ଦେବଯାନୀ ରାୟ

ଅଦ୍ଭୁତ ସନ୍ମୋହନର
ଗାମ୍ଭୀର୍ଯ୍ୟ କଳ୍ପନାରେ
ଅବତୀର୍ଣ୍ଣ ଏକ କାୟାକଳ୍ପ
ମୋ ଆଖିରେ ଚିତ୍ରିତ
ତୁମ ଦେହମନ ଲୁଣ୍ଠିତ ଆଜି
ଆଉ କାହା ପାପ ନଜରରେ ।।
ତୁମେ କୁହ ତ,
ଖୋଜିବି ତ କେଉଁପରି….
ସାରା ରାତି ଗହନ ଅନ୍ଧାରରୁ
ଅଥବା,
ସାରାଦିନ ଅସମାପ୍ତ
ସମୁଦ୍ର ବାଲିରୁ ।।
କୁହ ଥରେ
ତୁମ ନିର୍ଦ୍ଦିଷ୍ଟ ସ୍କୃତିକୁ ନେଇ
ହଜିବି ତ କେମିତି……
ଭାଗ୍ୟ ରେଖା ପରି ଜାବୁଡ଼ି ଧରିଛ ଏଯାଏଁ
ପ୍ରାପ୍ତି ଅପ୍ରାପ୍ତିର ବିଶେଷ ଦ୍ରଷ୍ଟବ୍ୟରୁ ।।
ହଁ, ସେମାନଙ୍କ ମତରେ
ତୁମ ପରି ଆଉକିଛି
ଯେମିତି ଗଡ଼ି ଆସୁଥିବା ଇତିହାସ
ଈର୍ଷାରେ ବଦଳୁଥିବା
ଭଲ ପାଇବାର ହସ
ଅଧାଗଢା ଘର
ଶ୍ରମରୁ ନିଗୁଡ଼ିଥିବା ଝାଳ
ସମୟର ତରାଜୁରେ
ପରାକ୍ରମର କାଣ୍ଡ କେଇ ଖଣ୍ଡ ବି
ତାଙ୍କର ଖାଲି ତାଙ୍କର ।।
ତେବେ ବି ଲୋଭନୀୟ ପାପ ସନ୍ଧିରେ
ବୈରାଗୀ ପ୍ରେମର ନିଶବ୍ଦ ଉଚ୍ଚାରଣ
ଝରା ପତ୍ରର ମର୍ମରତା
ବସନ୍ତୋତ୍ସବର ଆହତ ବାସ୍ନା ପରି
ଚରିଯାଏ ଦେହମନ
ହୋଲି ଡ଼ଙ୍ଗାରେ ଭାସୁଥିବା ସ୍ପପ୍ନର
ଅଜଣା ଏକ ସନ୍ମୋହନ ।।
ନାଟକର ଚିତ୍ରପଟ୍ଟ ସମ
ବିତିଯାଏ ଦିନ…..ଆୟୁଷ
ଚରମ ବିନ୍ଦୁରେ ଠିଆ ହୋଇ
ମନେ ପଡ଼େ ମୁଠା ମୁଠା ପ୍ରତିଶ୍ରୁତି
ଆଉ କିଛି ବହଳିଆ ଅବଶୋଷ ।।


ମାର୍ଫତ୍‌-ସ୍ୱରୂପ ରଂଜନ ରାୟ, ରାମଚନ୍ଦ୍ରପୁର ବଜାର,
ଜଟଣୀ, ଖୋର୍ଦ୍ଧା, ମୋ-୯୪୩୭୪୧୩୩୧୪

Related Posts

Leave a Reply

Your email address will not be published. Required fields are marked *