇଁ ଫେସବୁକ ଘାଣ୍ଟୁଥିଲେ ସେ । ହେଲେ ସେ ଯେ ସାଧନାଙ୍କ କଥା ଚିନ୍ତା କରୁଛନ୍ତି ଏ ଫେସବୁକ ଜାଣିଲା କେମିତି ? କୃତ୍ତିମ ବୁଦ୍ଧିମତ୍ତା ଆଗରେ ଆଜି ହାର ମାନୁଥିଲେ ସେ । କାରଣ ତାଙ୍କ ସାମ୍ନାରେ ପିପୁଲ ୟୁ ନୋ ଶ୍ରେଣୀରେ ଥିଲା ସାଧନାଙ୍କ ପ୍ରୋଫାଇଲ । ଅବଶ୍ୟ ତାଲାବନ୍ଦ ଥିଲା ସେ ପ୍ରୋଫାଇଲ । ତଥାପି ସାମାନ୍ୟ ବଡ଼ ଫୋଟୋଟିଏ ଭିତରେ ଖିଲିଖିଲି ହସୁଥିଲେ ସାଧନା ତାଙ୍କ ପୁଅ ସହିତ । ଭାବପ୍ରବଣ ହୋଇଗଲେ ଆଶୁତୋଷ । ଦୁର୍ବଳ ହୋଇଗଲା ହୃଦୟ । ଏତେ ଦିନର ଆକଟ ଆଉ କାମ କଲା ନାହିଁ । ହଠାତ ସ୍ୱୟଂକ୍ରିୟ ଭାବେ ଅଙ୍ଗୁଠି ଚାଲିଗଲା ଏବଂ ତାସହ ସବୁ ବନ୍ଧବାଡ଼ ଭାଙ୍ଗି ଅନୁରୋଧଟିଏ ଚାଲିଗଲା ସାଧନାଙ୍କ ପାଖକୁ ।

ଭାବନାର ସ୍ରୋତରେ ବହିଯାଇ ଅନୁରୋଧ ପଠାଇଦେଲେ ସିନା ହେଲେ ଠିକ ଭୁଲର ଗୋଲକଧନ୍ଧାରେ ଘାଣ୍ଟି ହେଉଥିଲେ ସେ । ବିବେକ ତାଙ୍କୁ କଲବଳ କରୁଥିଲା । କହୁଥିଲା ଆଉ କଣ ସେ ସେହି ସାଧନା ଅଛି ? ଆଜି ସେ ଗୋଟିଏ ସମ୍ଭ୍ରାନ୍ତ ପରିବାରର ବୋହୂ । କଲେଜ ଯାଉଥିବାର ଛୁଆର ମା । ତୋତେ ଲାଜ ଲାଗିଲା ନାହିଁ !

ପ୍ରକୃତରେ ଲାଜ ଲାଗୁଥିଲା । ତା ସହ ଚରମ ଅନୁଶୋଚନା ବି ତାଙ୍କୁ ଅଥୟ କରୁଥିଲା । ଦଶ ମିନିଟ ପରେ ପରେ ହିଁ ସେ ଅନୁରୋଧକୁ ବାତିଲ କରିବା ପାଇଁ ଖୋଜୁଥିଲେ । ହେଲେ ସେତେବେଳକୁ ଆଉ ସେ ଅନୁରୋଧ ନଥିଲା କି ଫେସବୁକ କାନ୍ଥରେ ନଥିଲେ ସାଧନା ! ଆଶୁତୋଷଙ୍କୁ ବ୍ଲକ କରି ଯାଇସାରିଥିଲେ ସାଧନା । ଆଜିଯାଏଁ କେହି ବ୍ଲକ କରି ନଥିଲେ ତାଙ୍କୁ ! ଖରାପ ଲାଗିବା କଥା କିନ୍ତୁ କେଜାଣି କାହିଁକି ପ୍ରଚୁର ଶାନ୍ତି ଲାଗୁଥିଲା ଆଶୁତୋଷଙ୍କୁ । ଯେମିତି ଏକ ସମ୍ଭାବ୍ୟ ଭୀଷଣ ବିପଦରୁ ରକ୍ଷା ପାଇ ଯାଇଥିଲେ ସେ ।

ଗଭୀର ଶାନ୍ତିର ନିଶ୍ୱାସ ନେଇ ମନେମନେ କହିଥିଲେ –

ଆଜି ବି ତୁମେ ମୋଠୁଁ ପରିପକ୍ୱ ଅଛ ସାଧନା । ମୁଁ ତ ସେମିତି ହିଁ ଅଛି । କିଏ ଭୁଲ କିଏ ଠିକ ସେସବୁ ତର୍ଜମାର ଆବଶ୍ୟକତା ନାହିଁ ! କିଏ ? କାହିଁକିର ବି ପ୍ରଶ୍ନ ଉଠୁନାହିଁ । କିନ୍ତୁ ତୁମର ଏଇ ଗୁଣ ପାଇଁ ମୁଁ ତୁମକୁ ଯେ ଦିନେ ଏତେ ପସନ୍ଦ କରୁଥିଲି ସେଇଟା ଭାବିଭାବି ହିଁ ଖୁସି ହେଉଥାଏ ! ମୋତେ ସେଥିରୁ ରୋକିବ କିଏ ? ନାଁ ତୁମେ ନା ଆଉ କିଏ ?

ହାଃ ହାଃ ହାଃ … ହସୁଥିଲା ବିବେକ କିନ୍ତୁ ତା ଆଡ଼କୁ ଧ୍ୟାନ ନଦେଇ ଆଶୁତୋଷ କହିଥିଲେ ଅନୁରୋଧ ପଠାଇ ସିନା ଦେଇଥିଲି ହେଲେ ମୁଁ ଜାଣିଥିଲି ପରିପକ୍ୱତା ଦେଖାଇବ ତୁମେ ଆଉ ଠିକ ଏମିତି ହିଁ କରିବ ।

ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮

ଲେଖକ ପରିଚୟ

ପ୍ରାୟତଃ ଚାରି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁର କଳେବରରେ ଛୋଟ ନିଶ୍ଚେ, କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ ବୋଲି ପାଠକୀୟ ମତାମତ କୁହେ ।

Related Posts

One thought on “ପରିପକ୍ୱତା

Leave a Reply

Your email address will not be published. Required fields are marked *