ବିନୟ ମହାପାତ୍ର

‘ଭଜ ଗୋବିନ୍ଦଂ, ସ୍ମର ଗୋବିନ୍ଦଂ, ଗୋବିନ୍ଦଂ ଭଜ ମୁଢ ମତି’, ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କର ଏଇ ଗୀତଟି କିଏ ଜଣେ ବନ୍ଧୁ ହ୍ୱାଟସଅପ ଗ୍ରୁପରେ ଶେୟାର କରିଥିଲେ । ସୁଧାକର ବାବୁ ଏଇ ଥରକୁ ମିଶାଇ ଗୀତଟାକୁ ପ୍ରାୟ ପନ୍ଦର ଥର ଶୁଣି ସାରିଲେଣି । ପ୍ରଥମେ ଥରେ ଦୁଇ ଥର ମୋବାଇଲରେ ଫୁଲ ଭଲ୍ୟୁମରେ ଶୁଣିଲା ପରେ ଯେତେବେଳେ ତୃତୀୟ ଥର ପାଇଁ ପ୍ଲେ କଲେ ସେତେବେଳେ ମିସେସ୍ ପୂଜାଘର ଭିତରୁ ବଡ଼ ପାଟିଟାଏ କରି କହିଲେ,

: ଗୀତଟା ଯଦି ଏତେ ଭଲ ଲାଗୁଛି ତେବେ କାନରେ ଇଅର ଫୋନ ଲଗେଇ ଶୁଣ । ମୁଁ ଏଇଠି ଧ୍ୟାନ ଲଗେଇ ପୂଜା କରି ପାରୁନି ।
ସାନପୁଅ ସକାଳ ଚା’ କପ୍ ଟା ଆଣି ସେଣ୍ଟର ଟେବୁଲ ଉପରେ ରଖି ଦେଇ କହିଲା,

: ବାପା ଚାହା, ଆଉ ଚେତାବନୀ ଶୁଣାଇ କହିଲା, ‘ଭାଉଜ କହିଲେ ଆଜି ଆଉ ଚାହା ମିଳିବନି । ଏଇଟାକୁ ମିଶେଇ ସକାଳୁ ତୁମେ ଚାରି କପ୍ ଚାହା ଅଲରେଡି ପିଇ ସାରିଲଣି’ । ଏତିକି କହି ସେ ସାମ୍ନା ସୋଫା ଉପରେ ବସି ପଡିଲା । ଟିଭି ରିମୋଟଟା ସୁଧାକରବାବୁଙ୍କ ହାତରୁ ନେଇ ନିଉଜ୍ ଚାନେଲଟାକୁ ବଦଳେଇ ସ୍ପୋର୍ଟସ ଚାନେଲକୁ କରିଦେଲା । କହିଲା ନିଉଜିଲ୍ୟାଣ୍ଡରେ କ୍ରିକେଟ ମ୍ୟାଚର ଲାଇଭ ଟେଲେକାଷ୍ଟ ଦେଖିବ ।

ସୁଧାକରବାବୁ ଅଗତ୍ୟା ଅନ୍ୟ ଉପାୟ ନଦେଖି ଇଅରଫୋନ କାନରେ ଲଗାଇ ବାରଣ୍ଡାକୁ ଚାଲିଗଲେ । ଯେତେ ଥର ଶୁଣିଲେ ବି ଗୀତଟା ପ୍ରତିଥର କିଛି ନା’ କିଛି ନୂଆ ଚେତନା ଭରି ଦେଉଥିଲା ହୃଦୟ ଭିତରେ । କେତେ ସୁନ୍ଦର ଭାବେ ବୁଝେଇ ଦେଇଛନ୍ତି ଆଦିଗୁରୁ ଶଙ୍କରାଚାର୍ଯ୍ୟ । ମାୟାଟା ଭ୍ରମ, ଆଉ ଏଇ ଭ୍ରମ ଭିତରେ ମଣିଷ ପୁରା ଜୀବନ ବିତେଇ ଦେଉଛି । ଆଖିରେ ଅନ୍ଧପୁଟୁଳି ବାନ୍ଧି ନେଇଛି । ଆଉ ସେଇ ବନ୍ଦ ଆଖିରେ କେବଳ ଧନ, ଦାରା, ସୁତର ସ୍ୱପ୍ନ ଆଉ ମୋହ ମାୟାର ବନ୍ଧନ ଭିତରେ ଜୁଡୁବୁଡୁ ହୋଇ ଅଗତ୍ୟା ମୁକ୍ତି ପାଇଁ ରାସ୍ତା ଖୋଜୁଛି । ୩୦ ବର୍ଷର ଚାକିରି କାଳ ଭିତରେ କଣ କରିଛନ୍ତି ସୁଧାକର ବାବୁ ? ଅଧ୍ୟାପକ ଚାକିରିରେ ସକାଳୁ ସଞ୍ଜ ଯାଏ କ୍ଳାସ୍ ପରେ କ୍ଳାସ୍, କଲେଜ ସରିଲା ପରେ କୋଚିଙ୍ଗ କ୍ଳାସ୍ ତା’ ପରେ, ରାତି ନଅଟାରେ ଘରେ ପହଞ୍ଚିଲା ପରେ କଣ ଟିକିଏ ଖାଇ ଦେଇ ପୁଣି ସେହି ବହିମାନଙ୍କ ଭିତରେ ହଜି ଯାଉଥିଲେ ଜ୍ଞାନର ସନ୍ଧାନରେ ।

ଫିଜିକ୍ସର ପ୍ରାଧ୍ୟାପକ ଥିଲେ, ଢେର ସାରା ଜ୍ଞାନ ଅର୍ଜନ କରିଛନ୍ତି ନିଜ ସବଜେକ୍ଟରେ, ଅଗାଧ ଜ୍ଞାନ ହାସଲ କରିଛନ୍ତି, ବସ୍ତୁ ବିଜ୍ଞାନରେ, ଡକ୍ଟରେଟ ଉପାଧୀ ପ୍ରାପ୍ତ କରିଛନ୍ତି । କିନ୍ତୁ ବସ୍ତୁ ସର୍ବସ୍ଵ ବାସ୍ତବ ଜୀବନରେ ‘ବିଷୟ’ ବାସନାରେ ଏମିତି ମଗ୍ନ ରହିଗଲେ ଯେ ଜୀବନର ଅସଲ ଜ୍ଞାନ ଟିକିଏ ବି ଅର୍ଜନ କରି ପାରିଲେନି । ସେଇ ପ୍ରଭୁଙ୍କ ଜ୍ଞାନ, ବିଷୟାସକ୍ତ ମାୟାର ସଂସାରରୁ ମୁକ୍ତି ପାଇବାର ଜ୍ଞାନ କିମ୍ବା ଜୀବନ ମରଣର ଏଇ ଅନନ୍ତ ଯାତ୍ରାରୁ ମୁକ୍ତି ମାର୍ଗର ଗୁଢ଼ ତତ୍ତ୍ୱଜ୍ଞାନରୁ କାଣିଚାଏ ବି ଅର୍ଜନ କରି ପାରିଲେନି ।

