କରୋନାକାଳୀନ ଜୀବନର ଏକ ମାର୍ମିକ ଜଳଛବ

ବହି : ଦି ବ୍ଲାଇଣ୍ଡ ମାଟ୍ରିଆର୍କ
ଲେଖକ : ନମିତା ଗୋଖଲେ
ପ୍ରକାଶକ : ପେଙ୍ଗୁଇନ ଭାଇକିଙ୍ଗ
ମୂଲ୍ୟ : ୫୯୯ ଟଙ୍କା

ମହାମାରୀକୁ ନେଇ ବିଶ୍ଵର ବିଭିନ୍ନ ଭାଷାରେ ଅନେକ ଗଳ୍ପ ଉପନ୍ୟାସ କବିତା ଲେଖା ହୋଇଛି । ବିଭିନ୍ନ ଦେଶରେ ଲେଖା ହୋଇଛି, ବିଭିନ୍ନ ସମୟରେ ଲେଖା ହୋଇଛି ।

ଗତ ଦୁଇବର୍ଷଧରି ସାରା ପୃଥିବୀ କରୋନା ମହାମାରୀରେ ଭୋଗୁଛି । କରୋନା କାଳରେ ଜୀବନକୁ ନେଇ ଭାରତରେ ଗତ ଦୁଇ ବର୍ଷରେ ବେଶ୍‍ କିଛି ଗଳ୍ପ କବିତା ଲେଖାଯାଇଛି । ସେଇ ଧାରାରେ ଏକ ଉଜ୍ଜ୍ଵଳ ସଂଯୋଜନ ହେଉଛି ନିକଟରେ ପ୍ରକାଶିତ ଇଂରାଜୀ ଭାଷାରେ ଲିଖିତ ଉପନ୍ୟାସ – ଦି ବ୍ଲାଇଣ୍ଡ ମାଟ୍ରିଆର୍କ । ଏ ପୁସ୍ତକଟି ୨୦୨୧ ସେପ୍ଟମ୍ବରରେ ପ୍ରକାଶିତ ହୋଇଛି ।

ଏ ଉପନ୍ୟାସର ପ୍ରେକ୍ଷାପଟ ହେଉଛି କରୋନା ମହାମାରୀକାଳର ସମୟ । କାହାଣୀର କେନ୍ଦ୍ରରେ ରହିଛି ଦିଲ୍ଲୀର ଏକ ସଂଭ୍ରାନ୍ତ ଅଞ୍ଚଳରେ ଅବସ୍ଥିତ ଗୋଟେ ଚାରି ମହଲା ଘର । ସି-୧୦୦ । ଏ ଘରେ ଅଛନ୍ତି ଜଣେ ବୃଦ୍ଧା, ତାଙ୍କ ନାଁ ମାଟଙ୍ଗୀ ମା । ସେ କ୍ରମଶଃ ଅନ୍ଧୁଣୀ ହେଇଯାଉଛନ୍ତି । ଘରର ସବା ଉପର ମହଲାରେ ରହନ୍ତି ସେ । ତାଙ୍କ ସହିତ ରହନ୍ତି ତାଙ୍କର ପରିଚାରିକା । ତଳ ମହଲା ଗୁଡିକରେ ତାଙ୍କର ପରିବାରର ଅନ୍ୟାନ୍ୟମାନେ ରହନ୍ତି । କରୋନା କାଳରେ ସମସ୍ତେ ଦୀର୍ଘକାଳ ପ୍ରାୟ ଗୃହବନ୍ଦୀ ହୋଇ ରହିବାପାଇଁ ବାଧ୍ୟ ହେଲେ । ପରିବାରର ସମସ୍ତେ ଗୋଟିଏ କୋଠାରେ ଭିନ୍ନ ଭିନ୍ନ ଘରେ ବନ୍ଦୀ ହୋଇ ରହିଲେ । ପ୍ରତ୍ୟେକ ପରିବାରର ନିଜସ୍ଵ କାହାଣୀ, ଗୋଟିଏ ପରିବାର ସହିତ ଅନ୍ୟ ପରିବାର ସହିତ ସଂପର୍କର କାହାଣୀ ଏବଂ କରୋନା ମହାମାରୀ ପ୍ରେକ୍ଷାପଟରେ ସେମାନଙ୍କ ଜୀବନ ଓ ସଂପର୍କର ଜୁଆର ଭଟ୍ଟାର କାହାଣୀ ହେଉଛି ଏ ଉପନ୍ୟାସ ।

