କବିତା ସଙ୍କଳନ: ଅସ୍ତ ସୂର୍ଯ୍ୟର ସ୍ତବ
ସଙ୍କଳନ ଓ ସମ୍ପାଦନା: ନିତ୍ୟାନନ୍ଦ ମିଶ୍ର
ପ୍ରକାଶକ: ଇଭେଣ୍ଟ୍ସ ବୁକ୍ସ, ଭୁବନେଶ୍ୱର
ପ୍ରଥମ ପ୍ରକାଶ: ୨୦୨୧, ମୂଲ୍ୟ: ୧୫୦/-
ଉତ୍କଳମଣି ଗୋପବନ୍ଧୁଙ୍କ ଦେହାନ୍ତର ୯୩ ବର୍ଷ ପରେ ତାଙ୍କ ଉପରେ ଏବଂ ତାଙ୍କୁ କେନ୍ଦ୍ର କରି ବିଭିନ୍ନ କବିଙ୍କର ବିଭିନ୍ନ ସମୟରେ ଲିଖିତ ୫୯ଟି କବିତାର ଏକ ମନୋଜ୍ଞ ସଙ୍କଳନ: ଅସ୍ତ ସୂର୍ଯ୍ୟର ସ୍ତବ । ମାୟାଧର ମାନସିଂହଙ୍କ ‘ଗୋପ ପ୍ରୟାଣ’ରୁ ଆରମ୍ଭ ଆଉ ନୀଳାଦ୍ରୀ ଭୂଷଣ ହରିଚନ୍ଦନଙ୍କ ‘କାନ୍ଦ ନାଇଁ’ରେ ଶେଷ । ଏ ସଙ୍କଳନରେ ସ୍ଥାନିତ ଜେନାମଣି ଲକ୍ଷ୍ମୀକାନ୍ତଙ୍କ କବିତାର ଶିରୋନାମାକୁ ବହିର ଶିରୋନାମା କରାଯାଇଛି ।
ପୁସ୍ତକର ମୁଖବନ୍ଧରେ ସୁଲେଖିକା ତଥା ସମାଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ମନୋରମା ମହାପାତ୍ର ଲେଖିଛନ୍ତି: ‘ଅସ୍ତ ସୂର୍ଯ୍ୟର ସ୍ତବ’ ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ବହୁ କାବ୍ୟ ସାଧକଙ୍କ ଦ୍ôାରା ରଚିତ କବିତା, ଯାହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ନେଇ ରଚିତ । ଏକାଧାରରେ ଏହାକୁ ଏକ ସମର୍ପଣ ତଥା ଶ୍ରଦ୍ଧାଞ୍ଜଳି କହିଲେ ଅତ୍ୟୁକ୍ତି ହେବନାହିଁ । ‘ଅସ୍ତ ସୂର୍ଯ୍ୟର ସ୍ତବ’ ଏହି ନାମକରଣ ପଛରେ, ଏକ ଅମର ତେଜବନ୍ତ କାବ୍ୟପୁରୁଷକୁ ସ୍ମରଣ କରିବାର ଅଭୀପ୍ସାଟି ସ୍ପଷ୍ଟ । ସୂର୍ଯ୍ୟ ସକଳ ସକ୍ତିର ଆଧାର ଏବଂ ତାହା କେବେ ଅସ୍ତ ଯାଏନା । ଦୃଶ୍ୟମାନ ଭାବେ ଅଦୃଶ୍ୟ ହେଲେ ବି ସ୍ମୃତିର ଆକାଶରେ ଚିର ଉଜ୍ଜୀବିତ ସତ୍ତା ନେଇ ବଞ୍ôଚରହେ କାଳାନ୍ତର ।”
“ସଂକଳନରେ ସ୍ଥାନିତ ଓଡ଼ିଆ ଭାଷା ସାହିତ୍ୟର ତୁଙ୍ଗ କବିମାନେ ଗୋପବନ୍ଧୁଙ୍କୁ କେଉଁ ଦୃଷ୍ଟିରେ ଦେଖିଛନ୍ତି ଓ ନିଜ ହୃଦୟରେ ତାହାଙ୍କୁ କେଉଁ ଆସନ ଦେଇଛନ୍ତି, ତାହା ସେମାନଙ୍କ କବିତାରେ ଛତ୍ରେଛତ୍ରେ ଗୁଞ୍ଜରିତ । ସେଇ ପ୍ରଖ୍ୟାତ କବିମାନଙ୍କ ଭିତରେ ଅଛନ୍ତି ଡ଼ଃ. ମାୟାଧର ମାନସିଂହ, ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ, ଗୋଦାବରୀଶ ମହାପାତ୍ର, ରାଧାମୋହନ ଗଡନାୟକ, ସୀତାକାନ୍ତ ମହାପାତ୍ର, ହର ପ୍ରସାଦ ଦାସ, ବୀର କିଶୋର ଦାସ, ବାଞ୍ଛାନିଧି ଦାସ, ଡ଼ଃ କୁଞ୍ଜ ବିହାରୀ ତ୍ରିପାଠୀ, ଜ୍ଞାନେନ୍ଦ୍ର ବର୍ମା, ମନୋରମା ମହାପାତ୍ର, ତୁଳସୀ ଦାସ, ବ୍ରହ୍ମୋତ୍ରୀ ମହାନ୍ତି, ଯଦୁନାଥ ଦାସ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ଡ଼ଃ. ପ୍ରତିଭା ଶତପଥୀ, କୃଷ୍ଣ ମିଶ୍ର ଓ ନୀଳାଦ୍ରୀ ଭୂଷଣ ହରିଚନ୍ଦନ ।”
