ଗୌତମ କୁମାର ଦେ

ମତେ ଭଲ ଲାଗେ ତୁମ ଶୁଭ୍ର କପାଳ…
ମୋତେ ଆହୁରି ଭଲ ଲାଗେ
ସେଥିରେ ଥାଏ ଯଦି ପ୍ରୀତିର ନାଲି ଟିକିଲି….

ତମର ଲାଜୁଆ ମୁହଁରେ
ସତେଜତା ଦେଖିଲେ ମତେ ଲାଗେ,
ଜହ୍ନ ରାତିର ଘାସ ପଡ଼ିଆରେ
ଭିଜା ଭିଜା କାକର ଟୋପା କିଏ ବୁଣି ଦେଇଛି….

ମତେ ଭଲ ଲାଗେ ଫୁଙ୍ଗୁଳା ଜହ୍ନ ରାତିରେ
ତମ ସହ ଆଉଜି ବସିବାକୁ…
ମତେ ଆହୁରି ଭଲ ଲାଗେ
ଯଦି ଥାଆନ୍ତା ପାହାଡ଼ ପାଖରେ ତମ ଗାଁଟିଏ ….

ପାହାଡ଼ର ବିନା ଦ୍ଵିଧାରେ ଯେଉଁଠି ମେଘମାନେ
ତାକୁ ଛୁଇଁ ଯାଉଥିବେ ….
ଓଦା କରି ତା ଧୂସର ବୁକୁ ଉପରେ ତାକୁ ଶୀତଳତା ଭରୁଥିବେ…
ତାକୁ ଦେଖି ତମେ ଇର୍ଷାରେ ଜଳୁଥିବ …
ଆଉ ଭାବୁଥିବ କାସ୍ ମତେ ବି ସେ
ତାଙ୍କ ପ୍ରେମ ବର୍ଷାରେ ଓଦା କରନ୍ତେନି ?

ମତେ ଭଲ ଲାଗନ୍ତା ଯଦି ପାହାଡ଼ର ଛାତି ଉପରେ
ଆକାଶ ଲୋଟି ପଡ଼ନ୍ତା…
ଆମ ପ୍ରେମ ବଗିଚାକୁ ସ୍ଵର୍ଗ ଓହ୍ଲାଇ ଆସନ୍ତା
ଆଉ ଏମାନଙ୍କର ମିଳନ ଦେଖି
ଆମେ ଯୁକ୍ତ ହୋଇଯାଆନ୍ତେ…

କିନ୍ତୁ ଏତେ ସବୁ ପରେବି ଆମେ ମୁକ୍ତ ଥିବା…
ଖୋଲା ଆକାଶ ଭଳି,
ମେଲା ପାହାଡ଼ ପରି,
ବହିଯାଉଥିବା ନଦୀ ଭଳି
ଆଉ ଡେଣା ଝାଡି ଉଡି ଯାଉଥିବା ପକ୍ଷୀ ପରି…

ଭୁବନେଶ୍ୱର, ଚନ୍ଦ୍ରଶେଖରପୁର, ମୋବାଇଲ ନଂ – ୮୦୧୮୧୩୯୩୯୨

ଲେଖକ ପରିଚୟ

ବୃତ୍ତିରେ ସାମ୍ବାଦିକ ହେଲେ ପ୍ରେମ ପ୍ରକୃତି ସହିତ । ଯୁକ୍ତ ଦୁଇ ପଢ଼ିବାବେଳୁ ଅଳ୍ପ କିଛି କବିତା ଲେଖିବା ଆରମ୍ଭ କରିଥିଲି । ସମସାମୟିକ କେତେଟା ଖବର କାଗଜରେ ମୋର କିଛି କବିତା ସହିତ ‘ଜଗା ଚାହେଁନି ବାହା ହେବାକୁ’ ଶୀର୍ଷକରେ ଏକ ଛୋଟ ଗଳ୍ପ ମଧ୍ୟ ପ୍ରକାଶ ପାଇଛି ।

Related Posts

Leave a Reply

Your email address will not be published. Required fields are marked *