‘ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ପୁସ୍ତକ ଉନ୍ମୋଚିତ

ଢେଙ୍କାନାଳ: ‘‘ଭାରତୀୟ ସାମ୍ବାଦିକତା କ୍ଷେତ୍ରକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଯୋଗାଯୋଗ କୌଶଳ ଥିଲା ଅନନ୍ୟ। ସମାଜର ତଥା ଦେଶର ହିତ ପାଇଁ ସେ ଯେଉଁ ଯୋଗାଯୋଗ କରୁଥିଲେ ତା’ର ଖୁବ୍‍ ପ୍ରଭାବ ପଡୁଥିଲା। ସାମ୍ବାଦିକତା ମାଧ୍ୟମରେ ହିଁ ସେ ଦେଶର ଲୋକଙ୍କୁ ଯୋଡ଼ି ପାରିଥିଲେ। ସେବା ଉଦ୍ଦେଶ୍ୟରେ ଗାନ୍ଧିଜୀ ସାମ୍ବାଦିକତା କରୁଥିଲେ। ସାମ୍ବାଦିକତା ହିଁ ବାପୁଙ୍କ ଜୀବନର ବ୍ରତ ଥିଲା’’, କହିଛନ୍ତି ଆଇଆଇଏମ୍‍ସିର ମହାନିର୍ଦ୍ଦେଶକ ପ୍ରଫେସର ଡକ୍ଟର ସଞ୍ଜୟ ଦ୍ୱିବେଦୀ।

ଜାନୁଆରି ୨୯ ତାରିଖ ଭାରତୀୟ ଖବରକାଗଜ ଦିବସ ଅବସରରେ ପୁସ୍ତକ ‘ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ପୁସ୍ତକ ଉନ୍ମୋଚନ କରି ଡକ୍ଟର ଦ୍ୱିବେଦୀ କହିଛନ୍ତି, ‘‘ବାପୁ ଯାହା କହୁଥିଲେ, ତାକୁ ହିଁ କରୁଥିଲେ। ତାଙ୍କ ବିଚାର, ବାଣୀ ଓ କର୍ମ ମଧ୍ୟରେ ସମନ୍ୱୟ ଥିଲା। ବାପୁ ହୃଦୟରୁ କହୁଥିଲେ। ତାଙ୍କର ଏହି ବ୍ୟକ୍ତିତ୍ୱ ବିଶ୍ୱସନୀୟତା ସୃଷ୍ଟି କରିଥିଲା। ଫଳରେ ଲୋକେ ଗାନ୍ଧିଜୀଙ୍କୁ ବିଶ୍ୱାସ କରିବା ସହ ତାଙ୍କ କଥାରେ ଯାଉଥିଲେ’’।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗାନ୍ଧୀଜୀ ଛୋଟ ପିଲାଙ୍କ ସହ କଥା ହେଉଥିଲେ। ତାଙ୍କର ଏହି ଗୁଣ ଅନ୍ୟଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର ଥିଲା। ତାଙ୍କୁ ଲୋକେ ନେତା ଭାବେ କମ୍‍, ଗୁରୁ ଭାବେ ଅଧିକ ମାନୁଥିଲେ । ପରବର୍ତ୍ତୀ ସମୟରେ ସେ ଗୁରୁରୁ ମହାତ୍ମା ପାଲଟିଗଲେ ବୋଲି କହିଛନ୍ତି।
ଶେଫାଳୀ ପବ୍ଲିକେଶନ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ସମ୍ପାଦକ ସୁଲେଖକ ତଥା ଗଣମାଧ୍ୟମ ଶିକ୍ଷାବିତ୍‍ ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି, ‘‘ଗାନ୍ଧିଜୀଙ୍କ ସାମ୍ବାଦିକତା ଜୀବନର ଅନେକ କଥା ପୁସ୍ତକରେ ରହିଛି। ଦେଶର ବହୁ ଖ୍ୟାତନାମା ଲେଖକ, ଶିକ୍ଷାବିତ୍‍ ଓ ସାମ୍ବାଦିକ ଗାନ୍ଧିଜୀଙ୍କ ସାମ୍ବାଦିକତା ଓ ସମ୍ପାଦନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପୁସ୍ତକଟି ବିଶେଷକରି ସାମ୍ବାଦିକ ତଥା ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍‍ ସହାୟକ ହେବ। ଆଗକୁ ବଙ୍ଗଳା ଭାଷାରେ ଏହା ପ୍ରକାଶ ପାଇବ’’।
ସେହିପରି ପୁସ୍ତକର ଅନ୍ୟତମ ସମ୍ପାଦକ ଦୂରଦର୍ଶନର ବରିଷ୍ଠ ସାମ୍ବାଦିକ ତଥା କୋଲ୍‍କାତା ପ୍ରେସ୍‍ କ୍ଲବ୍‍ର ଅଧ୍ୟକ୍ଷ ସ୍ନେହାଶିଷ ସୁର କହିଛନ୍ତି, ‘‘ଏହି ପୁସ୍ତକ ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କୁ ଜଣେ ସାମ୍ବାଦିକ ଓ ସମ୍ପାଦକ ଭାବରେ ନିକଟରୁ ଜାଣିହେବ। ଏଥିରେ ଯୋଗାଯୋଗର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି। ବିଶେଷତଃ ଗାନ୍ଧିଜୀଙ୍କ ସେହି ଯୋଗାଯୋଗ କୌଶଳ ବର୍ତ୍ତମାନର ଗଣମାଧ୍ୟମ ପାଇଁ ପ୍ରାସଙ୍ଗିକ ରଖେ’’।
ଏହି ପୁସ୍ତକ ସଙ୍କଳନରେ ଗାନ୍ଧୀଙ୍କ ବ୍ୟକ୍ତିତ୍ୱର ଏକ ଅଳ୍ପ-ଆଲୋଚିତ ଦିଗ ପ୍ରତିଫଳିତ ହୋଇଛି। ପୁସ୍ତକର ସମ୍ପାଦନା କରିଛନ୍ତି ସୁଲେଖକ ତଥା ଗଣମାଧ୍ୟମ ଶିକ୍ଷାବିତ ଡକ୍ଟର ମୃଣାଳ ଚାଟାର୍ଜୀ। ଏଥିରେ ମୋଟ ୨୮ଟି ନିବନ୍ଧ ସ୍ଥାନ ପାଇଛି। ଗାନ୍ଧିଜୀଙ୍କ ଯୋଗାଯୋଗ ରଣନୀତି, ସାମ୍ବାଦିକତା ଜୀବନ, ସମ୍ପାଦନାର ପ୍ରଭାବ ଆଦି ବିଭିନ୍ନ ଦିଗ ଉପରେ ଏଥିରେ ବିଶେଷ ଆଲୋଚନା ହୋଇଛି। ୨୦୧୮ରେ ପୁସ୍ତକର ଇଂରାଜୀ ସଂସ୍କରଣ କୋଲ୍‍କାତା ପ୍ରେସ୍‍ କ୍ଲବ୍‍ ପକ୍ଷରୁ ପ୍ରକାଶିତ ହୋଇସାରିଛି। ଇଂରାଜୀ ସଂସ୍କରଣରେ ୨୦ଟି ନିବନ୍ଧ ରହିଥିବାବେଳେ ଓଡ଼ିଆ ସଂସ୍କରଣରେ ଏଥିରେ ଆଉ ୮ଟି ଲେଖା ଯୋଡ଼ାହୋଇଛି।
ଗୁଗୁଲ୍‍ ମିଟ୍‍ ପ୍ଲାଟ୍‍ଫର୍ମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁସ୍ତକରେ ସ୍ଥାନ ପାଇଥିବା ନିବନ୍ଧଗୁଡ଼ିକର ଲେଖକମାନେ ଯୋଗଦେଇ ଆଲୋଚନା କରିଛନ୍ତି।

Related Posts

Leave a Reply

Your email address will not be published. Required fields are marked *