ବଡ଼ ବିତୃଷ୍ଣା ଭାବ ଆସିଗଲା ନିଜର ଜୀବନ ପ୍ରତି । ଏତେ ବଡ଼ ଘର ତିଆରି କରିଦେଲେ, ହେଲେ ନିଜ ହୃଦୟ ମନ୍ଦିରର ଚଉକାନ୍ଥକୁ ଏମିତି ଖୋଲା ଛାଡ଼ିଦେଲେ ଯେ ଓଲେଈ ଗାଈ ପରି ମାୟା ପଶିଗଲା ହୃଦୟ ଭିତରେ, ସବୁ ଅନ୍ଧାର କରିଦେଲା । ଜ୍ଞାନର ଦୀପଟିଏ ବି ଜଳାଇ ପାରିଲେନି ମନ ମନ୍ଦିରରେ, ହୃଦୟ ଭିତରେ । ଶେଷଥର ପାଇଁ କେବେ ମନ୍ଦିର ଯାଇଥିଲେ ତାଙ୍କର ଆଜି ମନେପଡୁ ନାହିଁ ।

ଏଇ ଭୁବନେଶ୍ୱରରେ ଅଧା ଜୀବନ କଟିଗଲା ତାଙ୍କର । ହେଲେ ଜଗନ୍ନାଥଙ୍କ ଦର୍ଶନ ଦୁଇ ଚାରି ଥରରୁ ବେଶି କରି ପାରିନାହାନ୍ତି । ପୁରୀ ଏଇଠୁ କେତେବା ଦୂର ? ରାସ୍ତା ସିନା ଦୂର ନୁହେଁ, ହେଲେ ବିଜ୍ଞାନର ଏଇ ବସ୍ତୁ ଜ୍ଞାନ ଭଗବାନଙ୍କ ଠାରୁ, ବାସ୍ତବ ଦୁନିଆରୁ ତାଙ୍କୁ ଆଜି ଯାଏ ଦୂରେଇ ରଖିଛି । ଧନ ଦାରା ସୂତ, ଏଇ ତ ମାୟା, ସେଇ ମାୟାରେ ଫସି ଯାଇ ମଣିଷ ଜାଣି ପାରେନା ଧନ ଲାଗି ପୁତ୍ର ବି ଦିନେ ଶତ୍ରୁ ପାଲଟି ଯାଏ । ଯେ ପର୍ଯ୍ୟନ୍ତ ଅର୍ଜନକ୍ଷମ ରହିଛ ସେ ପର୍ଯ୍ୟନ୍ତ ସମସ୍ତେ ସମ୍ମାନ ଦେବେ, ଖାତିରି କରିବେ । ଯେଉଁଦିନ ଅବସର ନେଇ ଯିବ, ଅର୍ଜନ ଅକ୍ଷମ ହୋଇଯିବ, ସେହିଦିନ ଠାରୁ ବାସି ମୁହଁରେ କେହି ପଚାରିବେ ନାହିଁ, କେହି ଶୁଣିବେନି ତୁମ କଥା । ସୁଧାକର ବାବୁଙ୍କର ଅବଶ୍ୟ ସେପରି ପରିସ୍ଥିତି ଆସିନି କିମ୍ବା ଆସିବାର ସମ୍ଭାବନା ମଧ୍ୟ କମ୍, କାରଣ ସେ ସରକାରୀ କର୍ମଚାରୀ ଥିଲେ, ଏବେ ବି ପେନସନ୍ ଗଣ୍ଡାକ ମିଳୁଛି, ମଲା ଯାଏ ଏମିତି ମିଳୁଥିବ, କିଛି ସେଭିଙ୍ଗସ୍ ବି ଅଛି, ଭଲ ମନ୍ଦରେ କାହାର ସାହାଯ୍ୟ ଲୋଡ଼ିବାକୁ ପଡ଼ିବନି । ହେଲେ ସମସ୍ତେ ତ ସରକାରୀ ଚାକିରିଆ ନୁହଁନ୍ତି ।

ସେଦିନ ରାସ୍ତାରେ ତାଙ୍କର କଲେଜ ପଢା ଦିନର ସାଙ୍ଗ ବୃନ୍ଦାବନ ସାଙ୍ଗରେ ଦେଖା ହୋଇଥିଲା, ସେ କହୁଥିଲା ତା କଥା । ପିଲାମାନେ କେହି ପଚାରିଲେନି, ଘରେ କେହି ବି ସମ୍ମାନ ଦେଲେନି, ଖାଇବା ଗଣ୍ଡାକ ପାଇଁ ବି ପଚାରନ୍ତି ନାହିଁ । ଭୋକ ଲାଗିଲେ ଖାଇବା ମାଗିବାକୁ ପଡୁଥିଲା । ସେଇଥିପାଇଁ ସେ ନିଜ ଘର ଛାଡ଼ି ସ୍ତ୍ରୀକୁ ସାଥିରେ ଧରି ଭଡ଼ା ଘରେ ରହୁଛି ।

ରାସ୍ତା କଡ଼ରେ ଟେବୁଲଟିଏ ପକେଇ ଚାହା ଦୋକାନଟିଏ କରିଛି । ସେଥିରୁ ଯାହା ରୋଜଗାର ହେଉଛି ବୁଢାବୁଢୀ ଚଳି ଯାଉଛନ୍ତି । ହେଲେ ଏମିତି ଆଉ କେତେ ଦିନ ହାତ ଗୋଡ ଚାଲୁଥିବ, ୬୫ ବର୍ଷ ହୋଇଗଲାଣି ବୃନ୍ଦାବନକୁ । ସାରା ଜୀବନ ପ୍ରାଇଭେଟ ଚାକିରିରେ ଖଟିଖଟି ବଡ଼ ପୁଅକୁ ଇଞ୍ଜିନିୟର କଲା, ସାନଟା ସି.ଏ କରି ବ୍ୟାଙ୍କରେ ବଡ଼ ଅଫିସରଟିଏ ହୋଇଛି । ଝିଅକୁ ପୋଷ୍ଟଗାଜୁଏଟ୍ କରେଇ ଯୋଗ୍ୟ ବର ଦେଖି ବାହାଘର କରି ଦେଲା । ଝିଅ ଏବେ କେଉଁ ପ୍ରାଇଭେଟ କଲେଜରେ ଲେକ୍ଚରର ଅଛି । ମଝିରେ ମଝିରେ ଆସେ, ଦେହପା’ ଖବର ବୁଝିଯାଏ, ଗଲାବେଳେ କିଛି ଟଙ୍କା ପଇସା ମାଆ ହାତରେ ଦେଇଯାଏ, କେବେ କେବେ କିଛି ଟଙ୍କା ପଠେଇ ଦିଏ ।

ବାପା ମାଆଙ୍କ ପାଇଁ, ଭାଇମାନଙ୍କ ସହିତ ଝଗଡ଼ା କରିଥିଲା ସିଏ । ସେମାନଙ୍କୁ କେତେ ବୁଝେଇଥିଲା, ବୁଢା ବାପା, ମାଆଙ୍କର ଯତ୍ନ ନେବାକୁ, ପାଖରେ ରଖିବାକୁ, ହେଲେ କେହି ଶୁଣିଲେନି । ସେଇଥିପାଇଁ ଭାଇମାନଙ୍କ ସାଥିରେ ସମ୍ପର୍କ ତୁଟେଇ ଦେଲା । କହିଲା ସେଇ ବାପ ମାଆଙ୍କ ଲାଗି ଆମେ ସିନା ଭାଇଭଉଣୀ । ସିଏ ମୋର ବାପା ତୁମର ବି । ହେଲେ ତୁମେ ଯଦି ତାଙ୍କ ସାଙ୍ଗେ ପୁଅର ସମ୍ପର୍କ ରଖିପାରୁନ ତେବେ ତୁମେ ମୋର ଭାଇ କେମିତି ହେବ ?

