ଭୁବନେଶ୍ୱର : ସାହିତ୍ୟ ହେଉଛି ଭାବ ସହ ଶବ୍ଦର ଖେଳ । ଭଲ ଲେଖା ସହିତ ରୁଚିସମ୍ପନ୍ନ ପ୍ରକାଶନ ପାଠକଙ୍କୁ ଆକର୍ଷିତ କରିଥାଏ । ଏଣୁ ପ୍ରକାଶକମାନେ ସୁନ୍ଦର ପୁସ୍ତକ ଛାପନ୍ତୁ ବୋଲି ବ୍ଲାକ ଇଗଲ୍ ବୁକ୍ସ ପ୍ରକାଶନ ପକ୍ଷରୁ କବି ସଂଯୁକ୍ତା ନାୟକଙ୍କ ପ୍ରଥମ କବିତା ସଂକଳନ ‘ହାତ ବଢେଇଲେ ଆକାଶ’ର ଶୁଭ ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି ।
ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦଶ ବେହେନୁର ପୌରହିତ୍ୟ କରିଥିଲେ କରିଥିଲା ବେଳେ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ମହିଳା ଲେଖକ ଓ କବିମାନେ ଆଗେଇ ଆସିବା ଆବଶ୍ୟକ ବୋଲି ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଛନ୍ତି । ‘ହାତ ବଢେଇଲେ ଆକାଶ’ କବିତା ପୁସ୍ତକରେ କବି ସମାଜର ଅପସଂସ୍କୃତି ବିରୋଧରେ ସ୍ଵର ଉତ୍ତୋଳନ ସହିତ ପାରମ୍ପରିକ ଓଡ଼ିଆ ଚଳଣିକୁ ଗୁରୁତ୍ଵ ଦେଇଥିବା କହିଥିଲେ । ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟ ସମାଲୋଚକ ବାବାଜୀ ଚରଣ ପଟ୍ଟନାୟକଙ୍କ କହିବାନୁସାରେ ପୁସ୍ତକରେ ସ୍ଥାନ ପାଇଥିବା କବିତାଗୁଡ଼ିକ ଅତି ସରଳ ଓ ସାବଲୀଳ ଢଙ୍ଗରେ ଉପସ୍ଥାପିତ କରାଯାଇଛି । ପାଠକମାନେ ଏହାକୁ ଅକ୍ଲେଶରେ ପଢିବା ସହ ବୁଝିପାରିବେ ।
ଏହାବ୍ୟତୀତ ଜଗତସିଂହପୁର ଜିଲ୍ଲାର ବିଲିପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା କବି ଶ୍ରୀମତୀ ନାୟକ ବାଲ୍ୟକାଳରୁ କିଭଳି କବିତା ରଚନା ପ୍ରତି ଆକୃଷ୍ଟ ହୋଇଥିଲେ ତାହା ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଡ. ପ୍ରବୀଣା ମହାନ୍ତି ପୁସ୍ତକର ସମୀକ୍ଷା କରିବା ସହିତ କବିତା ରଚନାରେ କବି ଶ୍ରୀମତୀ ନାୟକଙ୍କ ଆବେଗ ଓ ଆଗ୍ରହ ସମ୍ପର୍କରେ ମତ ରଖିଥିଲେ । ସଭାପତି ଦାଶ ବେହେନୁର ଏହି ପୁସ୍ତକ ଆଦୃତି ଲାଭ କରିବା ନେଇ ଆଶା ବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ, କଥାକାର ଗୌରହରି ଦାସ, ଶକୁନ୍ତଳା ବଳିୟାରସିଂହ, ସରୋଜିନୀ ସାହୁ, ଗୋଲାପମଞ୍ଜରୀ କର, କନକମଞ୍ଜରି ସାହୁ, ରବି ସ୍ଵାଇଁ, ପରେଶ ପଟ୍ଟନାୟକ, ସହଦେବ ସାହୁ, ଚନ୍ଦ୍ରଶେଖର ହୋତା, ପବିତ୍ର ମୋହନ କର, ମହେନ୍ଦ୍ର ପ୍ରସାଦ, ଶୁଭଶ୍ରୀ ଲେଙ୍କା, ସଂଗ୍ରାମ ଜେନା, ବିଜୟାନନ୍ଦ ସିଂହ, ଯୁଗଳ ମିଶ୍ର, ସଂଘମିତ୍ରା ଭଞ୍ଜ, ଅରବିନ୍ଦ ରାୟ, ସୀତେଶ ତ୍ରିପାଠୀ ପ୍ରମୁଖ ସାହିତ୍ୟିକମାନେ ଉପସ୍ଥିତ ଥିଲେ । ବ୍ଲାକ ଇଗଲ୍ ବୁକ୍ସ ପ୍ରକାଶନର ପ୍ରତିନିଧି ଅଶୋକ ପରିଡ଼ା ଧନ୍ୟବାଦ ଦେଇଥିଲେ ।