ଏ ଉପନ୍ୟାସର ଲେଖିକା ନମିତା ଗୋଖ୍‍ଲେ (ଜନ୍ମ ୧୯୫୬) ସାମ୍ପ୍ରତିକ ଭାରତୀୟ ସାହିତ୍ୟ ଜଗତରେ ଏକ ପରିଚିତ ନାଁ । ୧୯୮୪ରେ ତାଙ୍କର ପ୍ରଥମ ଉପନ୍ୟାସିକା ପ୍ରକାଶିତ ହୁଏ: ପାରୋ: ଡ୍ରିମ୍‍ସ ଅଫ୍‍ ପ୍ୟାସନ୍‍ । ତା ପରଠୁଁ ସେ ନିରବିଚ୍ଛନ୍ନ ଭାବେ ଲେଖିଚାଲିଛନ୍ତି । ଉପନ୍ୟାସ ଛଡ଼ା ସେ ନାଟକ ଏବଂ ଅନ୍ୟାନ୍ୟ ଧରଣର ଲେଖା ମଧ୍ୟ ଲେଖନ୍ତି । ଉନବିଂଶ ଶତାବ୍ଦୀର ବଂଗୀୟ କବି ମଧୁସୁଦନ ଦତ୍ତଙ୍କ ଜୀବନକୁ ନେଇ ସେ (ସହଲେଖିକା ମାଲାଶ୍ରୀ ଲାଲ) ଚମତ୍‍କାର ଏକ ନାଟକ ଲେଖିଛନ୍ତି: ବିଟ୍ରେଡ୍‍ ବାଇ ଲଭ୍‍ । ଆସାମ ସାହିତ୍ୟ ସଭା ଏବଂ ଅନ୍ୟାନ୍ୟ ଅନେକ ଅନୁଷ୍ଠାନଦ୍ଵାରା ସେ ସମ୍ମାନିତା ହୋଇଛନ୍ତି ।

ତାଙ୍କର ସଦ୍ୟତମ ଉପନ୍ୟାସ ଦି ବ୍ଲାଇଣ୍ଡ ମାଟ୍ରିଆର୍କ ଉପନ୍ୟାସରେ ସମାଜର କଥା ରହିଛି । ବ୍ୟକ୍ତିର କଥା ମଧ୍ୟ ରହିଛି । କରୋନା ସମୟରେ ସାଧାରଣ ଜୀବନ କେମିତି ବ୍ୟାହତ ହୋଇଛି, ସଂପୁର୍ଣ୍ଣ ତାଲା ବନ୍ଦ ସମୟରେ କେମିତି ଲୋକେ ହଇରାଣ ହରକତ ହୋଇଛନ୍ତି, ପ୍ରବାସୀ ଶ୍ରମିକ ମାନେ କେମିତି ରୋଜଗାର ହରାଇଛନ୍ତି ତାହା କାହାଣୀ ଭିତରେ ବର୍ଣ୍ଣନା କରାଯାଇଛି । ହାସପାତାଳଗୁଡ଼ିକରେ କେମିତି ଅକ୍ସିଜେନ ପାଇଁ ହାହାକାର ପଡିଯାଇଛି। ଶବଦାହ ସ୍ଥାନଗୁଡିକରେ କେମିତି ଭିଡ ଲାଗିଛି, ଏସବୁର ମର୍ମଷ୍ପର୍ଶୀ ବର୍ଣ୍ଣନା ରହଛି ଏ ଉପନ୍ୟାସରେ । ଏ ଉପନ୍ୟାସରେ ରାଜନୀତି କଥା ବି ଅଛି। ଅର୍ଥନୀତି କଥା ବି ରହିଛି ।

ଏ ଉପନ୍ୟାସଟିକୁ ତେଣୁ ଗତ ଦୁଇବର୍ଷର ସମୟର ଦସ୍ତାବିଜ୍‍ ବୋଲି କହିହେବ । ଏ ଉପନ୍ୟାସଟିକୁ ଏହି କାଳଖଣ୍ଡରେ ଲୋକେ ଜୀଇଁଥିବା ଜୀବନର ଜଳଛବି ମଧ୍ୟ କହିହେବ – ଯେଉଁ ଛବି ପ୍ରତି ମୁହୁର୍ତ୍ତରେ ବଦଳୁଛି । ମହାମାରୀକୁ ନେଇ ପୃଥିବୀର ସାହିତ୍ୟ ଇତିହାସରେ ଅନେକ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ହୋଇଛି । ଏ ଉପନ୍ୟାସ ସେହି ଉଚ୍ଚାଙ୍ଗ ସାହିତ୍ୟ ଧାରାରେ ଏକ ଉଜ୍ଜ୍ଵଳ ସଂଯୋଜନା ।

+++

Related Posts

Leave a Reply

Your email address will not be published. Required fields are marked *