ଝିଅ ଡାକୁଥିଲା ବୃନ୍ଦାବନକୁ, କହିଲା ବାପା, ତୁମେ ମୋତେ ପୁଅଟିଏ ପରି ପାଳିଥିଲ, ପଢେଇଲ, ଲେଖେଇଲ ବାହାଦେଲ । ମୁଁ ଆଜି ଚାକିରି କରିଛି, ବର୍ଷେ ଦି ବର୍ଷ ଭିତରେ ସରକାର ଆମ କଲେଜଟାକୁ ହାତକୁ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି । କିଛି ନହେଲେ, ତୁମ ଜୋଇଁ ବି ତ ଭଲ ଚାକିରି କରିଛନ୍ତି । ମୋର କୋଉଥିରେ କିଛି ଅଭାବ ନାହିଁ । ତୁମେ ଚାଲ ମୋ ସାଙ୍ଗରେ ରହିବ । କିଛି ଅସୁବିଧା ହେବନି ତୁମର ସେଇଠି । ଜୋଇଁ ବି ବହୁତ ଜୋର କରୁଥିଲେ ତାଙ୍କ ସାଥିରେ ରହିବାକୁ । ହେଲେ, ବୃନ୍ଦାବନ ମନା କରିଦେଲେ । କହିଲେ ମାଆରେ, ବାପ ଯାଇ ଝିଅ ଘରେ ରହିବ, ଲୋକେ କଣ କହିବେ । ପୁଅମାନଙ୍କୁ ନିନ୍ଦା କରିବେ । ମୋ ପାଳନପୋଷଣକୁ ଦୋଷ ଦେବେ । କହିବେ ପୁଅମାନଙ୍କୁ ଏତେ ଉଚ୍ଚ ଶିକ୍ଷା ଦେଲା, ହେଲେ ମାଆ ବାପାଙ୍କୁ କେମିତି ସମ୍ମାନ କରନ୍ତି ସେତିକି ଶିକ୍ଷା ଦେଇ ପାରିଲାନି ।

ଝିଅ ସେତେବେଳେ ଅଭିମାନ କରିଥିଲା, କହିଲା

: ବାପା, କୋଉ ସମାଜ କଥା କହୁଛ ତୁମେ ? ତୁମେ ପୁଅମାନଙ୍କୁ ପଢେଇ ଲେଖେଇ ଏତେ ବଡ଼ କଲ, ତୁମ ଲାଗି ଆଜି ସେମାନେ ବଡ଼ବଡ଼ ଚାକିରି କରୁଛନ୍ତି, ବହୁତ ରୋଜଗାର କରୁଛନ୍ତି, କାରରେ ବୁଲୁଛନ୍ତି ହେଲେ ବୁଢା ବାପା ଏଠି ଭାତ ମୁଠାକ ପାଇଁ ସକାଳୁ ସଞ୍ଜ ଯାଏ ଚା’ ଦୋକାନ କରୁଛି, ସେଇ ପୁଅମାନଙ୍କୁ ଆଜି ଲାଜ ଲାଗୁନି । ଆଉ ଏ ନିର୍ଲଜ୍ଜ ସମାଜ ଏସବୁ ଦେଖି ସେମାନଙ୍କୁ କିଛି ବି ପଦେ କହିପାରୁନି, ତୁମେ ସେଇ ସମାଜକୁ ଡରି ନିଜ ଝିଅ ସାଥିରେ ରହି ପାରିବନି, ଧିକ୍ ଏପରି ସମାଜକୁ ।

ବୃନ୍ଦାବନ ଝିଅକୁ ପାଖକୁ ଆଉଜାଇ ନେଇଥିଲେ, ତାର ମଥାରେ ଚୁମାଟିଏ ଦେଇ କହିଲେ,

: ମାଆରେ ସମାଜ ସବୁଦିନ ଏମିତି, ତାର କିଛି ଦୋଷ ନାହିଁ । ଏଇ ସମାଜ ପୁଅର ମାୟାରେ, ଝିଅମାନଙ୍କୁ ସବୁବେଳେ ହତାଦର କରି ଆସିଛି । ସମାଜର ଯଦି ଆଖି ଥାଆନ୍ତା, ସେ ଆଜି ତୋତେ ଦେଖିପାରନ୍ତା, କିନ୍ତୁ ସମାଜର ନା’ ଆଖି ଥାଏ ନା’ କାନ ? ଖାଲି ପାଟିଟାଏ ଥାଏ କହିବାକୁ । ଛାଡ଼ ସେ କଥା, ଦେଖ ମୋର ହାତଗୋଡ଼ ଏବେ ଚାଲୁଛି, ଦି’ ପ୍ରାଣୀଙ୍କ ପାଇଁ ଯେତିକି ଦରକାର ପ୍ରଭୁ ସେତକ ଦେଉଛନ୍ତି । ଯେତେବେଳେ ହାତଗୋଡ଼ ଅଚଳ ହୋଇଯିବ, ସେତେବେଳେ ଆଉ କୁଆଡ଼େ ଯିବୁ ? ତୋରି ପାଖକୁ ଆସିବୁରେ ମାଆ । ତୁ ବାପା ମାଆଙ୍କ ବିଷୟରେ ଏତିକି ଭାବୁଛୁ, ସେଥିପାଇଁ ମୋ ଛାତି କୁଣ୍ଢେମୋଟ ହୋଇଯାଉଛି, ଗର୍ବରେ ମୋ ମୁଣ୍ଡ ଉଚ୍ଚା ହୋଇଯାଉଛି । ତୋ ପରି ଝିଅ ଜନ୍ମ କରି ଆମେ ଦି’ଜଣ ନିଜକୁ ଭାଗ୍ୟବାନ ମନେକରୁଛୁ । ପ୍ରଭୁଙ୍କୁ ଡାକୁଛି, ସେ ସମସ୍ତଙ୍କୁ ତୋରି ପରି ଝିଅଟିଏ ଦିଅନ୍ତୁ । ଏତିକି କହୁକହୁ ବୃନ୍ଦାବନର ଆଖି ଜକେଇ ଆସିଥିଲା । କୋହ ଚାପି ଦେଉଥିଲା ତାଙ୍କର ଗଳା ।

