ଡ. ଶୈଳଜା ମିଶ୍ର

ମୋ ଘର ଆଗରେ ଏକ ବିସ୍ତିର୍ଣ୍ଣ ସବୁଜ ପଡ଼ିଆ ଅଛି l ନାଲି, ନେଳି, ବାଇଗଣୀ ରଙ୍ଗର ଟିକିଟିକି ଫୁଲଗୁଡ଼ିକ ନାକଫୁଲ ପରି ଦିଶୁଥାଏ l ରଙ୍ଗୀନ ଚଢେଇମାନଙ୍କର କିଚିରିମିଚିରି ଶବ୍ଦରେ ପଡ଼ିଆ ମୁଖରିତ ହେଉଥାଏ l ଗାଈ, ଛେଳି, ମଇଁଷିମାନଙ୍କର ତୃଣଭୂମି କହିଲେ ଚଳେ l ଆଉ ଛୋଟ ପିଲାଙ୍କର ଖେଳପଡ଼ିଆ l ବର୍ଷାଦିନେ ଖାଲୁଆ ଜାଗାରେ ଠାଠା ପାଣି ଜମି ରହିଥାଏ l ସକାଳର ସୁନେଲି କିରଣରେ ପାଣି ଆଇନା ଭଳି ଚମକୁଥାଏ l ଘାସବୁଦାଗୁଡ଼ିକ ପାଣି ଭିତରୁ ମୁଣ୍ଡଟେକି ଚାହିଁଥାନ୍ତି l ପଡ଼ିଆ ଚାରିପାଖେ ସହରର ରଙ୍ଗୀନ ଆପାର୍ଟମେଣ୍ଟ ସବୁ ଯେପରି ଆକାଶ ଛୁଇଁବା ଭଳି ମନେହୁଏ l

ସକାଳୁ ଉଠି ସେହି ପଡ଼ିଆକୁ ଦେଖିଦେଲେ ମୋ ମନ ପୁରିଉଠେ l ହୃଦୟଟି ଆତ୍ମହରା ହୋଇଉଠେ l କିନ୍ତୁ ସେ ପଡ଼ିଆ ମଝିରେ ଗୋଟିଏ ଭଙ୍ଗା ପୁରୁଣା, କଳଙ୍କିଲଗା ସିମେଣ୍ଟ ମିକ୍ସଚର ମେସିନଟିଏ ଥାଏ । ବାରମ୍ବାର ସେହି ମେସିନ ଉପରେ ନଜର ପଡୁଥାଏ ମୋର l ଏତେ ସୁନ୍ଦର ପଡ଼ିଆ; ସେଥିରେ ପୁଣି ଭଙ୍ଗା, ଦଦରା ଜିନିଷ ମୋଟେ ଶୋଭା ପାଉନଥାଏ । ତଥାପି ସେହି ଦରଭଙ୍ଗା ଜିନିଷଟିକୁ ଦେଖିଲେ ମନ ଭିତରେ ଅଦ୍ଭୁତ ଏକ ଚିନ୍ତା ଆସେ l ଭଙ୍ଗା ସିମେଣ୍ଟ ମିକ୍ସଚର ମେସିନର ପୁଣି ଆତ୍ମକଥା କହେ । ତାହା ପୁଣି ଅତ୍ୟନ୍ତ ହୃଦୟ ବିଦାରକ l

ଦିନଥିଲା ସେତେବେଳେ ସେ କେତେ ଆପଣାର ଥିଲା ସଭିଙ୍କର ! ଅତିଦରକାରୀ ବସ୍ତୁଟିଏ ସମସ୍ତଙ୍କର । ଆବଶ୍ୟକ ପୂରଣ କରିବାରେ ଧୁରନ୍ଧର ଥିଲା l ନିଜେ କଷ୍ଟ ସହି କେତେ ବଡ଼ବଡ଼ କୋଠା, ଦୋକାନ, ମେଡ଼ିକାଲ, ଆପାର୍ଟମେଣ୍ଟ, ଫ୍ୟାକ୍ଟ୍ରି, କଲେଜ ଇତ୍ୟାଦି ଗଢିଛି ତାହାର ଗଣନା କରିବା ମୁସ୍କିଲ । କାମ ସମୟରରେ ନିଜେ ଧୂଳିଧୂସର ହୋଇ ସିମେଣ୍ଟ, ବାଲି, ଗୋଡ଼ି, ପାଣିର ମିଶ୍ରଣ ଅତି ସହଜରେ ତିଆରି କରୁଥିଲି l ଠିକାଦାରର ପ୍ରିୟପାତ୍ର ହୋଇପାରିଥିଲି ତେଣୁ ମୁଁ l କେତେ ମୁଲିଆ ମୁଲିଆଣୀଙ୍କ ପେଟ ପୋଷିବାରେ ସାହାଯ୍ୟ ନକରିଛି ! ଖରା-ବର୍ଷା, ଦିନ-ରାତି କାମ କରିଛି l କେବେ ଦୁଃଖ କରିନି, ଥକିବାର କଳ୍ପନା ମଧ୍ୟ ମନରେ ଆସିନି l ମେସିନଟିଏ ନଭାବି ନିଜକୁ ସବୁବେଳେ ଖଟିଖିଆ ଲୋକଙ୍କ ଭଳି ହିଁ ଅନୁଭବ କରିଛି । କିନ୍ତୁ ମୁଁ ଯେ ଆଜି ଅଦରକାରୀ ବସ୍ତୁଟିଏ ପାଲଟିଯାଇଛି l ମଣିଷ ଭଳି ଅନୁଭବ କରୁଥିବା ମେସିନଟି ମୁଁ ହତାଦର ହେଇ ପଡ଼ିରହିଛି l ମୋ ଦେହସାରା କଳଙ୍କି । ମୋ ରଙ୍ଗ, ରୂପ, ବଳ, ବୟସ ସବୁ ଫିକା ପଡ଼ିଯାଇଛି । ଠିକ ଜଣେ ଅକର୍ମଣ୍ୟ ହୋଇ ପଡ଼ିଥିବା ବୃଦ୍ଧବ୍ୟକ୍ତିଟି ପରି । ଠିକାଦାର, ବିଲଡର ମୋ ଦ୍ଵାରା କାମ କରାଇ ନେଇ ସେମାନେ ଆଜି କୋଟିପତି l ନିଜ କାମ ହାସଲପରେ କିନ୍ତୁ ମୋତେ ଫିଙ୍ଗି ଦେଇଛନ୍ତି ଏଠି ! ଅନେକ ଘର ତୋଳିଥିବା ମେସିନ ଆଜି ମୋ ଭଳି ବେଘର ହୋଇ ଖୋଲା ଆକାଶ ତଳେ ବିଶ୍ରାମ ପଡ଼ି ରହିଛନ୍ତି । ବର୍ତ୍ତମାନ କେବଳ ବିଶ୍ରାମ ହିଁ ବିଶ୍ରାମ, ଆମ ପାଇଁ !!!

ଚଢେଇମାନଙ୍କର ଗୀତ, ପିଲାମାନଙ୍କର କ୍ରିକେଟ ଖେଳ ଦେଖି ଦିନଟା ବିତିଯାଏ ସିନା ହେଲେ ରାତିର ଦୁଃଖ, କହିଲେ ନସରେ । କେବେ କଇଁ ଫୁଲିଆ ଜହ୍ନରାତି ତ କେବେ ପ୍ରଳୟର ତାଣ୍ଡବକୁ ସହିବାକୁ ପଡ଼ିଥାଏ ମୋତେ । ନିସ୍ତେଜ ଭାବେ ଏହି ସବୁଜ ପଡ଼ିଆରେ ପଡ଼ିରହେ ଯାହା । କେଉଁ ଏକ ଚୋରର ହାବୁଡ଼ରେ ପଡ଼ିଗଲି ଯଦି, ତେବେ ଶିକାର ହୁଏ ମୋର l ଖଣ୍ଡଖଣ୍ଡ କରି ମୋର ଶରୀରର ଅଂଶ ଭାଙ୍ଗି ନିଶାପାଣିର ବନ୍ଦୋବସ୍ତ କରେ ସେ l ନହେଲେ କେଉଁ ଗରିବ, କାନ୍ଦୁରା, ଭୋକିଲା କି କବାଡ଼ିଆ ମୋ ଶରୀରର ଖଣ୍ଡଖଣ୍ଡ ନେଇ ଭାଙ୍ଗି ଚେପା କରି ମଇଳା ଜରି ବସ୍ତା ଭିତରେ ପୁରାଇ ପମ୍ପ ନଥିବା ଟଲିରେ ରଖି ଘୋଷାଡ଼ି ଘୋଷାଡ଼ି ବିକ୍ରି କରି ପାଞ୍ଚପ୍ରାଣୀ କୁଟୁମ୍ବଙ୍କର ଆହାର କରାଏ । ଏକ ଫଟା ବାସନରେ ପରସି ଦିଏ ମୋତେ । ସେମାଙ୍କର ଶୁଖିଲା ମୁହଁରେ ମୁଁ କିନ୍ତୁ ହସ ଦେଖୁଥାଏ । ବର୍ତ୍ତମାନ କର୍ମରୁ ଅବସରପ୍ରାପ୍ତ ନିର୍ଜୀବ, ଅଲୋଡ଼ା, ଅସୁନ୍ଦର ବସ୍ତୁ ମୁଁ । ମଣିଷ ଗଢିଥିବା ମେସିନଟିଏ ମୁଁ । ମଣିଷ ନୁହେଁ, ତେଣୁ ଅନୁଶୋଚନା କରିବାର ଅଧିକାରଟା ମୋର ନାହଁ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ଓଡ଼ିଶା ଲେଖିକା ସଂସଦର ଜଣେ ସଭ୍ୟା । ଅନେକ ପତ୍ରପତ୍ରିକାରେ ମୋର ମୋର ଲେଖା ପ୍ରକାଶିତ ହୋଇଥିଲେ ହେଁ ନିଜ ଅବହେଳା ଯୋଗୁ ଏଯାବତ ଖଣ୍ଡେ ସଂକଳନ କରିପାରି ନାହିଁ । ତେବେ ସାହିତ୍ୟକୁ ନେଇ ନିଜର ସାଧନା ଜାରି ରଖିଛି ।

Related Posts

Leave a Reply

Your email address will not be published. Required fields are marked *