ଦେବଯାନୀ ରାୟ

ତମେ ମତେ ଭଲଲାଗ
ଯେମିତି ନିହାତି ଆପଣାର କେହି ଜଣେ
ସେଥିପାଇଁ ତ ମୁଁ ତୁମ ସହ
ମନ ଖୋଲି ଗପେ
ସ୍ୱପ୍ନକୁ ସଜାଏ ।।
ମତେ ଲାଗେ
ତୁମ ଆଖିର ଅକ୍ଷାଂଶରେ ଅଙ୍କା
ଆକାଶର ନକ୍ସା ।।
ହୁଏତ ଆଉ କାହା ପାଇଁ
ମିଛ ହୋଇପାରେ
ତୁମ ଅଧୀର ଅନ୍ତଃସ୍ୱର,
ପ୍ରେମ ଇସ୍ତାହାର
କିନ୍ତୁ,ମୋ ଲୋମ କୂପର
ପ୍ରତିଟି ଛିଦ୍ର ଛିଦ୍ରାନ୍ତରେ
ତୁମ ଉତ୍ତରୀତ ଭାଷ୍ୟ
ଖୋଲିଯାଏ, ମୁକୁଳିଯାଏ,ବିସ୍ତରି ଯାଏ
ଅନାୟାସରେ
ଅଧା ଖୋଲା ମୋ ମନର ବାତ୍ୟାୟନରେ ।।
ନିର୍ଜନ ଅନ୍ଧାରରେ
ଶୁଦ୍ଧ କଳ୍ପନାର ଅରୂପ ମାୟା
ଘନୀଭୂତ ନାଦର ସ୍ଫୁରଣ
ଭିଜା ଭିଜା ପୁଲକର ଝୀନ ଆସ୍ତରଣ
ତମେ ଏମିତି ଝରିଯାଅ ସହସ୍ର ଧାରାରେ
ଯେମିତି ମୋ କୁଢ କୁଢ ଯନ୍ତ୍ରଣାର
ସୀମାହୀନ ସ୍ରୋତରେ ।।
ହେଲେ….., ଶେଷରେ….
ମଶାଣିକୁ କରି ବାହାବେଦୀ
ମତେ ଫେରାଇଦିଅ
ମୋର ଯେତେ ସବୁ ଅଧାଲେଖା ପ୍ରେମ ଗୀତି
ପାଉଁଶରେ ଫୁଲ ଶେଯ ପାତି
ଅତୀତକୁ ଉଜାଡ଼ି ଦେଇ ଯାଅ
ପ୍ରେମର ତରଙ୍ଗେ ଲିଭାଇବାକୁ
ଆଉ କା ଦେହର ଦାହ ।।


ମାର୍ଫତ୍‌-ସ୍ୱରୂପ ରଂଜନ ରାୟ, ରାମଚନ୍ଦ୍ରପୁର ବଜାର,
ଜଟଣୀ, ଖୋର୍ଦ୍ଧା, ମୋ-୯୪୩୭୪୧୩୩୧୪

Related Posts

Leave a Reply

Your email address will not be published. Required fields are marked *