ଲାବଣ୍ୟା ନାୟକ

ଭୋଅର ହେବାଟା ପୂର୍ବବତ୍ ନିର୍ଦ୍ଧାରିତ ଥିଲା ସେଦିନ !
ସକାଳର ମୁକ୍ତାଲଗା
ଘାସ ଗାଲିଚାରେ ପାଦ ପକେଇ
ଧୀରେଧୀରେ ବିଦାୟ ନେଉଥିଲା ସେ,
ସମୟ ନିର୍ଘଣ୍ଟ ଅନୁସାରେ
ଫେରିବାର ପ୍ରତିଶୃତି ଦେଇ
ପିଠି କରି ଗଲା ଯେ ଗଲା
ଆଉ ଫେରିନି ସେଦିନୁ ।

ଝଡ଼ ପରି ଆସିଥିଲା ସେ
ଲକ୍ଷେ ପ୍ରଶଂସାର କମକୂଟ କାରିଗରୀରେ
ପିନ୍ଧେଇଥିଲା ଭଲପାଇବାର ମୁକୁଟ ।
ଶିହରିତ ମୂହୁର୍ତ୍ତମାନେ
ଆନମନା ହେଇ ଚଢିଥିଲେ ଆବେଗର ଶିଖର !
ଭୁଲିଥିଲେ କାନ୍ଥଘଣ୍ଟାର ଟିକ୍ ଟିକ୍
କରୁଥିବା ସମୟକୁ ।
ପ୍ରୀତିର ମଖମଲି କଥାକୁ ସତ ଭାବି
ବିଭୋର ହେଇଥିଲା ତା’ ପ୍ରେମରେ !
ଦିନସବୁ କଣ୍ଟକିତ ପ୍ରହର
ରାତି ଲାଗୁଥିଲା ମିଠା ମଧୁମତୀ ।

ଭୁଲିଥିଲା ନିଜକୁ
ଅହରହ ତା ଭାବନାରେ
ଚା’ରେ ଚିନି ଭାବି ପକଉଥିଲା ଲୁଣ ।
ଯେତେ ଲୁଚେଇଲେ ବି
ଧରା ପଡୁଥିଲା ଅନ୍ଧାରରେ ଥାଇ ବି
ଚାରିପାଖେ ଲାଗୁଥିଲା ଆଲୋକର ତୋରଣ ।

ଭୁଲିଥିଲା ଅତୀତ
ଭାସିଥିଲା କାଗଜ ଡଙ୍ଗାରେ
ପାରି ହେଉଥିଲା ବିଶ୍ବାସର ସେ ନୀଳ ନଈ ।
ଯେତେ ଆବଦ୍ଧ ଆବରଣ ଡେଇଁ
ନିର୍ଭୟରେ ଖୋଲିଥିଲା ତା ଭୟର କବରୀ
ଭାସିଥିଲା ପଦ୍ମ ସରୋବରେ ନିଜକୁ ବିସ୍ମରି
ଯେଉଁଠି ନଥିଲେ କେହି ଶତ୍ରୁ ରୂପେ ନାଗୁଣୀ
ତାକୁ ଦଂଶିବାକୁ ।
ମୁକ୍ତମନା ହେଇ ବୁଲୁଥିଲା ଫୁଲବନେ ।

ବାସ୍
ଝଡ଼ ପରେ ଆୟୁତେ ନିରବତା
ଶାନ୍ତ ଦିଗବଳୟ ଛୁଏଁ
ସବୁ ସକାଳ ଅଭିଶପ୍ତ ଲାଗେ
ସୂର୍ଯ୍ୟ ମୁହଁ ଧୁଏ ଆଞ୍ଜୁଳାଏ ମୋହରେ
କହେ ବିସର୍ଜି ଡ଼େ ମାଟିଦେହ ପରି ତା ସ୍ମୃତି ସବୁକୁ ।
ଅପେକ୍ଷା ନକରି ଫେରି ଯା’
ତେଲ ଲୁଣ ସଂସାର ତିଆରି ଘରକୁ ।

କୁଆଁସାରପୁର, ଯାଜପୁର

ଲେଖକ ପରିଚୟ

ଛାତ୍ର ଜୀବନରୁ ସୃଜନମନସ୍କ କବି ସଂସାର ଜଞ୍ଜାଳରୁ ସମୟ କାଢି ପୁଣିଥରେ ଫେରିଛନ୍ତି ସାହିତ୍ୟ ଜଗତକୁ । ଏଯାବତ ତାଙ୍କର ଦୁଇଟି କବିତା ସଂକଳନ ପ୍ରକାଶିତ ହୋଇସାରିଥିବା ବେଳେ ପୁଞ୍ଜାପୁଞ୍ଜା ମାନପତ୍ର, ଉପଢୌକନରେ ରୁଦ୍ଧିମନ୍ତ ସେ ।

Related Posts

Leave a Reply

Your email address will not be published. Required fields are marked *