କୁଳମଣି ଷଡ଼ଙ୍ଗୀ

ସତରେ କିଏ ସ୍ଵର୍ଗ ଦେଖିଛି ! କିନ୍ତୁ କୁହାଯାଏ ବାହାଘର ସ୍ଵର୍ଗରେ ନିର୍ଣ୍ଣୟ କରାଯାଇଥାଏ । ରାମମୋହନ ଯେତେବେଳେ ରାଧିକାଙ୍କୁ ଦେଖିବାକୁ ଯାଇଥିଲେ, ପ୍ରଥମ ଦେଖାରେ ହିଁ ତାଙ୍କ ଅନ୍ତର୍ଚକ୍ଷୁରେ ସେ ରାଧିକାଙ୍କ ହୃଦୟ ପଢି ପାରିଥିଲେ । ଝିଅ ଦେଖାରେ ଏତେ ନଖରା କରୁଥିବା ରାମମୋହନ କେମିତି କେଜାଣି ରାଧିକାଙ୍କୁ ଦେଖି କ୍ଲିନ୍ ବୋଲ୍ଡ ହେଇଗଲେ ! ତାଙ୍କ ସହିତ ସାଙ୍ଗରେ ଯାଇଥିବା ଲଙ୍ଗୁଟିଆ ବନ୍ଧୁ ବ୍ରଜ ମୋହନ ଆଶ୍ଚର୍ଯ୍ୟ ହୋଇ କହିଥିଲା.. ଏତେ ଗୋରୀ ଚମଡ଼ି, ଗୋଟିଏ-ଚାଉଳ-ଗଢା, ସ୍ମାର୍ଟ୍ ଝିଅ ଖୋଜୁଥିଲୁ,ଏ ସାବେନୀ ଧାର-ମୁହିଁ ଆଗରେ କେମିତି ଆତ୍ମସମର୍ପଣ କରିଦେଲୁ ? ହ, ଆମର କଣ ଯାଇଚି; ଆମେ ତ ଭୋଜି ଖାଇବା ଲୋକ ।”

ରାଧିକାଙ୍କୁ ଦେଖିବା ପରେ ନିଦ ହଜିଯାଇଥିଲା ରାମମୋହନଙ୍କ ଆଖିରୁ । ରାଧିକାଙ୍କ ଅଭିବ୍ୟକ୍ତିପୂର୍ଣ୍ଣ ଆଖିର ଅଥଳ ସାଗର ଭିତରେ ନିଜକୁ ହଜାଇ ଦେଇ କେଉଁ ଅମୂଲ୍ୟ ମୁକ୍ତା ସେ ଖୋଜୁଥିଲେ, ସେ ନିଜେ ଜାଣନ୍ତି ।

ଅତି ଶୀଘ୍ର ରାଧିକାଙ୍କୁ ଅଙ୍କଲକ୍ଷ୍ମୀ କରି ରାମମୋହନ ଘରକୁ ନେଇ ଆସିଲେ ।

ସାନଭାଇ ଜଗମୋହନ, ଭାଇଙ୍କ ବାହାଘର ପାଇଁ ଅପେକ୍ଷା କରି ବସିଥିଲା । ଗତ ତିନିବର୍ଷ ଧରି ତାକୁ ପ୍ରେମ କରୁଥିବା ଝିଅଟି ସବୁବେଳେ ତାଗିଦ୍ କରି କହୁଥିଲା… ଶୀଘ୍ର ମତେ ନେଇଯାଅ, ନହେଲେ ବାପାବୋଉ ଆଉ କେଉଁଠି ବାହା କରେଇ ଦେବେ; ସେତେବେଳେ ଦିନରେ ତାରା ଖୋଜୁଥିବ ।”

