ଦିଲ୍ଲୀରେ ସାହିତ୍ୟ ଏକାଡ଼େମୀ କବିସନ୍ଧି କାର୍ଯ୍ୟକ୍ରମରେ କବି ପ୍ରତିଭା ଶତପଥୀ

ଭୁବନେଶ୍ଵର : “ମୋର କବିତା ନିଜସ୍ଵ ଅନୁଭୂତି, ଆନନ୍ଦ-ବିଷାଦ ତଥା ସମାଜର ବିକୃତ ବାସ୍ତବତାକୁ ପ୍ରତିଫଳିତ କରେ । ମୋର କବିତାଗୁଡ଼ିକ ଶବ୍ଦରେ ପ୍ରକାଶିତ ଲୁହର ବୁନ୍ଦା ପରି ମନେହୁଏ । ସେଗୁଡ଼ିକ କ୍ରମାଗତ ପରିବର୍ତ୍ତନର ପ୍ରତୀକ ପରି । ପ୍ରତ୍ୟେକ କବିଙ୍କ ପରି ମୋ ପାଇଁ ମଧ୍ୟ କବିତା ଏକ ଅନ୍ତହୀନ ପ୍ରୟାସ । ମୋ କବିତା ମାଧ୍ୟମରେ ମୁଁ ପୃଥିବୀ ସହିତ ସଂଯୁକ୍ତ ବୋଲି ଅନୁଭବ କରେ ।” ନୂଆଦିଲ୍ଲୀରେ ଆଜି ସନ୍ଧ୍ୟାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ତରଫରୁ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କବିସନ୍ଧି କାର୍ଯ୍ୟକ୍ରମରେ ଅତିଥି କବି ଭାବେ ଯୋଗ ଦେଇ ଏଭଳି ଭାବ ଭରା ବକ୍ତବ୍ୟ ରଖିଛନ୍ତି ବିଶିଷ୍ଟ ଓଡ଼ିଆ କବି ପ୍ରତିଭା ଶତପଥୀ । ସ୍ଵରଚିତ କବିତାପାଠ ପୂର୍ବକ ନିଜ କାବ୍ୟଯାତ୍ରାର ଅନ୍ତରଙ୍ଗ ଅନୁଭୂତିଗୁଡିକୁ ମନୋଲୋଭା ଶବ୍ଦ ମାଧ୍ୟମରେ ପ୍ରକାଶ କରି ସେ ଉପସ୍ଥିତ ଶ୍ରୋତାଙ୍କୁ ବିମୁଗ୍ଧ କରିଥିଲେ । କବି କହିଥିଲେ, “କବିତା ସହିତ ମୋର ଦୀର୍ଘଦିନର ସମ୍ପର୍କ । ପିଲାଦିନରେ ପ୍ରକୃତି ପ୍ରତି ମୋର ଭଲପାଇବା ହେତୁ ମୁଁ କବିତା ଲେଖିପାରିଛି । ପରବର୍ତ୍ତୀ କାଳରେ ସାରଳା ଦାସଙ୍କ ପରି ବହୁ ପ୍ରସିଦ୍ଧ କବି ଓ ଲେଖକଙ୍କ କୃତି ପଢି ମୋର କବିତା ମାର୍ଜିତ ହୋଇଛି ।” ସେ ତାଙ୍କର କେତେକ କବିତା ମୂଳ ଓଡ଼ିଆରେ ପାଠ କରିବା ସହିତ କେତେକ କବିତାର ହିନ୍ଦୀ ଓ ଇଂରାଜୀ ଅନୁବାଦ ଶୁଣାଇଥିଲେ । ଇଂରାଜୀରେ ଅନୁଦିତ କବିତାର ଶୀର୍ଷକ ଥିଲା ‘ଜଷ୍ଟ ଲାଇକ ଆର୍ଥ ଓ ନୋ ୱାର୍ଡସ ଇନ ପର୍ଟିକୁଲାର’ ଇତ୍ୟାଦି ।

କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ଲୀଳାଧର ମାଣ୍ଡଲୋଇ, ରାଜେନ୍ଦ୍ର ପ୍ରସାଦ ମିଶ୍ର ଓ ପାରମିତା ଶତପଥୀ ତାଙ୍କ କବିତାର ହିନ୍ଦୀ ଅନୁବାଦ ଏବଂ ଯଶୋଧାରା ମିଶ୍ର ଓ ବି. ଭୁମା ଇଂରାଜୀ ଅନୁବାଦ ପାଠ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସାହିତ୍ୟ ଏକାଡ଼େମୀର ସଚିବ କେ. ଶ୍ରୀନିବାସ ରାଓ କବିଙ୍କୁ ଅଙ୍ଗବସ୍ତ୍ର ଓ ସାହିତ୍ୟ ଏକାଡ଼େମୀ ପ୍ରକାଶିତ ପୁସ୍ତକ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରେଶ ଋତୁପୂର୍ଣ୍ଣା, ଦିବିକ ରମେଶ, ଗିରିଶ୍ଵର ମିଶ୍ର, ଲକ୍ଷ୍ମୀ କନ୍ନନ୍ ଓ ସୁମନ୍ୟୁ ଶତପଥୀ ପ୍ରମୁଖ ପରିଚିତ ହିନ୍ଦୀ ଓ ଓଡ଼ିଆ ଲେଖକମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଯୋଜନା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଏକାଡ଼େମୀର ଉପସଚିବ ଦେବେନ୍ଦ୍ର କୁମାର ଦେବେଶ ।

Related Posts

Leave a Reply

Your email address will not be published. Required fields are marked *