ସତ୍ୟନାରାୟଣ ଗନ୍ତାୟତ

ବର୍ଷାରେ ଆଷାଢ଼ ଶ୍ରାବଣ, ମେଘ ବରଷେ ଘନଘନ : ଏହି ପଦକ ଭିତରେ ଏତେ ଶୀତଳତା ଯେ ଶୁଣିଲେ ଇ ଦେହ ମନ ବର୍ଷାକୁ ଝୁରେ ! ତେବେ ବର୍ଷା କ’ଣ ଏତେ ସହଜେ ଆସି ବର୍ଷି ଯାଇଥାଏ ? ହଁ, ବର୍ଷାକାଳ ଆଗରୁ ଆକାଶ ସେମିତି ଥାଏ, ହେଲେ ତା’ ଭିତରୁ ପାଣି ନଝରି ବରଂ ଝରି ଚାଲିଥାଏ ନିଆଁ ! ପ୍ରଚଣ୍ଡ ରୌଦ୍ରର ପରକାଶ ଏ ଧରାକୁ ସହଜେ ଛାଡ଼େନି ତ’ !

ଅକ୍ଷୀ ତୃତୀୟାରେ ମାଟି ସହ ଜଡ଼ିତ ଚାଷୀ ହଳ ଲଙ୍ଗଳ ଚଳାଇ ମୁଠି ଅନୁକୂଳ କରି, ପକାଇ ଅନାଇ ରହିଥାଏ କେବେ ଆସିବ ବର୍ଷା ! ହେଲେ କଦବାକ୍ୱଚିତ ଘୂର୍ଣ୍ଣିଝଡ଼ ସହ କୁଆପଥର ବର୍ଷେ ନତୁବା ହୁଏ କୁଣ୍ଡା ଝାଡ଼ିବା ପ୍ରାୟେ ହୁଏ ବର୍ଷା ! ପୁଣି ଆସେ ରଜ, ବର୍ଷେ ସିନା, ତଥାଚର୍ଚ୍ଚିତ ରଜର ରଝରଝ ବର୍ଷା ପ୍ରାୟତଃ ହୁଏନି । ଶୀତଳଷଷ୍ଠୀ ବେଳେ କିଞ୍ଚିତ ଶୀତଳତା ଅବଶ୍ୟ ଆସିଥାଏ । ସ୍ନାନପୂର୍ଣ୍ଣିମା ଓ ଅଣସରାଦି ପାଳନ ହେବାବେଳେ ବି ଠିକ୍ ଭାବେ ବର୍ଷାଗମ ହୋଇ ନଥାଏ । ବର୍ଷା ଜଗତନାଥଙ୍କୁ ସୁଦ୍ଧା ଆଶାୟୀ କରି ରଖେ । ତେଣୁ ତ’ ଅବଶେଷେ ଆଷାଢ଼ ଆସିଲେ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ହଲିହଲି ଝୁଲିଝୁଲି ରଥାରୂଢ ହୋଇ ଯାତ୍ରାରେ ବାହାରି ପଡ଼ନ୍ତି ଚତୁର୍ଦ୍ଧା ମୂର୍ତ୍ତି ।

ଏବକାଳରେ ବର୍ଷା ଭାବନା ଏସବୁରୁ ହିଁ ଆରମ୍ଭ ହେବାକୁ ବାଧ୍ୟ । କାରଣ ବର୍ଷା ହେବା ପରେ ଶୀତଳତା ଲଭି ଆଶ୍ୱସ୍ତ ହେଉହେଉ ଯଦି ଆମ ଉଲ୍ଲାସ ଦେଖି ବର୍ଷା ଦି’ତିନି ଦିନ ବର୍ଷିଯାଏ ତ ଆମେ ଇ’ ବୋବାଳି ଛାଡୁ “ଓଃ ଆଃ କି ନାହିଁ ନଥିବା ବର୍ଷା” ଆଦି କହି । ତା ଶୁଣି ଯଦି ବର୍ଷା ପୁଣି ଆସି ଅଳ୍ପଅଳ୍ପ ବର୍ଷେ ତ କହୁ: ଏସନ ବର୍ଷିବନି ଲାଗୁଛି । ଏସବୁର ପ୍ରତିକ୍ରିୟା ଦେଖାଇ ବର୍ଷା ଉଭାନ୍ ହୋଇଯାଏ ତ ପୁଣି ଶୁଭେ ଆମ ରୋଦନ: କାଇଁ ବର୍ଷା, କାଇଁ ବର୍ଷା ?