ବଡ଼ ଭାବବିହ୍ୱଳ ହୋଇ ଯାଇଥିଲେ ସୁଧାକର ବାବୁ । ବିଚରା ବୃନ୍ଦାବନ ସନ୍ତାନର ମାୟାରେ ଏମିତି ଛନ୍ଦି ହୋଇଗଲା ଯେ ଜୀବନର ସବୁ ପୁଞ୍ଜି ସେମାନଙ୍କ ପଛରେ ଖର୍ଚ୍ଚ କରିଦେଲା । ନିଜ ଜୀବନର ପ୍ରତିଟି ମୁହୁର୍ତ୍ତକୁ, ନିଜର ପ୍ରତିଟି ସ୍ୱେଦ କଣିକାକୁ ସମର୍ପଣ କରିଦେଲା ନିଜର ପିଲାଙ୍କ ଭବିଷ୍ୟତ ଗଢିବାକୁ । ନିଜ ଭବିଷ୍ୟତ ପାଇଁ କାଣିଚାଏ ବି ସଞ୍ଚୟ କରି ପାରିଲାନି । ନିଜର ରକ୍ତକୁ ଦି‘ପ୍ରହର ଧୂଧୂ ଖରାରେ, ହାଡ଼ଭଙ୍ଗା ଶୀତରେ ଏମିତି ଜାଳିଦେଲା ପିଲାମାନଙ୍କର ଜୀବନକୁ ଆଲୋକିତ କରିବାକୁ, ହେଲେ ନିଜର ବାର୍ଦ୍ଧକ୍ୟ ଅନ୍ଧକାରମୟ କରିଗଲା । ସେ କେତେ ଭୂଲ ଥିଲା ସତରେ ?

ସେ ଭାବୁଥିଲା ଏଇ ପିଲାଏ ତାର ଭବିଷ୍ୟତ, ପିଲାଏ ତାର ଅସଲ ପୁଞ୍ଜି, ଜୀବନର ସକଳ ସମ୍ପଦ, ହେଲେ ଆଜି ? ସିଏ ନିଜେ କଙ୍ଗାଳ ନିଃସ୍ଵ ରହିଗଲା ! ପେଟ ପାଇଁ ଦୁଇ ବକତର ଦାନା ଦି’ ମୁଠା ଜୋଗାଡ଼ କରିବାକୁ, ଆଜି ବି ଏଇ ବୟସରେ ଏମିତି ରାସ୍ତା କଡ଼ରେ, ଖୋଲା ଆକାଶ ତଳେ, ଶୀତ କାକର ବର୍ଷାରେ ଭିଜି ଭିଜି, କାଠର ଟେବୁଲଟା ଉପରେ କିରାସିନ ଷ୍ଟୋଭରେ ପମ୍ପ ଭରୁଛି, ଚାହା ଫୁଟେଇବା ପାଇଁ, ଦି’ ପଇସା ଯୋଗାଡ କରିବାକୁ ଗୃହଲକ୍ଷ୍ମୀ ତାଙ୍କର କେତେ ଜାତି ଗ୍ରାହକଙ୍କର ଅଇଁଠା ଗ୍ଲାସ ଧୋଉଛି ।

ସତରେ ଏଇ ମାୟା କେତେ ମଝଭୂତ ! ଏ ଭ୍ରମ କେତେ ତୀବ୍ର ! ଏଇ ଭ୍ରମ ଆଗରେ ଚିରନ୍ତନ ସତ୍ୟ ସତେ କେତେ ଫିକା ପଡ଼ିଯାଏ ! ମଣିଷ ଜଳଜଳ କରି ଦେଖୁଥିଲେ ବି ଜାଣି ପାରେନା ଯାହା ଦେଖୁଛି, ଯାହା ଶୁଣୁଛି, ଯାହା ଅନୁଭବ କରୁଛି ସେସବୁ ମିଥ୍ୟା, ସେସବୁ ଦୃଷ୍ଟି ଭ୍ରମ । ସୁଧାକର ବାବୁ ପ୍ରକୃତିସ୍ଥ ହେବାକୁ ଚେଷ୍ଟା କରୁଥିଲେ, ହେଲେ ବାରମ୍ବାର ବୃନ୍ଦାବନର ଚେହେରା ତାଙ୍କ ଆଖି ଆଗରେ ଦିଶି ଯାଉଥିଲା । ତାର ସେଇ ଲୋଚା ପଡ଼ି ଯାଇଥିବା ମଳିନ ମୁହଁଟା, କୋଟର ଭିତରେ ପଶି ଯାଇଥିବା ଦୁଇଟି ନୀରିହ ଆଖି ସତେଯେପରି କହୁଛି ପ୍ରଭୁଙ୍କର ଏ କିପରି ଲୀଳା ? ମାୟା ସୃଷ୍ଟି କଲେ, ବହୁତ ଭଲ କଲେ ! ମାୟା ନଥିଲେ ବିଚରା ଏଇ ସନ୍ତାନମାନେ ଅନାଥ ହୋଇ ଯାଇଥାଆନ୍ତେ । କିନ୍ତୁ ଏ ମାୟା କେବଳ ବାପ ମାଆଙ୍କ ପାଇଁ କାହିଁକି ଲାଗୁ ହୁଏ ? ସନ୍ତାନମାନଙ୍କ ମନରେ ବାପା ମାଆ ପ୍ରତି ଏ ମାୟା କାହିଁକି ଲାଗିପାରନା ?

ଏଇ ମାୟାଟା ପ୍ରଭୁଙ୍କ ଲୀଳା, ନା’ ମନୁଷ୍ୟର ଇଚ୍ଛାକୃତ ? ମାୟା କଣ ମଣିଷର ଅଧୀନ ? ମଣିଷ ଯେଉଁଠି ଚାହିଁବ ମାୟା ଲଗାଇ ପାରିବ, ଯେଉଁଠି ନଚାହିଁବ ସେଇଠି ଲାଗିବ ନାହିଁ ! ଫିଜିକ୍ସର ଅଧ୍ୟାପକ ହୋଇ ମଧ୍ୟ ଏଇ ବିଚିତ୍ର ସୁତ୍ରର ମୂଳରେ ପହଞ୍ଚି ପାରୁ ନଥିଲେ ସୁଧାକର । ବୋଧହୁଏ ଜୀବନଟା ଏମିତି ଏତେ ସହଜ ଗଣିତ ନୁହେଁ । ଏଇଠି କିଛି ନିର୍ଦ୍ଦିଷ୍ଟ ଫର୍ମୁଲା କାମ ଦିଏନା ।

ସୁଧାକରଙ୍କ ମୁଣ୍ଡ ଭିତରେ ସେଇ ପଦଟିଏ ଗୀତ ବାରମ୍ବାର ବାଜିବାକୁ ଲାଗିଲା, ‘ଭଜ ଗୋବିନ୍ଦଂ ସ୍ମର ଗୋବିନ୍ଦଂ, ଗୋବିନ୍ଦଂ ଭଜ ମୂଢ ମତେ’ । ସେଇ ବସିବା ଜାଗାରୁ ଉଠି ଠିଆ ହୋଇପଡ଼ିଲେ ସେ । ସକାଳ ଗାଧୁଆ ପରେ ପିନ୍ଧିଥିବା ଢିଲା ପାଇଜାମା କୁର୍ତ୍ତାରେ ମନ ତାଙ୍କର ଜଗନ୍ନାଥଙ୍କ ଚକାନୟନରେ ଯେପରି ମଗ୍ନ ହୋଇ ଯାଉଥିଲା । କବାଟ ପାଖରେ ଠିଆ ହୋଇ କହିଦେଲେ,

