ଆବଶ୍ୟକ ବୈଜ୍ଞାନିକ ମାନସିକତା

ବହି: ବିଜ୍ଞାନ ଓ କୁସଂସ୍କାର
ଲେଖକ: ଦେବେନ୍ଦ୍ର ସୁତାର
ପ୍ରକାଶକ: ଚର୍ଚ୍ଚା ପ୍ରକାଶନ, କଟକ-୧୪ । ମୂଲ୍ୟ: ୧୫୦/-

ଫେବୃଆରି ୨୮ ଥିଲା ଜାତୀୟ ବିଜ୍ଞାନ ଦିବସ । ୧୯୨୮ ମସିହାର ଏହି ଦିନରେ ପଦାର୍ଥବିଜ୍ଞାନୀ ସିଭି ରମଣ ରମଣ-ରଶ୍ମୀ ଆବିଷ୍କାର କରିଥିଲେ । ୧୯୩୦ରେ ତାଙ୍କୁ ନୋବେଲ୍‍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୧୯୮୬ରୁ ଏହି ଦିନଟିକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି ।

ଦର୍ଶନ ଭଳି ବିଜ୍ଞାନ ମଧ୍ୟ ପ୍ରଶ୍ନ ପଚାରେ । ହେଲେ ବିଜ୍ଞାନ ତା ପ୍ରଶ୍ନର ଉତ୍ତର ପାଇଁ ପରୀକ୍ଷା ନିରିକ୍ଷା ଉପରେ ବିଶ୍ଵାସ କରେ । ବାରମ୍ବାର ପରୀକ୍ଷା ନିରିକ୍ଷା ପରେ ବିଜ୍ଞାନ ଏକ ସିଦ୍ଧାନ୍ତରେ ଉପନୀତ ହୁଏ । ହେଲେ ତାହା ଯେ ଏ ବିଷୟରେ ଶେଷ ସିଦ୍ଧାନ୍ତ, ଏଥିରେ କେବେ ଓଲମ ବିଲମ ହୋଇ ପାରିବ ନାହିଁ – ଏ ସ୍ଥିର ନିଶ୍ଚିତତା ବିଜ୍ଞାନର ନଥାଏ । ତେବେ ବିଜ୍ଞାନ ଏ କଥା ବିଶ୍ୱାସ କରେ ଯେ ପରୀକ୍ଷା ନିରିକ୍ଷାର ଡିଟରମିନେଣ୍ଟସ୍‍ ଗୁଡିକ ଠିକ୍‍ ରଖି ପାରିଲେ, ସମାନ ପରୀକ୍ଷାର ସମାନ ଫଳ ମିଳି ପାରିବ । ବିଜ୍ଞାନର ଏଇ ଅବଧାରଣା ଗୁଡିକ ଉପରେ ବିଶ୍ଵାସ ରଖିବା ପ୍ରବୃତ୍ତିକୁ ବୈଜ୍ଞାନିକ ମିଜାଜ ବା ସାଇଣ୍ଟିଫିକ୍‍ ଟେମ୍ପର ବୋଲି କୁହାଯାଇପାରେ ।

ଗୋଟେ ସମାଜର ଉନ୍ନତିରେ ବୈଜ୍ଞାନିକ ମିଜାଜର ଆବଶ୍ୟକତା ରହିଛି । ସେଥିପାଇଁ ଆମ ସମ୍ବିଧାନରେ ସାଇଣ୍ଟିଫିକ୍‍ ଟେମ୍ପରକୁ ନାଗରିକର ଦାୟିତ୍ୱ ଭିତରେ ରଖାଯାଇଛି । ୧୯୫୧ରେ ଗୃହିତ ସମ୍ବିଧାନରେ ଅବଶ୍ୟ ଏହା ନଥିଲା । ୧୯୭୬ରେ ୪୨ତମ ସଂଶୋଧନରେ ଏହାକୁ ସାମିଲ କରାଗଲା ।

