ରାମକୃଷ୍ଣ

ଛାଡ଼ି ଆସିଛି ମହୁଲ ଗଛର ଡାଳରେ
ବଣି ସହିତ ପ୍ରତିଯୋଗିତାରେ ମାତିଥିବା
ଶୈଶବର ସେଇ ଡେଣା ଯୁଗଳ…
ଶାଗୁଆ ଧାନକ୍ଷେତର ଲହଡ଼ିରେ
ଭସେଇ ଦେଇଆସିଛି ସେସବୁ ସ୍ଵପ୍ନ
ଯେଉଁମାନଙ୍କ ଭାଗ୍ୟରେ ନଥିଲା ଦେଖିବାକୁ
ସୁଖ ନିଦରେ ଆଙ୍କିଥିବା ସୂର୍ଯ୍ୟୋଦୟର ଚିତ୍ର…
ଛାଡ଼ି ଦେଇ ଆସିଲି
ଖେତ ହିଡ଼ରେ ବସି ଭୋଗିଥିବା
ବାସି ପଖାଳର ମହକ
ହଳ କରୁଥିବା ବାପାଙ୍କ ପାହାଡ଼ି ଦେହରୁ
ବହି ଯାଉଥିବା ଝାଳର ଝର…
ଗାଁ ଦାଣ୍ଡର ବର୍ଷା କାଦୁଅରେ
ଗେଡ଼ି ଉପରେ ଲଙ୍ଗଳା ପାଦର
ରାଜକୀୟ ଆହ୍ଲାଦ
ଛାଡ଼ି ଦେଇ ଆସିଲି
ଆଖୁବାଡ଼ିର ସବୁଜ ଛାଇରେ
ଭୟାତୁର ଚୁମାର ପହିଲି ସୁଆଦ…
ଛାଡ଼ି ଆସିଲି ଶରଦର ନିର୍ମଳ ଜହ୍ନ ଆଲୁଅ
ତାରାଭର୍ତ୍ତି ଆକାଶ, ମେଘର ଦାନ୍ତ କଟମଟ
କାକର କଣାର ଗାଲିଚା ଉପରେ
ସାଧବ ବୋହୂର ଲାଜଲାଜ ଉଲ୍ଲାସ…
ଛାଡ଼ି ଆସିଲି ନଈ ପହଁରା
ପୋଖରୀର ନୀଳ ଦର୍ପଣରେ
କଇଁ ଫୁଲର ଓଠ କାମୁଡ଼ା ହସ…
ଏବେ ଶବ୍ଦର ମଶାଣିରେ ଖୋଜୁଛି
ଅତୀତର ଚିତା ପାଉଁଶରୁ
ସ୍ମୃତିର ଅବଶିଷ୍ଟ ହାଡ଼ ।
କୁଦୋପାଲି, ବରଗଡ଼
ଲେଖକ ପରିଚୟ
ଏଯାବତ ୯ ଖଣ୍ଡ କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ୧୦ମ କବିତା ସଂକଳନ ‘ଅଛି’ ପ୍ରକାଶନ ଅପେକ୍ଷାରେ । ଦୁଇଟି ପ୍ରବନ୍ଧ ଓ ଗୋଟିଏ ଗଳ୍ପ ସଂକଳନ ସହିତ ଦୁଇଟି ଇଂରାଜୀ ନନ୍ ଫିକ୍ସନ୍ ପ୍ରକାଶିତ ହୋଇସାରିଛି । ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିବା ଲେଖକ ଦ୍ଵିତୀୟ ଶ୍ରେଣୀ ପଢିବାବେଳେ ପାଠ୍ୟକ୍ରମରେ ଥିବା ଗଳ୍ପର ପ୍ରଭାବରେ କିଛି ଗଳ୍ପ ଲେଖିଥିଲେ । କିଛି କବିତା ଲେଖିଥିଲେ ସମ୍ବଲପୁରୀ ଭାଷାରେ । ସେତେବେଳେ ସେସବୁ ସାହିତ୍ୟ ବୋଲି ଯଦିଓ ଜାଣି ନଥିଲେ ସେ । ମଝିରେ ମଝିରେ ଦୀର୍ଘ ଶୂନସ୍ଥାନ । ଗପ, ଉପନ୍ୟାସ, କବିତାର ପରେବେଶଟି କିନ୍ତୁ ରହିଥାଏ ସବୁବେଳେ ତାଙ୍କ ଜୀବନର ଚଲାବାଟରେ । ହାଇସ୍କୁଲ ସମୟରେ ପୁଣି ଲେଖାହୁଏ କିଛି କବିତା । ପୁଣି ଏକ ଦୀର୍ଘ ନିରବତା । କବିତାର ପ୍ରକୃତ ମୂଳଦୁଆ ପଡ଼େ ଛାତ୍ର ଜୀବନରେ ସତୁରି ଦଶକର ଶେଷଭାଗରେ ।
