ଅଞ୍ଜଳି ପଟ୍ଟନାୟକ

ପ୍ରକୃତରେ ସମୁଦ୍ର
କିଛି କହେ ନାହିଁ,
ଆକାଶ ବି ନିରବ କାଳକାଳ
ନଈ, ପାହାଡ଼, ବଣ, ଜଙ୍ଗଲ
ଜାଣି ନାହାନ୍ତି
ପ୍ରକାଶ କରି ତାଙ୍କର ଭାବ…
ଏକଥା ବି ସେମାନେ ଜାଣିନାହାନ୍ତି
ତାଙ୍କୁ ନେଇ ହୁଏ ପ୍ରେମ
ଯୁଦ୍ଧ
ତଥା ରକ୍ତପାତ
ଯୋଉଥିରେ ତାଙ୍କର ଦୋଷ ନଥାଏ ଜମା…
ସେମାନେ ହୁଅନ୍ତି
କ୍ଷତବିକ୍ଷତ
କିନ୍ତୁ ଜାଣି ନଥାନ୍ତି
ଯୁଦ୍ଧର କାରଣ,
ଯେମିତି ଜାଣନ୍ତିନି ସେ କେଉଁ ପକ୍ଷର ?
ଯୁଦ୍ଧ ପର ସନ୍ଧିରେ
ତାଙ୍କର ନଥାଏ କିଛି ବି ଭୂମିକା,
ତାଙ୍କୁ କେହି ପଚାରେନି
ସେମାନଙ୍କର କ୍ଷୟକ୍ଷତି
କି
ଯାଚେ ନାହିଁ କ୍ଷତି ପୂରଣ…
କାଳକାଳ ଧରି ଶୋଇ ରହିଚି
ପାହାଡ଼
ତା’ଠୁ ଝରିଥିବା ଝରଣା,
ତା’ଠି ବଢୁଥିବା ଗଛବୃଚ୍ଛ,
ତା’ ଉପରେ ରହି ମୈଥୁନ କରି
ବଂଶ ବଢଉଥିବା ପ୍ରଜାତି
ମଳମୁତ୍ର ତ୍ୟାଗ କରି ତାକୁ ଛାଡ଼ି ଚାଲିଯାଉଥିବା
ଜୀବ,
କାହା ଉପରେ ନଥିଲା ତା’ର ହକ୍….
ହକ୍ ଜାହିର କରି ଶିଖି ନାହାନ୍ତି
କି
ନିଜ ପାଇଁ ଜୀଇଁ ଜାଣି ନାହାନ୍ତି
ସେମାନେ…।
ଅଡିଟ ସୁପରିଟେଣ୍ଡଟ୍, ଦୂର୍ଗାବଜାର, ଢେଙ୍କାନାଳ
ଲେଖକ ପରିଚୟ
କଲେଜ ପଢିଲାବେଳୁ ଲେଖାଲେଖି କରୁଥିଲି ହେଲେ ଏଇ ୬ ବର୍ଷ ହେଲା କବିତା ଲେଖାକୁ ପ୍ରାଧାନ୍ୟ ଦେଇଛି । ପେଶାରେ ସରକାରଙ୍କ ଅର୍ଥ ବିଭାଗରେ ସମୀକ୍ଷା ଅଧିକ୍ଷକ ଭାବେ କାର୍ଯ୍ୟରତ ସିନା କିନ୍ତୁ କର୍ମ କ୍ଷେତ୍ରରେ ଥାଇ ବି କବିତାଠୁ ନିଜକୁ ମୁକୁଳାଇ ପାରେନି ମୁଁ । ନିକଟରେ ପ୍ରକାଶିତ ହୋଇଛି କବିତା ଦୁଇଟି କବିତା ସଂକଳନ ‘ସଫେଦ ଇଂଦ୍ରଧନୁ’ ଓ ‘ସରାଗାତରେ ସୁରଗୀତି’ ।