ପ୍ରଣୟ ସୁଧା

ଥରେ କେବେ
ଆଖି ବନ୍ଦ କର କିଛି କ୍ଷଣ ଭାବ, ତୁମେ ଅନ୍ଧ ବୋଲି !
ଆଉ ଭୋଗିନିଅ ଅନ୍ଧାରଠୁ ଆଲୋକର ଦୂରତା
ଓ ଶୁଣ ଆଲୋକରେ କେତେ ପାଦ ଅନ୍ଧାରର ନୀରବତା ।

ଆଉଥରେ କେବେ
ପଲକ ନପକାଇ ଆକାଶକୁ ଦେଖ,
ଯେତେ ଦୂର ଯାଉଛି ଦୃଷ୍ଟି, ତା ଆଗକୁ ଦେଖ
ଓ ଅନୁଭବ କର ଆଲୁଅର ଅସହାୟତା
ଓ ଆମ ସହ ଅନ୍ଧାରର ନିବିଡ଼ତା ।

ପୁଣି ଥରେ କେବେ ଦୀପଟିଏ ଲଗାଅ
ଆଲୁଅ ପାଇଁ ନୁହେଁ, କି ଅନ୍ଧାର ଧୋଇବାକୁ ନୁହେଁ
ବରଂ ନିଜ ଆଲୋକକୁ ବିଞ୍ଚିଦେଇ
ନିଜ ଭାଗର ଅନ୍ଧାରକୁ ନିଜର କରିବାକୁ ।

ଏତକ କର,
କାରଣ ଜଣେକେହି ଥିଲା
ଯିଏ ଥିଲା ଯାଏଁ କହିଲା
ବୁଦ୍ଧମ ଶରଣମ ଗଚ୍ଛାମି
ସଂଘମ ଶରଣମ ଗଚ୍ଛାମି
ଧମ୍ମ ଶରଣମ ଗଚ୍ଛାମି,
କିନ୍ତୁ ଗଲାବେଳକୁ କହିଦେଇ ଗଲା
ଅପ୍ପୋ ଦିପୋ ଭବ,
ଆଲୁଅଠାରୁ, ନିଜର ଅନ୍ଧାର ହିଁ ନିଜ ବୈଭବ ।

ଧର୍ମଶାଳା, ଜାରକା, ଯାଜପୁର

ଲେଖକ ପରିଚୟ

ପ୍ରେମ ଓ ସମ୍ବେଦଶୀଳତାର କଥା କହୁଥିବା କବି ୨୦୧୦ ମସିହାରୁ ଅନବରତ ଲେଖିନୀ ଚାଳନା କରିଚାଲିଛନ୍ତି । ଏଯାବତ୍ ତାଙ୍କର ୪ ଗୋଟି କବିତା ସଂକଳନ ପ୍ରକାଶିତ ହୋଇସାଇଛି । ନବକଳେବର ସମ୍ମାନ ଓ ମାୟାଧର ମାନସିଂ ସମ୍ମାନ ଭଳି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି କବି ମହୋଦୟ ।

Related Posts

Leave a Reply

Your email address will not be published. Required fields are marked *