ଗଞ୍ଜାମ ବିଇଓଙ୍କୁ ମିଳିବ ଜାତୀୟ ସମ୍ମାନ

ରମ୍ଭା : ଗଞ୍ଜାମ ବ୍ଲକର ୮୦ରୁ ଅଧିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ଶିଶୁଲେଖକ କର୍ମଶାଳା ନିମନ୍ତେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଜାତୀୟ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ସଂସ୍ଥାନ, ନୂଆଦିଲ୍ଲୀରୁ ଚିଠି ନଂ ୦୧/ ତାରିଖ ୧୮ ମାର୍ଚ୍ଚ ୨୦୨୨ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ହସ୍ତଗତ ହୋଇଛି । ଜାତୀୟସ୍ତରରେ ଏହି ସମ୍ମାନ ନିମନ୍ତେ ୬୦ ଜଣ ପ୍ରଶାସନିକ ଅଧିକାରୀଙ୍କ ଚୟନ ହୋଇଥିବା ବେଳେ ଓଡ଼ିଶାରୁ ୪ ଜଣ ଶିକ୍ଷାଧିକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ଭାଗୀରଥି ବେହେରାଙ୍କୁ ତାଙ୍କରି ତତ୍ତ୍ଵାବଧାନରେ ଚାଲୁଥିବା ଅଭିନବ ପ୍ରୟାସ ଶିଶୁ ଲେଖକ କର୍ମଶାଳା ପାଇଁ ନିର୍ବାଚିତ କରାଯାଇଛି । କରୋନା ପରେ ପିଲାଙ୍କୁ ପୁଣିଥରେ ଶିକ୍ଷା କ୍ଷେତ୍ରକୁ ଫେରାଇ ଆଣିବା ପାଇଁ ସରକାର ମୌଳିକ ଭାଷା ଓ ଗଣିତ ଶିକ୍ଷା (ଏଫଏଲଏନ) କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତାକୁ ଆହୁରି ମଜବୁତ କରିବା ପାଇଁ ବିଦ୍ୟାଳୟକୁ ଉତ୍ସବମୁଖର କରି ପିଲାଙ୍କ ଅଭିବୃଦ୍ଧି ନିମନ୍ତେ ଶ୍ରୀ ବେହେରା ପଠନ, ଆବୃତ୍ତି ଓ ଲିଖନ କାର୍ଯ୍ୟକ୍ରମ କରିଛନ୍ତି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ, ବିଦ୍ୟାଳୟ କମିଟି, ସ୍ଥାନୀୟ ଜନପ୍ରତିନିଧି, ଆଞ୍ଚଳିକ ସାହିତ୍ୟିକ ଓ ସାହିତ୍ୟ ସଂଗଠକ ଯୋଗ ଦେଇ ସଫଳ କରାଇଛନ୍ତି ।

ପିଏଚଡ଼ି ଚାମ୍ବର ଅଫ୍ କମର୍ସ ଓ ଇଣ୍ଡଷ୍ଟ୍ରିସ୍, ପିଏଚଡ଼ି ହାଉସ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଏକ ବିଶେଷ ଉତ୍ସବର ଆୟୋଜନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ଅତିଥିଙ୍କ ଗହଣରେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗୀରଥି ବେହେରାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ଖବର ବ୍ୟାପିବା କ୍ଷଣି ବୁଦ୍ଧିଜୀବୀ ଏବଂ ଶିକ୍ଷକ ମହଲଋ ଶୁଭେଚ୍ଛାର ସୁଅ ଛୁଟିଛି । ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏହାକୁ ପୁଷ୍ଟି କରିବା ସହ କାର୍ମଶାଳାର ସମସ୍ତ ବ୍ଲକ ଆୟୋଜନ, ବିଆରସିସି, ସିଆରସିସି ଏବଂ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଜନପ୍ରତିନିଧିଙ୍କ ସହ ଯୋଗ ଦେଇଥିବା ସମସ୍ତ ସାହିତ୍ୟିକଙ୍କୁ ଧନ୍ୟବାଦ ଦେଇଛନ୍ତି ।

Related Posts

Leave a Reply

Your email address will not be published. Required fields are marked *