ଶରତ କୁମାର ରାଉତ
ଶେଷରେ ସମସ୍ତଙ୍କ ଆଶଙ୍କା ସତ୍ୟରେ ପରିଣତ ହୋଇଥିଲା । ଏକ ପକ୍ଷରେ ସତ୍ୟ-ନ୍ୟାୟ ଏବଂ ଅନ୍ୟ ପକ୍ଷରେ ଅନ୍ୟାୟ-କୂଟନୀତି ମଧ୍ୟରେ ସଂଘର୍ଷର ପରିଣତି ସ୍ୱରୂପ ଅନ୍ୟାୟ ଓ କୂଟନୀତିର ବିଜୟ ହୋଇଥିଲା । ଭାରତୀୟ ସମ୍ବିଧାନର ଗୋଟିଏ ଅଙ୍ଗକୁ ସମ୍ବିଧାନର ରକ୍ଷକମାନେ ହତ୍ୟା କରିବାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଥିଲେ । ଅନ୍ୟାୟର ବିଜୟ ହୁଏ ଓ ଏହା ପଛରେ ପ୍ରଭାବଶାଳୀ ଲୋକମାନଙ୍କର ସମର୍ଥନ ଥାଏ ବା ରକ୍ଷକ ଭକ୍ଷକ ସାଜେ ବୋଲି ଗଭୀର ଆତ୍ମବିଶ୍ୱାସୀ ଆରତୀ ଓ ଅରିନ୍ଦମ୍ କେବେ ବିଶ୍ୱାସ କରୁନଥିଲେ । ଅରିନ୍ଦମ୍ ଖୁବ୍ ସ୍ୱାଧୀନଚେତା ଓ ପ୍ରଖର ସଚେତନଶୀଳ । ଓଡ଼ିଆ ସାହିତ୍ୟ ଓ ଗଣମାଧ୍ୟମ ଜଗତରେ ବେଶ୍ ପ୍ରତିଷ୍ଠିତ ସିଏ । ଆଉ ପତ୍ନୀ ଆରତୀ ସ୍ୱାସ୍ଥ୍ୟ ସେବିକା । ପାଞ୍ଚବର୍ଷ ତଳେ ଆଦିବାସୀ ବାସିନ୍ଦା ବହୁଳ ଚଢେଇଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଆରତୀ କାର୍ଯ୍ୟ କରି ଆସୁଥିଲା । ସାଧାରଣତଃ ଆଦିବାସୀ ଅଞ୍ଚଳରେ ସବୁବେଳେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରହେ । ମାରାତ୍ମକ ସଂକ୍ରାମକ ରୋଗର ସାମ୍ରାଜ୍ୟ ଏଠାରେ । ଗର୍ଭବତୀ ମା’ ଓ ଶିଶୁ ମୃତ୍ୟୁହାର ଏଠାରେ ସର୍ବାଧିକ । ଚିକିତ୍ସା ସେବା ଅଭାବରୁ ଏଠାରେ ସରଳ, ନୀରିହ, ନିଷ୍ପାପ ଆଦିବାସୀ ମଣିଷ ପୋକମାଛି ଭଳି ମୃତ୍ୟୁବରଣ କରନ୍ତି । ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିସହିତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ବହୁ ସ୍ୱେଛାସେବୀ ସଂସ୍ଥା ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକାରୀ ହେଉଛି । ସ୍ଥାନୀୟ ସ୍ୱେଛାସେବୀ ସଂସ୍ଥା ଗୁଡ଼ିକ ମଧ୍ୟ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ତଥାପି ଏଠାରେ ଅବସ୍ଥାର ପରିବର୍ତ୍ତନ ହେଉନାହିଁ । ସରକାରୀ ସ୍ତରରେ ବି ଏସଂପର୍କରେ ବ୍ୟାପକ ସମୀକ୍ଷା ହୁଏ ନାହିଁ । ଶହ ଶହ କୋଟିଟଙ୍କା କିପରି ବ୍ୟୟ ହେଲା, ଯୋଜନା ଗୁଡ଼ିକରୁ କେତେ ସଫଳତା ମିଳିଲା କି ବିଫଳତା, ଯଦି ସଫଳତା ମିଳିଲା, କେଉଁ ଅଫିସର ବା କର୍ମଚାରୀ ମାନେ ଏହାର ଶ୍ରେୟ ପାଇବା ହକ୍ଦାର କିମ୍ବା ଯଦି ବିଫଳତା ମିଳିଲା, କେଉଁମାନେ ଏଥିପାଇଁ ଦାୟୀ, ସେମାନଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ପରବର୍ତ୍ତୀ ସମୟରେ ଯୋଜନା କାର୍ଯ୍ୟକାରୀର ନୂଆ ପଦ୍ଧତି ଅବଲମ୍ବନ ଆଦି ସଂପର୍କରେ କୌଣସି ଖୋଳ୍ତାଡ଼ ହୁଏନାହିଁ । ଯଦ୍ୱାରା ସରକାରୀ ଅଫିସର୍, କର୍ମଚାରୀ, ରାଜନୈତିକ ନେତା ଓ ପ୍ରଭାବଶାଳୀ ଲୋକେ ଏହାର ସୁଯୋଗ ନେଇ ମନଇଚ୍ଛା ଫାଇଦା ହାସଲ କରନ୍ତି ।
ବାସ୍ତବତା ଦେଖାଗଲେ, ଆଦିବାସୀ ଅଞ୍ଚଳରେ ଯୋଜନା ଗୁଡ଼ିକ ସଫଳତାର ସହ କାର୍ଯ୍ୟକାରୀ ହେଲେ, ସ୍ୱାସ୍ଥ୍ୟସେବା ଜନିତ ଅଘଟଣ ଘଟିବାର ପ୍ରଶ୍ନ ଉଠନ୍ତା ନାହିଁ । ଯୋଜନା କାର୍ଯ୍ୟକାରୀ ହେବା ଦୂରର କଥା, ଏ ସଂପର୍କରେ ବାସିନ୍ଦାମାନେ ମଧ୍ୟ କିଛି ଜାଣନ୍ତି ନାହିଁ । କୌଣସି ଅଭିଯୋଗ ଓ ଅସନ୍ତୋଷ ପ୍ରକାଶ ନପାଇଲେ,ସରକାରୀ ସ୍ତରରେପ୍ରାୟତଃ ଅଡ଼ିଟ୍ ବା ଅନୁସଂଧାନର ଆବଶ୍ୟକତା ପଡ଼େ ନାହିଁ । ଏହି ଅବସ୍ଥା ହିଁ ବଳବତ୍ତର ରହିଛି ଆଦିବାସୀ ଅଞ୍ଚଳରେ । ଏହାର ମୂଳକାରଣ ହେଲା, ଆଦିବାସୀ ମଣିଷ ଭିତରେ ସଚେତନତାର ଅଭାବ ।
ଧୀରେଧୀରେ ଅରିନ୍ଦମ୍ ହତଭାଗ୍ୟ ଆଦିବାସୀ ମଣିଷର ସମସ୍ୟାକୁ ଅନୁଭବ କରୁଥିଲା । ସେମାନଙ୍କ ସହିତ ମିଶି ତା’ ସମସ୍ୟା ସହ ଏକାକାର ହୋଇଯାଉଥିଲା । ସେମାନଙ୍କ ଭିତରର ଅକୁହା କଥାକୁ ମର୍ମେ ମର୍ମେ ବୁଝୁଥିଲା । ଡିଙ୍ଗର ମୁର୍ମୂର ପରିବାରର ଦୁଃଖଦ କାହାଣୀ ତାକୁ ସାଂଘାତିକ ଭାବେ ପ୍ରଭାବିତ କରିଥିଲା । ତିନି ବର୍ଷ ତଳେ ସ୍ୱାସ୍ଥ୍ୟସେବା ଅଭାବରୁ କିପରି ତା ପ୍ରସବିନୀ ସ୍ତ୍ରୀ ଫୁଲିଆ ମରିଗଲା ଓ ପରେ ପରେ ତାର ଗୋଟିଏ ପୁଅ ମ୍ୟାଲେରିଆରେ ଓ ଝିଅଟି ଡ଼ାଇରିଆରେ ପଡ଼ି ମୃତ୍ୟୁବରଣ କଲେ, ସେହି ମର୍ମସ୍ପର୍ଶୀ କାହାଣୀ ହୃଦୟ ବିଦାରକ । ପ୍ରସବ ବେଦନା ଆରମ୍ଭ ହେବା ସଙ୍ଗେ ସଙ୍ଗେ ଗାଁ ଲୋକେ ଖଟିଆରେ ବୋହି ଫୁଲିଆକୁ ନେଇଯାଇଥିଲେ ଚଢେଇଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ର । ହେଲେ ଡ଼ାକ୍ତର କିମ୍ବା କୌଣସି କର୍ମଚାରୀ ସେଠାରେ ନଥିଲେ । ଚଢେଇଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରଟି ଦୁର୍ଗମ ଅଞ୍ଚଳରେ ଥିବାରୁ ସେଠାରେ ଦୁଇଜଣ ଚପରାଶିଙ୍କ ଛଡ଼ା କେହି ରହୁ ନଥିଲେ । ଡ଼ାକ୍ତରଙ୍କ ସମେତ ସବୁ କର୍ମଚାରୀ ୧୨ କି.