ଅସିତ କୁମାର ପଣ୍ଡା

ଆଦ୍ୟ ଆଷାଢ଼ର ଆଦ୍ୟ ବିନ୍ଦୁ ତୁମେ ମୁଁ ଅଧା ଓଦା ଦେହ ।
ତୁମେ ବସୁଧାର ବତୁରା ବାସନା, ମୁଁ ମଟାଳ ମାଟିର ମୋହ ।।

ମୁଁ ବୈଶାଖର ଡ଼ହଡ଼ହ ଖରା ତୁମେ ଶ୍ରାବଣର ଧାରା ।
ସରି ଆସୁଥିବା ସ୍ଲିଥବର୍ତ୍ତିକା ମୁଁ ତୁମେ ପ୍ରତିଚୀର ତାରା ।।

ମୁଁ ବସନ୍ତର ମଳୟ ପବନ ତୁମେ ଚୋରା ଚଇତାଳି
ମୁଁ ଫଗୁଣର ଫଗୁଖେଳ ତୁମେ ଆଷାଢ଼ର ରଜଦୋଳି ।।

ମୁଁ ଶରତର ନୁଖୁରା ଆକାଶ ତୁମେ କାଶତଣ୍ଡି ଫୁଲ ।
ଗାଁ ନଈପଠା ବଇଞ୍ଚ କୋଳି ମୁଁ ତୁମେ ପାହାଡ଼ି ମହୁଲ ।।

ତୁମ ସ୍ମୃତି ତୀର୍ଥେ ନିତି ସ୍ନାନ ଏଠି ବିରହ ବାରୁଣୀ ବେଳେ ।
ତୁମଠି ନିଦାଘ ଶୀତଳ ଚନ୍ଦନ ମୁଁ ଏଠି ମଳୟେ ଜଳେ ।।

ଖୋଲା ବହି ତୁମେ, ମୁଗ୍ଧ ପାଠକ ମୁଁ ଜତୁଗୃହ ପ୍ରତି ଶବ୍ଦ ।
ପୃଷ୍ଠା ପଲଟିଲେ ପୋଡ଼ିଜଳି ଯାଏ ଦିନ ପକ୍ଷ ମାସ ଅବ୍ଦ ।।

ମୁଁ ମଝି ଦରିଆ ଦିଗହରା ମାଝୀ, ତୁମେ ଦୂର ବତୀଘର
ହଜିଲା କୂଳ ମୁଁ ପାଇବି, ପାଇଲେ ଟିକେ ପରଶ ତୁମର ।।

ବାଲିଆପାଳ, ବାଲେଶ୍ୱର

ଲେଖକ ପରିଚୟ

ମାଆ କବୟିତ୍ରୀ ଶାନ୍ତିଲତା ପଣ୍ଡାଙ୍କ ପ୍ରେରଣାରେ ପିଲାଟିଦିନୁ ସାହିତ୍ୟ ପ୍ରତି ଆକୃଷ୍ଟ । ଜୀବନର ପ୍ରଥମ ପୂର୍ଣ୍ଣାଙ୍ଗ କବିତା ମାତ୍ର ୧୨ ବର୍ଷ ବୟସରୁ ଆରମ୍ଭ ହେଇ ଅଦ୍ୟାବଧି ଦୀର୍ଘ ତିନି ଦଶନ୍ଧି ଧରି ହିନ୍ଦୀ, ଓଡ଼ିଆ, ଇଂରାଜୀ ଭାଷାରେ ସାହିତ୍ୟ ସେବା ଜାରି ରଖିଛି । କବିତା ସଙ୍କଳନ “କେମିନିଆକ”, ଗଳ୍ପ ସଂକଳନ “ଭିନ୍ନ ରେବତୀ” ଓ “ସକାଳର ସୂର୍ଯ୍ୟାସ୍ତ”, ପ୍ରବନ୍ଧ “ମୃତ୍ୟୁ ପରେ ନେତାଜୀ” ଓ ବିସ୍ମୃତ ନାୟକ ଆଦି କୃତିରୁ କିଛି ପ୍ରକାଶିତ ହେବା ପରେପରେ କିଛି ପୁସ୍ତକ ପ୍ରକାଶନ ଅପେକ୍ଷାରେ ।

Related Posts

Leave a Reply

Your email address will not be published. Required fields are marked *