ପରିବର୍ତ୍ତନ ଦିଗରେ ଅଗ୍ରସର ଆମ ସାହିତ୍ୟ

ଈପ୍ସିତା ମହାନ୍ତି

     ସମୟ ସଦାକାଳ ପାଇଁ ପ୍ରବାହମାନ ଓ ପରିବର୍ତ୍ତନଶୀଳ।ପରିବର୍ତ୍ତନଶୀଳ ଏଇ ଆମ ଦୁନିଆ। ତା’ ସହ ତାଳ ଦେଇ ଆମ ଜୀବନ ବି ପରିବର୍ତ୍ତିତ ହୋଇଚାଲିଛି। ତେଣୁ ଆମ୍ଭେମାନେ ଏଥିରୁ ବାଦ ଯିବା ବା କିଭଳି ? ହେଲେ ଆମେ ଯଦି ଅତି ନିକଟରୁ ନିରିଖେଇ ଦେଖିବା, ତେବେ ଜାଣିପାରିବା ଯେ ପରିବର୍ତ୍ତନର ଏହି ସ୍ରୋତର ପ୍ରତ୍ୟେକଟି ନୂତନତା ଭିତରେ କିଛି ନା କିଛି ପୁରାତନ ସତ୍ୟ ମହକ ପ୍ରଦାନ କରୁଛି । ଗତକାଲିର ଦାର୍ଶନିକ ଜଗତରେ ଯାହାକୁ ‘ସତ୍ୟ’ ଏବଂ ‘ମାୟା’ ବୋଲି କୁହାଯାଉଥିଲା, ଆଜି ନୂତନ ବୈଷୟିକ ଯୁଗ ପାଖରେ ପହଞ୍ଚୁ ପହଞ୍ଚୁ ତାହା ଶାରୀରିକ ଓ ଭର୍ଚୁଆଲ ହୋଇଯାଇଛି। କେବଳ ଏତିକି ନୁହେଁ ଆଜି ପ୍ରକାଶିତ ହେଉଥିବା ବଛା ବଛା ପୁସ୍ତକ ବା ଗ୍ରନ୍ଥର ଦୁନିଆ ମଧ୍ୟ ଏହି ଶାରୀରିକ ଓ ଭର୍ଚୁଆଲ ଜାଲରେ ଛନ୍ଦି ହୋଇ ଚାଲିଛନ୍ତି। ଆଜିର ଯୁଗ ହେଉଛି କିଂଡଲ୍, ଆଇପଡ୍ ଓ ମୋବାଇଲର। ଆଜିର ଏହି ଯୁଗରେ ଇ-ପଠନ ଓ ଇ-ପ୍ରକାଶନର ଚାହିଦା ବି ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି। ଏହା ହିଁ ହେଉଛି ସାହିତ୍ୟିକ ବିପ୍ଳବ; ଯେଉଁଥିରେ କଲମ ଏବଂ କାଗଜ ଜଗତରେ ତୃତୀୟ ‘କ’ ଅର୍ଥାତ୍ କ୍ଲିକ୍ ପ୍ରବେଶ କରିସାରିଛି। ପ୍ୟାପିରସ୍ ନାମକ ଗଛର ପତ୍ରରୁ ଉଦ୍ଭାବିତ ହୋଇଥିବା ସେହି ଧଳା ଏବଂ ଇଷତ୍ ହଳଦିଆ ବର୍ଣ୍ଣର କାଗଜର ପୃଷ୍ଠାଗୁଡ଼ିକ ଆଜି ନୀଳ ପରଦାରେ ରୁପାନ୍ତରିତ ହୋଇଅଛି। ଅନୁମାନ କରାଯାଉଛି, ଗ୍ରନ୍ଥ ବା ବହିଗୁଡ଼ିକ ଖୁବ୍ ଶୀଘ୍ର ସ୍ମୃତିର ସିନ୍ଦୁକ ଭିତରେ ମୁକ ପାଲଟି ଯିବେ। ଲେଖାପଢା ତ ଜାରି ରହିବ, ହେଲେ ଆଗକୁ ନା ଆମ ହାତରେ ପ୍ରିୟ ବହିଗୁଡ଼ିକର ଭାର ଥିବ, ନା ଆମ କାନକୁ ପୃଷ୍ଠା ଲେଉଟାଇବାର ଶବ୍ଦ ଶୁଣାଯିବ। ଆଗକୁ ବହି କାଗଜର ସେଇ ସୁଗନ୍ଧ ବା ମହକ ବି ରହିବ ନାହିଁ। ପୁଣି ଆଗକୁ ନ ଥିବ ବହିର ବାହାନାରେ ବନ୍ଧୁମାନଙ୍କ ସହ ମିଳନର ଅବକାଶ କିମ୍ବା ସମୟ ବାଣ୍ଟିବାର ସୁଯୋଗ। କେବଳ ବନ୍ଧୁ କିମ୍ବା ବାନ୍ଧବୀଙ୍କ ମଧ୍ୟରେ ନୁହେଁ, ଏହି ଦୃଷ୍ଟିରୁ ପ୍ରେମିକ ଓ ପ୍ରେମିକାଙ୍କ ସମ୍ପର୍କରେ ବି ଭଟ୍ଟା ପଡିପାରେ। ଏହା ନିଶ୍ଚିତ ଯେ, ଏଭଳି ପରିସ୍ଥିତିରେ ବନ୍ଧୁ ବା ବାନ୍ଧବୀମାନେ ପରସ୍ପରକୁ କୌଣସି ପ୍ରକାରେ କ୍ଷମା ଦେବେ ନାହିଁ।    

             ଆମ ମଧ୍ୟରୁ ଅନେକଙ୍କର ଆଜି ବହି ମଧ୍ୟରେ ଫୁଲଟିଏ ଅବା ପତ୍ରଟିଏ ସାଇତି ରଖିବାର ସଉକ ରହିଛି।    ଠିକ୍ ସେହିଭଳି ଆସନ୍ତାକାଲି ବିଭିନ୍ନ ସଂଗ୍ରହାଳୟମାନଙ୍କରେ ପୁସ୍ତକଗୁଡ଼ିକୁ ସୁରକ୍ଷିତ ଭାବେ ସାଇତି ରଖାଯିବ ବୋଲି କେହିକେହି ଆକଳନ ଲଗାଇଲେଣି। ଯାହା ଅମୂଳକ ନୁହେଁ।  ତେଣୁ ଭବିଷ୍ୟତର ଲେଖାଲେଖି, ପଢାପଢି ଏବଂ ପ୍ରକାଶନର ଅବସ୍ଥା ସହ ବ୍ୟବସ୍ଥାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିବା ଏକ ସ୍ବାଭାବିକ କଥା। ଏ ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ବିଭିନ୍ନ ପ୍ରଶ୍ନର ସମ୍ମୁଖୀନ ହୋଇ, ଆମ ସାହିତ୍ୟ ନିଜର ଚତୁରତା ପୂର୍ଣ୍ଣ ରଣକୌଶଳ ସହ ସୂଚନା ପ୍ରଯୁକ୍ତିବିଦ୍ୟାର ରାଜପଥରେ ଦୌଡି ଚାଲୁଥିଲା। କିନ୍ତୁ ଆମ ନିକଟରେ ଅସମୟରେ ଆସି ପହଞ୍ଚିଥିବା ମହାମାରୀ ଏହାକୁ ଡିଜିଟାଲ୍ ବିପ୍ଳବ, ଓ୍ବବେନାର୍ ଓ ଇ-ସେମିନାର ନାମରେ ଏଭଳି ଏକ ପ୍ରେରଣା ଦେଲା, ଯାହାକୁ ଦେଖି ସୂଚନା ବିପ୍ଳବ ନିଜେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଛି। 

           ଯଦି ଦେଖାଯାଏ, ଏକବିଂଶ ଶତାବ୍ଦୀର ଏହି ପ୍ରଥମ ଦୁଇ ଦଶନ୍ଧି ଆମ ସାହିତ୍ୟ ଜଗତ ପାଇଁ କେବଳ ଭାଗ୍ୟଶାଳୀ ନଥିଲା ବରଂ ବହୁଳ ଲୋକପ୍ରିୟତା ସାଉଁଟିଛି। ଏହି ଦୁଇ ଦଶନ୍ଧିର ସମୟ ମଧ୍ୟରେ ସାହିତ୍ୟ ଜଗତରେ ଅନେକଗୁଡ଼ିଏ ପର୍ବ ଏବଂ ମେଳା ବା ଉତ୍ସବ ଆୟୋଜିତ ହୋଇଛି। ଯାହା ସାହିତ୍ୟ ଜଗତ ପାଇଁ ସ୍ବାଦ ଭରୁଥିବା ଲୁଣ ସଦୃଶ ସାବ୍ୟସ୍ତ ହୋଇଛି, ଅର୍ଥାତ୍ ଏସବୁ ହିଁ ସାହିତ୍ୟ ଜଗତରେ ସ୍ବାଦ ଭରିଦେଇଛି। ସାହିତ୍ୟ ଜଗତର ଏହି ଦୁଇ ଦଶନ୍ଧିରେ ଅନେକ କିଛି ନୂତନ ଘଟଣା ବି ଘଟିଛି। ପୁଣି ସମୟକ୍ରମେ ଏ କ୍ଷେତ୍ରରେ ଅନେକ ପୁରୁଣା ଜିନିଷ ନୂତନ ଧରଣର ପୋଷାକ ପିନ୍ଧିବାକୁ ଲାଗିଛନ୍ତି । ଅର୍ଥାତ୍ ଇତିମଧ୍ୟରେ ବିଭିନ୍ନ ଧରଣର ସାହିତ୍ୟରେ ବେଶଭୂଷା ଓ ପରିପାଟିରେ ଅନେକ ପରିବର୍ତ୍ତନ ଆସିଛି। ଆମକୁ ଏକଥା ଅବଶ୍ୟ ସ୍ବୀକାର କରିବାକୁ ପଡିବ ଯେ, ଏହି ଦୁଇ ଦଶନ୍ଧିରେ ସାହିତ୍ୟର ମାନ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। କେହିକେହି ଏକଥାକୁ ଅସ୍ବୀକାର କରି ପାରନ୍ତି କିନ୍ତୁ ଏହା ହିଁ ହେଉଛି ବାସ୍ତବତା। ଏହି ସମୟରେ ପାଠକଙ୍କ ସଂଖ୍ୟାରେ ଯଦିଓ ସାମାନ୍ୟ ମାତ୍ରାରେ ହ୍ରାସ ପାଇଛି କିନ୍ତୁ ବିପରୀତ ଦିଗରେ ଲେଖକଙ୍କ ସଂଖ୍ୟା ବୃଦ୍ଧି ଘଟିବା ଆମ ସାହିତ୍ୟ ଜଗତ ପାଇଁ ଖୁସିର ବିଷୟ। କଥା ହେଉଛି, ପାଠକ ନ ଥିଲେ ଲେଖକଙ୍କ ଲେଖା ପଢିବ କିଏ ?  ଏ କଥାର ଗୁରୁତ୍ଵକୁ ଉପଲବ୍ଧ କରି ଆମ ଲେଖକଗଣଙ୍କୁ ପାଠକଙ୍କ ପସନ୍ଦ-ଅପସନ୍ଦ, ରୁଚି-ଅରୁଚି ସବୁ ଖୋଜିବାକୁ ପଡିବ। ତେବେ ଯାଇ ପାଠକ ଆଦୃତ ଲେଖାର ସୃଷ୍ଟି ଘଟିବ। ଅନ୍ୟ ଦିଗରେ ପାଠକୀୟ ଆଦୃତି ଲେଖକଙ୍କୁ ପ୍ରେରଣା ଯୋଗାଏ। ଆଗକୁ ବଢ଼ିଚାଲିବା ପାଇଁ ଲେଖକଙ୍କ ମନରେ ଅଜସ୍ର ଉତ୍ସାହ ଭରିଦିଏ। କହିବାକୁ ଗଲେ, ଲେଖକଙ୍କ ବଳ ତଥା ଶକ୍ତି ହେଉଛନ୍ତି ପାଠକ ସମାଜ। ଲେଖକଙ୍କ ଏସବୁ ଲେଖା ଦ୍ବାରା ଆମ ସାହିତ୍ୟ ଭଣ୍ଡାର ପରିପୁଷ୍ଟ ହେବା ସହ ତାହାର ପରିସର ବଳିଷ୍ଠ ହୋଇ ପାରିବ। ମାତ୍ର ସବୁଠାରୁ ବଡ ପରିତାପର ବିଷୟ ହେଉଛି ; ଏହି ସମୟ ମଧ୍ୟରେ ବୈଷୟିକ ପ୍ରଗତି ନାମରେ ସାହିତ୍ୟ ସୃଷ୍ଟିର ବିଭିନ୍ନ କାହାଣୀରେ ଥିବା ଅନେକ ଚରିତ୍ର, ଦୃଶ୍ୟ, ରଙ୍ଗ ସହ ପରିଚିତ ଅନେକ ଶବ୍ଦକୁ ଆମେ ହରାଇ ଚାଲିଛୁ। ସେହିଭଳି ଏହି ସମୟରେ ପୌରାଣିକ ଚରିତ୍ରମାନଙ୍କର ଏକ ସୁନାମି ଆସିଛି। ପୁଣି ସାହିତ୍ୟର ବ୍ୟବସାୟିକ ତର୍କରେ ଭାଷାର ସୌନ୍ଦର୍ଯ୍ୟ ଆଜି ବହୁ ପଛରେ ପଡିଯାଇଥିବା ଭଳି ଅନୁଭବ ହେଉଛି।ଏହି ମାମଲାଟି ଏବେ ନୂଆ ବନାମ ପୁରୁଣା ସାହିତ୍ୟର ବିତର୍କର ମଞ୍ଚ ଉପରେ ପହଞ୍ଚି ଯାଇଛି। 