ଗୋଟେ ଆଧୁନିକ ଦେଶ ପାଇଁ ଦେଶବାସୀଙ୍କର ବୈଜ୍ଞାନିକ ମିଜାଜ ରହିବା ଆବଶ୍ୟକ । ବୈଜ୍ଞାନିକ ମିଜାଜ ଆଉ ପ୍ରଶ୍ନ ପଚାରିବାର ସ୍ୱାଧୀନତା ଏ ଦୁଇଟି ପରସ୍ପର ସହିତ ଅଙ୍ଗାଙ୍ଗୀଭାବେ ଜଡିତ । ପ୍ରଶ୍ନ ପଚାରିବା ସହିତ ଉତ୍ତରକୁ ପରୀକ୍ଷାକରି ଦେଖିବାର ଭାବନାଟି ଅତ୍ୟନ୍ତ ଘନିଷ୍ଠ । ପ୍ରଶ୍ନ ପଚାରିବା ପାଇଁ ଉଦାରବାଦୀ ପରିବେଶ ଦରକାର ପଡେ । ଏହାର ଯଦି ଅଭାବ ହୁଏ ତେବେ ବିଜ୍ଞାନ ଓ ବୈଜ୍ଞାନିକ ମିଜାଜ ଉଭୟେ ବଢ଼ିପାରିବ ନାହିଁ । ଭାରତବର୍ଷରେ ବିଜ୍ଞାନଠାରୁ ଅପ-ବିଜ୍ଞାନ ଏବଂ ଛଦ୍ମ-ବିଜ୍ଞାନର ଆଧିପତ୍ୟ କ୍ରମଶଃ ବଢ଼ିଲା ଭଳିଆ ଲାଗୁଛି ।

କରୋନା ମହାମାରୀ ଭଳି ସଙ୍କଟ ସମୟରେ ବି ଦେଶର କେତେଜଣ ମାନନୀୟ ନେତା, ସାମାଜିକ ଗୁରୁ ଏବଂ ଧର୍ମଗୁରୁମାନେ ଏପରି ଅନେକ କିଛି କହିଛନ୍ତି ଏବଂ କରିବା ପାଇଁ ପରାମର୍ଶ ଦେଇଛନ୍ତି ଯାହା ବିଜ୍ଞାନୋଚିତ ଆଦୌ ନୁହଁ। କିଛି କଥା ଆମ କାନକୁ ଏବଂ ଅସ୍ମିତାକୁ ଭଲ ଲାଗିପାରେ କିନ୍ତୁ ତାହା ବୈଜ୍ଞାନିକ ତତ୍ତ୍ୱ ଉପରେ ଆଧାରିତ ନୁହଁ, ସତ୍ୟ ନୁହଁ ।

ଅପବିଜ୍ଞାନ ଏବଂ ଛଦ୍ମବିଜ୍ଞାନର ପ୍ରସାର ପଛରେ ଅଜ୍ଞତା, କୁସଂସ୍କାର, ଋଢ଼ିବାଦୀ ମାନସିକତା, ରାଜନୈତିକ, ଧାର୍ମିକ ଏବଂ ଉଗ୍ର ଜାତୀୟତାବାଦ ଆଦି ବିଭିନ୍ନ କାରଣ ଥାଇପାରେ । ଆଇନ୍‍ ସବୁବେଳେ କୁସଂସ୍କାରର ମୂଳୋତ୍ପାଟନ କରିପାରେ ନାହିଁ । ଗୁଣିଗାରେଡି ବିରୋଧରେ ଆଇନ୍‍ ଥିଲେ ବି ଏହା ବନ୍ଦ ହୋଇନାହିଁ । ସାମୁହିକ ଭାବେ ବୈଜ୍ଞାନିକ ଚେତନାର ପ୍ରସାର ନ ହେଲେ ଏହା ସମ୍ଭବ ହେବ ନାହିଁ ।

