ସମାଜର ଦୁର୍ବଳତାଗୁଡ଼ିକର ନିରାକରଣ ପାଇଁ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ : ୫ ଟି ଅଧ୍ୟକ୍ଷ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ୫ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ ବିଶିଷ୍ଟ ଔପନ୍ୟାସିକ ବିଭୁତି ପଟ୍ଟନାୟକଙ୍କୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କୁ ଏକ ମାନପତ୍ର, ଉତ୍ତରୀୟ ଓ ଏକ ଲକ୍ଷ ଟଙ୍କାର ସମ୍ମାନ ରାଶି ପ୍ରଦାନ କରାଯାଇଥିଲା ।

ସମାଜର ଅନ୍ତର୍ନିହିତ ଦୁର୍ବଳତାଗୁଡ଼ିକୁ ଗୁରୁତ୍ୱ ଦେଇ ଏହାର ନିରାକରଣ ନିମନ୍ତେ ସାହିତ୍ୟିକମାନେ ମନୋନିବେଶ କରିବା ଆବଶ୍ୟକ । ସାହିତ୍ୟ ସମାଜର ଦର୍ପଣ ସଦୃଶ ଯାହାକି ସମାଜର ଅନ୍ତର୍ନିହିତ ଅନ୍ୟାୟକୁ ସାମ୍ନାକୁ ଆଣିବା ସହ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥାଏ । ଓଡ଼ିଆ ଔପନ୍ୟାସିକ ବ୍ୟାସକବି ଫକୀରମୋହନଙ୍କ ‘ରେବତୀ’ ଉପନ୍ୟାସକୁ ଉଲ୍ଲେଖ କରି ଶ୍ରୀ ପାଣ୍ଡିଆନ କହିଥିଲେ ଏହା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ସବୁଠାରୁ ପସନ୍ଦ ପୁସ୍ତକ । କାରଣ ଏଥିରେ ସମାଜର ଅନ୍ୟାୟ, ଅନ୍ଧବିଶ୍ୱାସ ଓ କନ୍ୟା ସନ୍ତାନଙ୍କ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଆଜି ସାହିତ୍ୟକମାନେ ସମାଜରେ ମୂଲ୍ୟବୋଧର ଅବନତି, ସାମାଜିକ ଗଣମାଧ୍ୟମର କୁପ୍ରଭାବ, ବୃଦ୍ଧି ପାଉଥିବା ନିଶା କାରବାର ଏବଂ ଭାଙ୍ଗି ଯାଉଥିବା ଭାରତୀୟ ପରିବାର ବ୍ୟବସ୍ଥା ଭଳି ପ୍ରସଙ୍ଗ ଉପରେ ତାଙ୍କ ଲେଖନୀରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ ।

ପରିବାର ଭାରତର ଶକ୍ତି ଓ ସାମର୍ଥ୍ୟ ବୋଲି ଉଲ୍ଲେଖ କରି ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ପରିବର୍ତ୍ତିତ ସମୟରେ ପରିବାରର ଗୁରୁତ୍ୱ ହ୍ରାସ ପାଉଛି ଏବଂ ଆଗାମୀ ୫୦ ବର୍ଷ ମଧ୍ୟରେ ଏହା ପାଶ୍ଚାତ୍ୟ ଦେଶଗୁଡ଼ିକ ପରି ହୋଇଯିବ । ସମାଜରେ ଏପରି ଅନେକ ପ୍ରସଙ୍ଗ ରହିଛି ଯାହାକୁ କି ପ୍ରଶାସକ କିମ୍ବା ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ବ୍ୟକ୍ତିମାନେ ସମାଧାନ କରିପାରିବେ ନାହିଁ ମାତ୍ର ସାହିତ୍ୟିକମାନେ ଏହାର ସମାଧାନ କରିପାରିବେ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶ୍ରୀ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ୍ ଅଫ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଗାୟତ୍ରୀ ବାଳା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *