ଡ. ଜ୍ୟୋତି ପ୍ରକାଶ ମହାପାତ୍ର

ଅଧା ଚିଠିଟାକୁ ପୁଣି ଆରମ୍ଭ କଲେ ମାନି । ଭାବିଲେ ଆଜି ସାରି ଦେଲେ ଯେମିତି ଆଜି ଡାକରେ ଯାଇ ପାରିବ । ଯେବେଠୁ ସିଦ୍ଧାର୍ଥର ମୋବାଇଲ୍ ଅନେକ ସମୟରେ ଉତ୍ତର ଦିଏନା, ତା’ପରେ ମାନି ଠିକ କରିଥିଲେ ବରଂ ଚିଠି ଲେଖିଦେବା ଭଲ । ସେଥିରେ ଅନେକ କଥା ଲେଖି ଦେଇ ହୁଏ । ଆଗରୁ ମାନି ଲେଖୁଥିଲେ ବି । ସ୍କୁଲର ପିଅନର ସଂସାରଠାରୁ ଆରମ୍ଭ କରି ଅରୁ ଦିଦିର ପ୍ରେମ କାହାଣୀ ସବୁ ଲେଖି ଦେଉଥିଲେ ସେ । କିନ୍ତୁ କ୍ରମଶଃ ଲାଗିଲା- ସିଦ୍ଧାର୍ଥ ବଂଚୁଥିବା ଜୀବନରେ ଏ ସବୁ ଘଟଣା ସତରେ କିଛି ପ୍ରଭାବ ପକାଉଛି ତ ! ସିଆଡ଼ିକା଼ ସଂସାର ପରିଧ ଭିତରେ ସତରେ ଆଉ କିଛି ଜାଗା ନିହାତି ବଳି ପଡ଼ୁଛି କି ଯାହା ଭିତରେ ଏ ପାଖର ଚରିତ୍ରମାନଙ୍କୁ ଖଂଜି ଦେଇ ହେବ ! ଏ ପାଖର ଚରିତ୍ରମାନେ କଣ ଆଉ ଆଗ ଭଳି ସିଦ୍ଧାର୍ଥଙ୍କ ପାଇଁ ଆଲୋଚନାର ଖୋରାକ୍ ବନୁଛନ୍ତି ?
ଏ ପାଖର ଚରିତ୍ରମାନେ କ୍ରମଶଃ ମାନିଙ୍କୁ ଲାଗିଥିଲେ ତାଙ୍କର । ଲୋଟେଇ ପଡ଼ିଥିବା ବର ଓହଳ ପଡ଼ି ଯାହା ତାଙ୍କୁ ହିଁ ଟାଣି ଧରିଛି । ଜୀଇଁବା, ବଂଚିବା, ହସିବା, ଗପର ଧାଡ଼ି ଯୋଡ଼ିବା- ସବୁ ତ ଏଇ ଚରିତ୍ରମାନେ । ଗୋଟେ ଗାଁ ସରକାରୀ ସ୍କୁଲରେ ଏକା ରହିଲା ବେଳେ ଏ ଚରିତ୍ରମାନେ ବରଂ ତାଙ୍କ କୁନି ସଂସାରର ଅଭିନ୍ନ ଅଙ୍ଗ ପାଲଟି ଯାଇଛନ୍ତି । ସ୍କୁଲର ପିଲାଟେର ଅଭିଭାବକର ସମସ୍ୟା ବି ତାଙ୍କୁ ନିଜର ଲାଗିଛି । ଯାହାକୁ ସମାଧାନ କରିବା ପାଇଁ ସେ ବି ତୟାର ହୋଇ ଯାଇଛନ୍ତି । ହେଲେ ବି ଏହି ଚରିତ୍ରମାନଙ୍କୁ ରଂଗ ଦେଇ ନିଜର ଏକା ସମୟ ନିମନ୍ତେ ସଜେଇଲେ ବି ଦୂରରେ ଥିବା ସିଦ୍ଧାର୍ଥର ସଂସାରରେ ସେମାନେ ଆଉ ଫିଟ୍ ହୁଅନ୍ତିନି । କେମିତି ଲାଗେସଂସାରର ଉଷୁମ ଖୋସା କୋଉଠି କୋଉ ବାଗରେ ହୁଏତ ମୁକୁଳା ହୋଇ ଯାଇଛି । ସେଇ ମୁକୁଳା ଖୋସାରେ ଚରିତ୍ରମାନେ ବେଫିକର୍ ହୋଇ ବୁଲନ୍ତି । ଯାହାଙ୍କୁ ସିଦ୍ଧାର୍ଥ ଆଉ ଅନେଇ ଯାଆନ୍ତିନି ।
ଭାବୁଥିଲେ ଲେଖି ଦେବେ- ଖରା ଛୁଟି ଆସୁଛି । ମ୍ୟାଟ୍ରିକ ଖାତା ଦେଖାରେ ମତେ ଯିବାକୁ ହେବ । ହେଲେ ସତରେ ଇଚ୍ଛା ନାହିଁ । ତମେ ମନେ ପଡ଼ୁଛ । ଭାରି ମନେ ପଡ଼ୁଛ । ଏକା ଏକା କଟୁନି ମୋ ସମୟ । ତମେ ଥିଲେ ସମୟକୁ କହିବାକୁ ପଡ଼େ ଧୀରେ ଧୀରେ ଚାଲିବାକୁ । ଏବେ ତ ଇଚ୍ଛା ସେ ଦଉଡ଼ି ଯାଉ । ମୋ ବଦଳି କଥା ଟିକେ ବୁଝ । କେତେ ଦିନ ମୁଁ ଆଉ ରହିବି ଏଇଠି ? କିନ୍ତୁ ଏ ସବୁ ଆଉ ଲେଖି ହୁଏନି । ଏ ନିପଟ ଗାଁର ମଣିଷମାନେ ସତେ ଯେମିତି ଚାଳିଶ କିଲୋମିଟର ଦୂରରେ ଥିବା ସହରଠାରୁ ହଜାରେ କୋଶ ଦୂରରେ । ବାସ୍ତବରେ ଆଉ ମନ ଗହୀରରେ ବି ।
ଜମା ସେ ଏଠିକୁ ଆସିବାକୁ ଚାହିଁ ନଥିଲେ । ପାଂଚ ବର୍ଷ ତଳେ ସିଦ୍ଧାର୍ଥ କହିଥିଲେ- ତମେ ଯାଅ । କେଇ ମାସ ରହିଥିବ, ବଦଳି କରି ନେଇ ଆସିବାନି । ସେତେବେଳକୁ ପୁଣି ବାହାଘରକୁ ଜମାରୁ ବର୍ଷେ ହୋଇ ନଥିଲା । ପରକୁ ପର ତିନି ବର୍ଷ ସିଦ୍ଧାର୍ଥ ଆସନ୍ତି ଛୁଟିରେ ନ ହେଲେ ଅଚାନକ ସଂଜରେ ଆଶ୍ଚର୍ଯ୍ୟ କରି ଦେଇ । ନ ହେଲେ ଟ୍ରେକର ପଛରେ ବସି ମାନି ପଳାନ୍ତି । ଚାରି କିଲୋମିଟର ତା’ ପୂର୍ବରୁ ପାଦରେ ଚାଲି ଚାଲି ଯାଇ । ଆଉ ଥରେ କେବେ ସେଇ କେଇ ମାସ ଭିତରେ ଯେବେ ଅମିତ୍ କଳ୍ପନାର ପରିଧି ଭିତରେ ଆସି ବୁଲିଗଲା, ତେଣିକି ମାସ ଗୁଡ଼ାକ ଯାହା ବର୍ଷକୁ ରୂପାନ୍ତରିତ ହୋଇ ଚାଲିଛି ।
ଏ ଗାଁକୁ ଯୋଡ଼ୁଥିବା ଧୂଳି ଉଡ଼ା ରାସ୍ତା ରକମ ଧୂଳି ଝଡ଼ରେ ପୋତି ହୋଇ ପଡ଼ିଛନ୍ତି ସେ, ରାସ୍ତାର ଦିଗ ବି ଖୋଜୁଛନ୍ତି । ବିଲ ଭିତରେ ଯାହା ନିରୁଦ୍ଧିଷ୍ଟ । ଦିଗ୍‌ବଳୟ ଯାଏ ଲମ୍ବି ଥିବା ରାସ୍ତାଟା । ଦେସାହି ଛାଡ଼ିଲା ପରେ ବାଟରେ ଆଉ କିଛି ନାହିଁ । ଖାଲି ଗୋଟେ ବିଲ କୂଅ । ଦି’ ଚାରିଟା ଚାକୁଣ୍ଡା ଗଛ । ପ୍ରଥମ ଥର ଏ ଗାଁକୁ ଆସିଲା ବେଳେ ମାନିଙ୍କୁ ଲାଗିଥିଲା ଧୂଳି ବୋଳା ଏ ରାସ୍ତା ବୋଧେ ସରେନି । ଚାଲିଥିବ ତ ଚାଲିଥିବ । ବସ୍ ରହଣି ଜାଗାରୁ ଓହ୍ଲେଇ କେଇ କିଲୋମିଟର ଚାଲି ଆସିବା ପରେ ପଡ଼େ ଖରସ୍ରୋତା ନଈ । ନଈ ପାର ହେବା ପରେ ବନ୍ଧ ଉପରେ ପୁଣି ଗୋଟେ ଲମ୍ବା ଅସନା ସଡ଼କ । ଆଉ ଶେଷକୁ ସେଇ ନଦୀ ବନ୍ଧରୁ ବାଟ ଭାଙ୍ଗି ଗଡ଼ି ଆସିଲେ ପ୍ରୀତିପୁରକୁ ରାସ୍ତା । ରାସ୍ତା ବୋଲି ବି ଠିକ କହି ହେବନି । ବିଲ ମଝିରେ ଯିଏ ଯୋଉଠି ଯୋଉ ଢଙ୍ଗରେ ଜାଗା ଛାଡ଼ିଛି, ସେଇଠି ମାଟି ପକେଇ ବିଲ ଛାତିଠୁ କେଇ ହାତ ଉପରେ ତିଆରି ହୋଇଥିବା ଗୋଟେ ମାଟି ବନ୍ଧ । ସେଇ ବନ୍ଧଟି ହିଁ ମାନି ଯୋଉ ଗାଁ ସ୍କୁଲକୁ ବଦଳି ହୋଇ ଆସିଲେ, ତା’ରି ଏକମାତ୍ର ଯୋଗାଯୋଗର ସାଧନ । ଅସରନ୍ତି ସେ ରାସ୍ତାରେ ଚାଲି ଚାଲି ଆସିଲେ ଆଗ ପଡ଼େ ଗାଁ ବଗିଚା । କେତୁଟା ଆମ୍ବ ଗଛ, ଦି’ ଚାରିଟା ପଣସ ଗଛ, ଗମ୍ଭାରୀ ଓ ଆପେ ଉଠିଥିବା ଡିମ୍ବିରି ଗଛକୁ ନେଇ ସେ ବଗିଚା । ରାସ୍ତାର ଯୋଉ କଡ଼ରୁ ବଗିଚା ଆରମ୍ଭ ହୁଏ, ଆର ପାଖରେ ସମାନ୍ତର ଭାବେ ଚାଲେ ‘ପାଟ ଅଗଣା’- ଗୋଟେ ନାଳ । ଦୁଇ ଗାଁ ମଝିରେ ଥିବା ପାଟକୁ ଆଗରୁ ସେଇ ବାଟେ ନଈ ପାଣି ପଶୁଥିଲା । ଏବେ ନାଳ ମୁହଁରେ ବନ୍ଧ ବାନ୍ଧି ଦେବା ଫଳରେ ପାଟ ଅଗଣା ଏକରକମ ମୃତ । ତଥାପି ବର୍ଷା ଦିନେ ସେଥିରେ ପାଣି ଜମେ । ବିଲରେ ଆର ପାଖ ଦେଇ ପାଣି ମାଡ଼ି ଆସିଲେ ସେଥିରେ ମାଛ ବି ପଶନ୍ତି । ମାର୍ଚ୍ଚ ଆସିଲା ବେଳକୁ ଯେତେବେଳେ ମାନିଙ୍କ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପରୀକ୍ଷା ଆରମ୍ଭ ହୁଏ, ସାରା ଗାଁଟା ସେଇ ନାଳରେ ପଶି ନାଳ ଗୋଳାନ୍ତି । କାଦୁଅ, ପାଣି ଚକଟି ମାଛ ଧରନ୍ତି । ଦି’ ତିନ ଦିନ ଧରି ଚାଲେ ଏ କାମ । କ୍ରମଶଃ ତା’ପରେ ପାଟ ଅଗଣା ଶୁଖି ଆସେ । ମାନିଙ୍କ ସ୍କୁଲରେ ଖରାଛୁଟିର ନୋଟିସ୍ ଲାଗେ ।
ଦଶମ ଓ ନବମ ଶ୍ରେଣୀ ଝର୍କାରୁ ପାଟ ଅଗଣା ସଫା ଦିଶେ । ଅନେକ ସମୟରେ ମାନି କ୍ଲାସ୍ ନେଉଥିବା ବେଳେ ସେ ଆଡ଼େ ଅନେଇ ଟିକେ ଅନ୍ୟମନସ୍କ ବି ହୋଇ ଯାଆନ୍ତି । ସ୍କୁଲଟି ଗାଁ ଆରମ୍ଭରେ । ଷଷ୍ଠରୁ ଦଶମ ଶ୍ରେଣୀଯାଏ ଗୋଟେ ହତା ଭିତରେ । ଧାଡ଼ି ଧାଡ଼ିକା ଆଜବେଷ୍ଟସ୍ ଘର । କଡ଼କୁ ବାତ୍ୟା ଆଶ୍ରୟସ୍ଥଳୀ । ଓ ହତା ଭିତରେ ଗାଁ ପୋଷ୍ଟ ଅଫିସ୍ । ଯାଜପୁରରୁ ଏଠିକୁ ଯେତେବେଳେ ହେଡ଼୍ ଦିଦି ଭାବେ ମାନିଙ୍କ ବଦଳି ହୋଇଥିଲା ଆଉ ମାନି ସିଦ୍ଧାର୍ଥ ସାଙ୍ଗେ ଏ ସ୍କୁଲ ଦେଖିବାକୁ ଆସିଥିଲେ, ଏକାଥରେ ସାଫ୍ ମନା କରି ଦେଇଥିଲେ ।
– ଚାକିରି ଛାଡ଼ିଦେବି ପଛେ ଏଠି ମୁଁ ରହିବିନି । ଦେଖୁଛ ଆମ ଗାଁକୁ ଠି ଆହୁରି ନିପଟ ।
ଆକଟ କରିଥିଲେ ସିଦ୍ଧାର୍ଥ । – କିଛି ଦିନ ରହିଯାଅ । ତା’ପରେ ଦେଖିବା କାହାକୁ କହି ବଦଳି କରି ନେଇଯିବା ।
– ନା ନା । ତମେ ସେଠି ଯାଜପୁରରେ ଏକା ରହିବ । କିଛି ବି ବୁଝିବାକୁ କେହି ନାହିଁ । ଏକା ବୋଉ । ବୁଢୀ ମଣିଷ । ପୁଣି ଏଠି ଗୋଟେ ନିର୍ଦ୍ଧୁମ ମଫସଲ । ନା ରାସ୍ତା । ନା ଆଲୁଅ । କଣ ମିଳିବ ? ଗୋଟେ ଚାକିରିରେ ଆମେ ଚଳିଯିବାନି କି ?
– ମୋର ତ ସପ୍ତାହକୁ ଦି’ ଦିନ ଛୁଟି । ମୁଁ ଚାଲି ଆସିବି । ବ୍ୟସ୍ତ ହୁଅନି । ଠିକ ହୋଇଯିବ । କେଇ ମାସ ଭିତରେ ପୁଣି ତମେ ତମ ପୁରୁଣା ସ୍କୁଲକୁ ଚାଲିଯିବ ।
ମାନି କିନ୍ତୁ ଜମା ଚାହୁଁ ନଥିଲେ । ଯାଜପୁରଠାରୁ ମାତ୍ର ତିରିଶ କିଲୋମିଟର ଦୂରରେ ଶାଶୂଘର ଗାଁ । ଯିବା ଆସିବା, ଥଟ୍ଟାମଜା, ସ୍ନେହ ଶ୍ରଦ୍ଧାରେ ଯାଜପୁର କେତେ ନିଜର ଲାଗୁଥିଲା । ଆଉ ଏଠି ଗୋଟେ ଅପନ୍ତରା ଗାଁ । ଶ୍ୟାମ ବେନେଗାଲ ସିନେମାର କାହାଣୀ ପରିକା ଅବିକଳ ଗୋଟେ ଗାଁ । ସ୍କୁଲ ଭିତରେ ଗୋଟେ କଣକୁ ବ୍ୟବହାର ନ ହୋଇ ପଡ଼ି ରହିଥିବା ଦୁଇଟା କ୍ଲାସ୍‌ରୁମ୍‌କୁ ମିଶେଇ, ସେଥିରେ ଚୂନ ଦେଇ ଏକରକମ କ୍ୱାର୍ଟରଟେ ବନେଇ ଥିଲେ ମାନି । ହେଡ଼୍ ଦିଦି ବନି ରହିଥିଲେ ।
ସବୁଦିନେ ଭାବିଥିଲେ ହୁଏତ ଏ ବର୍ଷ ବଦଳି ହୋଇଯିବ । ଧୂଳି ସଡ଼କରେ ନା କିଛି ସ୍ମୃତି ଥିବ ନା ଧୂଳିର ଇତିହାସ । ସବୁ ଛାଡ଼ି ସେ ଫେରିଯିବେ । ଏମିତି ପାଂଚ ବର୍ଷ ଚାଲିଗଲା । କ୍ରମଶଃ ଜୀବନଟା ବି ଧୂଳି ଉଡ଼ା ରାସ୍ତା ରକମ ବେରଂଗୀ ହୋଇ ପଡ଼ିଲା । ଯୋଉ ଘଟଣାରେ ନା ମୂଳ ନା ଶେଷ ସେ ଦେଖିଛନ୍ତି, ତା’କୁ ନେଇ କୋଉଠୁ କଥା ଆରମ୍ଭ କରିବେ ବୋଲି ହଜାର ବାର ସେ ଅଟକି ଯାଇଛନ୍ତି । କଥା ଗୁଡ଼ାକ ତ ସେଇଆ । ଆସନ୍ତି, ଧାଡ଼ି ବାନ୍ଧନ୍ତି । ପୁଣି କଣ ହୁଏ କେଜାଣି ତଂଟି ପାଖେ ସେଇ ଧାଡ଼ିରେ ଛିଡ଼ା ହୁଅନ୍ତି । ଢେର ଥର ଭାବିଛନ୍ତି ଏ ଥର ଫେରିଲା ବେଳେ ସବୁ ସଫା କରି ଦେଇ ଆସିବେ । ଏଣିକି ଯାହା ମନକୁ ଆସୁଛି, ଯେମିତି ସେତକ ଚିଠି ଉପରକୁ ଉତୁରି ଆସିବ । ହେଲେ ବିଦାୟ ବେଳାରେ କିଛି କହି ପାରି ନାହାନ୍ତି ବରଂ ସେସବୁ ତାଙ୍କୁ ରୁନ୍ଧି ପକେଇଛି । ମାନି କହିପାରି ନାହାନ୍ତି ।
ଚାରି ଧାଡ଼ି ଚିଠି ସରିଥିବ ପିଅନ ଆସି ଡାକିଲା ।
– ଦିଦି । ଦି ଜଣ ଗାଁ ଲୋକେ ଆସିଛନ୍ତି । ଆପଣଙ୍କୁ ଦେଖା କରିବେ ।
– କଣ ହେଇଛି କି ?
– ନା । କଣ ସେ ଗାଁ କଥା । ଆପଣ ଦେଖୁ ନାହାନ୍ତି ।
ସିଦ୍ଧାର୍ଥ ପାଇଁ ସବୁ ପୁରୁଣା ଭାବନା, ଯୋଖିଥିବା ଶବ୍ଦକୁ ରଖି ଦେଇ କାଗଜ କଲମ ଥୋଇ ମାନି ଉଠିଗଲେ । ଗାଁର ସାମଲ ବାବୁ ଆଉ ମାଇନର୍ ସ୍କୁଲ୍ ହେଡ୍‌ମାଷ୍ଟ୍ର । ସାମଲ ବାବୁ ସ୍କୁଲରେ ଅଭିଭାବକ କମିଟିରେ ମୁଖ୍ୟ ଅଛନ୍ତି । ରାଜନୀତିରେ ବି ପୋଖତ ।
ଭିତରକୁ ଡାକିଲେ ମାନି । – ଆସନ୍ତୁ । ଆସନ୍ତୁ ଭିତରକୁ । ଛୁଟି ଦିନରେ ଅଚାନକ ଜରୁରୀ କାମ ପଡ଼ିଲା କି ମୋ’ ଠି ?
ସାମଲ ବାବୁ ଆରମ୍ଭ କଲେ ସିଧା । ଅନେକ ଥର ମାନିକୁ ଲାଗିଛି ଏ ଲୋକଟା ସ୍କୁଲକୁ ଆସି ଅଧିକ କଥା କହୁଛି । ଏ ମୁହଁ ଖୋଲିଲେ ବନ୍ଦ କରନ୍ତିନି ବୋଧେ ।
– ନାଇଁ ସ୍କୁଲରେ ସେ ଯୋଉ ରାନ୍ଧୁଣିଆ ସ୍ତ୍ରୀ ଲୋକଟା ଅଛି, ରମା ତା’ରି କଥା ପାଇଁ ଆସିଥିଲୁ । ଭାବିଲୁ ଆପଣଙ୍କୁ ଆଗ କହିଦେଲେ ଭଲ । ଗାଁ କଥା ତ କେତେବେଳେ କଣ ହେବ !
– ହଁ ରମା । କଣ ହୋଇଛି କି ତା’ର ? ମାନି ଟିକେ ଆଶ୍ଚର୍ଯ୍ୟ ହେଲେ ।
-ଏ ସ୍କୁଲରେ ଥିବା ପୋଷ୍ଟମାଷ୍ଟର ସାଙ୍ଗେ ସେ କାଲି ରାତିରେ ଧରା ପଡ଼ିଛି । ସ୍କୁଲଟା ତା’ ପାଇଁ ବଦ୍‌ନାମ ହେବ କି ଆଉ ?
ମାନି ଆହୁରି ଅବାକ୍ ହୋଇଗଲେ । ଏ ସବୁ ଶବ୍ଦକୁ ନେଇ । – ଧରା ପଡ଼ିଛି ? ଧରା ପଡ଼ିଛି ମାନେ କଣ ? ସଫା କହୁ ନାହାନ୍ତି ।
-ସଫା କଣ ଆଉ ଦିଦି । ଏ ସବୁ ଲାଜ କଥା । ସଫା କି କହି ହୁଏ ।
-ତଥାପି କୁହନ୍ତୁ ତ । ପଚାରି ସାରିଲା ପରେ ମାନିଙ୍କୁ ଲାଗିଲା ଏପ୍ରଶ୍ନ ନ ପଚାରି ଥିଲେ ବୋଧେ ଭଲ ହୋଇ ଥାଆନ୍ତା ।
– ଆମ ଗାଁ ପିଲାଙ୍କ ସନ୍ଦେହ ଥିଲା ତା’ ଉପରେ । ମାନେ ସେ ପୋଷ୍ଟମାଷ୍ଟର ଉପରେ । ଅଧା ବୁଢା ଲୋକଟା । ରମା ଘରକୁ ବି ସେ ଯିବା ଆସିବା କରୁଥିଲା । କାଲି ରମା ଘରେ କେହି ନଥିଲେ । ସେ ପଶିଥିଲା । ଧରି ପକେଇଲେ ଆମ ପିଲାଏ । ଏଇ କଥା ଆଉ କଣ? ରମା ସ୍ଵାମୀ ଆସି ଜାଣିବା ପରେ ପାଟିତୁଣ୍ଡ କରୁଛି । ମାରଧର ବି କରିପାରେ । ତେଣୁ ମୁଁ ଭାବୁଥିଲି…
– କଣ ଭାବୁଥିଲେ ? କୁହନ୍ତୁ । ମାଇନର୍ ସ୍କୁଲ୍ ହେଡ଼୍‌ମାଷ୍ଟ୍ର ଏଥର ପଶିଲେ ।
– ସ୍କୁଲ୍ ଭିତରୁ ପୋଷ୍ଟ ଅଫିସ୍‌ଟା ଉଠେଇ ଦେବା। ସେମାନେ ଯାଆନ୍ତୁ। ଘର ଭଡ଼ା ନିଅନ୍ତୁ। ଅଲଗା ଜାଗାରେ ରୁହନ୍ତୁ। ରମା ତ ଏଇ ଗାଁ ମାଇପି । କଥାଟା ଅଡ଼ୁଆ ହେଉଛି । ତା’ ବଦଳରେ ଆଉ ଜଣେ କାହାକୁ ମୁଁ ବୁଝିଦେବି । ସିଏ ରହିଲେ ଭଲ । କାଇଁ ଆମେ ସମସ୍ୟାରେ ପଶିବା ? ଆପଣ ଥରେ ତା’ ସ୍ଵାମୀକୁ ଡାକି ଖାଲି ବୁଝେଇ ଦେବେ । ଏକାଥରେ ଉପସଂହାରକୁ ଆସିଗଲେ ହେଡ଼୍‌ମାଷ୍ଟ୍ର । ବୋଧହୁଏ ଏ ସବୁ ଆଗରୁ ଆଲୋଚନା ସରିଥିଲା । ଖାଲି ନିଷ୍ପତି ଜଣେଇବା ପାଇଁ ସେମାନେ ଆସିଥିଲେ ବୋଲି ମାନିଙ୍କୁ ଲାଗିଲା ।
– ହେଲେ ମୁଁ ତା’ ସ୍ଵାମୀକୁ କଣ ବୁଝେଇବି ? ପୋଷ୍ଟ ଅଫିସ୍ କଥା ଜୁଲାଇରୁ କରିଦେବା । ତା’ ସ୍ଵାମୀ କଥା ଆପଣମାନେ ବୁଝନ୍ତୁ। ମୁଁ ବାହାର ଲୋକ। ଗାଁ ମାମଲାରେ ପଶିବା ଭୁଲ ହୋଇଯିବ।
– ଆପଣ ତ ଆମ ଗାଁ ମଣିଷ । ପାଂଚ ବର୍ଷ ହେଲାଣି ଆପଣ ଏଇଠି । ଆମ ସ୍କୁଲରେ । ତା’ପରେ ମାଇପି କଥା । ଆପଣ ପାଠଶାଠ ପଢିଛନ୍ତି । ଦି’ପଦ କହିଦେଲେ କାମ ଶେଷ । ପରେ ସବୁ ଆମେ ଦେଖିନେବୁ ।
– କିନ୍ତୁ ମୁଁ କଣଟା କହିବି ?
– କିଛି ନାଇଁ । ସେ ଦି ଜଣ ସ୍ଵାମୀ ସ୍ତ୍ରୀ ଆସିଯିବେ । ଆପଣ ସଫା ସଫା କହିଦେବେ । ହାଇସ୍କୁଲ ଦିଦି କହିଲେ ବେଶି ଝଡ଼ ହେବନି । ମୁଁ ଏ ଗାଁ ଲୋକ ନା । ଆପଣ ଆଗ କହିଦେଲେ ତେଣିକି ସୁବିଧା । ମାନି ଭାବୁଥିଲେ ନିଜ କଥା । ଅଟକେଇ ନେଲେ । କହିଲେ- ହଉ ।
– ଆମେ ଉଠିଲୁ । ଦି’ ଜଣ ଯାକ ଚାଲିଗଲେ ।
ମାନି ଫେରି ଆସିଲେ ନିଜ କଲମ ଓ ଚିଠି ପାଖକୁ । ଅନ୍ୟମନସ୍କ ହୋଇଗଲେ । ସଂସାରଟା ସଫା ସଫା ଚାଲେନି କାହିଁକି ? ଏତେ ଗୋଳିଆମିଶା କାହିଁକି ତା’ ଦିହରେ ପଶେ । ଥରେ ଦଉଡ଼ି ଛିଡ଼ିଲେ ସେଥିରେ ଗଣ୍ଠି ତ ପଡ଼ିବ ନା । ଯେମିତି ଗଣ୍ଠିଟେ ସିଦ୍ଧାର୍ଥ ଓ ତାଙ୍କ ସଂସାରରେ ପଡ଼ିଛି । କେବେ ଗୋଟେ ବସନ୍ତ ଆସିଥିଲା । ମାନି ଦେଖିଛନ୍ତି । ଅନୁଭବ କରିଛନ୍ତି । ସ୍କୁଲ ହତା ଭିତରେ ନିମ୍ବ ଗଛଟା ଫୁଲରେ ଲଦି ହୋଇ ପଡ଼ିଥିଲା । କୁନି କୁନି ନାକ ଫୁଟୁକି ପରି ଫୁଲ । କୃଷ୍ଣଚୂଡ଼ା ଗଛରେ ନାଲି ନାଲି ଅଳ୍ପ ଟିକେ କଣ ଉଇଁ ଆସୁଥିଲା । ଅମିତ୍ ଆସିଥିଲା ସେତିକି ବେଳେ । ବସନ୍ତ ସାଙ୍ଗରେ । ଏ ପୋଷ୍ଟ ଅଫିସ୍‌କୁ । ବଦଳି ହେବାର ନିଶା ନେଇ ।
ସଂପର୍କ କି ମାପିଚୁପି ଗଢି ହୁଏ ? ଏକେଲା ମଣିଷ ତ ତୁଣ୍ଡଟେ ଖୋଜେ । କୋଉଠୁ କିଛି ଶବ୍ଦ ଆସୁଥିବ । ସେ ଶୁଣିବ । ସ୍ୱର ବାରିବ । ଆଉ ଯୋଡ଼େ କାନ । ଯିଏ ତା’ କଥାକୁ ସେଇ ବାଟ ଦେଇ ଭିତରକୁ ନେଇ ପାରୁଥିବ । ହେଲେ ଖାଲି କେଇ ପଦ କଥା । ଏ ପଟର ଆଉ ସେ ପଟର । ମନ ଗହୀରର ନୁହେଁ । ଶବ୍ଦର ଧାଡ଼ି ଆସିଲା ବେଳେ ଆଉ କିଛି ସେଥିରେ ଯୋଡ଼ି ହୋଇ ଆସିଯାଏ । ଆସେ ତ । ଆସିବ । ଭାବନା ଖାଲି ଏକେଲାପଣର । ବଂଚୁଥିବା ଜୀବନର କେତୁଟା ମନମୁଗ୍ଧକର ଅନୁଭୂତି । ପୁରୁଣା ଦିନର । କେତେବେଳେ ହସ ଆସିଥିଲା ଅଚାନକ ଜୀବନକୁ ଚଇତି ପୁନେଇ ଜହ୍ନ ରକମ ଆଲୋକିତ କରି । ଚଇତି ଜହ୍ନରେ ପବନ ସାଙ୍ଗେ ସେତେବେଳର ଗପ । ଆଉ ଅମାବାସ୍ୟାର ଅନ୍ଧାର ପରି ରୁନ୍ଧି ପକୋଉ ଥିବା ଲୁହ । ଲୁହ ଯାହା ନିହାତି ଅନ୍ତରଂଗ । ବାସ୍ ସେତିକି ଯାହା । ଦି’ ଜଣ ଏକା ମଣିଷ କିଛି ତ କଥା ହେବେ । ଆଉ ଖରା ଛୁଟି ଆସୁ ଆସୁ ଅମିତ୍ ନିଜ ବଦଳି କରି ନେଇଥିଲା । ଦି’ ତିନି ମାସର କଥା । ତା’ ଭିତରେ କୋଉଠି କିଛି ଅସଜଡ଼ା ହେଲା ପରି ଲାଗିନି ମାନିଙ୍କୁ ।
ହେଲେ ଏ ପ୍ରଶ୍ନ କିନ୍ତୁ ଉଠିଥିଲା ଠିକ ପରେ ପରେ । ବାରବାର ଉଠିଛି। ମାନି ଜାଣିଛନ୍ତି ଉଠିବ ବି । -କିଏ ସେ ଅମିତ୍ ? କଣ ସଂପର୍କ ଥିଲା ତମର ତା’ ସାଙ୍ଗେ? ସିଧା ପ୍ରଶ୍ନ ଆସୁଥିଲା ଆଗରୁ। ଏବେ ସେ ପ୍ରଶ୍ନ ସିଦ୍ଧାର୍ଥ ଓ ତା’ ଭିତରେ ଝୁଲେ । ଛୁଟିରେ ଗଲେ ନିରବରେ ସେ ପ୍ରଶ୍ନ ଝୁଲୁଥାଏ । ଉତର ଚାହୁଁଥାଏ ସିଦ୍ଧାର୍ଥ । ହେଲେ ମାନିଙ୍କ ପାଖେ ସଫା ସଫା ଥିଲେ ସିନା ।
ଚିଠି ଲେଖିବା ଆରମ୍ଭ କଲେ । ‘ବୋଉଙ୍କ ଯତ୍ନ ନେଉଥିବ । ବୟସ ବଢିଲାଣି । ତାଙ୍କ ସାଙ୍ଗେ ସଂଜକୁ ବସିବ । ଚାହା ସାଙ୍ଗ ହୋଇ ପିଇବ । ବେଳେବେଳେ ତାଙ୍କୁ ଟିକେ ମନ୍ଦିର ବୁଲେଇ ଆଣିବ । ଔଷଧ ଠିକ ସମୟରେ ଆଣି ଦେବ ।’ ଆ’ପରେ ଆଉ କଣ ଲେଖାଯାଇ ପାରେ । ଆଉ କିଛି ବଳୁଛି କି ଲେଖିବା ପାଇଁ । ବୋଧେ ହଁ । ବୋଧେ ନା । ଭାବିଲେ ଏକା କଣ ଦି’ଟା ରାନ୍ଧି ଦେଲେ ସଂଜକୁ ଗାଁ ମନ୍ଦିର ଆଡ଼େ ବୁଲି ଆସିବେ । ବହୁ ଦିନ ହେଲାଣି ନଈ କୂଳରେ ସେ ମନ୍ଦିରକୁ ମାନି ଯାଇ ନାହାନ୍ତି। ନଦୀ ବନ୍ଧ ଦେଇ କିଛି ବାଟ ଚାଲି ଗଲେ ପଡ଼େ ଫାଙ୍କା ଜାଗାଟେ । ସେଇଠି ମନ୍ଦିର । ଆଉ ଦି’ଚାରିଟା ବକୁଟେ ବକୁଟେ ଦୋକାନ । ମଫସଲି ଛକ । ସଂଜ ନଇଁ ଆସିଲେ ଭିଡ଼ ଜମେ । ତାଙ୍କ ସ୍କୁଲର ସାର୍‌ମାନେ ବି ବସନ୍ତି । ଢେର ରାଜନୀତି ଆଲୋଚନା କରୁଥିବା ବିଷୟ ସେଇ ପିଅନଟି ଆସି କହେ ।
ଗୋଟେ ଗାଁ ସ୍କୁଲର ମାଷ୍ଟର ଜଣକ ରାଜନୀତିର କେନ୍ଦ୍ରବିନ୍ଦୁ କହିଲେ ଚଳିବ । ମଫସଲି ଅର୍ଥନୀତିରେ ଗାଁର ମାଷ୍ଟର ଜଣକ ଭଲ ରୋଜଗାର କରୁଥିବା ଜଣେ ସରକାରୀ ଚାକିରିଆ । ଧାର ଉଧାର, ନେଣ ଦେଣ ସବୁ ତାଙ୍କ ଦେଇ ହୁଏ । ନିଶାପରେ ସେ ଆଗରେ ବସନ୍ତି । ପୁଣି କୋଉ ନେତା ଗାଁକୁ ବୁଲି ଆସିଲେ ତାଙ୍କ ଘରେ ବସେ । ରାଜନୀତି ଆଲୋଚନା ହୁଏ । ଚାହା ପିଆ ବି । ରାଜନୀତି ଓ ଅର୍ଥନୀତିର ଗୋଟେ ଜବର ମଣିଷ ଗାଁ ସ୍କୁଲ ମାଷ୍ଟର । ବୋଧେ ସେଇ କାରଣରୁ ଏମାନେ ଆଜି ଆସିଥିଲେ ତାଙ୍କୁ କହିବାକୁ । ମହିଳା ଜଣକ ସେ ମାମଲାରେ ଅଛି ବୋଲି ବୋଧେ ତାଙ୍କୁ ପଚରାଉଚୁରା ।
ସିଦ୍ଧାର୍ଥର ପ୍ରଶ୍ନର ଉତର ଖୋଜୁ ଖୋଜୁ ସେ ଯେତେ ଅନ୍ୟମନସ୍କ ହୁଅନ୍ତି, ସଂଜବେଳ ସେତିକିରେ କଟିଯାଏ । ଆଗରୁ ବେଶି ଅନ୍ୟମନସ୍କ ହେଉଥିଲେ । କୂଳକିନାରା ପାଉ ନଥିଲେ ନିଜ ଭାବନାର । କିଛି ଜୁଟୁ ନଥିଲା ମୁଣ୍ଡକୁ । କୋଟିଏ ଥର ନେହୁରା ହୋଇଥିବେ- ସେ କିଛି ନଥିଲା । କିଛି ବି ନୁହେଁ । ତମେ ଭୁଲ ଭାବୁଛ । ତମୁକୁ ବାଦ୍ ଦେଇ ମୋ ଜୀବନଟା କଣ କହିଲ? ତମୁକୁ କେନ୍ଦ୍ରକରି ବଂଚିବା । ଆଉ ବାଟ ଚାଲିବା । ତମେ କାହିଁକି ମୋ କଥା ବୁଝୁନ ? ସଂଜବେଳେ, ରାତିରେ ଖାଉ ବି ନଥିଲେ । ଏକେଲା ଏଇଠି ମୁହଁ ମାଡ଼ି କାନ୍ଦୁଥିଲେ । ଭୋ ଭୋ ହୋଇ । ଉଷୁମ ଖୋସାର ମୁକୁଳା ଦିଗକୁ ଚିହ୍ନୁଥିଲେ । ପରେ ଟିକେ କମି ଯାଇଥିଲା ।
– ଦେଖ ତମେ ମତେ ସନ୍ଦେହ କରନି । ତମେ କେମିତି ଏ କଥା ଭାବି ପାରୁଛ ?
କଲେଜ ବେଳେ କେତେ କଥା, କେତେ ପ୍ରତିଶ୍ରୁତି, କେତେ ଭଲ ପାଇବା କି ଭୁଲି ହୁଏ ଗୋଟେ ଜୀବନରେ ? ଦି’ଜଣ ଯାକ ସାଙ୍ଗ ହୋଇ ପଢୁଥିଲେ ଗୋଟେ କଲେଜରେ । ଅବଶ୍ୟ ଅନର୍ସ ଅଲଗା ଥିଲା । ସିଦ୍ଧାର୍ଥ ଫିଜିକ୍ସ ପଢୁଥିବା ବେଳେ ମାନିଙ୍କର ଓଡ଼ିଆ ଥିଲା । ମେସ୍‌ରେ ରହୁଥିଲେ ମାନି । ଅନିତା ଗାର୍ଲସ୍ ମେସ୍ । ଆଉ ସିଦ୍ଧାର୍ଥ ଅନନ୍ତ ଗୋପାଳ ମେସ୍‌ରେ । ୟୁନିଭର୍ସିଟି କବିତା ଲେଖା ପ୍ରତିଯୋଗିତରେ ଦେଖା । ପ୍ରତିଯୋଗିତାରେ ମାନି ବାଜି ମାରି ନେଇଥିଲେ । ସିଦ୍ଧାର୍ଥ ଦ୍ୱିତୀୟ ସ୍ଥାନରେ ରହିଥିଲେ । ତାଙ୍କରି କଲେଜ ତିନିଟାରୁ ଦୁଇଟି ପୁରସ୍କାର ପାଇଥିଲା । ପ୍ରନ୍ସିପାଲ୍‌ଙ୍କୁ ଦେଖା କରି ଫେରିବା ପରେ ଉଭୟ ପ୍ରଥମ ଥର କଲେଜ ବାଲକୋନୀରେ ଫିଜିକ୍ସ ଡିପାର୍ଟମେଂଟ ସାମ୍ନାରେ କଥା ହୋଇଥିଲେ। ସେଇଠୁ ପରକୁ ପର ତା’ ଦିହରେ ଯୋଡ଼ି ହୋଇଥିଲା ଅନେକ ଅଧ୍ୟାୟ। ଅସୁମାରି ଭଲ ପାଇବା । ବିରଜାଙ୍କ ମନ୍ଦିରରେ ସିଦ୍ଧାର୍ଥ ପାଇଁ ହଜାରେ କୋଟି ପ୍ରାର୍ଥନା । ବୈତରଣୀ କୂଳରେ ସାଙ୍ଗମାନଙ୍କଠାରୁ ବାରି ହୋଇ ଗପିବା ଆଉ ଗପ ସରିବା ପରେ ଅବ୍ୟକ୍ତ କଥା ରହି ଯାଉଥିବାର ମର୍ମାନ୍ତକ ଅନୁଭୂତି ।
ସିଦ୍ଧାର୍ଥ ଲେଖିଥିଲେ
ତୁମକୁ ମୁଁ ଭଲ ପାଏ
କଳ୍ପନାର ଶେଷ ସୀମାନ୍ତରେ,
ତୁମକୁ ମୁଁ ଭଲ ପାଏ
ଦିଗବଳୟ ନାଲି ସୂର୍ଯ୍ୟ ଟୋପା ବାହାରେ
ତୁମକୁ ମୁଁ ଭଲ ପାଏ ପୁଣି
ସଂଜ ଆକାଶର ନିଅନ୍ ଆଲୁଅ ନିଭେଇ
ତୁମକୁ ମୁଁ ଭଲ ପାଏ
କାର୍ତିକର ମୁରୁଜରେ ସପ୍ତରଂଗୀ ଅବିର ମିଶେଇ ।

ସେ କବିତା ଅଛି । ସିଦ୍ଧାର୍ଥ ଯେଉଁ ପୁରୁଣା କାଗଜରେ ଗୁରୁ ମହାନ୍ତି ଢାଂଚାରେ କବିତା ଲେଖୁଥିଲେ ତାକୁ ବି ମାନି ତମାମ ଜୀବନ ସାଇତି ରଖିବେ । ଶବ୍ଦ ଅଛି । ଧାଡ଼ି ଅଛି । ଅନୁଭବ ବୋଧେ ରାସ୍ତାରେ କୋଉଠି ଖରାରେ ଆଉଜି ଶୋଇ ପଡ଼ିଛି । ମାନି ତା’ପରେ ବି.ଇଡ଼ି କରିବାକୁ କଟକ ଆସିଥିଲେ । ଆଉ ସିଦ୍ଧାର୍ଥ ପିଜି ପାଇଁ ରେଭେନ୍‌ସା । ହଜାରେ ପ୍ରତିବନ୍ଧକ ଥିଲା ଘରେ । କିନ୍ତୁ କବିତାର ଆମନିଆ, ବେଦିଗନ୍ତ ଧାଡ଼ି ପରି ମାନି ସିଦ୍ଧାର୍ଥଙ୍କ ପାଦ ଚିହ୍ନରେ ପାଦ ପକେଇ ଚାଲିବାକୁ ନିଷ୍ପତି ନେଇଥିଲେ । ଚାଲିଥିଲେ ବି । ଏବେ ସେସବୁ ସ୍ମୃତି ଖାଲି । ଜୀବନ ନ ଥିବା ପୁରୁଣା ଦିନର ଜହ୍ନରାତି ।
ରୋଷେଇ ବସେଇଛନ୍ତି ତ ପୁଣି ପିଅନ ଆସି ଡାକିଲା ।
– ମ୍ୟାଡାମ୍‌, ସେ ସାମଲ ବାବୁ, ମାଇନର୍ ସ୍କୁଲ୍ ହେଡ଼୍‌ସାରେ, ରମା ଆଉ ତା’ ସ୍ଵାମୀ ଆସିଛନ୍ତି । ଆପଣଙ୍କୁ ଅପେକ୍ଷା କରିଛନ୍ତି ସ୍କୁଲ ଭିତରେ ।
-ଏବେ ? – ହଁ । ହେଇ ପା ଠିଆ ହୋଇଛନ୍ତି ।
– ସେମାନେ ପରା କହିଥିଲେ ଉପରବେଳା ଆସିବେ !
– ମୁଁ ଜାଣିନି। ଆପଣ ଟିକେ ଆସୁ ନାହାନ୍ତି । ବିରକ୍ତ ହୋଇ ମାନି ଗଲେ ବାହାରକୁ । ମଫସଲରେ ଏଇଟି ବଡ଼ ସମସ୍ୟା। ବେଳକାଳ କିଛି ନାହିଁ। ଯେତେବେଳେ ଆସି ପହଂଚି ଯିବେ। ସାମଲ ବାବୁ ଦେବଦାରୁ ଗଛ କଡ଼କୁ ଲାଗି ଠିଆ ହୋଇଥିଲେ। କଣ ବୁଝୋଉ ଥିଲେ ବୋଧେ ।
ରମାର ସ୍ଵାମୀଟା ଚିତ୍କାର କରୁଥିଲା । – ହବନି ତ ହବନି । ଏ ମାଇକିନା ଶାଳୀ ତା’କୁ ଡାକି ଘରେ ପୁରେଇଲା । ମୁଁ ଓଲୁ ଯାଇଛି ସିଙ୍ଗିପୁରରୁ ଆ’ ପାଇଁ ଶାଢୀ ଆଣିବାକୁ । ଆଜି ଠିକ୍ ହୋଉ ସବୁ । ଏପାଖ ନ ହେଲେ ସେ ପାଖ । ଶଳେ । ଏ ଯାଉ ଏଠୁ ।
ରମା ନେହୁରା ହେଉଛି । – ତମ ଗୋଡ଼ ଧରୁଛି । ଇମିତି କୁହନି । ସେ ବୁଲିବାକୁ ଯାଇଥିଲେ । ତମୁକୁ ମୋ ରାଣ । ଘର କଥା ଆଣି କୋଉଠି ତମେ ପଦାରେ ପକୋଉଛ ? ଗୋଡ଼ ଧରି ପକୋଉଛି ରମା । କାନିରେ ମୁହଁ ପୋଛୁଛି ।
– ନା । ତୁ ସେ ପୀରତି ଦେଖାନି। ବାହାର ଶାଳୀ ମୋ ଘରୁ। ସୁଆଙ୍ଗ ଲଗେଇଛୁ। ମୁଁ ଶୁଣୁଥିଲି ଆଗରୁ କିଛି କହୁ ନଥିଲି। ସଫା ଧରା ପଇଲୁ କାଲି। ଗାଁ ଛୁଆଙ୍କ ଆଗରେ ମୋ ନାକ କଟେଇଲୁ । ତିନି ତିନିଟା ଛୁଆ ଶାଳୀ ତୋର । ବାହାରିବୁ ଆଜି ମୋ ଘରୁ ଅଲବତ୍ । ଆଉରି ଜୋରରେ ଚିତ୍କାର କରୁଛି ଖାଲି ଦେହରେ ଲୁଙ୍ଗି ପିନ୍ଧି ଆସିଥିବା ନିଶୁଆ ଦରବୁଢାଟା ।
ସାମଲ ବାବୁ ଆକଟ କଲେ । – ହେଇ ତ ଦିଦି ଆସିଲେଣି। ତାଙ୍କୁ ପଚାରି ଦେଲେ କାମ ସଇଲା । ସେ ଗୋଟେ ଠିକ କରି ଦିଅନ୍ତୁ ରମା ଏ ସ୍କୁଲରେ ରହିବ କି ଯିବ। ତା’ପରେ ବାକି କଥା ଗାଁରେ ଆମେ ଠିକ କରି ନେବାନି।
– କାହିଁକି ବନ୍ଦ ହେବି ମୁଁ ? ତମେ କି ଜାଣିନ? ଶାଳୀ ଯାଉ ମୋ ଘରୁ । ଶାନ୍ତି ।
ଚୁପ୍ କରି ଯାଇ ମାନି ଛିଡ଼ା ହେଲେ । ରମା ଜୁହାର ହେଲା। ନିଶୁଆ ଦରବୁଢାଟା। ତା’ କଥା କିନ୍ତୁ ବନ୍ଦ ହୋଇ ନଥାଏ ।
ମାଇନର୍ ସ୍କୁଲ୍ ହେଡ଼୍‌ମାଷ୍ଟ୍ର କହିଲେ- ମ୍ୟାଡାମ୍ । ଗାଁରେ ଉଆକା ହେଉଛି । ପିଲାଗୁଡ଼ାକ ବି ବଡ଼ ହେଉଛନ୍ତି । ହାଇସ୍କୁଲ୍ ଛୁଆ । କେତେ ପ୍ରଭାବ ପଡ଼ିବ କହିଲେ ? ଆମେ ସ୍କୁଲ୍‌ରେ ଯଦି ଏଇଆ ଶିଖେଇବା, ସେମାନେ ଜୀବନରେ କି ଲୋକ ହେବେ ?
– ରମା ! କଣ ହୋଇଛି ତୋର ? କାନ୍ଦ ବନ୍ଦ କର ଆଗେ । କାନ୍ଦେନି । ମାନି କହିଲେ ।
– ଦିଦି । ଆପଣ ସବୁ ଜାଣିଛନ୍ତି । ମତେ ଚିହ୍ନିଛନ୍ତି । ମିଛ କଥା ସବୁ । ସେ ଗାଁ ବୁଲୁବୁଲୁ ସଂଜରେ ମୋ ଘରକୁ ଯାଇଥିଲେ। ମୁଁ କି ନ ଡାକି ବାହାରେ ଠିଆ କରି ଥାଆନ୍ତି ! ତିନିଟା ଛୁଆ ମୋର। ଘରେ ଥିଲେ ସବୁ। ତାଙ୍କୁ ପଚାରନ୍ତୁ ।
ହେଡ଼୍‌ମାଷ୍ଟ୍ର କହିଲେ- ସେ କଥା ଗାଁରେ ଠିକ ହେବ । ତୁ ରହିବୁ କି ଯିବୁ ଦିଦି କହି ଦିଅନ୍ତୁ । ଏଠି ଆଉ କିଛି କାମ ନାହିଁ । ମ୍ୟାଡାମ୍‌, ଆମ ସାମଲ ସାହିରେ ଆଉ ଗୋଟେ ସ୍ତ୍ରୀ ଲୋକ ଅଛି । ତା’ ସ୍ଵାମୀ ସୁରତରେ ଦି’ ବର୍ଷ ହେଲାଣି । ପଇସାପତ୍ର କିଛି ପଠାଉନି । ଯୋଡ଼େ ଛୁଆ । ଯଦି ଆପଣ କହିବେ ତା’କୁ ନେଇ ଆସିବା । ଆପଣ ବି ଏକା । ଆପଣକୁ ଟିକେ ସାହାଯ୍ୟ କରିବ ଏଠି କାମରେ ।
– କଣ କହୁଛ ? ମୋ ସଂସାର କିମିତି ଚାଲିବ? ତମେ କାଇଁ ନାଟ ଲଗୋଉଛ? ଦିଦି ସବୁ ମିଛ । ଠାକୁରାଣୀ ରାଣ ଖାଉଛି। ଦିଦି… । ଆହୁରି ଜୋରରେ କାନ୍ଦିଲା ରମା ।
ସାମଲ ବାବୁ କହିଲେ- ଦିଦି ଏତିକି ଆପଣ ଠିକ କରି ଦିଅନ୍ତୁ । ବାକି କଥା ଗାଁ ବୁଝିବ ।
ମାନି ଟିକେ ଚୁପ୍ ରହିଲେ । ସେ ଆସିବା ଦିନରୁ ରମା ଅଛି । ସଂଜରେ, ସକାଳେ ଗାଁ ଖବର କହେ । ମାନି ଛୁଟିରେ ଗଲା ବେଳେ ତାଙ୍କ ପାଇଁ ବିରି ନେଇ ବଡ଼ି ତିଆରି କରି ଆଣେ ।
ନିଶୁଆ ମର୍ଦ୍ଦଟା ପୁଣି ଚିତ୍କାର କଲା । ତା’ ପାଟିରୁ ଗଂଧ ବାହାରୁଛି । – କିଛି ଠିକଠାକ୍ ହେବନି । ଆ’କୁ ଇସ୍କୁଲରୁ କାଢ । ମୁଁ ଘରୁ ନିକାଲିବି । ସଇଲା କଥା । ପାଲା ଲାଗିଛି ଶଳା । ଅଭଦ୍ର ଭାଷାରେ ଗାଳି ଗୁଲଜ ଆରମ୍ଭ କଲା ସେ । ତା’ ସ୍ବର ଆହୁରି ତୀବ୍ର ହେଲା ।
ରମା ଗୋଡ଼ ଧରି ଆହୁରି ବେଗରେ କାନ୍ଦିଲା । କାନି ଧୂଳିରେ ଲୋଟିଲା । କ୍ରମଶଃ ସ୍କୁଲ ହତା ଗୋଟେ ପାରିବାରିକ ଡ୍ରାମାର ଷ୍ଟେଜ୍ ହୋଇଗଲା । ସାମଲ ବାବୁ ବିରକ୍ତ ହେଲେ । ହେଡ଼୍‌ମାଷ୍ଟ୍ର ଇସାରାରେ ତାଙ୍କ କଥାରେ ହଁ ଭରିବାକୁ କହିଲେ । ପାଟିତୁଣ୍ଡ ବଢିଲା ।
ରମା ବେଶି ବେଶି କାନ୍ଦିଲା । – ମୁଁ କୁଆଡ଼େ ଯିବି ? ବାପଘରୁକୁ ଦଶ ବର୍ଷ ହେଲା ଯାଇନି । ମୋ ଭାଇ ଆଇଥିଲା । ଇଏ ତା’କୁ ଶୋଧି ବିଦା କରିଦେଲା । କୋଉଠି ରହିବି ମୁଁ ?
– ଯାଃ ଶାଳୀ । ସେ ଘଇତା ଘରେ ରହିବୁ ।
ଆହୁରି ବଢିଲା ଉଚବାଚ । କେହି କାହା କଥା ଶୁଣିଲେନି । ସାମଲ ବାବୁ ଜୋରରେ ଚିତ୍କାର କରୁଥିଲେ । ରମା କାନ୍ଦୁଥିଲା । ସେ ମର୍ଦ୍ଦଟା ନିଶାରେ ଗାଳି ଉପରେ ଗାଳି ଦେଇ ଚାଲିଥିଲା । ହେଡ଼୍‌ମାଷ୍ଟ୍ର ମାନିକୁ ତାଙ୍କ କଥାରେ ହଁ ଭରିବା ପାଇଁ କହୁଥିଲେ ।
ମାନି ବିରକ୍ତ ହେଲେ । – ଇଏ କଣ ? ସ୍କୁଲରେ କଣ ଏତେ ପାଟିତୁଣ୍ଡ ? ଯାଅ ଏଠୁ ସମସ୍ତେ । ପରେ ଯାହା ହେବ ହେବ । ଏବେ କିଛି ନାହିଁ । ଛୁଟିଦିନରେ ବି ମଣିଷ ଟିକେ ଶାନ୍ତିରେ ରହିବ ନା ଏଇ ଗାଁ ଧନ୍ଦାରେ ପଶିବ ? ଏ ଲୋକଟା ଏତେ ଅଭଦ୍ର କଥା କଣ କହୁଚି ।
– କୁଆଡ଼େ ଯିବୁନି । ଫାଇନାଲ୍ ସରିଛି । ଏ ମାଇକିନା ଯିବ । କଥା ଶେଷ ।
ପୁଣି ବଢିଲା ଗାଳି ଫଜାତ୍‌, କାନ୍ଦକଟା । ରାଗରେ ସାମଲ ବାବୁ ପଳେଇଲେ । ହେଡ଼୍‌ମାଷ୍ଟ୍ର ବି ଗଲେ । ମାନି ଘରକୁ ଫେରିଲେ । କିନ୍ତୁ ସେ ଘଟଣା ସରିଲାନି । ଉଭୟେ ରମା ଆଉ ତା’ ସ୍ଵାମୀ ସେଇଠି ରହିଲେ । ଜଣେ ଗାଳି ଦେବାରେ ଲାଗିଲା । ଜଣେ କାନ୍ଦିଲା ।
ମାନି କବାଟ ଦେଇ ରୋଷେଇ ସାରିଲେ । ଖାଇ ସାରିଲା ପରେ ତାଙ୍କୁ ଅଳ୍ପ ଅବସନ୍ନ ଲାଗିଲା । ମାର୍ଚ୍ଚ ପବନରେ ଟିକେ ଆଖି ଲାଗି ଆସିଲା । ଖରା ଟିକେ ଗଡ଼ି ଆସିଲା ।
ଏଇ ଖରାଦିନ ଛୁଟି ହେଲେ ତାଙ୍କ ଗାଁରେ ମାନି ଡାକ ପିଅନକୁ ଅନେଇ ବସନ୍ତି । ନା ଥିଲା ଫୋନ୍ ନା କିଛି । କଲେଜ ଛୁଟିରେ ସିଦ୍ଧାର୍ଥକୁ ସବୁ ସମୟରେ ସେ ଝୁରନ୍ତି । ତା’ ଚିଠି ପାଇଁ ଅନେଇ ବସନ୍ତି । ପୁଣି ଚିଠିଟେ ଆସିଲେ ସଭିଙ୍କ ଅଲକ୍ଷ୍ୟରେ ଶହେ ଥର ତା’କୁ ପଢନ୍ତି । ପୁଣି କବାଟରେ ଠକ ଠକ ଶୁଭିଲା । ମାନି ଦେଖିଲେ ହାଇସ୍କୁଲ ପିଅନ ।
ବିରକ୍ତିଭରା ସ୍ୱରରେ ମାନି କହିଲେ -କଣ ହେଲା ? କାହିଁକି ଡାକୁଛୁ ପୁଣି ବାରବାର ?
– ନା । ମ୍ୟାଡାମ୍ ସେ ରମା, ତା’ ସ୍ଵାମୀ ଯାଇ ନାହାନ୍ତି ।
– ନ ଯାଆନ୍ତୁ । ମତେ ସେଥିରେ ପୁରାନି ।
– ନା ନା । ସେମାନେ ଅନେଇଛନ୍ତି ଆପଣଙ୍କୁ ଦେଖା କରି ଦେଇ ଯିବେ । ଥରୁଟେ ଖାଲି ।
– କିଛି ଦେଖାଫେଖା ନାହିଁ । କହ ସେମାନେ ଯାଆନ୍ତୁ । ସ୍କୁଲ ହତାରୁ ସେମାନଙ୍କୁ ବାହାର କର ।
ବାତ୍ୟା ପରି ଆବାଜରେ ଚିତ୍କାର କରୁଥିବା ମଣିଷଟା ଆସି ଅଚାନକ ମାନିଙ୍କ ଗୋଡ଼ ତଳେ ଶୋଇ ପଡ଼ିଲା । – ଦିଦି । ଆପଣଙ୍କ ଗୋଡ଼ ଧରୁଛି । ଆ’କୁ କାଢନ୍ତୁନି। ଆମର ଫଇସଲା ହୋଇ ଯାଇଛି । ଥରୁଟେ ଭୁଲ୍ ଯଦି କରିଥିବ କରିଥିବ। ଉପରବାଲା ବୁଝିବ। ସେ ହିସାବ କରିବ। ସବୁ ଭୁଲ ଠିକି । ଆମେ ଘରକୁ ଯାଉଛୁ । ଆପଣ ଆ’କୁ କାଢନ୍ତୁନି । ଜୀବନରେ ଇଏ ଭାରି ସେବା କରିଛି ମୋର । ମତେ ଭାରି ଭଲ ପାଏ । କୁଆଡ଼େ ତା’କୁ ବାହାର କରିବି ? କୁଆଡ଼େ ସେ ଯିବ ? ଏଇଠି ପଡ଼ିଥାଉ । ଏ ଥରକ ଛାଡ଼ି ଦିଅନ୍ତୁ ।
ମାନି ଦେଖିଲେ ନିଶା ଉତୁରି ଯାଇଛି । ରମା ଲୁହ ଯଦିଓ ବନ୍ଦ ହୋଇନି । ହାଲ୍‌କା ଲାଗିଲା ତାଙ୍କୁ ।
– ଏକାଥରେ କୁହ । ପରେ କଥା ବଦଳେଇଲେ ଆଉ ମୁଁ ଶୁଣିବିନି । ତାଗିଦା କଲେ ମାନି ।
– ନା । ମୁଁ ମର୍ଦ୍ଦପୁଅ । କଥା କାଇଁ ବଦଳେଇବି । ପଡ଼ିଥାଉ ଏ ମୋ ପାଖେ । ଭଲ ମଣିଷଟେ ଥିଲା ଇଏ । ଏ ଥରକ ତା’କୁ ମାଫ୍ କଲି । ମୋ ଛାତି ବଡ଼ । ମୁଁ କି ମାଇକିନା ପରି । ମୋ ଛାତି ଚଉଡ଼ା ।
– ରମା କାନ୍ଦେନି । ଲୁହ ପୋଛେ । କେତେ କାନ୍ଦୁଛୁ ? ହଉ ଯାଆ । ତମେମାନେ । ପରେ ଦି’ ଜଣ ସାଙ୍ଗ ହୋଇ ଆସି ବୁଲିଯିବ ମୋ ଘରେ । ରମା କାନ୍ଦ ବନ୍ଦ କର କହିଲି ।
ଦି’ ଜଣ ଚାଲିଗଲେ । ମାନି ଘର ଝର୍କାରୁ ଦେଖିଲେ ସେମାନେ ଯାଉଛନ୍ତି । ରମା ତଥାପି ଲୁହ ପୋଛୁଛି । ମାନି ପୁଣି ଚିଠି ଲେଖି ବସିଲେ ।
ଚିଠି ଶେଷକୁ ଯୋଡ଼ିଲେ, ‘ତମେ ମନେ ପଡ଼ୁଛ ସତରେ ।’
ତା’କୁ ଖୋଳରେ ପୁରେଇଲେ । ଆଜି ଡାକରେ ଯିବ ।

ସହକାରୀ ପ୍ରଫେସର,
ଭାରତୀୟ ଜନସଂଚାର ସଂସ୍ଥାନ,
ଢେଙ୍କନାଳ, ୭୫୯୦୦୧
ଫୋନ- ୯୪୩୭୦୮୦୦୪୮

Related Posts

One thought on “ଖୋସା

Leave a Reply

Your email address will not be published. Required fields are marked *