: ଆରେ ଶୁଣୁଛ, ମୁଁ ବାହାରକୁ ଯାଉଛି, ଫେରିବାରେ ଡେରି ହେବ କହି ବାହାରିଗଲେ । ଗ୍ୟାରେଜରୁ କାର ବାହାର କରି ଚାଲିଲେ ପୁରୀ । ଡୋରି ଲାଗିଛି କାଳିଆର । କାଳିଆ ସତେ ପୁରା ଜୋର ଲଗାଇ ଟାଣୁଛି ସୁଧାକରଙ୍କୁ ।

ହୋସ୍ ନାହିଁ ସେ କେମିତି ଭାବେ ପୁରୀ ପହଞ୍ଚିଗଲେ । ପାର୍କିଂରେ କାରଟାକୁ ଛାଡ଼ି, ମନ୍ଦିର ଆଡ଼କୁ ମୁହଁ କରି ଉର୍ଦ୍ଧ ବାହୁ ଟେକି କହି ଉଠିଲେ,

: ହେ କାଳିଆ ସାଆନ୍ତେ, ଶେଷରେ ଏ ଅକିଞ୍ଚନକୁ ଟାଣି ଆଣିଲୁନା’ ତୋ ପାଖକୁ ! ବହୁତ କଥା ଅଛି ତୋତେ କହିବାକୁ, ଅନେକ ପ୍ରଶ୍ନ ରହିଯାଇଛି ଏଇ ମନରେ, ଜବାବ ଦେବୁନା’ ମୋତେ ? ସେମିତି ଦୁଇ ହାତ ଉପରକୁ ଉଠାଇ ଅଧା ଖୋଲା, ଅଧା ବୁଜା ଆଖିରେ ଏକମୁହାଁ ହୋଇ ଚାଲିଛନ୍ତି, ବଡ଼ଦେଉଳ ଆଡ଼କୁ । ସେ ଏକ ତନ୍ମୟର ଭାବ, ଏକ ପ୍ରକାରର ପାଗଳାମି କହିଲେ ଅତ୍ୟୁକ୍ତି ହେବନି । ବିଜ୍ଞାନର ଜଣେ ଅବସରପ୍ରାପ୍ତ ପ୍ରାଧ୍ୟାପକ, ଭକ୍ତି ରସରେ ଏପରି ଡୁବି ଯାଇଛି ଯେ ତାର ହୋସ୍ ନାହିଁ, ସେ କଣ ଦେଖୁଛି, କଣ ଭାବୁଛି, କେଉଁ ଆଡ଼କୁ ଯାଉଛି, କିଛି ଜ୍ଞାନ ନାହିଁ । ବୋଧହୁଏ ଚୈତନ୍ୟ ଦେବ ବି ଏମିତି ନାମାମୃତ ଭିତରେ ଭାବ ବିହ୍ୱଳ ହେଇ ଯାଇଥିଲେ । ଦିବାନୀ ମୀରା ବୋଧହୁଏ କୃଷ୍ଣ ପ୍ରେମରେ ଏମିତି ରଚି ବସି ଯାଇଥିଲେ । ସେ ଅବସ୍ଥାଟା କଣ, କେବଳ ସିଏ ହିଁ ଜାଣେ, ଯିଏ ସେ ଅମୃତ ପାନ କରିଛି । ଯିଏ ସେଇ ତନ୍ମୟତା ଭିତରେ ହଜିଯାଇ ପାରିଛି । ସେମିତି ଅବଚେତନ ଅବସ୍ଥାରେ ସୁଧାକର ବାବୁ ବଡ଼ମନ୍ଦିର ଭିତରେ ପହଞ୍ଚି ଗଲେ ।

ଆଖିରୁ ତାଙ୍କର ଧାରଧାର ହୋଇ ଲୁହ ବୋହି ଯାଉଥାଏ, ବାଷ୍ପାରୁଦ୍ଧ କଣ୍ଠ, କିଛି ବୁଝିହେଉନି ସେ କଣ କଣ କହି ଯାଉଛନ୍ତି, ସେ ଯେପରି ପାଗଳାମିର ଚରମରେ ପହଞ୍ଚି ଯାଇଛନ୍ତି । ଏଇ ପାଗଳାମିକୁ ବୋଧହୁଏ ଭକ୍ତି ଭାବର ଅନ୍ତିମ ଚରଣ କୁହାଯାଏ । ଖାଲି ଏତିକି ଶୁଭୁଥାଏ, ତୁ ଡାକିଲୁ ମୋତେ, ତୁ ନେଇ ଆସିଲୁ ମୋତେ, ଶେଷରେ ତୋଅରି ପାଖକୁ ଟାଣି ଆଣିଲୁନା’ ମୋତେ ତୋ ପାଖକୁ । ମୋତେ ଆଉ ଯିବାକୁ କହିବୁନି ରେ କାଳିଆ ସାଆନ୍ତ, ମୋତେ ତୋରି ପାଦତଳେ ଦାସଟିଏ କରି ରଖି ନେଏ । ମୋତେ ତୋରି ପାଦତଳେ ଟିକେ ଜାଗା ଦେଇ ଦେ’ରେ କାଳିଆ । ଗରୁଡ ଖମ୍ବ ଉପରକୁ ଆଉଜି ପଡ଼ି ସେଇଠି ବସିଗଲେ । ଆଖିରୁ ଧାରଧାର ଲୁହ ବୋହି ଯାଉଥାଏ, ଗଦ୍ ଗଦ୍ ବାଷ୍ପରୁଦ୍ଧ କଣ୍ଠ, ଏକ ଦୈନ୍ୟ, ନିସ୍ୱତାର ଭାବ, ତାଙ୍କର ଧ୍ୟାନ ନାହିଁ ମନ୍ଦିରରେ ଆଉ କେହି ଅଛି ନା ନାହିଁ । ତାଙ୍କୁ ଚତୁର୍ଦ୍ଦିଗ କେବଳ ଜଗନ୍ନାଥମୟ ଲାଗୁଥାଏ, ଯେଉଁ ଆଡ଼କୁ ଚାହିଁଲେ କେବଳ ସେଇ ଚକାଚକା ଆଖି, ସେଇ ରଙ୍ଗା ଅଧରର ମଧୁର ହସ ଦିଶି ଯାଉଥାଏ । କାନରେ କେବଳ ବାଜୁଥାଏ ମୁରଲୀର ମଧୁର ଝଙ୍କାର, ସେହି ମୋହନ ବଂଶୀ, କଦମ୍ବ ମୂଳରେ ତ୍ରିଭଙ୍ଗୀ ଠାଣୀରେ ସେଇ ବାଙ୍କ ବିହାରୀ, ରାଧା ମନୋହାରୀ ରୂପ, ସେହି ମଧୁର ମୁରଲୀର ସୁର । ସେଇ ସୁର ରାଧାରାଣୀଙ୍କୁ ବାତୁଳୀ ସମ କରି ଦେଇଥିଲା, ମୀରାକୁ ଦିବାନୀ କରି ଦେଇଥିଲା, ଆଉ ସେଇ ପ୍ରେମରେ ସୁଧାକର ଆଜି ସତେ ଉନ୍ମତ୍ତ ପାଗଳ ପ୍ରାୟ ।

କେମିତି ସେ ପ୍ରଭୂ, କେମିତି ସେ ଭାବ, ନିଜେ ଅଙ୍ଗେ ନନିଭେଇଲେ ବୁଝି ହୁଏନା ସେ ଅନୁଭବଟା କଣ । ଅଶ୍ରୁସସଜ୍ଜଳ ନୟନରେ ସୁଧାକର ଜଗନ୍ନାଥଙ୍କ ପାଖରେ ବିନତି କଲେ, ହେ ପ୍ରଭୂ, ହେ ଜଗତର ନାଥ, ହେ କରୁଣାର ସାଗର, ମୋତେ ଏ ଭବ ସଂସାରର ମାୟାରୁ ମୁକ୍ତ କରିଦିଅ ପ୍ରଭୁ ! ମୁଁ ଆଜି ତୁମ ଶରଣରେ ଆସିଛି, ତୁମ ପଦାରବିନ୍ଦରେ ମୋତେ ଜାଗା ଟିକିଏ ଦିଅ ପ୍ରଭୂ ! ସେଇ ତନ୍ମୟତାର ଆବେଶରେ ସୁଧାକର ଦେଖିଲେ ଜଗନ୍ନାଥେ ତାଙ୍କ ପାଖକୁ ଆସିଲେ, ବସି ପଡ଼ିଲେ ସୁଧାକରଙ୍କ ସାମ୍ନାରେ, ସେଇ ବଡ଼ବଡ଼ ଚକା ଆଖି, ସେଇ ରଙ୍ଗା ଅଧରରେ ସେମିତି ସ୍ମିତ ହସ । ସୁଧାକରଙ୍କ କାନ୍ଧରେ ହାତ ପକାଇ ପାଖକୁ ଆଉଜାଇ ନେଲେ । ଆଖିରୁ ଲୁହ ପୋଛିଦେଲେ ।

ଟିକିଏ ହସି କହିଲେ,

: ଆରେ, ମାୟାରୁ ମୁକ୍ତି ଦେଇ ପାରୁଥିଲେ, ମୁଁ ନିଜେ ପ୍ରଥମେ ମୋ ନିଜକୁ ଏ ମାୟା ଜଞ୍ଜାଳରୁ ମୁକ୍ତ କରି ଦିଅନ୍ତିନି ? ମୁଁ ନିଜେ ତ ଏ ମାୟା ଜଞ୍ଜାଳରେ ଫସି ଶେଷରେ ଦାରୁଭୂତ ମୁରାରି ହୋଇ ଏଇଠି ବସିଛି । ଭକ୍ତେ ମୋତେ ନିଦା ବିଷ୍ଣୁ କହୁଛନ୍ତି । ତୁ କଣ ଜାଣିନୁ ବଡ଼ ଭାଇ ବଳରାମଙ୍କୁ ? ତାଙ୍କ କଥା ମାନି ଲକ୍ଷ୍ମୀ ଠାକୁରାଣୀଙ୍କୁ କଣ ପଦେ ଟାଣ କରି କହିଦେଲି ଯେ ମହାମାୟା ଘର ଛାଡ଼ି ଚାଲି ଯାଇଥିଲେ । ଚାଲି ଗଲେ ତ ଚାଲି ଗଲେ, ହେଲେ, ଗଲାବେଳେ ଏଇ ଶ୍ରୀମନ୍ଦିରର ଶୀରି ବି ନେଇଗଲେ ନିଜ ସାଥିରେ, ଆଉ ଆମକୁ କାଙ୍ଗାଳ କରି ବାରଦୁଆର ତେର ପିଣ୍ଡା ବୁଲେଇ ଦେଲେ । ଶେଷରେ ନାକକାନ ମୋଡ଼େଇ ସେଇ ଚଣ୍ଡାଳୁଣୀ ଘରେ ଅର୍ଣ୍ଣ ଭୋଜନ କରାଇଲା ପରେ ଯାଇ ତାଙ୍କର କ୍ରୋଧ ଶାନ୍ତ ହେଲା । ଇଏ ସଂସାରର ମାୟା ନୁହେଁ ତ ଆଉ କଣ ?
ମୁଁ ଭକ୍ତଙ୍କ ମାୟାରେ ଏମିତି ବାନ୍ଧି ହୋଇଯାଇଛି ଯେ, ଯିଏ ଯାହା କହିଲେ ଶୁଣୁଛି । କିଏ ମୋତେ କଳାଠାକୁର କହୁଛି ତ କିଏ ମୋର ବଡ଼ବଡ଼ ଚକାଆଖିକୁ ଆକ୍ଷେପ କରୁଛି । କିଏ ମୋତେ କାଲା କହୁଛି, କିଏ ମୋତେ ଚକ୍ଷୁଶ୍ରବା କହୁଛି, କିଏ କହୁଛି ମୁଁ ଖଣ୍ଡିଆ ଦିଅଁ । ବର୍ଷକୁ ଥରେ ରଥ ଯାତ୍ରାରେ ବୁଲି ବାହାରୁଛି ଯେ ଭକ୍ତ ମୋ ଅଣ୍ଟାରେ ଦଉଡ଼ି ବାନ୍ଧି, ଝୁଲେଇ ଝୁଲେଇ ଟାଣି ଟାଣି ନେଇ ଯାଉଛନ୍ତି । କିଏ ମୋ ଦୟଣା ମାଳ ଛିଣ୍ଡେଇ ନେଉଛି ତ କିଏ ମୋ ଟାହିଆ ଛିଣ୍ଡେଇ ନେଉଛି । ମାଉସୀ ମାଆର ପୋଡ଼ପିଠା ଖାଇବାର ଲୋଭ ଛାଡ଼ି ପାରୁନି । ବର୍ଷରେ ଥରେ ବୁଲି ଆସୁଛି ତାଙ୍କ ମନ୍ଦିର ଆଡୁ । ଏସବୁ ମାୟା ନୁହେଁ ତ ଆଉ କଣ ?

