ମଦନ ମୋହନ ମହାପାତ୍ର

ଏବେ କି ମୌସୁମୀ ଆସେ, ବରଷା ଆସିଲେ,
ସେଇମିତି ଛମଛମ କରି ?
ମାଟିର ବାସ୍ନାରେ ଉଡ଼େ,
ତା ଗୋଲାପୀ ମନର ଉତ୍ତରୀ ?
ହୃଦୟରେ ଫେନିଳ ତରଙ୍ଗ,
ଝୁମାଝୁମା ମାଳତୀର ପେନ୍ଥା ?
ଭିଜାଭିଜା ପବନରେ ଶିହରଣ,
ଆଖି ତଳେ ଚୁପିଚୁପି କଥା ?
ରକତରେ ଉନ୍ମାଦନା,
ମନ ତଳେ କୁମାରୀ ସପନ,
ଦେହରେ କଦମ୍ବ ଫୁଲ,
ଛନଛନ ମନ ଆଉ କମ୍ପିତ ଚରଣ ?
ଏବେ କି ମୌସୁମୀ ଆସେ
ଓଠେ ଭରି ହସର ଲହରୀ,
ଚପଚପ ବରଷା ପାଣିରେ,
ମେଲି ତାର କାଗଜର ତରୀ ?
ଏବେ କି ତା ଆସିବା ବାରତା,
ଗନ୍ଧ ତୋଳେ ମାଳତୀ ପେନ୍ଥାରେ,
ଭିଜେ କି ତା ମନର କବିତା,
ଝପଝପ ବରଷା ରାତିରେ ?
ଏବେକି ତା ବାସ୍ନାରେ,
ମତୁଆଲା ସମୁଦ୍ର ତରଙ୍ଗ,
ଏବେ କି ମୌସୁମୀ ଆସେ,
ମନେ ଭରି ସେଇ ରାଗ ରଙ୍ଗ ?
ରିମଝିମ ବରଷାରେ,
ମନେପଡ଼େ ସେଇ ପଛ ଦିନ,
ଭିଜି ଯାଏ ତା ବାସ୍ନାରେ
ଆସେ ଯେବେ ମୌସୁମୀ ସପନ ।
ରଙ୍ଗାମାଟିଆ, ମଞ୍ଚେଶ୍ଵର, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଦିନରୁ ନାଟକ, କବିତା ଲେଖିବା, ଚିତ୍ର କରିବା, ଅଭିନୟ କରିବା ଓ ସଙ୍ଗୀତ ପ୍ରତି ରୁଚି ଥିଲା । ବାପା ଜଣେ ଉଚ୍ଚକୋଟୀର ଚିତ୍ରଶିଳ୍ପୀ ଥିଲେ । କଲେଜ ପଢିବା ସମୟରେ ମୋର ଗଳ୍ପ ବିଭିନ୍ନ ପତ୍ରପତ୍ରିକା ଓ ଆକାଶବାଣୀ କଟକର ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରକାଶିତ ଓ ପ୍ରସାରିତ ହୋଇଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସିନିଅର ଇଣ୍ଟରନାଲ ଅଡିଟର ପଦରୁ ଅବ୍ୟାହତି ନେଲା ପରେ ଏବେ ଲେଖନୀ ଅଧିକ ଚଳଚଞ୍ଚଳ ।