‘ଜଣେ ସୁଖୀଲୋକର ଡାଏରୀ’ ଉନ୍ମୋଚିତ

ଆତ୍ମଜୀବନୀ କେବଳ ନିଜ କଥା କହେନାହିଁ : ଅଧ୍ୟାପକ ବିଶ୍ୱରଂଜନ

ଭୁବନେଶ୍ଵର : ଆତ୍ମଜୀବନୀ କେବଳ ଲେଖକର ନିଜ କଥା କହେନାହିଁ । ଏହା ସମକାଳୀନ ଜନଜୀବନର କଥା ମଧ୍ୟ କହେ, ସମାଜର ପ୍ରତିଛବି ଦେଖାଏ । ଅଡଶପୁର ୟୁ.ଏନ୍. କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଅରୁଣ କୁମାର ନାୟକଙ୍କ ଆତ୍ମଜୀବନୀ ‘ଜଣେ ସୁଖୀଲୋକର ଡାଏରୀ’କୁ ଉନ୍ମୋଚନ କରି ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଂଜନ ଏହି ମତ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରର ରେଡକ୍ରସ ଭବନରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲେଖକ ଶ୍ରୀ ନାୟକଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଜଣେ ଶିକ୍ଷକଙ୍କର ଅନେକ କଥା ଲେଖିବାର ଥାଏ । କାରଣ ଶିକ୍ଷକ ସାରା ଜୀବନ ଶିଖୁଥାଏ ଓ ଶିଖଉଥାଏ । ସମାରୋହରେ ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଓ କଥାର ସମ୍ପାଦକ ଡକ୍ଟର ଗୌରହରି ଦାସ ପୁସ୍ତକଟି ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ, ଆତ୍ମଜୀବନୀ ଜୀବନକୁ ସାମ୍ନା କରିବାର ବାଟ ଦେଖାଏ । ଦୁଃଖର କଥାକୁ କେହି ବାରମ୍ବାର ମନେପକେଇବାକୁ ଭଲପାଏନି ବୋଲି ସେ ମତ ଦେଇଛନ୍ତି । ଲେଖକ ଶ୍ରୀ ନାୟକ ପୁସ୍ତକଟିକୁ ଲେଖିବା ପଛର କାହାଣୀ ବର୍ଣ୍ଣନା କରିଥିଲେ ।

କିଟ୍ ବିଶ୍ୱବିଦ୍ୟାଳୟର ଉପ କୁଳପତି ସାହିତ୍ୟିକ ଡକ୍ଟର ତପନ କୁମାର ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପୁସ୍ତକର ପ୍ରକାଶକ ଟାଇମପାସ୍ ପ୍ରକାଶନୀ ସଂସ୍ଥା ମୁଖ୍ୟ ତଥା ଲେଖକ ସରୋଜ ବଳ ପରିଚାଳନା କରିଥିଲେ । ଲେଖକ ଶ୍ରୀ ନାୟକଙ୍କ ଅଗ୍ରଜ ଅଧ୍ୟାପକ ବନ୍ଧୁ ଡକ୍ଟର ପ୍ରଶାନ୍ତ ପ୍ରଧାନ ଏବଂ ଛାତ୍ର ନାରାୟଣ ଦାସ ଲେଖକଙ୍କ ଜୀବନର ଅନେକ ଅଜଣା କଥା ଉପରେ ଆଲୋକପାତ କରିଥିଲେ । ଗାୟିକା ଅର୍ପିତା ପତି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଲେଖକ ଶ୍ରୀ ନାୟକଙ୍କ ପତ୍ନୀ ବିଶିଷ୍ଟ ସାହିତ୍ୟିକା ଡକ୍ଟର ହିରଣ୍ମୟୀ ମିଶ୍ର ସ୍ଵାଗତ ଭାଷଣ ଦେଇଥିବାବେଳେ ଶତ୍ରୁଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *