ଆମ ପିଲାମାନେ ଏବେ ଭଲରେ ନାହାନ୍ତି

ସୁଶୀଳ ଶୁଭଦୀପ ନାୟକ

କରୋନାର ଦ୍ଵିତୀୟ ଲହର ମୃତ୍ୟୁର ବିଭୀଷିକା ରଚିବା ସହ ଦୋହଲାଇ ଦେଇଛି ଭାରତୀୟମାନଙ୍କ ମନସ୍ଥିତି l ସରକାରୀ ତଥ୍ୟ ଅନୁସାରେ ୩୦ ମେ’ ସୁଦ୍ଧା ଭାରତରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ୩ ଲକ୍ଷ ୨୬ ହଜାର ୩ ଶହରେ ପହଞ୍ଚିଛି l ମହାମାରୀର ଏଇ ଦ୍ଵିତୀୟ ଋତୁରେ ପ୍ରାୟ ପ୍ରତିଟି ମଣିଷ ଆତ୍ମୀୟ ସ୍ୱଜନ, ବନ୍ଧୁ, ପ୍ରିୟଜନଙ୍କୁ ହରେଇବାର ଦୁଃଖ ଭୁଞ୍ଜି ଚାଲିଛନ୍ତି । କେହି କେହି ଗଣମାଧ୍ୟମରୁ ମୃତ୍ୟୁର କରାଳତାକୁ ଦେଖି ଲୁହ ଗଡ଼େଇଛନ୍ତି । ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟାର ସରକାରୀ ତଥ୍ୟକୁ ନେଇ ସନ୍ଦେହ ଓ ବିଚାର ବିମର୍ଷ ଏବେବି ଚାଲୁରହିଛି l ଅତଏବ, ମହାମାରୀରର ରୂପ ଯେ ଏତେ ଭୟଙ୍କର ହୋଇପାରେ, ଏ ଅକଳ୍ପନୀୟ କଥାଟିକୁ ଲୋକେ ଏଯାବତ ଗ୍ରହଣ କରିପାରୁନାହାନ୍ତି ।
ଅକ୍ସିଜେନ ଅଭାବରୁ ହାଲ୍କା ମୁକୁଳି ଭାରାକ୍ରାନ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଟିକିଏ ଥକା ମାରୁଥିବା ସମୟରେ ଚିନ୍ତାର କାରଣ ପାଲଟିଛି ବ୍ଲାକ ଫଙ୍ଗସ, ହ୍ୱାଇଟ ଫଙ୍ଗସ ଆଦିର ରାତାରାତି ଆଖିଦୃଶିଆ ସଂକ୍ରମଣ । ଗୋଟିଏ ରୋଗୀ ତୁରନ୍ତ ବେଡ଼୍ ଖଣ୍ଡେ ପାଇଯିବାର ଆଶାରେ ଆକୁଳ ପ୍ରତୀକ୍ଷା ଓ ପ୍ରାର୍ଥନା ଏଯାଏ ସରିନି l ଜାଗାଶୂନ୍ୟ ମଶାଣିରେ ଶବଦାହପାଇଁ ଲମ୍ବା ଲାଇନର ଦୃଶ୍ୟ ଏବେ ବି କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି l ଏହା ମଝିରେ ହୃଦୟ ଦୋହଲିଗଲା ଭଳି କିଛି ଖବର ଏମିତି ଆସୁଛି: ‘ଗଙ୍ଗାରେ ଭାସି ବୁଲୁଛି ଶହ ଶହ ଶବ’ l
ଦ୍ଵିତୀୟ ଲହରରେ ଭାଇରସର ସ୍ୱରୂପ ତଥା ଏହାର ଆୟୁଷକୁ ନେଇ ଅନୁସନ୍ଧାନ ଜାରୀ ରହିଥିବା ବେଳେ ନିକଟରେ ଭାରତର ମୁଖ୍ୟ ବିଜ୍ଞାନୀ ପରାମର୍ଶଦାତାଙ୍କ ଆକଳନ ଅନୁଯାୟୀ ତୃତୀୟ ଲହର ଆସନ୍ନ ପ୍ରାୟ ଏବଂ ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଶିଶୁ ଓ କିଶୋର l ଏ ଅନୁମାନକୁ ଆହୁରି ଦୃଢ଼ୀଭୂତ କରିଛି ନିକଟରେ ଜୟପୁର ଓ ସୁରତରୁ ଆସିଥିବା ଖବର l ଜୟପୁର ସହରରେ ମେ’ ମାସରେ ଆସିଥିବା ତଥ୍ୟ ଅନୁସାରେ ୨୨% ମୋଟ ଆକ୍ରାନ୍ତଙ୍କ ସଂଖ୍ୟାମଧ୍ୟରୁ ୨.୮% ଶିଶୁ (ଦଶବର୍ଷରୁ କମ) ଅଟନ୍ତି, ଯାହାକି ପ୍ରଥମ ଋତୁ ୨୦୨୦ ବର୍ଷରେ ମୋଟ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟାଠାରୁ ୪୬୪ ଜଣ ଅଧିକ l ସେହିପରି ସୁରତ ସହରରେ ସୁରତ ମହାନଗର ନିଗମର ତଥ୍ୟ ଅନୁଯାୟୀ ଦ୍ଵିତୀୟ ଲହରରେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ପ୍ରଥମ ଲହର ଠାରୁ ତିନିଗୁଣ ଅଧିକା ବଢିଛି l ଯଦିଓ, ଏମ୍ସ (AIIMS)ର ନିର୍ଦ୍ଦେଶକ ତୃତୀୟ ଲହରରେ ଶିଶୁମାନେ ସର୍ବାଧିକ ସଂଖ୍ୟାରେ ଆକ୍ରାନ୍ତ ହେବାର ଏ ଅନୁମାନକୁ ଅଯଥା ଭୟଉଦ୍ରେକକାରୀ ତଥା ସମ୍ପୂର୍ଣ୍ଣ ରୂପେ ତଥ୍ୟ ଆଧାରିତ ନୁହେଁ କହି ଏଡ଼େଇ ଯାଇଛନ୍ତି, ତଥାପି ଏ ଆଶଙ୍କାକୁ ହାଲୁକା ଭାବେ ନେବାର ସମୟ ଇଏ ନୁହେଁ, ଯାହା ଆପାତତଃ ଆମକୁ ଦ୍ଵିତୀୟ ଲହର ଶିଖେଇଦେଇଛି l ଆମ ଦେଶ ତଥା ରାଜ୍ୟମାନଙ୍କର ବିକଳ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନରୂପ ସାମ୍ନାକୁ ଆସିଲାପରେ ଭୋଟ୍-ପାୱାର-ପଲିଟିକ୍ସର ପଶା ଖେଳରେ ମାତି ରହିଥିବା ନିରୀହ ଜନତା ଅନ୍ତତଃ ଚେଇଁ ଉଠିଛନ୍ତି ଓ ସରକାରଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି l ଦଳ-ମତ ନିର୍ବିଶେଷରେ ସରକାରୀ ବ୍ୟବସ୍ଥା ବିରୋଧରେ ଏଭଳି ସମ୍ମିଳିତ ବିଦ୍ରୋହର ସ୍ୱର ପ୍ରାୟ ଆଗରୁ ଶୁଭିଥିବା ପରି ମନେ ହୁଏ ନାହିଁ l ପ୍ରଥମ ଲହର ପରେ ପରେ ସରକାର ସ୍ୱାସ୍ଥ୍ୟ ବଜେଟକୁ ଗୁରୁତ୍ୱ ଦେଇ ଗତ ବର୍ଷ ତୁଳନାରେ ୧୩୭% ବୃଦ୍ଧି କରିଥିଲେ ହେଁ, ଏହା ଅନେକ ବିକାଶଶୀଳ ତଥା ବିକଶିତ ଦେଶମାନଙ୍କଠାରୁ ଯଥେଷ୍ଟ କମ୍ ରହିଛି l
ମୃତ୍ୟୁର ଆଁ ଭିତରେ ଅଣନିଃଶ୍ୱାସୀ ହୋଇ ମଣିଷ ତ୍ରାହି ତ୍ରାହି ଡାକ ପକାଉଥିବା ସମୟରେ ଆମ ଶୈଶବ ଓ କୈଶୋର ଦୁହେଁ କିନ୍ତୁ ମାନସିକ ଅବସାଦର ବୋଝରେ ଚାପିହୋଇ ଯାଇଛନ୍ତି l ସେମାନଙ୍କ ଆଦ୍ୟ ଜୀବନର ପୁଲକ ଓ ରୋମାଞ୍ଚ ଏବେ ବନ୍ଦୀ ହୋଇଯାଇଛି ଘରର ଚାରିକାନ୍ଥ ଭିତରେ । ଅନେକେ ନିଜର ପିତାମାତାଙ୍କୁ ହରେଇ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି l ୟୁନିସେଫ (ନଭେମ୍ବର ୨୦୨୦)ର ଏକ ରିପୋର୍ଟ ଅନୁଯାୟୀ ଭାରତରେ ପ୍ରାୟ ୧.୫ ନିୟୁତ ସ୍କୁଲ ବନ୍ଦ ହେବାରୁ ୨୪୭ ନିୟୁତ ପିଲା ପ୍ରାଥମିକ ତଥା ମାଧ୍ୟମିକ ଶିକ୍ଷାରୁ ବଞ୍ଚିତ ହେବା ସହ ପ୍ରାୟ ୨୮ ନିୟୁତ ଶିଶୁ ଅଙ୍ଗନବାଡ଼ି ପ୍ରାକ୍-ବିଦ୍ୟାଳୟ ଶିକ୍ଷାରୁ ବ୍ୟତୀତ ହୋଇ ରହିଛନ୍ତି l ସାରା ବିଶ୍ୱରେ ୨୬୫ ନିୟୁତ ଶିଶୁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରୁ ଦୂରେଇ ରହିବା ଯୋଗୁଁ ସେମାନଙ୍କ ପୋଷଣ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହୋଇଛି l ରିପୋର୍ଟ ସ୍ପଷ୍ଟ କରିଛି ଯେ, ଯଦିଓ ଶିଶୁମାନଙ୍କ ଉପରେ କରୋନା ସଂକ୍ରମଣର ଆଧିପତ୍ୟ କମ୍ ରହିଛି, ତଥାପି ସେମାନଙ୍କ ଶିକ୍ଷା, ପୋଷଣ, ମାନସିକ ସ୍ୱାସ୍ଥ୍ୟ ତଥା ସର୍ବାଙ୍ଗୀନ ବିକାଶ ଉପରେ ଏହାର ଦୀର୍ଘମିଆଦୀ ନକାରାତ୍ମକ ପ୍ରଭାବ ଜୀବନକୁ ଭିନ୍ନ ମୋଡ଼ ଦେଇପାରେ, ଯାହା ଏକ ନୂଆପିଢ଼ି ପାଇଁ ଆଦୌ ଶୁଭଙ୍କର ନୁହେଁ l ଏବେ ତିନୋଟି ବାସ୍ତବ ଚିତ୍ର ଉପରେ ଧ୍ୟାନ ଦିଆଯାଉ ।
“ମା! ଆମ ସ୍କୁଲ କେବେ ଖୋଲିବ? ମୁଁ ବହୁତ ଦିନ ହେଲା ସାଙ୍ଗମାନଙ୍କୁ ଦେଖିନି..ଆମେ ସାଙ୍ଗ ହୋଇ ଖେଳିନୁ..ଏତେ ଦିନ ଘରେ ରହି ରହି ଚିଡଚିଡ଼ଲାଗିଲାଣି” : ଦ୍ଵିତୀୟ ଶ୍ରେଣୀ ପିଲାଟିର କଥା ଇଏ ।
“ସାର୍, ଆମ ଦଶମ ଶ୍ରେଣୀରେ ସ୍କୁଲ ବନ୍ଦ ହୋଇଗଲା, ଏବେ ପରୀକ୍ଷା ବି ବାତିଲ ହେଲା…ହେଲେ ଆମେ ଯେତିକି ପାଠ ପଢିବା କଥା, ଶିଖିବା କଥା ତାହା ତ ଅଧା ହୋଇ ରହିଗଲା…”: ଦଶମ ଶ୍ରେଣୀ ପିଲାଟିର ଉକ୍ତି ଏଇଟି l
“ପ୍ଲସଟୁ ପରୀକ୍ଷା ନିଶ୍ଚୟ ବାତିଲ ହେବା ଉଚିତ, କାରଣ ମ୍ୟାଟ୍ରିକ ପରୀକ୍ଷା ବି ବାତିଲ ହୋଇଗଲା…ଆମେ ପାଠ ପଢ଼ିବୁ ଅନଲାଇନରେ..ହେଲେ ପରୀକ୍ଷା କାହିଁକି ଦବୁ କ୍ଲାସରୁମରେ..?”: ପ୍ଲସଟୁ ଶେଷ ବର୍ଷ ଛାତ୍ରର କ୍ଷୋଭଯୁକ୍ତ ପ୍ରଶ୍ନ ଇଏl
ପ୍ରଥମ ଦୃଶ୍ୟରେ ମାନସିକ ଦୁଶ୍ଚିନ୍ତା ଆଉ ସାଙ୍ଗଠୁ ଦୂରେଇ ରହିବାର ଦୁଃଖରେ ବୁଡ଼ିଯାଇଛି ପିଲାଟି, କିନ୍ତୁ ଦ୍ଵିତୀୟ ଦୃଶ୍ୟରେ ଭବିଷ୍ୟତ ପାଇଁ ଶିକ୍ଷାର ଗୁରୁତ୍ୱ ଉପଲବ୍ଧି କରି ଖୁବ ସ୍ଵପ୍ନ ଦେଖୁଥିବା ପିଲାଟି ସମୟର ନିଷ୍ଠୁରତା ପାଖେ ହାରିଯାଇଛି l ତୃତୀୟ ଦୃଶ୍ୟ କିନ୍ତୁ କିଛି ଅଲଗା l ଏକ ନକାରାତ୍ମକ ସୁବିଧାବାଦୀ ମାନସିକତା ପ୍ରବେଶ କରିଆସିଛି ପିଲାଟିର ମନକୁ ଯେଉଁଥିପାଇଁ ସେ ଆଗରେ ପଡିଥିବା ନିଜର ଲମ୍ବା ଭବିଷ୍ୟତ କଥା ଭୁଲିଯାଇଛି l
କହିବା ବାହୁଲ୍ୟ, ଏହି ସମୟର ତିନୋଟିଯାକ ଦୃଶ୍ୟ ଆମ ଶୈଶବ ତଥା କୈଶୋର ଅବସ୍ଥାର l ଏଭଳି ପୃଥକ୍ ମନସ୍ଥିତି ପାଇଁ ଦାୟୀ ସେମାନେ ନିଜେ ନୁହନ୍ତି, ବରଂ ଏହା କରୋନା ଲହର ସମୟର ପ୍ରଲମ୍ବିତ ଛୁଟି ହେତୁ ବ୍ୟକ୍ତିତ୍ୱ ବିକାଶ ପାଇଁ ସମାନ ସୁଯୋଗ ନ ମିଳିବାଜନିତ ମାନସିକ ଅବସାଦର ଫଳଶ୍ରୁତି l ପରିସଂଖ୍ୟାନ ଅନୁସାରେ, ଭାରତରେ ଶିଶୁ ଓ କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱାସ୍ଥ୍ୟ ବଜେଟର ନଗଣ୍ୟ ଅଂଶ ଖର୍ଚ୍ଚ ହୁଏ (୦.୦୫% ରୁ ବହୁତ କମ), ଯାହା ସୂଚାଇଦିଏ ଯେ ଆମେ ଏଥିପ୍ରତି ବିଶେଷ ଭାବରେ ଚିନ୍ତିତ ନୋହୁଁ l ଆହୁରି ଆଶ୍ଚର୍ଯ୍ୟକର ଯେ, ଶିଶୁ ନିର୍ଯାତନା, ମାନସିକ ଅବସାଦ ତଥା ଶିଶୁ ଓ ଯୁବକ ଆତ୍ମହତ୍ୟାର ହାର ଅଧିକ ରହିଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଲେଖିଛି ଯେ ବିଶ୍ୱର ୯୩% ଦେଶର ଗୁରୁତ୍ୱପୂର୍ଣ୍ଣ ମାନସିକ ସ୍ୱାସ୍ଥ୍ୟ ସେବାରେ ବ୍ୟାଘାତ ଘଟିଛି କୋଭିଡ୧୯ କାରଣରୁ l
ଜଣେ ମନସ୍ତତତ୍ତ୍ୱବିତ୍ ଲେଖିଛନ୍ତି, କୋଭିଡ୧୯ ମହାମାରୀର ଶାରୀରିକ ଓ ଅର୍ଥନୈତିକ ପ୍ରଭାବ ହେତୁ ପ୍ରଥମଥର ତାଲାବନ୍ଦ ପରେପରେ ଶହ ଶହ ଯୁବକ ଓ ସେମାନଙ୍କ ପରିବାର ମାନସିକ ସ୍ୱାସ୍ଥ୍ୟ ସେବା ପାଇଁ ସାହାଯ୍ୟ ଲୋଡିଛନ୍ତି ଏବଂ ତନ୍ମଧ୍ୟରୁ ଅନେକ ଖୁବ୍ ଭୟଭୀତ ଓ ଦ୍ୱନ୍ଦ୍ୱାତ୍ମକ ଅବସ୍ଥାରେ ରହିଛନ୍ତି l ଦୈନନ୍ଦିନ ଜୀବନଚର୍ଯ୍ୟାର ପରିବର୍ତ୍ତନ ତଥା ବନ୍ଦୀ ସମ ଜୀବନଯାପନ ଯୁବକମାନଙ୍କ ଠାରୁ ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖୁବ୍ ଅଧିକ ନକାରାତ୍ମକ ପ୍ରଭାବ ପକାଇଛି l
କୋଭିଡ ସମୟରେ ପିତାମାତାମାନେ ନିଜ ଜୀବନ ଜୀବିକାକୁ ନେଇ ସଂଘର୍ଷ କରୁଥିବା ସମୟରେ ଯେଉଁ କ୍ଳାନ୍ତି ଓ କ୍ରୋଧପ୍ରବଣତାରେ ପିଲାମାନଙ୍କୁ କଠୋର ଅନୁଶାସନ ମଧ୍ୟରେ ବାନ୍ଧି ରଖିବାକୁ ଚେଷ୍ଟା କରିଛନ୍ତି ତାହା ପିଲାମାନଙ୍କ ଚହଲା ମନକୁ ଆହୁରି ଦୁର୍ବଳ କରିଦେଇଛି l ସପ୍ତାହ ରୁ ଦୁଇ ସପ୍ତାହ, ମାସରୁ ଦୁଇ ମାସ ଏମିତି ଲକଡାଉନ ଲାଗି ରହିବା ହେତୁ ପର୍ବପର୍ବାଣୀ, ଜନ୍ମଦିନ ପାଳନ, ବନ୍ଧୁବାନ୍ଧବ ମିଳନ ଇତ୍ୟାଦି ଅଟକି ରହିଛି । ପ୍ରତୀୟମାନ ହେଉଛି, ଏହି ମହାମାରୀ ହିଁ ନିରାଶା ଓ ହତାଶାର ଅଥଳ ଗହ୍ୱର ଭିତରକୁ ଟାଣିନେଇଛି ପିଲାମାନଙ୍କୁ l ଲୁଟିନେଇଛି ସବୁ ସ୍ୱାଧୀନତା, ସୁଖଦ ମୁହୂର୍ତ୍ତ ଏବଂ ଖୁସିର ଉତ୍ସମାନଙ୍କୁ l ସ୍କୁଲର ନିତିଦିନିଆ ଏକକ ଦିନଚର୍ଯ୍ୟା, ସାଙ୍ଗମାନଙ୍କ ସହ ଏକାଠି ବସି ଖାଇବା, ଖେଳପଡ଼ିଆରେ ଖେଳିବା, କଳି ଝଗଡ଼ା କରିବା ଇତ୍ୟାଦି କାର୍ଯ୍ୟକଳାପ ଆମକୁ ପାର୍ଥିବ ଓ ଧୂସରିଆ ଲାଗିପାରେ କିନ୍ତୁ ଏ ଗୁଡ଼ିକ ହିଁ ପିଲାଟିର ସୁସ୍ଥମନ ଗଢ଼ିବା ନିମନ୍ତେ ଆବଶ୍ୟକୀୟ ଭାବନାତ୍ମକ ସୁରକ୍ଷା ଏବଂ ସ୍ଥିରତା ପାଇଁ ମୂଳଦୁଆ ତିଆରି କରିଥାନ୍ତି l
ଅପରପକ୍ଷରେ ପିଲାମାନଙ୍କ ଉପରେ ମହାମାରୀର କୁପ୍ରଭାବକୁ ହ୍ରାସ କରିବା ନିମନ୍ତେ ସରକାରୀ ସ୍ତରରେ ଅନେକ ଉଦ୍ୟମ ଜାରୀ ରହିଛି l ଅନଲାଇନ ମାଧ୍ୟମକୁ ବ୍ୟବହାର କରି ପିଲାମାନଙ୍କୁ ଶିକ୍ଷା ପ୍ରଦାନ ନିମନ୍ତେ ଶାଗୁନ ଅନଲାଇନ ଜଙ୍କ୍ସନ (Shagun Online Junction) ଉପଲବ୍ଧ କରାଯାଇଛି l ଦୀକ୍ଷା (Diksha), ଇ-ପାଠଶାଳା (e-Paathsala) ପରି ଅନେକ ମୋବାଇଲ ଆପ୍ଲିକେସନ ଉପଲବ୍ଧ ହୋଇପାରିଛି; ପିଲାମାନେ ଏହାର ସୁଯୋଗ ନେଇ ଶିକ୍ଷା ଲାଭ କରୁଛନ୍ତି l ଦୂରଦର୍ଶନ ମାଧ୍ୟମରେ ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କପାଇଁ ବିଶେଷଜ୍ଞମାନଙ୍କ ଦ୍ୱାରା ଅନଲାଇନ କ୍ଲାସର ପ୍ରସାରଣ ହେଉଛି l
କିଛି ମାସ ତଳେ ମାନସିକ ସ୍ୱାସ୍ଥ୍ୟର କାଉନ୍ସେଲିଂ ତଥା ମନସ୍ତାତ୍ତ୍ୱିକ ସୁରକ୍ଷା ପାଇଁ ସିବିଏସଇ(CBSE) ଦ୍ୱାରା ‘ଦୋସ୍ତ ଫର ଲାଇଫ (Dost for Life)’ ମୋବାଇଲ ଆପ୍ଲିକେସନ ଉପଲବ୍ଧ ହୋଇଛି ଯାହା ଏବେ ଦଶମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଟେଲି କାଉନ୍ସେଲିଂ ପ୍ରକ୍ରିୟା ଆରମ୍ଭ କରିଛି l ବୌଦ୍ଧିକ ତଥା ମାନସିକ ବିକାଶର ନବନିର୍ମିତ ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ଏହା ଯଥେଷ୍ଟ ନହେଲେ ବି କିଛି ପରିମାଣରେ ପିଲାଙ୍କୁ ଯେ ନିୟୋଜିତ କରି ରଖିପାରିଛି, ଏତିକି ସାନ୍ତ୍ୱନା ମାତ୍ର l
କ୍ଷତିଗ୍ରସ୍ତ ପରିବାରର ଆର୍ଥିକ ସଂକଟକୁ ଗୁରୁତ୍ୱ ଦେଇ ସମ୍ପ୍ରତି ଓଡ଼ିଶା ସରକାର କୋଭିଡ କ୍ଷତିଗ୍ରସ୍ତ ଅନାଥ ହୋଇଯାଇଥିବା ଶିଶୁମାନଙ୍କ ପାଇଁ ମାଗଣା ଶିକ୍ଷା ପ୍ରଦାନ କରିବା ନିମନ୍ତେ ଘୋଷଣା କରିଥିବା ବେଳେ କେରଳ, ତାମିଲନାଡୁ, ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ, ଆସାମ, ଛତିଶଗଡ଼, ରାଜସ୍ଥାନ, ହିମାଚଳ ପ୍ରଦେଶ ପରି ଅନ୍ୟ ରାଜ୍ୟମାନେ ନିର୍ଦ୍ଦିଷ୍ଟ ବୟସ ସୀମା ପର୍ଯ୍ୟନ୍ତ ମାସିକ ସହାୟତା ରାଶି, ଷ୍ଟାଇପେଣ୍ଡ, ମୋଟା ଅଙ୍କର ଫିକ୍ସଡ ଡିପୋଜିଟ୍ ଆଦି ଅନେକ ଯୋଜନା ଘୋଷଣା କରିଛନ୍ତି l ପିଲାମାନଙ୍କର ଆର୍ଥିକ ବୋଝକୁ ଲାଘବ କରିବା ନିମନ୍ତେ କେନ୍ଦ୍ର ସରକାର ମଧ୍ୟ ପିଏମ କେୟାର୍ସ (PMCARES) ପାଣ୍ଠିର ସୁବିନିଯୋଗପୂର୍ବକ ସ୍ୱାସ୍ଥ୍ୟ ବୀମା ତଥା ବିନା ସୁଧରେ ଶିକ୍ଷାଋଣ ଯୋଗାଇଦେବା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ଓ ରାଜ୍ୟସରକାରମାନଙ୍କର ଏପରି ତୁରନ୍ତ ସହାୟତା ଘୋଷଣା ନିଶ୍ଚୟ ଏକ ଆଶ୍ୱାସନାଦାୟୀ ଉଦ୍ୟମ l ଏ ହତାଶା ଓ ନୈରାଶ୍ୟର ଭଉଁରୀ ଭିତରୁ ଏହା ସେମାନଙ୍କୁ କେତେ ଦୂର ଉଦ୍ଧାର କରି ପାରିବ ତାହା ତ ସମୟ କହିବ, କିନ୍ତୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟର ବିକାଶ ଦିଗରେ ଚିନ୍ତା କରିବା ଓ ସମ୍ବେଦନଶୀଳ ହେବା ନିମନ୍ତେ ଏଇଟି ଯେ ଏକ ସୁଯୋଗ ସୃଷ୍ଟି କରିଛି ଏକଥା ସ୍ଵୀକାର୍ଯ୍ୟ l
ଭୂକମ୍ପ, ସୁନାମି, ମହାବାତ୍ୟା ଆଦି ଦୁର୍ବିପାକ ଜନିତ କ୍ଷୟକ୍ଷତି କ୍ଷଣସ୍ଥାୟୀ ହୋଇଥିବା କାରଣରୁ ଏହାର ଆଶୁ ପରିପୂରଣ ପାଇଁ ବେଶୀ ସମୟଲାଗେନାହିଁ, କିନ୍ତୁ ଏ ମହାମାରୀର ଦୀର୍ଘକାଳୀନ ଘନଘଟା ବୟସ୍କମାନଙ୍କୁ ତଳିତଳାନ୍ତ କରି ସାରିଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହର ଯେ ଶୈଶବ ଓ କୈଶୋରର ଉପବନକୁ ଧ୍ୱସ୍ତବିଧ୍ୱସ୍ତ କରିଦେବା ପାଇଁ ଏକ ମତ୍ତଗଜ ପରି ଧାବମାନ, ଏ ଆଶଙ୍କା ହୁଏତ ଅମୂଳକ ନୁହଁ l ଅତଏବ ବେଳହୁଁ ସରକାର ସାବଧାନ ହେବା ସହ ଏହାର ଫଳପ୍ରଦ ମୁକାବିଲା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବା ବିଧେୟ l ଆମ ବୌଦ୍ଧିକ ତଥା ମାନବ ସଂସାଧନର ସୁବିନିଯୋଗପୂର୍ବକ ଆମେ କିପରି ଏକ ନିଉନର୍ମାଲ ବାତାବରଣ ପିଲାମାନଙ୍କୁ ଉପହାର ଦେଇପାରିବା ସେଥି ନିମନ୍ତେ ସାମୂହିକ ପ୍ରଯତ୍ନ ଆଜିର ଦିନରେ ଏକ ଜରୁରୀ ଆବଶ୍ୟକତା l
କିନ୍ତୁ, ପ୍ରଶ୍ନ ହେଉଛି- ଆମେ ଆମ ପିଲାମାନଙ୍କୁ ନେଇ ସତରେ କେତେ ଚିନ୍ତିତ !!!

ଲେଖକ ପରିଚୟ:
ଲେଖକ ଏବେ ଖେମୁଣ୍ଡି ଡିଗ୍ରୀ ମହାବିଦ୍ୟାଳୟ, ଦିଗପହଣ୍ଡି, ଗଂଜାମରେ ଭୂତତ୍ତ୍ଵ ବିଜ୍ଞାନର ଅଧ୍ୟାପକ ରୂପେ କାର୍ଯ୍ୟରତ l ଓଡ଼ିଆ ପ୍ରବନ୍ଧ ସାହିତ୍ୟ ପଢ଼ିବାରେ ରୁଚି ରଖନ୍ତି l
ଠିକଣା: ଭୂତତ୍ତ୍ଵ ବିଜ୍ଞାନ ବିଭାଗ, ଖେମୁଣ୍ଡି ଡିଗ୍ରୀ ମହାବିଦ୍ୟାଳୟ, ଦିଗପହଣ୍ଡି, ଗଞ୍ଜାମ, ଓଡ଼ିଶା, ପିନ୍-୭୬୧୦୧୨
ssn.kdc (at) gmail.com

Related Posts

2 thoughts on “ଆମ ପିଲାମାନେ ଏବେ ଭଲରେ ନାହାନ୍ତି

  1. ସମସାମୟିକ ସମସ୍ୟାବଳୀ ଓ ତତତ୍ଜନିତ ଯନ୍ତ୍ରଣା ର ଏକ ସଫଳ ରୂପାୟାନ ଲେଖାଟିରେ ବ୍ୟକ୍ତ ହୋଇଥିବାରୁ ସ୍ରଷ୍ଟାଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭକାମନା।
    ଜୟ ଜଗନ୍ନାଥ।

    1. Thank you very much for your valuable feedback, Dr. KC Pradhan.
      Stay safe. Jay Jagannath.

Leave a Reply

Your email address will not be published. Required fields are marked *