“କବିତା ଗୁଡ଼ିକ ବିଭିନ୍ନ ସ୍ୱାଦର, ସେଥିରୁ କେତେକ ଛନ୍ଦମୟ ଓ ଆଉ କେତେକ ମୁକ୍ତ ଛନ୍ଦରେ ଲିଖିତ । କିନ୍ତୁ ସମସ୍ତ କବିତା ସଙ୍ଗୀତମୟତାରେ ସ୍ନିଗ୍ଧ ସବୁଜ । କବିତାଗୁଡିକରେ ଗୋପବନ୍ଧୁ ଜଣେ ଦରଦୀ ମଣିଷ, ମାନବବାଦୀ କବି, ନିରଳସ ସଂଗଠକ, ପ୍ରବୀଣ ସାମ୍ବାଦିକ, ଆଧ୍ୟାତ୍ମବାଦୀ ଦେଶଭକ୍ତ ଓ ଅନ୍ତରଙ୍ଗ ବନ୍ଧୁ ଭାବରେ ଉଦ୍ଭାସିତ । କେତେକ କବିତାରେ ଗୋପବନ୍ଧୁଙ୍କ ଜୀବନର କାହାଣୀ କୁହାଯାଇଛି, ଆଉ କେତେକରେ ତାଙ୍କ ବିୟୋଗରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ସେ ବ୍ୟାଥାକୁ ବର୍ଣ୍ଣନା କରାଯାଇଛିା ସୀତାକାନ୍ତ ମହାପାତ୍ରଙ୍କ କବିତା “ହଳଦିବସନ୍ତ’ର ଶେଷ କେତୋଟି ଧାଡ଼ି ପଢ଼ନ୍ତୁ:
ଏବେ ଜହ୍ନ ଉଇଁଲାଣି
ଆକାଶର ଦୀର୍ଘଶ୍ୱାସରେ
ଭସା ମେଘ ଏଣେ ତେଣେ ଉଡ଼ିଗଲେଣି
ଏବେ ଲାଗୁଛି ପୃଥିବୀକୁ ସେ
ଦେବଦୂତ ପରି ଆସି
ସବୁ ପଦାର୍ଥକୁ ଛୁଇଁ ସୁନ୍ଦର କରି ଦେଇଛି ।
ଛାଡ଼ି ଯାଇଛି ସମସ୍ତଙ୍କୁ ଏକେଲା କରି
ତାକୁ ହିଁ ଝୁରିବାକୁ
ଚୋରେଇ ନେଇଛି କଣ୍ଠରୁ ସବୁ ଶବ୍ଦ
କହି ଯାଇଛି ନିରବରେ ଚୁପ୍ ହୋଇ ବସିବାକୁ ।
ଉତ୍କଳମଣି ଅତୀତ ହେବାର ନବେ ବର୍ଷ ପରେ ତାଙ୍କ ପାଇଁ କବିତାର ଅଞ୍ଜଳି ହେବାର ଏ ପରିକଳ୍ପନା ଯିଏ କରିଛନ୍ତି, ତାଙ୍କ ଚିନ୍ତା ଓ ଚେତନା ନିଶ୍ଚିତ ଭାବରେ ମୌଳିକ ଓ ସୃଜନଶୀଳ, ଏକଥା ମାନିବାକୁ ହେବ । ପ୍ରଫେସର୍ ନିତ୍ୟାନନ୍ଦ ମିଶ୍ର । ଅର୍ଦ୍ଧଶତାବ୍ଦୀରୁ ଉଦ୍ଧ୍ôର୍କାଳ ଧରି ନିରବଛନ୍ନ ସାହିତ୍ୟ ସାଧନାରେ ବ୍ରତ । ଓଡ଼ିଆ ଭାଷାରେ ଚରିତ-ଉପନ୍ୟାସ କ୍ଷେତ୍ରରେ ତାଙ୍କ ନାମ ବଡ଼ ସମ୍ମାନର ସହ ନିଆଯାଏ ।
ଏ କବିତା ସଙ୍କଳନଟି କେବଳ ଉପାଦେୟ ନୁହେଁ ସାରସ୍ୱତ ମୂଲ୍ୟାୟନ ଦୃଷ୍ଟିରୁ ସଂଗ୍ରହଯୋଗ୍ୟ ଏକ କୃତି ।
ତେବେ ଏ ସଙ୍କଳନର ରୂଖ ରେଖ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରଫେସର ନିତ୍ୟାନନ୍ଦ ମିଶ୍ର ଏକ ଭୂମିକା ଲେଖିଥିଲେ ଭଲ ହୋଇଥାନ୍ତା । ଆଉ କବିତାଗୁଡ଼ିକ କେବେ ଲେଖା ହୋଇଥିଲା- ତାହା ଲେଖାହୋଇଥିଲେ ଭଲ ହୋଇଥାନ୍ତା ବୋଲି ମୋର ମତ । ଆଶା କରେ ଏ ସଙ୍କଳନର ଦ୍ୱିତୀୟ ସଂସ୍କରଣ ବେଳକୁ ପ୍ରଫେସର ମିଶ୍ର ତାହା କରିନେବେ ।