ଛବିରାମ ସେଠୀ
ହେ କଳା ଗୋସାଇଁ ରହିଛୁ ଅନାଇ
ବଡ଼ ଦାଣ୍ଡେ ନିତି ଧାଇଁ
ବାନା ତୋର ଉଡ଼େ ବଡ଼ ଦେଉଳରେ
ନୀଳ ଆକାଶକୁ ଛୁଇଁ ।
କଳ୍ପବଟ ତୋର ମନ ମୁଗ୍ଧ କରେ
ସବୁଜ ପତ୍ରର ଛାଇ
ମୁକ୍ତି ମଣ୍ଡପରେ ପଣ୍ଡିତଙ୍କ ଭିଡ଼
ଦେଖନ୍ତି ଭକତେ ରହି ।
ଭାବ ପ୍ରୀତି ସ୍ନେହେ ରତ୍ନ ସିଂହାସନେ
ବସିଛୁ ନୀଳ କନ୍ଦରେ
ତୋର ସେହି ରୂପ ଚାହିଁଲେ ଆବେଗେ
ନୟନୁ ଲୋତକ ଝରେ ।
ନିତିନିତି ପ୍ରଭୁ ତୋର ନାମ ଜପି
ଦେଖୁଛି ତୋ ଚକା ଆଖି
ଚାଲିଚାଲି ବାଟ ଥକି ମୁଁ ଗଲିଣି
ତୁହିରେ କାଳିଆ ସାକ୍ଷୀ ।
ମାୟା ସାଗରରେ ଆହୁଲା ମାରୁଛି
କଳା ନାଉରୀର ହାତେ
ଚାହିଁଦିଅ ଥରେ କାଳିଆ ନନାରେ
ପାର ହେବି ତୋର ସାଥେ ।
ଏତିକି ମିନତି ଆହେ ଚକାଡ଼ୋଳା
ଥରଟିଏ ଦିଅ ଚାହିଁ
ଉଦ୍ଧାର କରିବୁ ଏ ଭବସାଗରୁ
ଦାରୁବ୍ରହ୍ମ ରୂପ ନେଇ ।
ବାରଙ୍ଗ, କଟକ, ମୋ – ୯୮୬୧୬୦୬୧୪୮
ଲେଖକ ପରିଚୟ
ପିଲାଦିନୁ ରେଡ଼ିଓ ଶୁଣିବାକୁ ଭଲପାଏ । ସାହିତ୍ୟ ପ୍ରତି ଆଗ୍ରହ ବଢାଇଲା ୨୦୧୯ ମସିହା କରୋନା ସମୟ ଯାହାକି ମଣିଷ ଜୀବନ ପ୍ରତି ଥିଲା ଏକ ସତର୍କ ଘଣ୍ଟି । ଏହି ତାଲାବନ୍ଦ ସମୟର ମୂଲ୍ୟ ବୁଝିବାକୁ ଯାଇ ଅନୁଭୂତିର ଏକ କବିତା ଆରମ୍ଭ କରିଥିଲି, ଯାହା ପାଇଁ ଆଜି ନିଜେ ମୁଁ ଗର୍ବିତ । କବିତା ମୋର ପେସା ନୁହେଁ କେବଳ ନିଶା । କ’ଣ ଲେଖେ ମୁଁ କିଛି ଜାଣିପାରେ ନାହିଁ, ସବୁ ସେହି ଲୀଳାମୟଙ୍କ ଇଛା ।