ଦେବଯାନୀ ରାୟ

ବସନ୍ତର ପ୍ରଥମ ଛୁଆଁରୁ
ମରି ଗଲାଣି ଶୀତ
ପୃଥିବୀରୁ
ଦେହରୁ….. ।

ଫୁଲ ପସରାକୁ ବିଦାୟ ଦେଲାବେଳେ
ଉର୍ଦ୍ଧ୍ୱ ଶ୍ୱାସ ନିଅନ୍ତି ପ୍ରେମୀ
ତଥାପି, ଆଶା ଆଶ୍ୱାସନାର ଦୁର୍ବାର ମୋହରେ
ଭାସିଚାଲେ ଜୀବନ
ସେଥିରେ ଲୁଚା କଥା ବେଶୀ
ନିବିଡ଼ତା କମ୍‌…… ।

ଧୀରେ ଧୀରେ ଶୀତଳତା ଶୋଷି ନେଇ ଆକାଶ
ଫେରେଇ ଦିଏ ନିଆଁ
ଯେମିତିକି କୁଆଁରୀର ସତୀତ୍ୱ ହରଣ
ରଡ଼ ଖରାବେଳେ ମନ୍ଦିର ଚୂଡ଼ାରୁ ଟଳିପଡ଼େ
ହେଲେ ଶୋଷିଲା ପାରାଙ୍କ
ସଦ୍ୟ ମୃତ ଦେହ
ପୃଥିବୀ ଲୁଣ୍ଠିତା ଆଜି କାମ ଲୋଲୁପତାରେ
ସୂର୍ଯ୍ୟଙ୍କ ଏକ ପ୍ରଣୟ ମୋହ…… ।

ଶୁଖିଲା ବିଲର ନଡ଼ାମୂଳକୁ ରେକଟୁ ରେକଟୁ
ଛିଡ଼ି ଗଲାଣି ଗୋରୁପଲଙ୍କ ଥୋମଣି
ଯେମିତି ବି ହେଉ
ବଞ୍ଚିବାର ରାହାଟିକୁ ଖୋଜି ବସନ୍ତି
ମଣିଷ କି ପଶୁ ଈଶ୍ୱରଙ୍କ ପରାଭବରେ କେ ଜାଣି…. ।

ବସ୍ତି ଶେଷ ମୁଣ୍ଡର ତେନ୍ତୁଳି ଗଛ ମୂଳେ
ଆଠ ଦିନ ହେଲା ଶୋଷିଲା ପଡ଼ିଛି
ଅର୍ଦ୍ଧନଗ୍ନ ଗୁରୁବାରୀ ପାଗଳି
ପାଣି ଟୋପେ ପାଇଁ ନିଆଁ ଲାଗିଛି
ମାନବିକତାର ତଣ୍ଟିରେ, ପେଟରେ, ଲାଜରେ……
ଗାଁ ଠୁଁ ସହର ହାହାକାର ।
ଅପପୁଷ୍ଟିର ଅଦୌତିରେ
ଜୀବନ ଖୋଜୁଛି ପୋଷେ ରାହା
ଶୁଖିଲା ଜିଭକୁ ଚାଟି ଚାଟି
କେବେଠୁଁ ଶୋଇଗଲେଣି କୁଢକୁଢ ଶବ
ମଥା ରଖି ଇତିହାସ କୋଳରେ….. ।

ରାମଚନ୍ଦ୍ରପୁର ବଜାର, ଜଟଣୀ, ଖୋର୍ଦ୍ଧା, ମୋ-୯୪୩୭୪୧୩୩୧୪

ଲେଖକ ପରିଚୟ

ବିଭିନ୍ନ ସମୟରେ ଅନେକ ଖବରକାଗଜ ତଥା ପତ୍ରପତ୍ରିକାରେ ମୋର କବିତା, କ୍ଷୁଦ୍ର ଗଳ୍ପ, ଭ୍ରମଣ କାହାଣୀ ଇତ୍ୟାଦି ପ୍ରକାଶିତ ହୋଇଛି । କଲେଜ ସମୟରୁ ଲେଖାଲେଖି ଆରମ୍ଭ କରିଛି । ମୁଁ ମୋ ନିଜ ବାପାଙ୍କୁ ମୋ ଲେଖାଲେଖିର ପ୍ରେରଣା ମାନେ । ବାପା ହିଁ ପିଲାବେଳୁ ମୋତେ ସାହିତ୍ୟ ମନସ୍କ କରାଇଥିଲେ । ବାପା ସହିତ ମୋ ଦାଦା ବି ମୋତେ ଏ କ୍ଷେତ୍ରରେ ଅନେକ ସହଯୋଗ କରିଛନ୍ତି କହିଲେ ଭୁଲ ହେବନି ।

Related Posts

Leave a Reply

Your email address will not be published. Required fields are marked *