ଦୀପକ କୁମାର ସ୍ଵାଇଁ

ଦେଶ କିଛି ମାଟି, କିଛି ସମୁଦ୍ର ଆଉ ପର୍ବତ
ଦେଶ କିଛି ଗଛ, କିଛି ମଣିଷ ଆଉ ଇତର

ଆଖି ଯେତେ ବାଟ ଦେଖିପାରିଲା ସେତିକି ଦେଶ
ମନ ବୁଝିବା ପର୍ଯନ୍ତ ଯାହା ଅକ୍ତିଆର ହେଲା ଦେଶ
ଯେତିକି ମିଳିଲା ଭାଗ୍ୟରେ ସେତକ ଦେଶ
ଭଗବାନ ଯାହା ଛଡ଼େଇ ନେଲେ ଆଉ ବଳକା ଯାହା ଦେଲେ ଦେଶ

ବିଶ୍ଵାସର ତଣ୍ଟି ଚିପି ଯାହା ଆଣିଲ ଦେଶ
ବିଶ୍ଵାସଘାତକକୁ ହାତ ବାରିଶ କରି ଯାହା ଜିତିଲ ଦେଶ
ଧୂଳିମଳି ହେଇ ଯାହା ପାଇଁ ଲଢିଲ ଦେଶ

କଥା ଯେତେଦୂର ପର୍ଯ୍ୟନ୍ତ ବୁଝାପଡ଼ିଲା
ଆଉ ବୋଧ ହେଲା ସେତକ ଦେଶ
ସମୁଦ୍ରରେ ଯେତେ ଦୂର ସେତୁ ବାନ୍ଧିଲ ସେତେ ପର୍ଯ୍ୟନ୍ତ ଦେଶ
ଯେଉଁଠି ବାଡ଼ ଉଠିଛି ସେତେ ପର୍ଯ୍ୟନ୍ତ ଦେଶ

ଯେ ପର୍ଯ୍ୟନ୍ତ ଆକାଶ ହସୁଛି, ତୁମକୁ ଚାହିଁଛି ସେ ପର୍ଯ୍ୟନ୍ତ ଦେଶ
ପର୍ବତ ଯେଉଁଠି ବାଟ ଭାଙ୍ଗେ ସେ ପର୍ଯ୍ୟନ୍ତ ଦେଶ

ଆଜିର ଦେଶ ଗୋଟେ ଇତିହାସ ପୃଷ୍ଠା
କାଲି ଦେଶ ହେବ ଗୋଟେ କର୍ମର ହାତ ଘଣ୍ଟା ।

ଘଷିପୁରା ବ୍ଲକ, ଆନନ୍ଦପୁର, କେନ୍ଦୁଝର, ମୋବାଇଲ – ୯୩୩୭୬୧୦୭୩୫

ଲେଖକ ପରିଚୟ

ଅଷ୍ଟମ ଶ୍ରେଣୀରୁ ମୁଁ ଲେଖାଲେଖି ଆରମ୍ଭ କରିଥିଲି । ସେଦିନ ରବି ସିଂହଙ୍କ ସହିତ ଆମର ଜଣେ ଆଞ୍ଚଳିକ ବିଧାୟକ ଆସିଥାନ୍ତି ଆମ ସ୍କୁଲକୁ । ମୋତେ ମୋ ଶିକ୍ଷକ କହିଥିଲେ ଗୋଟିଏ କବିତା ଲେଖି ଆଣିବାକୁ । ମୁଁ ଯେତେବେଳେ କବିତା ପଢିଲି, ରବି ସିଂହ ମୋ ମୁଣ୍ଡ ଉପରେ ହାତ ମାରିଦେଲେ । ଆଉ ସେଇଦିନୁ ମୋ ସାହିତ୍ୟ ଯାତ୍ରା ଅବ୍ୟାହତ ରହିଛି ଆଜିଯାଏଁ । ‘କାଠଗଡ଼ାରେ ଈଶ୍ଵର’, ‘ନଷ୍ଟ ଈଶ୍ଵରୀ’, ‘ଅଶ୍ରୁର ଅଭିସାର’ ଆଦି ୩ ଖଣ୍ଡ କବିତା ବହି ପ୍ରକାଶିତ ହୋଇସାରିଛି ।

Related Posts

Leave a Reply

Your email address will not be published. Required fields are marked *