ଭୁବନେଶ୍ଵର : ଗୃହ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ତଥା ସାହିତ୍ୟିକ ପ୍ରଶାନ୍ତ ଚନ୍ଦ୍ର ପଟ୍ଟନାୟକଙ୍କର ଭୁବନେଶ୍ଵର ସ୍ଥିତ ତାଙ୍କ ବାସଭବନଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭିତରେ ଥିଲେ । ହେଲେ ଗତକାଲି ସେ ଚିରନିଦ୍ରାରେ ଶୋଇଗଲେ । ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ଶେଷ ଦର୍ଶନ କରିବାକୁ ଭୀମଟାଙ୍ଗି ସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ ।
ଗଞ୍ଜାମ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ବାଞ୍ଛାନିଧି ପଟ୍ଟନାୟକଙ୍କ ସେ ଥିଲେ ତୃତୀୟ ପୁତ୍ର । ଏକଦା ସେ ବାଲେଶ୍ଵର ଓ ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଥିଲେ । ଏଥିସହିତ ଇପିକଲ ଜେନେରାଲ ମ୍ୟାନେଜର, ହସ୍ତତନ୍ତ ଉନ୍ନୟନ ନିଗମର ମ୍ୟାନେଜିଂ ଡାଇରେକ୍ଟର ଓ ବିଭିନ୍ନ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରି ୧୯୯୫ ରେ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅବସର ଗ୍ରହଣ କରିଥିଲେ ।
ଯଦି ତାଙ୍କ ସାହିତ୍ୟ ଜୀବନ କଥା କହିବା ତେବେ ସେ ତାଙ୍କ ଚାକିରି ଜୀବନରୁ ହିଁ ସାହିତ୍ୟ ସହିତ ଯୋଡ଼ି ହୋଇ ରହିଥିଲେ । ଛଦ୍ମନାମ ପ୍ରୀତମରେ ହିଁ ସେ ନିଜର ଗଳ୍ପ, କବିତା ଓ ଉପନ୍ୟାସ ଲେଖୁଥିଲେ ଏବଂ ପାଠକ ମହଲରେ ବେଶ ଚର୍ଚ୍ଚିତ ବି ଥିଲେ । ୨୦୧୦ ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ଵାରା ଜୀବନବ୍ୟାପୀ ସାରସ୍ଵତ ସାଧକ ଭାବରେ ସମ୍ମାନିତ ହୋଇଥିଲେ । ଅବସର ପରେ ଭଗବତ ଟୁଙ୍ଗି ପ୍ରସାର ସମିତିର ସକ୍ରିୟ ସଦସ୍ୟ ଭାବରେ ଗ୍ରାମାଞ୍ଚଳରେ ଭଗବତ ଟୁଙ୍ଗି ପ୍ରତିଷ୍ଠା କାର୍ଯ୍ୟରେ ନିଜକୁ ନିଯୋଜିତ କରିଥିଲେ ।