ବିଭୁ ପ୍ରସାଦ ସାହୁ
ମାଟି ରଙ୍ଗକୁ ମାଖି ଦେଇ
କଳା ମଚ୍ ମଚ୍ ଅନ୍ଧାରରେ ବି
କିଣା କୋକେଇକୁ କାନ୍ଧରେ ବୋହି
କ୍ଳାନ୍ତିବିହୀନ ଯନ୍ତ୍ରଣାକୁ ସାଥିରେ ଧରି
ଆଗକୁ ଆଗକୁ ଥାପିଥାଏ ସିଏ
ଅନୁସନ୍ଧାନୀ ଯୋଡ଼େ ପାଦ !
ବାଟ ହାଟରେ ମୁଠାମୁଠା
ମାଟିର ମହକ ବୋହି ବହୁଥା’ନ୍ତି
ଜୀବନରୁ ଜୁଇ ଯାଏଁ ଯେତେକ ସ୍ୱାଦ !
ପୋଡ଼ାଳିଆ ଦୁଇଧାର ଓଠରେ
ବାରି ହୋଇପଡେ଼
ଦରପୋଡ଼ା ଫଗୁଣର ବାସ,
ଅଶ୍ରୁରେ ଅଙ୍କା ଚିତ୍ରରେ ଜଳଜଳ
ଦେଖାଯାଏ ତା’ର ଅଧାଳିଆ ଆନନ୍ଦ ଉଚ୍ଛ୍ୱlସ !
ଫର୍ଦ୍ଦେ ଜୀବନର ଦୁଇ ପୃଷ୍ଠାରୁ ସେ
ପିଇ ନିଏ କାଳ କରାଳ
ଆଉ ବୈରାଗ୍ୟ ବିଶିଷ୍ଟ ମହାଜଳ,
ଅପ୍ରାପ୍ତିରେ ପ୍ରାପ୍ତି ପାଇ ଢ଼ୋକି ଚାଲେ
ବେଶିବେଶି କାଳ ଅନଳ,
ଜୀବନର ପ୍ରତିଟି ପରସ୍ତରେ ସେ ପାଇଥାଏ ଏଠି
ସୁନ୍ଦର ରୂପୀ ଅଳପ ଶ୍ରୀଫଳ
ଆଉ ଅଧିକ ନାଲି ଟହଟହ ମହାକାଳ ଫଳ !
ତାକୁ ଯଦି କେହି ପ୍ରଶ୍ନଟିଏ ବାଢେ
କାହାକୁ ତୁମେ ଜୀବନର ସର୍ବଶ୍ରେୟ ବାଛିବ ?
ଉତ୍ତରରେ କହେ….. “ମାଟି”
ତୁମକୁ ମୃତ୍ୟୁ ସ୍ପର୍ଶ କରିବା ପୂର୍ବରୁ
ଅନ୍ତିମ ଦର୍ଶନରେ କାହାକୁ ଚାହିଁବ ?
ଉତ୍ତରରେ କହେ…… “ମାଟି”
ଏ ଯୋଡ଼େ ପାଦମାନଙ୍କର ଶେଷ ଶୋଷ କେବେ ଯାଏଁ ?
ଉତ୍ତରରେ କହେ….
“ଜୀବନର ସତ୍ୟତାକୁ ଲଭି
ମାଟିରେ ନଲୁଟିବା ଯାଏଁ ” !
ସାହସ ପୁର (ବାଲିଚନ୍ଦ୍ରପୁର), କଟକ, ମୋବାଇଲ : ୯୫୫୬୨୮୭୬୬୪, ଇ-ମେଲ୍ : pintukumar53859@gmail.com
ଲେଖକ ପରିଚୟ
ପିଲାବେଳେ ଭଉଣୀ କୁନିଲତା ସାହୁ କିଛି କିଛି କବିତା ଲେଖନ୍ତି ଏବଂ ସେହି କବିତା ଲେଖା ମୋ ଲେଖନୀର ଉତ୍ସାହର ଉତ୍ସ । ଏହାପରେ ପାଗେଳୀ ଦେବୀଙ୍କ ସଂସ୍ପର୍ଶରେ ଆସି ଲେଖିବାର ପ୍ରୋତ୍ସାହନ ମିଳିଲା । ପାଠକଙ୍କୁ ହୃଦୟଛୁଆଁ କବିତା ଓ ଗଳ୍ପର ଭେଟି ଦେବା ପ୍ରୟାସରେ ସଦା ତତ୍ପର ଥାଏ l ପାଠକଙ୍କ ପ୍ରେମରେ ସଦା ଆଶା ରଖୁଥିବା ମଣିଷ ଓ ଆଜୀବନ ପ୍ରେମିକ ହେବାର ନିଶା l ପ୍ରେମ କରିବା ଓ ପ୍ରେମ ପାଇବାରେ ଆଶା l
ଖୁବ ସୁନ୍ଦର… ଚମତ୍କାର… ଅନନ୍ୟ… ❤️
ମାଟିର ଶରୀର ମାଟିକୁ ଫେରେ । ହେଲେ କେତେଜଣ ଦେଖନ୍ତି ମାଟି ମୋହ ? ଖୁବ ଛୁଇଁଲା ଏ କବିତା । କବିଙ୍କୁ ଶୁଭେଚ୍ଛା