ମି. ଦୂରବର୍ତ୍ତୀ ସହରରେ ରହନ୍ତି । ସେମାନଙ୍କୁ ପ୍ରତିଦିନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବାକୁ ପଡ଼େନି । ଦୁଇ ତିନି ଦିନରେ ଥରେ ଆସନ୍ତି ପାଳି କରି । ଏଣୁ ବାସିନ୍ଦା ମାନଙ୍କର ଭାଗ୍ୟ ଉପରେ ହିଁ ସେମାନଙ୍କ ବଂଚିବା- ମରିବା ନିର୍ଭର କରେ । ସେହି ସ୍ୱାସ୍ଥ୍ୟକେନ୍ଦ୍ରରେ କିଛି ସମୟ ପଡ଼ିରହି ଫୁଲିଆ ମରିଗଲା । ଏହାର କିଛି ମାସ ପରେ ପୁଅ ଓ ଝିଅ ସଂକ୍ରାମକ ରୋଗରେ ପଡ଼ି ମରିଗଲେ । ବାପ କି ଗାଁର କେହି ଜାଣିପାରିଲେନି ଯେ ସେମାନଙ୍କୁ ମାରାତ୍ମକ ସଂକ୍ରାମକ ରୋଗ ହୋଇଛି ବୋଲି । ସେମାନଙ୍କର ଦେବୀଦେବତାଙ୍କ ଉପରେ ଗଭୀର ବିଶ୍ୱାସ । ଟିକେ କ’ଣ ହେଲେ ଦେବୀଦେବତାଙ୍କ କୋପ ଦୃଷ୍ଟି ସେମାନଙ୍କ ଉପରେ ପଡ଼ିଛି ବୋଲି ଭାବନ୍ତି ଓ ପୂଜାର୍ଚ୍ଚନାରେ ମାତନ୍ତି । ଏହା ସେମାନଙ୍କର ଅନ୍ଧବିଶ୍ୱାସ ହୋଇପାରେ । ମାତ୍ର ସରକାରଙ୍କର ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ନୀତି ଅନୁଯାୟୀ ଡ଼ାକ୍ତରଙ୍କ ସମେତ କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ନିୟମିତ ଘର ଘର ବୁଲି ସାଧାରଣ ନାଗରିକ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କଥା । ହେଲେ ଏଭଳି କିଛି ହୁଏ ନାହିଁ । ଡ଼ାକ୍ତର ଓ କର୍ମଚାରୀ ନିଜର କର୍ତ୍ତବ୍ୟ ଅନ୍ତର୍ଗତ ଗସ୍ତ ନକଲେ ମଧ୍ୟ ପ୍ରତି ଗାଁରୁ ନିୟମିତ ଖବର ସଂଗ୍ରହ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଏହା ହୋଇଥିଲେ ହୁଏତ ସେହି ନିରୀହ-ନିଷ୍ପାପ ଶିଶୁ ଦୁଇଟିଙ୍କର ଦୁର୍ଲଭ ଜୀବନ ବଂଚି ଯାଇଥାନ୍ତା । କିନ୍ତୁ ନା…. ହୁଏତ ଭୋଗିବାଟା ଆଦିବାସୀ ମଣିଷର ଜନ୍ମସିଦ୍ଧ ଅଧିକାର । ସତରେ କ’ଣ ତା’ର ଜନ୍ମ କେବଳ ଭୋଗିବା ପାଇଁ, ଶୋଷିତ ହେବା ପାଇଁ, ନିର୍ଯ୍ୟାତନା ସହିବା ପାଇଁ, ରୋଗ ଯନ୍ତ୍ରଣାରେ ସଢିବା ପାଇଁ ଆଉ କଠିନ ପରିଶ୍ରମ କରି ମଧ୍ୟ ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରରେ ବଞ୍ଚିବା ପାଇଁ ? ଗଣତନ୍ତ୍ର ଶାସନରେ ତା’ର କ’ଣ କୌଣସି ମୌଳିକ ଅଧିକାର ନାହିଁ ? ଆଦିବାସୀ ଅଞ୍ଚଳରେ ଏହିଭଳି ହଜାର ହଜାର ଡ଼ିଙ୍ଗର, ଫୁଲିଆ ଓ ଶିଶୁ ମାନଙ୍କର ପ୍ରଶାସନିକ ଅବହେଳାରୁ ଅକାଳ ମୃତ୍ୟୁ ଘଟୁଛି । ତଥାପି ପ୍ରଶାସନ ନିଷ୍କ୍ରିୟ । ଏହିଭଳି ସମ୍ବେଦନଶୀଳ ଘଟଣାମାନ ପ୍ରତି ମୁହୂର୍ତ୍ତରେ ଅରିନ୍ଦମ୍ ଭିତରେ ତରଙ୍ଗାୟୀତ ହେବାରେ ଲାଗିଲା । ସେ ଜଣେ ସାମ୍ବାଦିକ ହୋଇଥିବାରୁ ଆଦିବାସୀ ମଣିଷ କିପରି ପ୍ରାଥମିକ ସ୍ୱାସ୍ଥ୍ୟସେବା ଅଧିକାରରୁ ବଂଚିତ ହେଉଛି ଓ ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଘୂରି ଅକାଳରେ ଜୀବନ ଦେଉଛି, ସେ ସଂପର୍କରେ ସବିଶେଷ ରିପୋର୍ଟ ଗଣମାଧ୍ୟମରେ ପ୍ରଚାର କଲା । ତାପରେ……
ସମୟ ବଡ଼ ବଳବାନ୍ । ପରିବର୍ତ୍ତନଶୀଳ । ସମୟର ତାଳରେ ମଣିଷର ଅବସ୍ଥାରେ ପରିବର୍ତ୍ତନ ହୁଏ । ଏଥର ପାଳି ଅରିନ୍ଦମ୍ ଓ ଆରତୀର । ଭୋଗିବାର ପାଳି । ନିର୍ଯ୍ୟାତନା ସହିବାର ପାଳି, ତୀବ୍ର ମାନସିକ ଯନ୍ତ୍ରଣାରେ ଛଟପଟ ହେବାର ପାଳି ଆଉ……
ଅତର୍କିତ ଭାବେ ଚଢେଇଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ାକ୍ତର ସନାତନ ଖାଡ଼ଙ୍ଗା ଉଦ୍ଦେଶ୍ୟମୂଳକ ଭାବେ ଆରତୀର ଘରଭଡ଼ା ଭତ୍ତା ବନ୍ଦ କରିଦେଲେ । ଉଭୟଙ୍କ ଭିତରେ ଆରମ୍ଭ ହୋଇଥିଲା ମନାନ୍ତର ଓ କ୍ରମେ ତାହା ଶତ୍ରୁତାରେ ପରିଣତ ହୋଇଥିଲା । ଅରିନ୍ଦମ୍ ଏ ଘଟଣାର ବାସ୍ତବ ତଥ୍ୟ ଗଣମାଧ୍ୟମରେ ପ୍ରସାରିତ କରିଥିଲା । ଏହା ପରଠାରୁ ଡ଼ାକ୍ତର ଖାଡ଼ଙ୍ଗାଙ୍କର ଆରମ୍ଭ ହୋଇଥିଲା ହୀନ ଷଡ଼ଯନ୍ତ୍ର! ସେ ଜନସାଧାରଣଙ୍କ ନାଁରେ ଆରତୀ ବିରୋଧରେ ଏକ ଅଭିଯୋଗ ପତ୍ର ପ୍ରସ୍ତୁତ କରି ଦୁଇ ଜଣ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଦସ୍ତଖତ ଅଭିଯାନ ଆରମ୍ଭ କରାଇଥିଲେ ଓ ପତ୍ରଗୁଡିକୁ ହାକିମ ମାନଙ୍କ ପାଖକୁ ପଠାଇଥିଲେ ।
ହାକିମମାନେ ତଦନ୍ତ କରିବାକୁ ଆସିଥଲେ । ଆରତୀର ଦରମା ବନ୍ଦ କରି ଦିଆ ଯାଇଥିଲା । ଏକାଥରକେ ଡ଼ାକ୍ତର ଖାଡ଼ଙ୍ଗା ଆରତୀକୁ ଧରାଇଥିଲେ ୪ଟି ଭିନ୍ନ ପ୍ରକାରର କୈଫିୟତ୍ ପତ୍ର ! ପତ୍ରଗୁଡ଼ିକ ସଂପୂର୍ଣ୍ଣ ରୂପେ ଆଧାରହୀନ ଥିଲା । ଯେଉଁଥିପାଇଁ ଆରତୀ ସଂଗ୍ୟାହୀନ ହୋଇ ଯାଇଥିଲା । ଅନନ୍ୟୋପାୟ ହୋଇ ଅରିନ୍ଦମ୍ ସଂପୂର୍ଣ୍ଣ ଘଟଣାର ବାସ୍ତବ ଚିତ୍ର ଖବରକାଗଜ ମାଧ୍ୟମରେ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ପରଦିନ ଆରତୀକୁ ସରକାରୀ ଚାକିରିରୁ ନିଲମ୍ବନ ଆଦେଶ ସମ୍ବଳିତ ଏକ ପତ୍ର ଧରାଇ ଦିଆଯାଇଥିଲା । ଆରତୀ ମୁଣ୍ଡ କଚାଡ଼ି ତଳେ ପଡ଼ି ଯାଇଥିଲା । ସଚେତନ ହେବା ପରେ ସହକର୍ମୀ ଓ ଅନ୍ୟ ପରିଚିତ ମାନେ ବୁଝାସୁଝା କରିଥିଲେ । ବଡ଼ପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆରତୀ ଓ ପୁଅ-ଝିଅଙ୍କୁ ଛାଡ଼ି ରାଜଧାନୀ ଯାଇ ସେଠାରେ ସ୍ୱାସ୍ଥ୍ୟ ସଚିବ ଓ ମନ୍ତ୍ରୀଙ୍କୁ ନ୍ୟାୟ ମାଗିବ କିମ୍ବା ଆଇନର ଆଶ୍ରୟ ନେବ ବୋଲି ନିଷ୍ପତ୍ତି ନେଲା ।
ଆରତୀ ଓ ପୁଅ-ଝିଅଙ୍କୁ ମୋଟର ସାଇକେଲରେ ବସାଇ ବଡ଼ପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଅଭିମୁଖେ ଅରିନ୍ଦମ୍ ଯାତ୍ରା ଆରମ୍ଭ କରିଥିଲା । ମାତ୍ର ସେମାନେ ଆଉ ବଡ଼ପଡ଼ାରେ ପହଞ୍ଚି ପାରିନଥିଲେ । ବଡ଼ପଡ଼ାର କିଛି ଦୂରରୁ ଦୁଇ ଜଣ ଦୁର୍ବୃତ୍ତ ହଠାତ୍ ସେମାନଙ୍କ ରାସ୍ତା ଅବରୋଧ କରିଥିଲେ । ମୋଟର ସାଇକେଲ୍ ଅଟକିବା ପରେ ଦୁର୍ବୃତ୍ତମାନେ ପ୍ରଥମେ ଅରିନ୍ଦମ୍ କୁ ଭୁଜାଲି ଚୋଟରେ ଦୁଇ ଖଣ୍ଡ କରିଦେଇଥିଲେ ଓ ପରେ ପରେ ଆରତୀର ଗଳାରେ ଛୁରୀ ଭୁସି ହତ୍ୟା କରିଥିଲେ । ପୁଅ-ଝିଅ କେବଳ ମୁଣ୍ଡ କଚାଡ଼ି କାନ୍ଦୁଥିଲେ ।
କିଛି ସମୟ ମଧ୍ୟରେ ଘଟଣା ସ୍ଥଳରେ ପୋଲିସ କର୍ମଚାରୀ ମାନେ ପହଞ୍ଚିଥିଲେ । ସେତେବେଳକୁ ଦୁର୍ବୃତ୍ତମାନେ ଫେରାର୍ ହୋଇ ଯାଇଥିଲେ । ଦୁର୍ବୃତ୍ତମାନେ ବଙ୍ଗଳା ଭାଷାରେ କଥାବାର୍ତ୍ତା କରୁଥିବା ଝିଅ ଲିଫା ପ୍ରକାଶ କରିଥିଲା । ପୋଲିସ ପୋଷ୍ଟମର୍ଟମ ପାଇଁ ଶବ ଦୁଇଟି ପଠାଇ ଦେଇ ଘଟଣାର ଅନୁସନ୍ଧାନ ଜୋରଦାର କରିଥିଲା ।
କୋରିଆପଲ୍ଲା, ଓଉପଦ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ- ୯୩୩୭୩୬୯୪୪୮
ଲେଖକ ପରିଚୟ
ପେଶାରେ ଜଣେ ସାମ୍ବାଦିକ , କିନ୍ତୁ ବିଭିନ୍ନ ଖବରକାଗଜ ତଥା ପତ୍ରିକାରେ ନାନା କାହାଣୀ, କବିତା ଏବଂ ଅନୁବାଦ କରିବାରେ ଜଣେ ଲୋକପ୍ରିୟ ତଥା ନିୟମିତ ଲେଖକ । ଅନୁବାଦିତ କାହାଣୀ ସହିତ ଗୋଟିଏ ପୁସ୍ତକ ପ୍ରକାଶ ହୋଇଛି ।