ଓଡ଼ିଶାରେ କୁସଂସ୍କାର ବିରୋଧରେ ଏବଂ ବୈଜ୍ଞାନିକ ଚେତନାର ପ୍ରସାର ପାଇଁ ଦେବେନ୍ଦ୍ର ସୁତାର ଗତ ତିନି ଦଶନ୍ଧି ଧରି ପ୍ରୟାସ କରୁଛନ୍ତି । ହେତୁବାଦୀ ପ୍ରବନ୍ଧ ପତ୍ରିକା ବୈଜ୍ଞାନିକ ଚର୍ଚ୍ଚାର ସେ ସମ୍ପାଦକ ଏବଂ ଗତ କୋଡ଼ିଏ ବର୍ଷ ଧରି ଏହାକୁ ସେ ନିୟମିତ ପ୍ରକାଶ କରି ଆସୁଛନ୍ତି । ଓଡ଼ିଶାରେ ମୃତ୍ୟୁ ପରେ ଅଙ୍ଗଦାନ ଆନ୍ଦୋଳନର ସେ ଜଣେ ପମୁଖ ପ୍ରବକ୍ତା । କୁସଂସ୍କାର ବିରୋଧରେ ସେ ବେଶ କେତେଗୁଡ଼ିଏ ବହି ପ୍ରକାଶ କରି ସାରିଛନ୍ତି । ସମ୍ପ୍ରତି ତାଙ୍କର ୪୧ଟି ପ୍ରବନ୍ଧକୁ ନେଇ ଏକ ସଙ୍କଳନ ପ୍ରକାଶ ପାଇଛି: ବିଜ୍ଞାନ ଓ କୁୁସଂସ୍କାର । ଏଥିରେ ବର୍ତ୍ତମାନ ସମୟ ଓ ସମାଜରେ ପ୍ରାସଙ୍ଗିକ ବେଶ କେତୋଟି ବିଷୟ ରହିଛି, ଯେଉଁଥିରେ ଲେଖକ ପ୍ରଚଳିତ ବ୍ୟବସ୍ଥାର ବିରୋଧ କରିଛନ୍ତି । ଉଦାହରଣ: ‘ପ୍ରତିବର୍ଷ ରଥ ନିର୍ମାଣ ନ ହୋଇ ସଂରକ୍ଷଣ ହେଉ’, ‘ଧର୍ମୀୟ ଆବର୍ଜନା: ସଫା କରିବ କିଏ?’, ଖଟବୁଲା, କୁଲାବୁଲା, ନଖଦର୍ପଣ’, ଭବିଷ୍ୟତପ୍ରବକ୍ତାଙ୍କ ଅନିଶ୍ଚିତ ଭବିଷ୍ୟତ’, ଇତ୍ୟାଦି । ଆଉ କେତୋଟି ପ୍ରବନ୍ଧରେ ସେ ନୂଆ ବ୍ୟବସ୍ଥାକୁ ଗ୍ରହଣ କରିବା ପାଇର୍ ଆହ୍ୱାନ ଦେଇଛନ୍ତି । ଉଦାହରଣ: ‘ଅଙ୍ଗଦାନ: ବଞ୍ଚାଏ ଅମୂଲ୍ୟ ଜୀବନ’, ‘ସମ୍ମାନର ସହ ମୃତ୍ୟୁ ଅଧିକାର’, ଇତ୍ୟାଦି ।

ଅଧିକାଂଶ ପ୍ରବନ୍ଧରେ ଲେଖକ ବିଶ୍ୱସନୀୟ ତଥ୍ୟ ଏବଂ ସ୍ପଷ୍ଟ ଯୁକ୍ତି ଉପସ୍ଥାପନ କରିଛନ୍ତି । ସିଧା କଥାକୁ ସିଧା ଭାବରେ କହିବାର ସାହସ ଅଛି ତାଙ୍କର । ସମାଜର କେତେଗୁଡ଼ିଏ ପ୍ରଥା ବିରୋଧରେ ସେ ଦୃଢ଼ ଏବଂ ସ୍ପଷ୍ଟ ଭାବେ ନିଜ ମତ ଉପସ୍ଥାପନ କରିଛନ୍ତି । ‘ମୃତ୍ୟୁଠୁଁ ଭୟଙ୍କର ବୈଧବ୍ୟ ଯନ୍ତ୍ରଣା’ପ୍ରବନ୍ଧରେ ସେ ଭାରତରେ ବିଧବାମାନଙ୍କ ଦୁଃଖ, କଷ୍ଟ ଓ ସମସ୍ୟାକୁ ଉପସ୍ଥାପନ କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *