ଫେବୃୟାରୀରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର : ବିଶ୍ଵବ୍ୟାପୀ ସମୃଦ୍ଧ ହେବ ଓଡ଼ିଆ ଭାଷା ସାହିତ୍ୟ । ଏଥିପାଇଁ ଆସନ୍ତା ଫେବୃୟାରୀରେ ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତରେ ମଙ୍ଗଳବାର ନିଆଯାଇଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଭାଷା ସମ୍ମିଳନୀ ମଧ୍ୟ ଆୟୋଜନ କରାଯିବ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ ଭାଷାବିତ ଓ ଭାଷା ବିଶେଷଜ୍ଞଙ୍କୁ ସମ୍ମିଳନୀର ବିଷୟଭିତ୍ତିକ ଅଧିବେଶନରେ ବକ୍ତବ୍ୟ ରଖିବା ପାଇଁ ନିମନ୍ତ୍ରଣ କରାଯିବ । ସମଗ୍ର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ବ୍ୟାପକ ଭାବେ ସାମିଲ କରାଯିବ । ଯୁବପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷାର ଆବୃତ୍ତି ନିମନ୍ତେ ସେମାନଙ୍କ ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ । ଏହି ସମ୍ମିଳନୀ ସମୟରେ ଶିକ୍ଷାନୁଷ୍ଠାନ/ ବିଶ୍ଵବିଦ୍ୟାଳୟମାନେ ନିଜ ନିଜର କାର୍ଯ୍ୟକ୍ରମ ଆୟୋଜନ କରିବେ ସ୍ଥିରୀକୃତ ହୋଇଛି । ଗତ ୨୦୧୭ ମସିହା ଡିସେମ୍ବର ୨୬ ତାରିଖରେ ଆୟୋଜିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ଏହି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବାକୁ ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଛି ।

ଐତିହ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର କାର୍ତ୍ତିକେୟନ ଗଣମାଧ୍ୟମକୁ ବିଶଦ ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଏହି ସମ୍ମିଳନୀ ଆୟୋଜନ ଦ୍ଵାରା ରାଜ୍ୟ, ରାଜ୍ୟ ବାହାରେ ଓ ବିଦେଶରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣା କାର୍ଯ୍ୟ ତ୍ୱରାନ୍ଵିତ ହେବ । ଏତଦବ୍ୟତୀତ ମାତୃଭାଷାକୁ ସମ୍ମାନ ଦେବା ଓ ଏହାର ଉନ୍ନତି ସାଧନ କରିବା ତଥା ଆଗାମୀ ପିଢିଙ୍କ ପାଇଁ ଓଡ଼ିଆ ଭାଷାର ଅସ୍ମିତାକୁ ବଜାୟ ରଖିବା କାର୍ଯ୍ୟ ସମ୍ପାଦନାରେ ଉକ୍ତ ସମ୍ମିଳନୀ ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିବ ।

ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ମାସରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିଲେ । ନୂଆ ଦାୟିତ୍ୱ ପ୍ରଦାନ କରିଥିଲେ । ନୂଆ ଦାୟିତ୍ୱ ମିଳିବା ପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବିକାଶ ଦିଗରେ ସେ ଆନ୍ତରିକ ଭାବେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଯାହା ଆଜି ଐତିହ୍ୟ କ୍ୟାବିନେଟରେ ପ୍ରତିଫଳିତ ହୋଇଛି । ଫେବୃୟାରୀରେ ହେବାକୁ ଥିବା ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପଛରେ ଶ୍ରୀମତୀ କାର୍ତ୍ତିକେୟନଙ୍କର ବଡ଼ ଭୂମିକା ରହିବ । ଆଗାମୀ ଦିନରେ ବିଭାଗର କାର୍ଯ୍ୟଶୈଳୀ ଆହୁରି ତ୍ୱରାନ୍ଵିତ ହେବା ସହ କଳା ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଶ୍ରୀମତି କାର୍ତ୍ତିକେୟନ ପ୍ରଭାବୀ ନିଷ୍ପତ୍ତି ନେବେ ବୋଲି ସାଧାରଣରେ ଆଶାବ୍ୟକ୍ତ କରାଯାଉଛି ।

Related Posts

Leave a Reply

Your email address will not be published. Required fields are marked *