ତେଣୁ ଜଗମୋହନ ଗୋଟିଏ ଦିନ ବି ଅପେକ୍ଷା ନକରି ପ୍ରେମିକା ‘ପରିଣତି’କୁ ବାହା ହେଇ ଘରକୁ ନେଇ ଆସିଲା । ଦୁଇ ଜାଆଙ୍କ ଉପସ୍ଥିତିରେ ଘର ହସି ଉଠିଲା । ଶାଶୂଶ୍ଵଶୁର ଆଗରୁ ଉପରକୁ ଚାଲି ଯାଇଥିବାରୁ ଘରଟି ମୂରବୀହୀନ ହୋଇ ରହିଥିଲା । ରାଧିକା ମୂରବୀ ଦାୟିତ୍ଵ ନେଇ ଘରକୁ ସ୍ଵର୍ଗରେ ପରିଣତ କରିଦେଲେ । ଦୁଇ ଜାଆ ଦୁଇ ଭଉଣୀ ପରି ଚଳିଲେ ।

ରାମମୋହନ ଗାଁ ସ୍କୁଲରେ ଶିକ୍ଷକତା କରୁଥାନ୍ତି । ସାନଭାଇ ଜଗମୋହନ ଓଡ଼ିଶା ସେକ୍ରେଟେରିଏଟ୍’ରେ କିରାଣୀ । ଭୁବନେଶ୍ଵରଠାରୁ ଗାଆଁ ମାତ୍ର ତିରିଶି କିଲୋମିଟର ହୋଇଥିବାରୁ ଜଗୁ (ଜଗମୋହନ) ସବୁଦିନ ସଟଲ୍ ଟ୍ରେନରେ ଯିବା ଆସିବା କରନ୍ତି ।

ରାଧିକା ସକାଳୁ ଉଠି, ଘରଦ୍ଵାର ଲିପାପୋଛା କରି, ଗାଧୁଆପାଧୁଆ ସାରି ଠାକୁରଙ୍କ ପାଇଁ ଫୁଲ ଯୋଗାଡ଼ି ଦେଇ, ଆଠଟା ସୁଦ୍ଧା ରୋଷେଇବାସ ସାରିଦିଅନ୍ତି । ଜଗମୋହନଙ୍କ ପାଇଁ ମଧ୍ୟ ଟିଫିନ୍ ରେଡ଼ି କରିଦିଅନ୍ତି । ରାମମୋହନ ନିତ୍ୟକର୍ମ ସାରି ଗାଧୋଇବା ପାଇଁ ଗଲେ ତାଙ୍କ ପ୍ୟାଣ୍ଟ୍ ସାର୍ଟ ଇସ୍ତ୍ରୀ କରିବାରେ ଲାଗିପଡ଼ନ୍ତି ରାଧିକା । ଏତେ କାମ ସେ ସକାଳୁ ସକାଳୁ ବିଜୁଳି ବେଗରେ କରନ୍ତି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ କହନ୍ତି….ଇଏ ତ ବିଜୁଳି କନ୍ୟା !” ରାମମୋହନଙ୍କ ମନରେ ଅପାର ଆନନ୍ଦ । ଦିଅଁ ପୂଜା ଏବଂ ସକାଳ ଭୋଜନ ଶେଷ କରିବାପରେ ଇସ୍ତ୍ରୀ କରା ପ୍ୟାଣ୍ଟ୍ ସାର୍ଟ ପିନ୍ଧି ରାମମୋହନ ପ୍ରାୟ ସବୁଦିନ ରାଧିକାଙ୍କୁ ବେଡ ରୁମକୁ ଡାକି, କବାଟ ଅଧା ଆହୁଜା କରି କୋଳେଇ ନେଇ କପାଳରେ ଚୁମାଟିଏ ଦେଇ କହନ୍ତି…ମଧୁରେଣ ସମାପୟେତ୍, ଅର୍ଥାତ୍ ଭୋଜନ ପରେ ମିଠା ଖାଇବା କଥା । ଏଇ ଚୁମାଟି ରସଗୋଲା ସହିତ ସମାନ । ବୁଝିଲ ରାଧା !

ରାଧିକା ଲାଜେଇ ଯାଇ କହନ୍ତି… ଧେତ୍, ସବୁଦିନ ମୁଁ ତୁମକୁ ରସଗୋଲା ଦେଇ ପାରିବିନି ।

ରାମମୋହନଙ୍କ ଘର ଏବେ ଏକ ପରିପୂର୍ଣ୍ଣ ସଂସାର । ଆଜିକାଲି ଘରେ ବନ୍ଧୁ ବାନ୍ଧବମାନଙ୍କ ଭିଡ଼ ଅଧିକ । ରାଧିକା ସମସ୍ତଙ୍କୁ ଯଥୋଚିତ ସ୍ନେହ ଓ ସମ୍ମାନ ଦିଅନ୍ତି । ଭଣଜା ଭାଣେଜୀ ଆସିଲେ ତାଙ୍କ କାନି ଧରି ପଛେପଛେ, ମାଇଁ ମାଇଁ କହି ବୁଲୁଥାନ୍ତି; ରାଧିକା ସେମାନଙ୍କର ସବୁ ଫରମାଇସ୍ ପୂରଣ କରନ୍ତି ।

ବାଡ଼ିରେ ସବୁପ୍ରକାରର ପରିବାପତ୍ର ଲଗାନ୍ତି ରାଧିକା । ମୁକ୍ତକେଶୀ ବାଇଗଣ ଗଛଗୁଡ଼ିକ ଫଳ ଭାରରେ ନଇଁ ପଡ଼ନ୍ତି । ପାଛିଆ ପାଛିଆ ଝୁଡୁଙ୍ଗ ଓ ଭେଣ୍ଡି ସବୁଦିନ ସକାଳୁ ତୋଳା ହୁଏ । କିଛି ଖିଆ ହୁଏ, କିଛି ବଣ୍ଟା ହୁଏ ଏବଂ କିଛି ବନ୍ଧୁବାନ୍ଧବଙ୍କ ଘରକୁ ପଠା ହୁଏ । ଘର ଆଗରେ ଥିବା ବଗିଚା ନାନାଜାତିର ରଙ୍ଗ ବେରଙ୍ଗୀ ଫୁଲରେ ଲଦି ହୋଇଥାଆନ୍ତି । ସବୁଦିନ ଦିପହରେ ଦୁଇ ଜାଆ ବଗିଚା କାମରେ ହିଁ ଲାଗିଥାନ୍ତି । ଟିଭିରେ ଅଯଥା ଶାଶୂବୋହୂ କଳହ ଦେଖିବା ଅପେକ୍ଷା ଗଛଲତାଙ୍କର ସେବା କରିବା କଣ ନାକରା କଥା ? ରାଧିକା କହନ୍ତି..ଗଛପତ୍ର ସେବା ହେଉଛି ମାତୃସେବା ସହିତ ସମାନ । ମାଆ ଯେମିତି ଖାଇବାକୁ ଦିଏ, ବୃକ୍ଷଲତାମାନେ ମଧ୍ୟ ସେମିତି ଆମ ପେଟକଥା ବୁଝନ୍ତି।

ଗଛଲତାମାନେ ମଧ୍ୟ ରାଧିକାଙ୍କୁ ବହୁତ୍ ଭଲ ପାଆନ୍ତି । ରାଧିକା ସେମାନଙ୍କୁ ଆଉଁସି ଦେବା ସମୟରେ ଏକ ଅବ୍ୟକ୍ତ ଭାବରେ ଆଦାନ ପ୍ରଦାନ ସେମାନଙ୍କ ମଧ୍ୟରେ ହୁଏ ।

ରାମମୋହନଙ୍କ ଘର ପୁରୀଠାରୁ ଅଳ୍ପ ବାଟ । ମାସକୁ ଥରେ ଦି’ଥର ରବିବାର ଦେଖି ରାମମୋହନ ରାଧିକାଙ୍କୁ ନେଇ ପୁରୀ ଯାଆନ୍ତି । ବଡ଼ଠାକୁରଙ୍କ ଦର୍ଶନ ପରେ ସମୁଦ୍ର କୂଳରେ ଅନେକ ସମୟ ବିତାନ୍ତି ସେ ଦୁହେଁ । ରାମମୋହନଙ୍କ କୋଳରେ ଶୋଇ ରହି ରାଧିକା କହନ୍ତି..ଏଇଟି,ଶୁଣୁଚ । ଏଠୁ ଯିବାକୁ ମନ ହଉନି; ରାତି ସାରା ଏଇଠି ବସିଥିବା । ଭାବପ୍ରବଣ ହୋଇ ଉଠନ୍ତି ରାମମୋହନ; କହନ୍ତି.. ସତରେ ରାଧିକା ତୁମ ବ୍ୟତୀତ ମୋ ଜୀବନ ଅପୂର୍ଣ୍ଣ । ମୋର କେତେ ଖିଆଲ ରଖୁଛ ତମେ, ମୋ ଘରକୁ ତୁମେ ସ୍ଵର୍ଗରେ ପରିଣତ କରିଦେଇଛ; କିନ୍ତୁ ମୁଁ ତୁମକୁ କଣ ଦେଇଛି ? ପ୍ରାଇମେରୀ ସ୍କୁଲର ଜଣେ ନିଃସ୍ଵ ଶିକ୍ଷକ ତୁମକୁ କଣ ବା ଦେଇପାରିବ !”

ରାମମୋହନଙ୍କ ପାଟିରେ ହାତ ରଖି ରାଧିକା କହନ୍ତି..ଛି, ସେମିତି କୁହନି । କିଏ କହିଲା ତମେ ନିଃସ୍ଵ ? ତମେ ହିଁ ମୋର ବିଶ୍ଵ । ମୋ ପଣନ୍ତରେ ତୁମେ ଭଗବାନଙ୍କର ଶ୍ରେଷ୍ଠ ଉପହାର ।”

ବାହାଘରର ବର୍ଷଟିଏ ଗଡ଼ି ଯାଇଥିଲା । ରାମମୋହନଙ୍କୁ ଲାଗିଲା..ରାଧିକା ତାଙ୍କ ଜୀବନର ସବୁ ଶୂନ୍ୟସ୍ଥାନ ପୂରଣ କରି ଦେଇଛନ୍ତି।

ଆଃ ! ସମୟର ବକ୍ର ଦୃଷ୍ଟି ଦିନେ ରାମମୋହନଙ୍କ ସୁନା ସଂସାରକୁ ଚୁନା କରିଦେଲା । ସେଦିନ ସକାଳେ ଖିଆପିଆ ଶେଷ କରି ରାମମୋହନ ଡାକିଲେ…ରାଧିକା, ମୋ ଇସ୍ତ୍ରୀକରା ପ୍ୟାଣ୍ଟ୍ ସାର୍ଟ୍ କୋଉଠି ରଖିଲ ? ଶୀଘ୍ର ଆସ ମୋର ସ୍କୁଲ ବେଳେ ହେଇଯାଉଚି ।

ରାଧିକା ବାଡ଼ିପଟ ବଗିଚାରେ ଥିଲେ । ହଠାତ୍ ଦୌଡ଼ି ଆସୁଆସୁ ପଥର ପାହାଚରେ ଗୋଡ଼ ଖସିଗଲା । ମୁନିଆଁ ପଥର ଉପରେ ମୁଣ୍ଡ ମାଡ଼ ହେଲା । ମୁଣ୍ଡରୁ ବହି ଯାଉଥାଏ ଧାରଧାର ରକ୍ତ । ସେଇଠି ଚେତାଶୂନ୍ୟ ହୋଇ ପଡ଼ିଗଲେ ରାଧିକା । ନିକଟରେ ଥିଲା ପରିଣତି । ଚିତ୍କାର କଲା… ଧାଇଁ ଆସ , ନାନୀ ପଡ଼ିଗଲେ ।”

ରାମମୋହନଙ୍କ ହୃଦୟର ସ୍ପନ୍ଦନ ସତେ ଯେମିତି ବନ୍ଦ୍ ହେଇଗଲା । ରାଧିକାଙ୍କୁ ସେ ଟେକିନେଇ ପଡ଼ୋଶୀ ସୁଦର୍ଶନ ବାବୁଙ୍କ କାରରେ ଭୁବନେଶ୍ଵରର ନେଇଗଲେ । ରାଧିକା ଚେତାଶୂନ୍ୟ ହୋଇ ରାମମୋହନଙ୍କ କୋଳରେ ଶୋଇଥାନ୍ତି । ରାମମୋହନଙ୍କ ଆଖିରୁ ଦୁଇ ବୁନ୍ଦା ଲୁହ ରାଧିକାଙ୍କ ମଥା ଉପରେ ଝରି ପଡ଼ିଲା । ଏମରଜେନ୍’ସି ୱାର୍ଡରେ ଦୁଇ ଦିନ ରହିବାପରେ ଚେତା ଫେରି ପାଇଲେ ରାଧିକା । କିନ୍ତୁ ସବୁଦିନ ପାଇଁ ବାକ୍ ଶକ୍ତି ହରାଇ ବସିଥିଲେ । ସେଠାରୁ ଘରକୁ ନଫେରି ବଡ଼ ବଡ଼ ବିଶେଷଜ୍ଞଙ୍କ ସହିତ ପରାମର୍ଶ କଲେ ରାମମୋହନ । କିନ୍ତୁ ସବୁ ବେକାର ।

ଘରକୁ ଫେରିଲେ ରାଧିକା । କିନ୍ତୁ ସେ ଏକ ଭିନ୍ନ ରାଧିକାରେ ପରିଣତ ହୋଇ ଯାଇଥିଲେ । ଅନେକ ସେବା ସୁଶ୍ରୁଷା ପରେ ସେ ଧୀରେଧୀରେ ଚାଲିବା ଆରମ୍ଭ କଲେ; କିନ୍ତୁ ମାନସିକ ସ୍ତରରେ ଛୋଟ ପିଲାଟିଏ ପାଲଟି ଯାଇଥିଲେ ରାଧିକା । ଦିନରାତି ତାଙ୍କ ସେବାରେ ଲାଗିଥିଲେ ରାମମୋହନ । ତାଙ୍କୁ ଗାଧୋଇ ଦେବାଠାରୁ ଆରମ୍ଭ କରି ଶାଢୀ ପିନ୍ଧାଇଦେବା, ମୁଣ୍ଡ କୁଣ୍ଡେଇ ଦେବା ଏବଂ ଖୁଆଇ ଦେବା ପର୍ଯ୍ୟନ୍ତ ସବୁ କାମ ତୁଲାଇଥିଲେ ରାମମୋହନ ।ଶେଷରେ ଚାକିରି ଛାଡ଼ିବାକୁ ପଡ଼ିଲା । ହୋମିଓପାଥି ପ୍ରାକ୍ଟିସ୍ କରି ଯାହାକିଛି ମିଳୁଥିଲା, ଦୁଃଖେସୁଖେ ସଂସାର ଚଳାଇଥିଲେ ରାମମୋହନ । ସାନ ଭାଇ ମଧ୍ୟ କିଛି କିଛି ସାହାଯ୍ୟ କରୁଥିଲେ ।

ମାଗଣାରେ ପରାମର୍ଶ ଦେବା ଲୋକଙ୍କର ଅଭାବ ନାହିଁ ଦୁନିଆଁରେ । କିଛି ଲୋକ ରାମମୋହନଙ୍କୁ ପରାମର୍ଶ ଦେଲେ ଆଉଥରେ ବାହା ହେବା ପାଇଁ ;ନହେଲେ ବଂଶ ରକ୍ଷା ହେବ କେମିତି ? କିଛି ଲୋକ କହିଲେ… ତାକୁ ଛାଡ଼ି ଦିଅ, ବାପଘରେ ଯାଇ ରହୁ; ପାଗଳିକୁ ପାଖରେ ରଖି ଏତେ ଜଞ୍ଜାଳ କାହିଁକି ମୁଣ୍ଡେଇବ ?

ଉପଦେଶଦାତାମାନଙ୍କୁ ରୋକଠୋକ୍ ଶୁଣେଇ ଦେଇଥିଲେ ରାମମୋହନ… ରାଧିକା ମୋର ଅର୍ଦ୍ଧାଙ୍ଗିନୀ, ମୋର ଗୋଟିଏ ଅଙ୍ଗ ଅଚଳ ହୋଇଗଲେ ମୁଁ କଣ ସେହି ଅଙ୍ଗକୁ କାଟି ଫୋପାଡ଼ି ଦେବି ? ଦୁର୍ଘଟଣା ରାଧିକାର ନହୋଇ ଯେବେ ମୋର ହୋଇଥାନ୍ତା; ରାଧିକା କଣ ମୋତେ ଛାଡ଼ି ଚାଲି ଯାଇଥାନ୍ତା ? ଆଉ ବଂଶ ରକ୍ଷା ପାଇଁ ପୁନଃ ବିବାହ କଥା କହୁଛ ? ରାଧିକା ମୋର ପୁଅ ଝିଅ ସବୁ କିଛି ।”

ଉପଦେଷ୍ଟା ମାନଙ୍କର ମୁହଁ ବନ୍ଦ୍ ହୋଇଯାଇଥିଲା।

++++++ ++++++ +++

ଯୈାବନ ଅତିକ୍ରମ କରି ପରିଣତ ବୟସରେ ଏବଂ ତତ୍ପରେ ବାର୍ଦ୍ଧକ୍ୟରେ ପହଞ୍ଚିଲେ ରାମମୋହନ ଦମ୍ପତି ।ରାମମୋହନଙ୍କ ଶେଷ ସମୟ ଆସିଗଲା । ଏଇ କିଛି ମାସ ତଳେ ସେ ଶେଷ ନିଶ୍ଵାସ ତ୍ୟାଗ କଲେ । ମୃତ୍ୟୁ ସମୟରେ ତାଙ୍କର ଗୋଟିଏ ମାତ୍ର ଚିନ୍ତା ଥିଲା…ତାଙ୍କ ପରେ ରାଧିକାଙ୍କ କଥା କିଏ ବୁଝିବ । ଶେଷ ସମୟ ଆସିବା ଜାଣି ସେ ସାନ ଭାଇକୁ କହିଥିଲେ..ଜଗୁ, ମୋ ରାଧିକାକୁ ହତାଦର କରିବନିରେ, ତାର ଆଉ କିଏ ଅଛି ? ମୁଣ୍ଡ ପାଖରେ ବସିଥିଲେ ରାଧିକା…ନିର୍ଲିପ୍ତ ପ୍ରତିକ୍ରିୟାହୀନ ଥିଲା ତାଙ୍କର ମୁଖମଣ୍ଡଳ; ସତେଯେପରି ସେ ମୃତ୍ୟୁକୁ ଚିହ୍ନି ମଧ୍ୟ ଚିହ୍ନି ପାରୁନଥିଲେ ।

ରାମମୋହନଙ୍କ ଦଶାହ ଦିନ ରାଧିକା ମଧ୍ୟ ଚାଲିଯିବା ଖବର ଆମେ ପାଇଲୁ । ମୃତ୍ୟୁର କାରଣ କେହି ଜାଣନ୍ତି ନାହିଁ । ବସିବା ଯାଗାରେ ହିଁ ସେ ଟଳି ପଡ଼ିଲେ ।

ସାଇ ବିହାର, ପଟିଆ କଲେଜ ରୋଡ଼, ଭୁବନେଶ୍ୱରଦୂରଭାଷ -୭୦୦୮୯୯୪୦୭୧

ଲେଖକ ପରିଚୟ

୨୦୧୦ ମସିହାରେ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିବାପରେ ସମ୍ପୂର୍ଣ ଭାବରେ ନିଜକୁ ସାରସ୍ଵତ ସାଧନାରେ ନିୟୋଜିତ କରିଛନ୍ତି । ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗରେ, ଯଥା କ୍ଷୁଦ୍ରଗଳ୍ପ, କବିତା, ପଲ୍ଲୀ କବିତା, କାବ୍ୟ, ପୌରାଣିକ ଗଳ୍ପ ଏବଂ ପ୍ରବନ୍ଧ ଇତ୍ୟାଦିରେ ସେ ସଫଳତାର ସହିତ ଲେଖନୀ ଚାଳନା କରିଛନ୍ତି । ଏପର୍ଯ୍ୟନ୍ତ ତାଙ୍କର ପ୍ରାୟ ୨୧ ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ଭାବରେ ସାନ୍ଦ୍ରତା ଏବଂ ପରିବେଷଣରେ ପଟୁତା ତାଙ୍କ ଲେଖାଗୁଡ଼ିକର ବିଶେଷତ୍ଵ ।

Related Posts

Leave a Reply

Your email address will not be published. Required fields are marked *