     କହିବା-ଶୁଣିବା, ଲେଖିବା-ପଢିବାର ଶୈଳୀ, ବାତାବରଣ ଓ ରଙ୍ଗଢଙ୍ଗରେ ଅନେକାଂଶରେ ପରିବର୍ତ୍ତନ ଘଟିଛି।  ଇଣ୍ଟରନେଟ୍ ମିଡିଆ କେବଳ ଲେଖା ନୁହେଁ ଲିଖନଶୈଳୀ ଏବଂ ପ୍ରକାଶନରେ ନୂତନ ସମ୍ଭାର ଆଣିଦେଇଛି।ଏଥିଯୋଗୁଁ ଯଦିଓ ସମୟ ଏବଂ ସ୍ଥାନର ଦୂରତାରେ ହ୍ରାସ ଘଟିଛି କିନ୍ତୁ ସମ୍ବେଦନଶୀଳତା ଏବଂ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣର ଫାଟଗୁଡିକରେ ବେଶ୍ ଗଭୀରତା ଦେଖାଦେଇଛି।ଇତିମଧ୍ୟରେ ରାଜନୈତିକ କ୍ଷେତ୍ରରେ ନିଜ ସ୍ଥାନକୁ ସୁଦୃଢ କରିବା ପାଇଁ ସାହିତ୍ୟ ଏକ ନୂତନ ସାଧନର ପଥକୁ ସନ୍ଧାନ କରିପାରିଛି। ଶ୍ରାବ୍ୟ ଗ୍ରନ୍ଥ ବା ପୁସ୍ତକର ଆଗମନକୁ ଆମେ ଏ କ୍ଷେତ୍ରରେ ଏକ ଭିନ୍ନ ଧରଣର ବିପ୍ଳବ ବୋଲି ବି କହି ପାରିବା। ଯାହା ଆଜି ଆମ ଆଖି ଏବଂ ହାତର ସମସ୍ତ ବ୍ୟାୟାମକୁ କାନର ତତ୍ତ୍ବାବଧାନରେ ଛାଡି ଦେଇଛି। ସମ୍ପ୍ରତି କେତେକ ଭାଷାରେ ଦୃଶ୍ୟଶ୍ରାବ୍ୟ ପତ୍ରିକାର ପ୍ରକାଶନ ବି ଆରମ୍ଭ ହୋଇସାରିଲାଣି। ଯେଉଁଥିରେ ଲିଖିତ ତଥ୍ୟ ଓ ସୂଚନାଗୁଡିକ ଜୀବନ୍ତ ଜୀବନ୍ତ ଲାଗୁଛନ୍ତି। ଯାହା ଆମ ପାଇଁ କମ୍ ବଡ ଉପଲବ୍ଧିର କଥା ନୁହଁ। 