ଆଗେ ଏସବୁ ନଥିଲା । ବର୍ଷା ଋତୁରେ ବର୍ଷୁଥିଲା । କଦମ୍ବ ଫୁଲର ବାସ୍ନା ବିତରି ମୟୂର ନାଚ ସହ ମେଘ ରାଜା ବିରାଜୁଥିଲେ ବିଜୁଳି କନ୍ୟାର ରୋଷଣୀ ଓ ଘଡ଼ଘଡ଼ିର ବାଜା ବଜାଇ । ଧରଣୀ ଆକାଶର ମୁଗଳବନ୍ଦୀ ତୃପ୍ତ ହୋଇ ଯାଉଥିଲେ ଅପୂର୍ବ ପାରସ୍ପରିକ ଆବେଗାପ୍ଳୁତ ସାନ୍ନିଧ୍ୟ ପାଇ । ଭାବୁକ ମନକୁ ଏସବୁ ମୋହି ନେଉଥିବାବେଳେ ପିଲାଏ ଭସାଉଥିବା କାଗଜ ଡଙ୍ଗା ସହ ନିଜେ ମଧ୍ୟ ମନେମନେ ଭାସୁଥିଲେ ଆନନ୍ଦରେ ଅଧୀର ହୋଇ । ଖରାଛୁଟିର ଗୁଲିଦଣ୍ଡା ଖେଳ ଭୁଲି ବର୍ଷା କାଦୁଅରେ ସରସର ହୋଇ ଖେଳୁଥିଲେ ଫୁଟବଲ । ଅନୁଭବ କରୁଥିଲେ ଆକାଶରେ ଭାସମାନ କଳାହାଣ୍ଡିଆ ମେଘଙ୍କୁ । ଶୁଣି ପୁଲକିତ ହେଉଥିଲେ ବେଙ୍ଗଙ୍କ ରଡ଼ିକୁ, କୁନି ଛତା ପରି ମଥା ତୋଳି ଆବିର୍ଭୂତ ଛତୁଙ୍କୁ ଓ ସବୁଜ ଗାଲିଚା ବିଛା ହୋଇଥିବା ପରି ଲାଗୁଥିବା ଘାସ ପଡ଼ିଆରେ ଥିରିଥିରି ଚାଲି ଯାଉଥିବା ନାଲି ଟୁକୁଟୁକୁ ସାଧବବୋହୁ ପୋକଙ୍କୁ ।

ଏହି ବର୍ଷାରମ୍ଭ ବି ଥିଲା ପଢାରମ୍ଭର ବେଳ । ପ୍ରାୟତଃ ରଜ ସରୁସରୁ ସ୍କୁଲ ଖୋଲି ଯାଉଥିଲା । ନୂଆ ଶ୍ରେଣୀ ନୂଆ ବହି ଅନେକ କିଛି ନୂଆନୂଆ ଭିତରେ ଗୋଟିଏ କଥା କିନ୍ତୁ ରହୁଥିଲା ପୁରୁଣା । ତାହା ହେଉଛି ରଚନା ଲେଖା । ପ୍ରାୟତଃ ବର୍ଷାଋତୁ ବିଷୟରେ ହିଁ ରଚନା ଲେଖିବାକୁ ପଡୁଥିଲା ଓ ସେହି ରଚନା ଲେଖା ପଛରେ ସତେଅବା ରହୁଥିଲା ବର୍ଷା ଋତୁକୁ ମନଭରି ଅନୁଭବ କରି ପୃଷ୍ଠାପୃଷ୍ଠା ଲେଖିବା ପାଇଁ ଏକ ଅଦୃଶ୍ୟ ପ୍ରେରଣା ! ଏବେ ଭାବି ବସିଲେ ଲାଗେ ବର୍ଷା ଋତୁ ସବୁବେଳେ ରହିଆସିଛି ସୃଜନ ସପକ୍ଷରେ ହିଁ ।

