ନିର୍ଭୀକ, ସ୍ପଷ୍ଟ ଏବଂ ସମାଜର ତଥାକଥିତ ବଡ଼ଲୋକଙ୍କ ଔଦ୍ଧତ୍ୟ ବିରୁଦ୍ଧରେ ବିବୁଧରଞ୍ଜନଙ୍କ ବାର୍ତ୍ତା ଖୁବ୍ ଶାଣିତ
ଭୁବନେଶ୍ଵର : ଟାଇମପାସ ପ୍ରକାଶନ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁସ୍ତକପର୍ବରେ ଲୋକାର୍ପିତ ହୋଇଯାଇଛି ବିଶିଷ୍ଟ ଲେଖକ ଡକ୍ଟର ବିବୁଧରଞ୍ଜନଙ୍କ ୫୬ଟି ପୁସ୍ତକକୁ ନେଇ ୧୨ଖଣ୍ଡ ଗ୍ରନ୍ଥାବଳୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସୂଚନା କମିଶନର ତଥା ଅବସରପ୍ରାପ୍ତ ବରିଷ୍ଠ ଆଇ.ପି.ଏସ. ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଥିଲେ ଯେ ନିର୍ଭୀକ, ସ୍ପଷ୍ଟ ଏବଂ ସମାଜର ତଥାକଥିତ ବଡ଼ଲୋକଙ୍କ ଔଦ୍ଧତ୍ୟ ବିରୁଦ୍ଧରେ ବିବୁଧରଞ୍ଜନଙ୍କ ବାର୍ତ୍ତା ଖୁବ୍ ଶାଣିତ । ଏଥିସହିତ ଆଧ୍ୟାତ୍ମିକତାର ସୁଗନ୍ଧ ଭିନ୍ନ ରାସ୍ତାରେ ଚାଲିବାର ଆହ୍ୱାନ ମଧ୍ୟ ତାଙ୍କ ଲେଖାରେ ଥାଏ ।
“ବ୍ୟକ୍ତିଗତ ଭାବେ ଲେଖକ କୋମଳ ହୃଦୟର ହୋଇଥିଲେ ବି ସାମାଜିକ ବ୍ୟବସ୍ଥା ପ୍ରତି ସେ ସବୁବେଳେ ଖୁବ୍ ରୁକ୍ଷ । ଜଣେ ସଶକ୍ତ ଲେଖକ ବ୍ୟବସ୍ଥା ବଦଳେଇ ଦେବାର କ୍ଷମତା ରଖେ ।” ବୋଲି ବିଶିଷ୍ଟ କଥାକାର ତଥା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନସଚିବ ଦେବପ୍ରସାଦ ଦାଶ ମୁଖ୍ୟବକ୍ତା ଭାବେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଲେଖକଙ୍କ ସାହସିକ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ । ଏହାସହିତ ବରିଷ୍ଠ ସାମ୍ବାଦିକ ତଥା ‘ନିର୍ଭୟ’ର ସଂପାଦକ ନବୀନ ଦାସ ଲେଖକଙ୍କ ପୁସ୍ତକ ଓ ବ୍ୟକ୍ତିତ୍ୱ ଉପରେ ମତ ଦେଇ କହିଥିଲେ, “ବିବୁଧରଞ୍ଜନଙ୍କ ଲେଖା ଖୁବ୍ ସତ୍ୟନିଷ୍ଠ ଓ ସାହସିକ । ସେସବୁକୁ ଠିକ୍ ଭାବେ ନପଢି ସମାଲୋଚନା କରାଯିବା ଦୁର୍ଭାଗ୍ୟଜନକ ସତରେ !
ଲୋକାର୍ପଣ ଅବସରରେ ଫ୍ଲୋରିଡ଼ା ଆମେରିକାରୁ ଆସିଥିବା ନିଷ୍ଠାପର ପାଠକ ଉତ୍କଳେନ୍ଦୁ ମିଶ୍ର ଯୋଗଦେଇ ପ୍ରଥମ ସେଟ୍ ଗ୍ରନ୍ଥାବଳୀ କ୍ରୟ କରିଥିଲେ । ଏବଂ ଲେଖକ ଡ. ବିବୁଧରଞ୍ଜନ ନିଜ ଦୀର୍ଘ ଲେଖକୀୟ ଜୀବନର ସଂଘର୍ଷ ଓ ସୃଜନଯାତ୍ରା ସଂପର୍କରେ ସୂଚନା ଦେବା ସହିତ ସଂପୃକ୍ତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରି କହିଥିଲେ ଯେ ତାଙ୍କର ସବୁ ଲେଖା ହେଉଛି ସତ୍ୟର ଅନ୍ୱେଷଣ ।
ଲେଖକ ତଥା ‘ଟାଇମପାସ୍’ର ନିର୍ଦ୍ଦେଶକ ସରୋଜ ବଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଉତ୍ସବ ସଂଚାଳନ କରିଥିଲେ । ପରିଚାଳନାରେ ସହଯୋଗ କରିଥିଲେ ବିଭୂତି ଖୁଣ୍ଟିଆ, ତିଳୋତ୍ତମା ଦାସ, ସୁବ୍ରତ ମହାନ୍ତି, ମୁକ୍ତିଜିତ ସାହୁ, ପ୍ରିୟାଂଶୁ ପ୍ରିୟଦେବ ଓ ସମାସ ବଳ । ଶତାଧିକ ଲେଖକ ଓ ବିବୁଧପ୍ରେମୀ ପାଠକ ପୁସ୍ତକପର୍ବରେ ଯୋଗଦେଇ ଏହାକୁ ସଫଳ କରିଥିଲେ ।
