ସରୋଜ କୁମାର ସାହୁ

ସ୍ଵଚ୍ଛ ନିରିମଳ କାଚର ଦେହରେ
ଝଲସି ଉଠଇ ବତୀ
ଅଳପ ବହୁତ ଜଳେ ସେହି ପୁଣି
ସଞ୍ଜରୁ ବହଳ ରାତି ।

ଡରିଯାଏ ନାହିଁ ଝଡ଼ବତାସକୁ
ଥିରିଥିରି ହୋଇ ଜଳେ
ଅନ୍ଧାର ହଟାଇ ଦେଖାଏ ଆଲୋକ
ଉଜ୍ଜଳ ଶିଖାର ବଳେ ।

ପବନର ବେଗ ବଢିଲେ ଯେତେ ବି
ସହଜେ ଯାଏନା ହାରି
ନିସ୍ଵାର୍ଥ ସେବାରେ ବିତାଏ ଜୀବନ
କେହି ନୁହେଁ ତାହା ପରି ।

ଦେହକୁ ତାର ରହିଥାଏ ଘେରି
ଛନ୍ଦାଛନ୍ଦି ହୋଇ ତାର
ସରୁ ମୋଟା ଅବା ବହଳ ପାତରେ
ସାଜି ନିତି ପଟୁଆର ।

ଘରକାନ୍ଥ ଅବା ଦୁଆର ମୁହଁରେ
ସିପାହୀ ପରିକା ଜଗେ
ଚୋରଖଣ୍ଟ ଅବା ପଡ଼ୋଶୀ ଆସିଲେ
ନଜର ପଡ଼େ ତା’ ଆଗେ ।

ଉଜାଗର ରହି ସାରାରାତି ସିଏ
ନିଜର କର୍ତ୍ତବ୍ୟ କରେ
ତା’ ପରିକା କେହି କର୍ମଠ ସଚ୍ଚୋଟ
ନାହିଁ ଏଇ ସମାଜରେ ।

ସରୋଜ କୁମାର ସାହୁ, ଆଠଗଡ଼, କଟକ, ମୋବାଇଲ-୯୩୪୮୫୭୫୨୨୪

Related Posts

Leave a Reply

Your email address will not be published. Required fields are marked *