କହିଲୁ ଦେଖି କିଏ କାହାକୁ ଧରିଛି ? ମାୟା ମୋତେ ନା ମୁଁ ମାୟାକୁ ? ମୁଁ ତ ଏ ଯାଏ ଜାଣିପାରୁନି ! ତୁମେ ପ୍ରଥମେ ଏକଥା ବୁଝିବାକୁ ଚେଷ୍ଟା କର, କିଏ କାହାକୁ ଧରିଛି ! ଯଦି ତୁମେ ମାୟାକୁ ଧରିଥାଅ, ତେବେ ନିଜେ ମାୟାକୁ ଛାଡ଼ିଦିଅ କିମ୍ବା ତାକୁ ଛାଡି ଯିବାକୁ କହିଦିଅ । ଏଥିରେ ମୁଁ ବା କଣ କରିପାରିବି ? ଯଦି ମାୟା ତୁମକୁ ଧରିଥାଏ ତେବେ ମାୟାକୁ କୁହ, ସେ ତୁମକୁ ଛାଡ଼ି ଦେବ ।

ମାୟା କିଛି ନୁହେଁ, ସେଇଟା ମନର ଏକ ଭ୍ରମ । ଘର, ପରିବାର, ବାପାମାଆ, ଭାଇଭଉଣୀ, ପୁଅଝିଅ ଏସବୁକୁ ତୁ ମାୟା କହୁଛୁ ନା ? ଏମାନଙ୍କ ବିନା ବଞ୍ଚି ପାରିବୁ ? ମାୟା ତ ଠିକ ଅଛି, କିନ୍ତୁ ତୋର ଅତିମାୟା, ତୋର ଲୋଭର କାରଣ ହିଁ ତୋତେ ଦୁଃଖି କରୁଛି । ସନ୍ତାନ ମାୟାରେ ତୁମେ ସ୍ୱମାୟା ଭୁଲିଯାଉଛ । ପ୍ରଥମେ ନିଜ ପ୍ରତି ମାୟା ରଖ । ଯିଏ ନିଜକୁ ଭଲପାଇ ନପାରୁଛି, ସେ ଅନ୍ୟକୁ କିପରି ଭଲପାଇ ପାରିବ ? ଯିଏ ନିଜକୁ ସମ୍ମାନ ଦେଇ ଶିଖିନି, ସେ ଅନ୍ୟକୁ କିପରି ସମ୍ମାନ ଦେବ ?

ନିଜକୁ ପ୍ରେମ କରିବା କିଛି ଅପରାଧ ନୁହେଁ । ନିଜର ଭବିଷ୍ୟତ କଥା ନଭାବି ଅନ୍ୟର ଭବିଷ୍ୟତ ପାଇଁ ସବୁ ଢାଳିଦେଲେ, କାଙ୍ଗାଳ ହେବ ହିଁ ହେବ । ମୁଁ ସ୍ୱାର୍ଥପର ହେବା କିମ୍ବା ଆତ୍ମକୈନ୍ଦ୍ରିକ ହେବା କଥା କହୁନି । କିନ୍ତୁ ନିଜେ ବଞ୍ଚିଲେ ସିନା ଆଉ କାହାକୁ ବଞ୍ଚେଇ ପାରିବ ! ସେଥିପାଇଁ ଆତ୍ମରକ୍ଷା, ନିଜ ଭବିଷ୍ୟତର ସୁରକ୍ଷା ବିଷୟରେ ଚିନ୍ତା କରିବା, ଭବିଷ୍ୟତ ପାଇଁ କିଛି ଯୋଜନା କରିବା ତୁମର ପ୍ରଥମେ କାର୍ଯ୍ୟ । ତା’ଛଡା ମଣିଷ ମନରେ ଆଜି ସନ୍ତୁଷ୍ଟି କାଇଁ ? ଯେତେ ପାଇଲେ ବି କମ୍ ଲାଗୁଛି । ଆହୁରି ଲୋଡ଼ା, ଆହୁରି ଅଧିକ ଲୋଡ଼ା, ସେଇ କାମନାର ଅପୁର୍ତ୍ତୀ ତୋର ଅଶାନ୍ତିର କାରଣ, ସେଇ ଅଶାନ୍ତି ମଣିଷକୁ ଦୁଃଖ ଦିଏ ଏବଂ ଏହି ଅସହିଷ୍ଣୁତା ଭାବ, ଏହି ଅପ୍ରାପ୍ତିର ଦୁଃଖ, ଶେଷରେ ମାୟା ଜଞ୍ଜାଳ ପରି ଲାଗେ ।

ଅଳ୍ପ ଧନରେ ମଣିଷର ମନ ଭରୁନାହିଁ, ଯେତେ ପାଇଲେ ବି, ଆହୁରି ଅଧିକ ପାଇବାର ଲାଳସା । ଧନର ମାୟାରେ ମଣିଷ ନିଜେ ନିଜକୁ ବାନ୍ଧି ଦେଇଛି । ମଣିଷ ନିଜେ ମାୟାରେ ଉବୁଟୁବୁ ହେଉଛି । ଧନ ମଣିଷକୁ ଚାହେଁନା, କିନ୍ତୁ ମଣିଷ ଧନକୁ ଚାହେଁ । ଧନ ମଣିଷର ମାୟାରେ ନୁହେଁ, ବରଂ ମଣିଷ ଧନର ମାୟାରେ ଫସି ଯାଉଛି । ମଣିଷ ପତି ବା ପତ୍ନୀର କାମନା କରୁଛି, ପତି ଅବା ପତ୍ନୀ ମିଳିଗଲା ପରେ ପତି/ପତ୍ନୀ ସେମାନଙ୍କର ପରସ୍ପର ପ୍ରତି ଆଶକ୍ତି ସେମାନଙ୍କୁ ପରସ୍ପରର ମାୟାରେ ବାନ୍ଧି ଦେଉଛି । ମଣିଷ ସନ୍ତାନର କାମନା କରୁଛି, ସନ୍ତାନ ଲାଭ କଲା ପରେ, ସନ୍ତାନ ପ୍ରତି ତାର ସ୍ନେହ, ପ୍ରେମ, ମଣିଷକୁ ସନ୍ତାନର ମାୟା ଆଡକୁ ଟାଣି ନେଉଛି । ମାଛ ଯଦି ନିଜ ଇଚ୍ଛାରେ କେଉଟର ଜାଲରେ ନିଜେ ନିଜେ ଛନ୍ଦି ହେବାକୁ ଆସିବ, ବିଚରା କେଉଟ କାହିଁକି ମନା କରିବ ମାଛକୁ ? ବରଂ କେଉଟ ତ ଖୁସି ହେବ । ଭାବିକି ଦେଖ୍, କିଏ କାହାକୁ ଧରିଛି ? ମାୟା ତୁମକୁ ନା’ ତୁମେ ମାୟାକୁ ?

ଆ ବଳଦ ମୋତେ ମାର, କହି ମାୟାକୁ ଡାକି ଆଣିଲ, ଶେଷରେ ମୋତେ କହୁଛ ମାୟାକୁ ଯିବାକୁ କୁହ । ତୁମେ ନିଜେ ତ ମାୟାର ଜନକ, ଏବଂ ତାରି ଅଠାକାଠିରେ ନିଜେ ପାଦ ପକାଇଦେଲ, ସେଇ ଅଠା କାଠିରୁ ମୁକୁଳିବା ପାଇଁ ଏବେ ମୋତେ ସହାୟତା ମାଗୁଛ ? ବଡ଼ ବିଚିତ୍ର କଥା । ମାୟାକୁ ନିଜ ହାତ ମୁଠାରେ ନିଜେ ଜାବୁଡି ଧରିଛ । ମୁଁ କେମିତି ମାୟାକୁ ତୁମ ହାତ ମୁଠାରୁ ଛଡ଼ାଇ ଆଣିବି ? ନିଜେ ଟିକେ ଚେଷ୍ଟାକର, ମୁଠା ଟିକେ ଢିଲା ଛାଡ଼ି ଦିଅ, ମାୟା ଆପେ ଆପେ ତଳେ ଖସି ପଡ଼ିବ । ଆଚ୍ଛା କହିଲୁ, ମନେକର ତୋତେ ମୁଁ ମାୟାରୁ ମୁକ୍ତି ଦେଇଦେବି, ହେଲେ ତୁ ମାୟାକୁ ତ୍ୟାଗ କରିପାରିବୁ ତ ? ମାୟା ଚାଖଣ୍ଡେ ଦଉଡ଼ି ନୁହେଁ, ବରଂ ସେଇଟା ଗୋଟିଏ ବିରାଟ ଜାଲ, ତୁ ତାକୁ ତୋର ଚାରିପଟେ ନିଜେ ଗୁଡ଼େଇ ଧରି ରଖିଛୁ । ଶୀତଦିନରେ ଚାଦର ପରି ନୁହେଁ, ବରଂ ମାୟାକୁ ତୁ ତୋର ଦେହର ଚମଡ଼ା ପରି ନିଜକୁ ମାୟାରେ ଢାଙ୍କି ରଖିଛୁ ତୋର ଚାରି ପାଖରେ । ମାୟା ତୋ ନିଜ ଠାରୁ ଆରମ୍ଭ, ତୋର ନିଜ ଦେହ ପ୍ରତି ମାୟା, ନିଜ ଦେହକୁ ପରିଷ୍କାର ରଖିବା, ସଜେଇକି ରଖିବା, ସୁନ୍ଦର ଦିଶିବା, ସବୁ କଷ୍ଟରୁ ବଞ୍ଚେଇକି ରଖିବା ଏ ସବୁ ତ ତୋର ନିଜ ଶରୀର ପ୍ରତି ମାୟା ନା’ ? ତ୍ୟାଗ କରିପାରିବୁ ନିଜ ଶରୀରର ମାୟା ? ନିଜ ଶରୀରକୁ ଅନାଥ ପରି ଛାଡ଼ି ଦେଇପାରିବୁ ? କହିପାରିବୁ, ମୁଁ ଏକ ଆତ୍ମା, ମୁଁ ଏଇ ଶରୀରର ଅଧୀନ ନୁହେଁ କିମ୍ବା ଏ ଶରୀର ମୋର ବାଧକ ନୁହେଁ ! ନିଜ ଶରୀର ପ୍ରତି ଉଦାସୀନ ରହିପାରିବୁ ?? ଶରୀରକୁ ଯେତେବେଳେ କଷ୍ଟ ହେବ, ନିର୍ମାୟା ନିରୁତ୍ତର, ନିର୍ମୋହୀ, ନିରାସକ୍ତ ରହିପାରିବୁ ନିଜ ଶରୀର ପ୍ରତି ? ଶରୀର ଯେତେବେଳେ କଷ୍ଟ ଯନ୍ତ୍ରଣାରେ ଅତିଷ୍ଠ ହୋଇପଡ଼ିବ, ଉଦାସୀନ ରହିପାରିବୁ ତୋର ନିଜ ଶରୀରର ପୀଡା ପ୍ରତି ?? ନାହିଁ ନା’ !

ମାୟା ଅଛି ବୋଲି ତ ତୁ କାହାର ପୁଅ, କାହାର ଭାଇ, କାହାର ସ୍ୱାମୀ, କାହାର ବାପା । ଯେଉଁଦିନ ମାୟାରୁ ମୁକ୍ତି ମିଳିଯିବ ସେତେବେଳ ନା’ ତୁ କାହାର ରହିବୁ, ନା’ ଆଉ କେହି ତୋର ହୋଇ ରହିବ । କାହା ପାଇଁ କିଛି କରିଲାବେଳେ, କାହାକୁ କିଛି ଦେଲାବେଳକୁ କିମ୍ବା କାହାଠାରୁ କିଛି ଆଶା କରି, କିଛି ନପାଇବା ବେଳେ ତୋତେ ମାୟାଟା ବାଧୁଛି, ମାୟାଟା ଜଞ୍ଜାଳ ଲାଗୁଛି । କିନ୍ତୁ ଭାବିଲୁ, ମାୟାରୁ ମୁକ୍ତି ପରେ, ଯେତେବେଳେ କେହି ତୁମକୁ ପଚାରିବେନି, ଖାଇଛ କି ନାହିଁ, ଦେହ କେମିତି ଅଛି ଅଥବା ତୁମ ଯନ୍ତ୍ରଣାରେ କେହି ତୁମ ସାଥିରେ ନଥିବେ, ସହି ପାରିବୁ ସେ କଷ୍ଟ ? ତୁମ ପ୍ରତି ସେମାନଙ୍କର ପ୍ରେମ କେବଳ ସେମାନଙ୍କର ନିଜର ମାୟା ଆସକ୍ତି ଯୋଗୁ, ସେମାନଙ୍କ ପ୍ରତି ତୁମ ମାୟା କଟିଗଲା ପରେ ସେମାନଙ୍କର ତୁମ ପ୍ରତି ମାୟା ମଧ୍ୟ କଟିଯିବ ।

ସବୁ ମାୟା କଟିଗଲା ପରେ ପୁଣି କାହା ସହିତ ମାୟା ଯୋଡିବ ? ଭଗବାନଙ୍କ ସାଥିରେ ? ଯାହାକୁ କେବେ ଦେଖିନ, ଶୁଣିନ, ଭଲ ଭାବେ ଜାଣିନ ତାଙ୍କ ସାଙ୍ଗେ ମାୟା ଲଗାଇବା କଥା ଭାବୁଛ । ଯାହାକୁ ଦେଖୁଛ, ଶୁଣୁଛ ତା ମାୟାରୁ ମୁକ୍ତି ଚାହୁଁଛ ? ବତ୍ସ ‘ଜୀବନରେ ପ୍ରାପ୍ତିର ଆଶା’ ହିଁ ତୁମକୁ କଷ୍ଟ ଦେଉଛି, ମାୟା କଷ୍ଟ ଦିଏନା । ପ୍ରଭୁ ମାୟା ବି ତ ମାୟା । ମାୟାରୁ ପୁଣି ମୁକ୍ତି କାହିଁ ? ଜୀବ ମାଛଟିଏ ପରି ମାୟାର ଅଗାଧ ଜଳରେ ଜୀବନ ଧାରଣ କରି ରହିଛି, କେବେ ସଂସାରର ମାୟା, କେବେ ପ୍ରଭୁ ମାୟାରେ ବୁଡି ରହିଛି । ଯେଉଁଦିନ ମାୟାରୁ ମୁକ୍ତି ମିଳିଯିବ, ସେଇଦିନ ଜୀବନରୁ ମଧ୍ୟ ମୁକ୍ତି ମିଳିଯିବ, ଜଳ ବିନା ମୀନ ସଦୃଶ । ଏବେ କୁହ, ମାୟାରୁ ମୁକ୍ତି ଚାହୁଁଛ ?

ସବୁ ଶୁଣି ସାରିଲା ପରେ ସୁଧାକର ବାବୁ ନିର୍ବାକ୍ ହୋଇ ଯାଇଥିଲେ, ତାଙ୍କ କଣ୍ଠରୁ କେବଳ ଏତିକି ବାହାରିଲା, ହେ ମାୟାଧର, କେବଳ ତୁ ହିଁ ଜାଣୁ ତୋ ମାୟା ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *