ଦୁର୍ଗାପ୍ରସାଦ ପଣ୍ଡା

ଗୋଟିଏ ଚାଉଳରେ ଗଢା
ମୋର ଏ ଉଦାସୀ ଆଖି

କିନ୍ତୁ ଖାଲି ଦେଖିବାର
କଳାଟି ଶିଖିବାକୁ
ଏ ଆଖିକୁ ଲାଗିଗଲା ଅନେକ ବର୍ଷ ।

ଏବେ ବେଳ ବୁଡ଼ିଆସିଲା ବେଳକୁ
କେଜାଣି କାହିଁକି ବେଶି ବେଶି
ସଫା ଦିଶୁଚି ଚାରିପାଖର ଦୃଶ୍ୟ,
ଆହୁରି ଫର୍ଚ୍ଚା ଦିଶୁଚି
ପୃଥିବୀ ଆଉ ଆକାଶ ।

କିଏ ମନେରଖିଚି
କେତେ କଣ ଯେ ଭାସି ଆସିଚି
ଏ ଆଖିର ପାଣି ସୁଅରେ
କାହାକୁ ବି ଧରି ରଖି ନାଇଁ ଏ ଆଖି
ଜହ୍ନ ବି ଛୋଟ ଛୁଆଟେ ପରି
ଖେଳିଚି ଚବର ଚବର କରି
ଏ ଆଖିର ଟୁବି ଗାଡ଼ିଆରେ ।

ସୁନ୍ଦର ଅସୁନ୍ଦର
ଏମିତି କେତେ କେତେ ଦୃଶ୍ୟର
ରସକୁ ଚିପୁଡ଼ି ଚୋଷି ଖାଇଚି ଏ ଆଖି
ଆଉ ଚୋପାକୁ
ଲେଞ୍ଜରା କରି ଫିଙ୍ଗିଚି ପଦାରେ ।

ଆଖି ମୋର ବେଶ ନିପୁଣ
ପାଇ କରି ପୁଣି ହଜେଇ ଦେବାରେ ।

ଭୋଗର ଅତଳତଳ ଜଳରେ
ଏବେ ଭଉଁରୀ ଖେଳୁଚି ବୈରାଗ୍ୟ
ଆଖି ମୋର ପଡ଼ିଯାଇଚି,
ଘୁରିଘୁରି ବୁଡୁଚି ଆଉ ଉଠୁଚି ତାରି ଭିତରେ ।

ସମ୍ବଲପୁର, ମୋ : ୯୪୩୮୦୭୪୪୧୪

ଲେଖକ ପରିଚୟ

ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ କବିତା, ଅନୁବାଦ, ସମାଲୋଚନା ଆଦି ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ । ୩ ଟି କବିତା ସଂକଳନ ସହିତ ବରିଷ୍ଠ କବି ଜେ. ପି. ଦାସଙ୍କ ଓଡ଼ିଆ କବିତାର ଇଂରାଜୀ ଅନୁବାଦ ସଂକଳନ ପ୍ରକାଶିତ । ସଂପ୍ରତି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ଵାରା ଅନୁବନ୍ଧିତ ହେଇ ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ସାମଗ୍ରିକ କୃତିର ସମ୍ପାଦନାରେ ନିବିଷ୍ଟ ।

Related Posts

Leave a Reply

Your email address will not be published. Required fields are marked *