ତେବେ ସେତେବେଳେ ବି ବର୍ଷା ସହ ଅଳ୍ପ ବୃଷ୍ଟି, ଅନାବୃଷ୍ଟି ତଥା ଅତିବୃଷ୍ଟି ଜଡ଼ିତ ରହୁଥିବା ସତ୍ତ୍ୱେ ବରଷା କାଳ ବର୍ଷିବା ମାଧ୍ୟମରେ ଜଗତର ମଙ୍ଗଳକାରୀ ଭାବେ ପରିଗଣିତ ହେଉଥିବା ବର୍ଷାଋତୁ ସହ କିନ୍ତୁ ଏବ କାଳରେ ଅବଲୀଳା କ୍ରମେ ଯୋଡ଼ି ହୋଇଯାଇଛି ବିଶ୍ଵତାପନ, ଜଳବାୟୁ ପରିବର୍ତ୍ତନ, ଆଧୁନିକ ଜୀବନଶୈଳୀ ଏବଂ ପରିବେଶ ବିଜ୍ଞାନ ସୃଷ୍ଟ ନାନାଦି ଆହ୍ୱାନ ।

ବର୍ଷା ଉପରେ ହିଁ ଧରଣୀର ସବୁଜିମା ନିର୍ଭରଶୀଳ। ପ୍ରକାରାନ୍ତରେ ଆମେ ଆମ ଆହାର ଓ କହିବାକୁ ଗଲେ ଆମ ଜୀବନ ନିର୍ବାହାର୍ଥେ ଲୋଡ଼ା ବଜାରର ସୁଲଭ ଅଥବା ଦୁର୍ଲଭ ସ୍ଥିତି ସମ୍ପୂର୍ଣ୍ଣ ଭାବେ ଏହି ବୃଷ୍ଟିପାତ ଆଧାରିତ ଅଟେ । ଫଳତଃ ଏବ କାଳରେ ନିୟମିତ ହୋଇସାରିଛି ଅନାବୃଷ୍ଟି ଓ ଅତିବୃଷ୍ଟି ! ମହାବାତ୍ୟା ପରଠାରୁ ନିୟମିତ ବନ୍ୟା ଓ ବାତ୍ୟା ଭଳି ଆତଙ୍କମାନ ଏବେ କୃଷିର ସର୍ବନାଶ କରି ଦେଉଛନ୍ତି ।

ଲାଗୁଛି ଉଗ୍ର ଆଧୁନିକତା ଆକଣ୍ଠ ଗ୍ରାସି ଯାଇଛି ବର୍ଷାକୁ ବି । ସୁତରାଂ ବର୍ଷା ଋତୁ ପୂର୍ବପରି ଆଉ ଶାନ୍ତ ଓ ସୁବିମଳ ନାହିଁ । ବିଜ୍ଞାନ, ଶିଳ୍ପାୟନ ଏବଂ କଂକ୍ରିଟ୍ ସଭ୍ୟତାର ଅନ୍ଧଦୌଡ଼ ଆଜି ବର୍ଷାକୁ ଉଭୟ ବିଳମ୍ବିତ ଓ ବିଡ଼ମ୍ବିତ କରିଦେଇଛି । ଆଜି ବର୍ଷା ଆସିଲେ ଆଉ ଆନନ୍ଦ ସଞ୍ଚରି ଯାଏନି । ବରଂ ବହୁବେଳେ ଏକ ଅଜଣା ଆତଙ୍କ ଆବୋରି ନେବା ପରି ଲାଗିଥାଏ । ସହର ନଗର ମହାନଗରାଦିରେ ଜଳ ନିଷ୍କାସନ ଜନିତ ଦୁରବସ୍ଥା ଏଡ଼ିଜି ଶୋଚନୀୟ ଯେ ଘଡ଼ିଏ ବର୍ଷି ଦେଲେ ଘରଭର୍ତ୍ତୀ ପାଣି, ସାହି ବସ୍ତିରେ ପୂତିଗନ୍ଧମୟ ନୌକାବିହାର ପାଇଁ ଦୁଃସ୍ଥିତି ଦାୟକ ପରିବେଶ ! ଆମେ କୃତ୍ରିମ, ଆମ ପ୍ଳାଷ୍ଟିକମୟ ଜୀବନ ସ୍ପନ୍ଦନହୀନ । ଆମ କୃତ ପରିବେଶ ପ୍ରଦୂଷଣ ହିଁ ବର୍ଷାର ତାଳ ଲୟ ଓ ଛନ୍ଦକୁ ଏତାଦୃଶ ବିପର୍ଯ୍ୟସ୍ତ କରିଚାଲିଛି ।

