କୁଳମଣି ଷଡ଼ଙ୍ଗୀ

ଆହା କି ସୁନ୍ଦର ଦିଶଇ ନଭେ ପୁନେଇଁ ଜହ୍ନ !!
ଆ’ ଜହ୍ନମାମୁଁ ଖେଳିବ ତୋର ସାଙ୍ଗେ ମୋ’ଧନ ।

ଆ’ ଜହ୍ନମାମୁଁ ଆଆରେ ନେଇ ସରଗ ଫୁଲ,
ଖେଳିବ ତୋ ସଙ୍ଗେ କହ୍ନେଇ ତାକୁ କରିବୁ ଗେଲ ।

ତାରା ଫୁଲେ ଦେବୁ ସଜେଇ ତାର ଘର କାନ୍ଥକୁ,
ଝରକାରେ ଚାହିଁ ରହିବୁ ତାର ତୋରା ମୁହଁକୁ ।

ବେଲୁନୁ ହୋଇ ତୁ ମୁହଁକୁ ତୋର ଦେଲେ ଫୁଲେଇ,
କୋଳକରି ରାଜା ତୋ ପାଖେ ହବ କେତେ ଗେଲେଇ ।

ମୋ କାହ୍ନୁର ହସ ଦରୋଟି ଠୁକୁଠୁକୁ ତା ଚାଲି,
ରୁମୁଝୁମୁ ବାଜେ ଝୁମୁକା ଅଣ୍ଟାସୁତାରୁ ଝୁଲି ।

ସରଗରୁ ତୋଳି ଆଣିବୁ ଖିରକୋଳି ତା’ପାଇଁ,
ମାମୁଁଘର କୋଳି ଖାଇ ସେ ନାଚିବ ଧିନା ଧେଇ ।

ଆ’ ଜହ୍ନମାମୁଁ ଆଆରେ ନେଇ ମୁଣିଏ ଗୀତ,
କାନ୍ଦିଲେ ମୋ ରାଜା ଶୁଆଇ ଦବୁ ଗାଇ ସଂଗୀତ ।

ଆ’ ଜହ୍ନମାମୁଁ ଆଆରେ ନେଇ ହସର କାଠି,
ଛୁଆଁଇ ଦେଲେ ତା ମୁହଁରେ ହସ ଯିବ ଚହଟି ।

ଆଣିଥିବୁ ଜହ୍ନମାମୁଁରେ ଜାତିଜାତି ଖେଳନା,
ସତ ପୁଷି, ମୂଷୀ, କାବେତି, ଶୁଆ, ଶାରୀ, ମଇନା ।

ଆଣିଥିବୁ ଜହ୍ନମାମୁଁରେ ସଙ୍ଗେ ଖୁସିର ଟଫି,
ମାଟି ଖିଆ କାହ୍ନୁ ଛାଡ଼ିବ ସେଇ ଟଫିକୁ ଚାଖି ।

ନିଦ ମାଉସୀକୁ ସାଙ୍ଗରେ ନେଇ ଆସିବୁ ମାମୁଁ,
ଗପ କହି ସିଏ ଶୁଆଇଦେଲେ ଶୋଇବ କାହ୍ନୁ ।

ସାଇ ବିହାର, ପଟିଆ କଲେଜ ରୋଡ଼, ଭୁବନେଶ୍ୱର, ଦୂରଭାଷ -୭୦୦୮୯୯୪୦୭୧

ଲେଖକ ପରିଚୟ

୨୦୧୦ ମସିହାରେ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିବାପରେ ସମ୍ପୂର୍ଣ ଭାବରେ ନିଜକୁ ସାରସ୍ଵତ ସାଧନାରେ ନିୟୋଜିତ କରିଛନ୍ତି । ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗରେ, ଯଥା କ୍ଷୁଦ୍ରଗଳ୍ପ, କବିତା, ପଲ୍ଲୀ କବିତା, କାବ୍ୟ, ପୌରାଣିକ ଗଳ୍ପ ଏବଂ ପ୍ରବନ୍ଧ ଇତ୍ୟାଦିରେ ସେ ସଫଳତାର ସହିତ ଲେଖନୀ ଚାଳନା କରିଛନ୍ତି । ଏପର୍ଯ୍ୟନ୍ତ ତାଙ୍କର ପ୍ରାୟ ୨୦ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ଭାବରେ ସାନ୍ଦ୍ରତା ଏବଂ ପରିବେଷଣରେ ପଟୁତା ତାଙ୍କ ଲେଖାଗୁଡ଼ିକର ବିଶେଷତ୍ଵ ।

Related Posts

Leave a Reply

Your email address will not be published. Required fields are marked *