ଭାଇରସ୍‍ ବିଷୟରେ ଜାଣିବା ପାଇଁ ପଢ଼ନ୍ତୁ..

ବହି: ଇନଫେକ୍ସିଅସ ପାଥୋଜେନସ୍‍ ଆଣ୍ଡ ହାଓ ଉଇ ଫାଇଟ ଦେମ୍‍
ଲେଖକ: ଜନ ଏସ୍‍ ଟ୍ରେଗୋନିଂ
ପ୍ରକାଶକ: ସାଇମନ ଆଣ୍ଡ ସୁଷ୍ଟର
ପୃଷ୍ଠା: ୩୭୪, ମୂଲ୍ୟ: ୬୯୯ ଟଙ୍କା

୨୦୧୯ ଶେଷ ଏବଂ ୨୦୨୦ର ଆରମ୍ଭବେଳେ କରୋନା ଭାଇରସର ଅନୁପ୍ରବେଶ ଘଟିଲା ସାରା ପୃଥିବୀରେ । ଗତ ଦୁଇବର୍ଷଧରି କରୋନା ଭାଇରସ ସାରା ପୃଥିବୀକୁ ହନ୍ତସନ୍ତ କଲାଣି । ଏବେ ପୁଣି ତାର ନୂଆ ରୂପ ଓମିକ୍ରନ ଆହୁରି କିଛିକାଳ ଆମକୁ ହନ୍ତସନ୍ତ କରିବାର ଆଶଙ୍କା ଦିଶିଲାଣି ।

ଏହି କାଳଖଣ୍ଡରେ ଭାଇରସ ଆମକୁ ଏତେ ପରିମାଣରେ ପ୍ରଭାବିତ କରିଛି ଯେ ତା ବିଷୟରେ ଜାଣିବା ପାଇଁ ଅନେକ ଉତ୍ସୁକ । ତେଣୁ ଭାଇରସ କଣ, ଏ କଣ କରେ, କେମିତି ଜନ୍ମ ହୁଏ, କେମିତି ଅନ୍ୟ ଦେହକୁ ସଂକ୍ରମିତ ହୋଇଯାଏ, କେମିତି ସେ ରୂପ ବଦଳାଏ ଆଉ କେମିତି ଏହାକୁ ମୁକାବିଲା କରିହେବ ଏ ବିଷୟରେ ଗତ ବର୍ଷେ ଭିତରେ ବେଶ୍‍ କେତୋଟି ପୁସ୍ତକ ପ୍ରକାଶିତ ହୋଇଛି । ନିକଟରେ ପ୍ରଣୟ ଲାଲଙ୍କର ଏ ବିଷୟ ଉପରେ ଗୋଟେ ପୁସ୍ତକ ପ୍ରକାଶିତ ହୋଇଥିଲା ‘ଇନ୍‍ଭିଜିବଲ୍‍ ଏମ୍ପାୟାର: ଦି ନାଚୁରାଲ ହିଷ୍ଟ୍ରି ଅଫ ଭାଇରସେସ୍’ । ଜନ ଏସ୍‍ ଟ୍ରେଗୋନିଙ୍କର ଏ ବହିଟି ବି ଭାଇରସ ବିଷୟରେ ଜାଣିବା ପାଇଁ ଏକ ଚମତ୍କାର ବହି ।

ଏ ବହିରେ ସେ ଭାଇରସ ବିଷୟରେ ବୈଜ୍ଞାନିକ ତଥ୍ୟଗୁଡିକ ଅତ୍ୟନ୍ତ ସରଳ ଭାଷାରେ, କଥା କହିଲା ଭଳି ବୁଝେଇ ପାରିଛନ୍ତି । ଜନ ଏସ୍‍ ଟ୍ରେଗୋନି ଲଣ୍ଡନର ଇମ୍ପେରିଅଲ କଲେଜରେ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ବିଷୟରେ ଅଧ୍ୟାପକ । ତେଣୁ ଏ ବିଷୟ ଉପରେ ତାଙ୍କର ଯଥେଷ୍ଟ ଦଖଲ ରହିଛି ।

କିନ୍ତୁ ଏ ବହିରେ ସେ ଏଭଳି ସରଳ ଭାବରେ ଲେଖିଛନ୍ତି ଯେ ସାଧାରଣ ଲୋକଟିଏ ମଧ୍ୟ ଏହାକୁ ପଢ଼ିପାରିବ ଏବଂ ବୁଝି ପାରିବ ।

ତାଙ୍କର କହିବା କଥା ହେଲା ଯେ ପୃଥିବୀ ଇତିହାସରେ ଅତୀତରେ ଯେତେ ମହାମାରୀ ହୋଇଛି ତା ଭିତରୁ କୋଭିଡ ମହାମାରୀକୁ ଆମେ ଖୁବ୍‍ ଶୀଘ୍ର ଏହାର ମୁକାବିଲା କରି ପାରିଛୁ । ଉଦାହରଣ ସ୍ୱରୁପ ସେ ଲେଖିଛନ୍ତି ଯେ ୟା ପୂର୍ବରୁ ଯେଉଁ ମହାମାରୀ ଗୁଡିକ ପୃଥିବୀକୁ ଆସିଛି ତାକୁ ମୁକାବିଲା କରିବା ପାଇଁ ବହୁତ ସମୟ ଲାଗୁଥିଲା । ଚିକିତ୍ସା ବିଜ୍ଞାନର ଅଭିବୃଦ୍ଧି ସହିତ ଏବେ ତାକୁ ତୁଳନାତ୍ମକ ଭାବେ ଶୀଘ୍ର ମୁକାବିଲା କରାଯାଇପାରୁଛି । ତାଙ୍କ ପୁସ୍ତକରେ ଟ୍ରିଗୋନି ଇମ୍ୟୁନୋଲୋଜି ଏବଂ ଭିରୋଲୋଜି ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି । ସେ ଯାହା ତାଙ୍କ ପୁସ୍ତକରେ ରେଖାଙ୍କିତ କରିଛନ୍ତି ତାହା ହେଲା: ପ୍ରଥମ: ଭାଇରସ ଆଉ ମଣିଷ ଏ ଦୁହେଁ ଏକାଠି ବଞ୍ଚିବେ । ଭାଇରସକୁ ଛାଡି ମଣିଷ ବା ମଣିଷକୁ ଛାଡି ଭାଇରସ ବଞ୍ôଚ ରହିପାରିବେ ନାହିଁ । ଦ୍ୱିତୀୟ: ଆମେ ଏପର୍ଯ୍ୟନ୍ତ ଭାଇରସ ବିଷୟରେ ଅନେକ ତଥ୍ୟ ଜାଣି ନାହୁଁ । ଭାଇରସ କେମିତି କାମକରେ, କେତେବେଳେ ଏବଂ କେମିତି ରୂପ ବଦଳାଏ- ଏସବୁ ବିଷୟରେ ଅନେକ ତଥ୍ୟ ଏପର୍ଯ୍ୟନ୍ତ ଆମ ପାଖରେ ନାହିଁ । ଆମେ ଜାଣି ପାରିନାହାନ୍ତି । ଆଉ ତୃତୀୟ: ପରବର୍ତ୍ତୀ ସମୟରେ ମଧ୍ୟ ଅନ୍ୟାନ୍ୟ ମହାମାରୀ ଆସିପାରେ ପୃଥିବୀକୁ ଏବଂ ସେଥିପାଇଁ ଅ।।ମେ ପ୍ରସ୍ତୁତ ହୋଇ ରହିବା ଦରକାର ।

ଡକ୍ଟର ଟ୍ରେଗୋନିଂ ତାଙ୍କ ବହିରେ ଏକଥା ବି ଆଲୋଚନା କରିଛନ୍ତିଯେ ଭାଇରସର ନାମକରଣ ଯେଉଁ ସ୍ଥାନ ଅନୁସାରେ କରାଯାଉଛି ତାହା ଠିକ୍‍ ନୁହଁ । ଯେମିତି କୋଭିଡ-୧୯ କୁ ଅନେକ ଉହାନ ଭାଇରସ ବୋଲି କହିଲେ, ଏପରି କରିବା ଆଦୌ ଉଚିତ୍‍ ନୁହଁ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗପ୍ରତି ମଧ୍ୟ ଜନ ଟ୍ରେଗୋନିଂ ଆଲୋକପାତ କରିଛନ୍ତି: ମହାମାରୀ ବେଳେ ଓøଷଧ କମ୍ପାନୀ ମାନଙ୍କର ଭୂମିକା ।

ମହାମାରୀ ବେଳେ ଯେଉଁମାନେ ଟିକା ତିଆରି କରୁଛନ୍ତି ଏବଂ ବିତରଣ କରୁଛନ୍ତି ତାଙ୍କର ବି ଗୋଟେ ବଡ ଭୂମିକା ରହିଛି । ସେମାନେ ଭାକସିନ୍‍କୁ ଯଥା ଶୀଘ୍ର ଲୋକଙ୍କ ପାଖରେ ପହଞ୍ଚାଇବା ପୂର୍ବରୁ ନିଜର ଲାଭ କ୍ଷତି ମଧ୍ୟ ତଉଲି ନେଉଛନ୍ତି ଏବଂ ଅନେକେ ଏଥିରୁ ଅତିରିକ୍ତ ଲାଭ କରିବା ପାଇଁ ମଧ୍ୟ ଫିକର କରୁଛନ୍ତି ।

ଟୀକା କେମିତି କାମ କରିବ, କାହା ଉପରେ କେତେଦୁର କାମ କରିବ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ଭାବେ କହିହେଉ ନାହିଁ। ଏହା ଏଯାଏ ଗବେଷଣାର ବିଷୟ ହୋଇ ରହିଛି । କିନ୍ତୁ ଗୋଟେ ବିଷୟ ଡ଼ ଟ୍ରେଗୋନିଂ ରେଖାଙ୍କିତ କରିଛନ୍ତି ଯେ ଟୀକା ତିଆରିରେ ଯେତିକି ଏବଂ ଯେଉଁ ମାନର ବୈଜ୍ଞାନିକ ଗବେଷଣା ହେଉଛି, ଟୀକା ନେଲେ ବୋଧହୁଏ ଭଲ ।

++

Related Posts

Leave a Reply

Your email address will not be published. Required fields are marked *