ଆମେ ବର୍ଷା ହେଉହେଉ ଆନନ୍ଦରେ ଅଧୀର ହୋଇ ଭୁଲିଯାଉ ଆମ କର୍ତ୍ତବ୍ୟ । ଭିଜା ମାଟିର ବାସ୍ନା ଆମକୁ ବିମୋହିତ କରେ ସିନା, ସେ ମାଟିକୁ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା କରି ରଖିବା ଯେ ଆମର ପ୍ରାଥମିକତା, ଆମେ ତାହା ବିସ୍ମରି ଯାଉ । ପ୍ରକୃତରେ ମାଟି ମାଆର ଆରାଧନା ମାଧ୍ୟମରେ ଆରମ୍ଭ ବର୍ଷା କାଳ ଭିତରେ ସନ୍ନିହିତ ଆଧ୍ୟାତ୍ମିକତା ଓ ଆନନ୍ଦର ମହାମିଳନ, ଯାହା ଆମେ ସଚେତନ ହେଲେ ହିଁ ସମ୍ଭବ ହୋଇଥାଏ । ଏଥକୁ ବେଶୀ କିଛି ଲୋଡ଼ା ନାହିଁ । ବାସ୍, ଭିଜା ମାଟି ଲୋଡ଼ିଥାଏ ମଞ୍ଜିଟିଏ ବା ଚାରାଟିଏ ସହ କିଛିଟା ଯତ୍ନ ଓ ଟିକିଏ ଆଦର ! ଫଳସ୍ୱରୂପ ସବୁଜିମା ସଞ୍ଚରିଯିବାର ସମ୍ଭାବନା ଉଦ୍ରେକ ହୋଇଥାଏ । ଆଗେ ଏହି ଚିନ୍ତନ ଚାଳିତ ହୋଇ ଅନେକ ରଥଯାତ୍ରା ବେଳୁ ହିଁ ବୃକ୍ଷରୋପଣକୁ ଏକ ଦିବ୍ୟ କର୍ମର ମାନ୍ୟତା ପ୍ରଦାନ ପୂର୍ବକ ଶୁଭାରମ୍ଭ କରୁଥିଲେ । ତେଣୁ ତ ଆଗେ ସବୁଠି ଥିଲା ତୋଟାମାଳ ଘଞ୍ଚ ଜଙ୍ଗଲ ଓ ବାଡ଼ି ବଗିଚା ! ବୋଲିବା ବାହୁଲ୍ୟ ଏହି ସବୁଜିମା ହିଁ ଥିଲା ସନ୍ତୁଳିତ ବର୍ଷାର ପ୍ରମୁଖ କାରଣ !

ଏବେ ବର୍ଷା ବର୍ଷିବା ଏକ ସୌଭାଗ୍ୟ ନିଶ୍ଚୟ । ସୁତରାଂ ଏହି ବର୍ଷା ଜଳ ବି ଅତ୍ୟନ୍ତ ଦୁର୍ଲଭ । ତାର ଯଥୋଚିତ ସଂରକ୍ଷଣ ନିହାତି ଜରୁରୀ । ଏହା ହିଁ ଏବର ବର୍ଷା ବାରାନ୍ତରେ ଆମକୁ ସୂଚାଇ ଦେଇ ଆସୁଛି । ସଚେତନ ହୋଇ ପ୍ରକୃତିର ସାଥୀ ନୋହିଲେ ବର୍ଷା ବି ଆମକୁ ବିସ୍ମରି ସେମିତି ଉତ୍ତାପର ଉତ୍ପାତ ସହିସହି ସନ୍ତାପିତ ହେଉଥିବା ପାଇଁ ଛାଡ଼ି ଦେବ । ଅନ୍ୟଥା ବିନ୍ଦୁଏ ଜଳର ବି ଅପଚୟ ନକରି ସବୁଜିମା ସୃଷ୍ଟି ମାଧ୍ୟମରେ ବର୍ଷାର ଆବାହନ କଲେ ଆମ ଜୀବନ ବି ସରସ ସୁନ୍ଦର ହେବ ଇ’ ହେବ !

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *