କେଉଟ ଓ କୁନି ମାଛ କଥା

କଇଳାଶ ପଟ୍ଟନାୟକ

ମୋତେ ବିଶ୍ୱାସ କରିବା ନ କରିବା ତୋ କାମ । ତେବେ ଏତିକି କହିବି, ସହସା ଲାଭଠୁ ଭଲ,
ଦୂରବର୍ତ୍ତୀ ଲାଭ ।
କୁନିମାଛଟାର ତାଳୁରେ ଲାଗିଛି କଣ୍ଟା । କଣ୍ଠରେ ତାକୁ ଛାଡ଼ିଦବାଲାଗି
କେଉଟକୁ ଆକୁତି । ଆକୁତି ଲମ୍ବିଗଲା । ଏଡ଼ିକି ଟିକେ ମୁଁ, ତୋର କୋଉ କଳରେ
ହେବନି । ମତେ ଧରି କରିବୁ କଣ ? ଛାଡ଼ି ଦେ ମତେ । ବଡ଼ ହେଇଯାଏ ମୁଁ । ଧରିବୁ ମତେ ଯେ
ମନଭରି ଖାଇବୁ ।
ଖଡ଼ାର ସୂତା ଦୂରତାରେ ମାଛ । ଏଡ଼ିକି ଟିକେ । ଦେଖିଲେ ଦୟା ଲାଗୁଚି । କେଉଟର ମନ
ତରଳିଗଲା । ଠିକ୍ କହୁଚି ମାଛ । ୟାକୁ ଧଇଲେ ମୋର ଏତେ ସମୟ ବସିବାର ଅମର୍ଯାଦା ହବ ।
ଛାଡ଼ିଦିଏ ୟାକୁ ।
ସନ୍ତର୍ପଣରେ କେଉଟ ଉପରେ ଆଖି ରଖିଥିଲା ସେ କୁନିମାଛ । ତାକୁ ଜଣାଗଲାଣି, ଭଲ
କିଛି ଘଟିବ । ଛାଡ଼ିଦବ ମଣିଷଟା ତାକୁ । ସେ କହିଲା, ଦେଖିବୁ ବଡ଼ ହେଇଯାଏ ମୁଁ ।
ଆପେ ଧରାଦେବି । ତେବେ, ମତେ ବିଶ୍ୱାସ କରିବା ନକରିବା ତୋ କାମ!
କେଉଟ ସୂତା ଗୁଡ଼େଇବା ଆରମ୍ଭ କଲା । ମାଛର ତାଳୁରେ ଟାଣ ହେଇଯାଉଚି କଣ୍ଟା ।
କେଉଟ ଧରିକେଇଲା ତାକୁ ।
ଆହା, ଏଥର ଖୋଲିଦବ କଣ୍ଟା ମୋ ତାଳୁରୁ । ଫିଙ୍ଗିଦବ ପରା ମତେ ପାଣିକୁ! କୁନିମାଛ
ସ୍ୱପ୍ନ ଦେଖୁ ଦେଖୁ କଣ୍ଟାଫିଟାର କଷ୍ଟ ଭୁଲିଯାଉଥିଲା ।
କେଉଟର ପାପୁଲିରେ କୁନିମାଛ । ମାଛର ଆଖି ପାଣିକୁ । କେଉଟର ହାତ ଖାଳେଇ
ଆଡ଼କୁ ।
ସହସା ଲାଭର ଆକର୍ଷଣ ଆଗରେ ଦୂରବର୍ତ୍ତୀ ଲାଭ କି ତୁଚ୍ଛ! ଦୀର୍ଘଶ୍ୱାସ ପକାଉ ପକାଉ
କୁନିମାଛ ଭାବୁଥିଲା ଏତକ!!

ଲେଖକ ପରିଚୟ
ପ୍ରଫେସର କୌଳାସ ପଟ୍ଟନାୟକ ଓଡିଆ ସାହିତ୍ୟ ଓ ସମାଲୋଚନା କ୍ଷେତ୍ରରେ ଏକ ପରିଚିତ ନାଁ । ଶାନ୍ତିନିକେତନରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଶ୍ରୀ ପଟ୍ଟନାୟକ ଓଡିଆ ବିଭାଗର ମୁଖ୍ୟ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି ।
Deer Park, Santiniketan – 731235
West Bengal Email- kailashpattanaik@gmail.com
Cell no. – 9933600026

Related Posts

Leave a Reply

Your email address will not be published. Required fields are marked *