        ଏସବୁ ହେଉଛି ଗତ ଦୁଇ ଦଶନ୍ଧିର ସାହିତ୍ୟ ଜଗତରେ ଘଟିଥିବା ଗୋଟିଏ ଗୋଟିଏ ଝଲକ ମାତ୍ର। ବର୍ତ୍ତମାନ ଆମେ ଯଦି ଏହି ଦୁଇ ଦଶନ୍ଧିର ସାହିତ୍ୟ ଜଗତର ଶିଖର ଉପରେ ଠିଆ ହୋଇ ଆଗକୁ ଚାହିଁବା, ତେବେ ସେଠାରୁ ଆମକୁ କଲମ ଧରିଥିବା ରୋବଟ୍ ଦୃଷ୍ଟି ଗୋଚର ହେବ। କହିବାକୁ ଗଲେ, ପ୍ରକୃତପକ୍ଷେ କୃତ୍ରିମ ବୁଦ୍ଧିମତ୍ତାର ବି ଏକ ସାମ୍ରାଜ୍ୟ ରହିଅଛି। ଯାହା ଆଜି, ଏହି ମୁହୂର୍ତ୍ତରେ ଏସବୁ ଆଲୋଚନା ମଧ୍ୟରେ ଦାବି କରେ ଯେ, ଆମେ ବୈଷୟିକ ପ୍ରଗତିକୁ ନିଜ ମୂଲ୍ୟହୀନତାର ଅସ୍ତ୍ର କରିବାକୁ ଯାଉଛେ ନା ତା’ର ନବୀକରଣ କରିବାକୁ ଯାଉଛେ। ପ୍ରକୃତରେ ନବୀକରଣ ଓ ଆଧୁନିକୀକରଣ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। 

            ସାମ୍ପ୍ରତିକ ସମୟର ସାହିତ୍ୟ ଜଗତରେ ଆଧୁନିକ କେବଳ ଏକ ବହୁ ଚର୍ଚ୍ଚିତ ଶବ୍ଦ ନୁହେଁ ବରଂ ବହୁଳ ଭାବେ ବ୍ୟବହୃତ ହେଉଥିବା ଏକ ଶବ୍ଦ। ତେବେ ଅନେକ ସମୟରେ ପ୍ରଶ୍ନ ଉଠେ, ଏହି ଆଧୁନିକ ଶବ୍ଦର ପ୍ରକୃତ ଅର୍ଥ କ’ଣ ?ଅନେକ ସାହିତ୍ୟ ସ୍ରଷ୍ଟା ତଥା ସାହିତ୍ୟିକଙ୍କ ମତରେ ଏହା ହେଉଛି ଏକ ନିର୍ଦ୍ଦିଷ୍ଟ ଶୈଳୀ। ଏଥିରେ ନୂତନତ୍ବର ଝଲକ ଦୃଶ୍ୟମାନ ହୋଇଥାଏ। ତେଣୁ ସ୍ପଷ୍ଟ ଭାବରେ ବୁଝିବାକୁ ହେବ ଯେ ପୁରାତନ ଶୈଳୀ ଠାରୁ ଯଦିଓ ଏହା ଭିନ୍ନ କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଭିନ୍ନ ନୁହେଁ। ହେଲେ ସାହିତ୍ୟର ବିଭିନ୍ନ କୃତି ଉପରେ ନଜର ପକାଇଲେ ଆମେ ବୁଝିପାରିବା, ପ୍ରତ୍ୟେକ ଯୁଗରେ ସୃଷ୍ଟି ହେଉଥିବା ବିଭିନ୍ନ ଧରଣର ସାହିତ୍ୟିକ ସୃଷ୍ଟି ସେହି ସମୟ ପାଇଁ ଆଧୁନିକ ବା ନୂଆ ହୋଇଥାଏ। କାହିଁକି ନା ଯେତେବେଳେ ସାହିତ୍ୟର ନିଜସ୍ୱ ପରିବର୍ତ୍ତନ ଘଟିଥାଏ, ସେତେବେଳେ ହିଁ ସାହିତ୍ୟରେ ଏକ ନୂତନ ଯୁଗର ଅୟମାରମ୍ଭ ଘଟିଥାଏ। ତେଣୁ କୌଣସି ପରିସ୍ଥିତିରେ ଆଧୁନିକତା ଏକ ସୀମିତ ସମୟ ମଧ୍ୟରେ ସୀମାବଦ୍ଧ ହୋଇନପାରେ। ଏହାର ବ୍ୟାପକତା ସୁଦୂର ପ୍ରସାରୀ।ସମୟାନୁସାରେ ଲିଖନ ସାମଗ୍ରୀ ସହ ଲିଖନ ଶୈଳୀରେ ପରିବର୍ତ୍ତନ ଦେଖାଯାଇଛି। ହେଲେ ଏବେ ବୈଷୟିକ ଜ୍ଞାନ ସହ ଯାନ୍ତ୍ରିକ କୌଶଳର ଉଦ୍ଭାବନ ଫଳରେ ସାହିତ୍ୟର ପ୍ରକାଶନ କ୍ଷେତ୍ରରେ ବି ଆଧୁନିକତାର ଛାପ ଦେଖିବାକୁ ମିଳିଲାଣି।

ଲେଖିକା ପରିଚୟ
ଓଡ଼ିଆ ସାହିତ୍ୟର ଜଣେ ଜିଜ୍ଞାସୁ ପାଠକ ଏବଂ ଓଡ଼ିଆ ସାହିତ୍ୟକୁ ନେଇ ସେ ବେଶ୍ ଗର୍ବିତ। ପ୍ରତିଷ୍ଠିତ ଦୈନିକ ଓଡ଼ିଆ ଖବରକାଗଜର ସେ ହେଉଛନ୍ତି ଜଣେ ନିୟମିତ ସ୍ତମ୍ଭ ଲେଖିକା। ସାମ୍ପ୍ରତିକ ଘଟଣାବଳୀ ଓ ଦେଶ ଦୁନିଆର ବିଭିନ୍ନ ସମସ୍ୟାବଳୀକୁ ନେଇ ଲେଖିବାରେ ସେ ବିଶେଷ ରୁଚି ରଖନ୍ତି।
ବୈପାରୀଗୁଡ଼ା, କୋରାପୁଟ, ପିନ୍ କୋଡ୍ – ୭୬୪୦୪୩ Email: imohanty.1991@gmail.com

Related Posts

Leave a Reply

Your email address will not be published. Required fields are marked *