ଦିବାକର ନାୟକ

ତୋ ଦୁଃଖରେ ଦୁଃଖୀ ମୁଁ ଯେ
ତୋ ସୁଖରେ ସୁଖୀ
ତୋ ଭିତରେ ମୋତେ
ମୋ ଭିତରେ ତୋତେ
ମୋ ଭାବ ନୟନ ଖୋଲି
ପାରୁଛି ମୁଁ ଦେଖି
ଚକାଆଖି ମୋର ଚକାଆଖି (୦)

ମୋ ଘର ଲୋକ ଭିତରୁ ଭାବିଛି ତୁ ଜଣେ
ହେଲେ ତୁ ମୁରବି ବୋଲି ନିହାତି ମୁଁ ମଣେ ।
ଆମ ଭଲ ମନ୍ଦ ତୋତେ କହିବା କି ଲୋଡ଼ା
ତୋର ଇଶାରାରେ ପରା ଏ ଜଗତ ଗଢ଼ା ।
ତୋ ପାଇଁ ମୁଁ ଭାଗ୍ୟବାନ
ମଣିନି କେବେ ମୁଁ ଦୀନ
ମୋ ଶିରେ ତୋ ଆଶିଷର ହାତ ଦେଏ ରଖି (୧)

ତୋ କରୁଣା ମୋ ପାଇଁ କି କଳ୍ପତରୁ ସମ
ତୋ ଚରଣ ମୋ ପାଇଁ କି ଦିବ୍ୟ ଆଶ୍ରମ ।
ମୋ ଆଖି ଲୁହ ତୋ ପାଇଁ ନରେନ୍ଦ୍ରର ନୀର
ଏ ହୃଦୟ ସିଂହାସନ ଦେହ ଶ୍ରୀମନ୍ଦିର ।
ତୁ ମୋହର ସବୁକିଛି
ଏମିତି ଭାବି ନେଇଛି
ଏଇ ଆତ୍ମା ତୋ ନାମରେ ଦେଇଛି ମୁଁ ଲେଖି (୨)

ପାଟପୁର, କନିସି-୭୬୧ ୦୦୮, ଗଞ୍ଜାମ, ମୋ-୯୯୩୮୬ ୧୯୯୮୧

ଲେଖକ ପରିଚୟ
୧୯୮୯ ମସିହାରୁ ଆକାଶବାଣୀ ଓ ଦୂରଦର୍ଶନ ଗୀତିକାର । ଅନେକ ଆଧୁନିକ ଓ ଭଜନ ଆକାଶବାଣୀର ସ୍ଵୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମ, ଭୁବନେଶ୍ୱରୀ ମିଶ୍ର, ସଙ୍ଗୀତା ଗୋସାଇଁ, ସୁଚିତ୍ରା ମହାପାତ୍ର, ସୁବାସ ଦାଶ, ସୁଜାତା ମହାପାତ୍ର, ବିଭୂଣ ପଟ୍ଟନାୟକ, ଶୈଳଭାମା ମହାପାତ୍ର, ଉପେନ୍ଦ୍ର ମିଶ୍ରଙ୍କ ସମେତ ଆହୁରି ଅନେକଙ୍କ କଣ୍ଠରେ ଓଡ଼ିଶାର ସମସ୍ତ ଆକାଶବାଣୀରେ ପ୍ରଚାରିତ । ଶିଶୁ-କିଶୋର ଗଳ୍ପ କବିତା ଓଡ଼ିଶାର ଅଧିକାଂଶ ଶିଶୁ ପତ୍ରିକା ଓ ଦୈନିକ ସମ୍ବାଦପତ୍ରରେ ପ୍ରକାଶିତ ।

Related Posts

Leave a Reply

Your email address will not be published. Required fields are marked *