ନାରାୟଣ ଚନ୍ଦ୍ର ଧଳ

ଆମ ଘର ବାରି-ଦୁଆରର ପଶ୍ଚିମ ଦିଗକୁ ଶହେ ହାତ ଦୂରରେ ଆମ ଗଡ଼ିଆ,ପ୍ରାୟ ଅଧ ଏକରର।ଗଡ଼ିଆର ସଶକ୍ତ ଚାରି ଆଡ଼ି ଉପରେ କିସମ କିସମର ଗଛବୃଛ,ଆଡିକୁ ଲାଗି ପରିବା ବାଡ଼ି,ତାପରେ ଆମ ଗାଁକୁ ଲାଗି ଲମ୍ବି ଯାଇଥିବା କେନାଲ ଓ ଠିକ କେନାଲକୁ ଲାଗି ଆମ ଧାନ ବିଲ। ବାରି ଦୁଆରେ ଠିଆ ହେଲେ ଗଢିଆ,ପରିବା ବାଡ଼ି ଓ ଧାନ ବିଲ ସଫା ସଫା ଦିଶେ।ଗଡ଼ିଆ ଆଡ଼ିରେ ଥିବା ଗଛ ଭିତରୁ ମୋର ସବୁଠୁଁ ପ୍ରିୟ ଥିଲା କାହିଁ କେଉଁ ଆଈ ମା’ ଅମଳରୁ ମାଟିକୁ ଜାବୁଡି ଧରି ଦମ୍ଭର ସହ ଦର୍ପିତ ଠାଣିରେ ଆକାଶକୁ ଲମ୍ଫ ପ୍ରଦାନ କରି ଓ ଚାରି ଆଡକୁ ବାହୁ ମେଲେଇ ଠିଆ ହୋଇଥିବା ଝଙ୍କାଳିଆ ତେନ୍ତୁଳି ଗଛ।ତେନ୍ତୁଳି ଗଛ ଏଇଥି ପାଇଁ ମୋତେ ଭଲ ଲାଗୁଥିଲା ଯେ ଏଡ଼େ ବଡ଼ ଗଛ କିନ୍ତୁ ପତ୍ରଗୁଡ଼ିକ କେଡେ ଟିକି ଟିକି , ଠିକ ଆମ ଭଳି ଟିକି ଟିକି ପିଲାଙ୍କ ପରି।ତା’ ଦେହରେ ଏତେ ପତ୍ର ଭର୍ତ୍ତି ହୋଇଥାନ୍ତି ଯେ ତା’ ତଳେ ଖରା ଟିକେ ପଶି ପରେ ନାହିଁ। ତା’ ଗଛ ଛାଇ ତଳ ଜାଗା ହେଲା ଆମ ସାହି ପିଲାମାନଙ୍କ ଖେଳ ପଡିଆ।ତା’ ଦେହରେ ଚଳ ପ୍ରଚଳ କରୁଥିବା ଏଣ୍ଡୁଅ, ମୂଷା, ଗୁଣ୍ଡୁଚି ମୂଷା,କାଠହଣା ଚଢେଇ,କାଉ, କୁମ୍ଭଟୁଆ,ବଗ ମାନେ ଥିଲେ ଆମ ଆମୋଦ ପ୍ରମୋଦର ସାଥି ସହୋଦର। ଫି’ ସନ ରଜ ପର୍ବ ଆସିଲେ ତା’ ଡାଳରେ ଲଗାଯାଏ ରଜ ଦୋଳି, ଯାହା ଥିଲା ଆମ ମାନଙ୍କର ଚିର ଇପ୍ସିତ ଏକ ଅନମୋଲ ଜିନିଷ ଓ ସମୟ। ତା’ ଦେହର ଖଟା କଷି ତେନ୍ତୁଳି ଓ ପାଚିଲା ମିଠା ତେନ୍ତୁଳି ସବୁ ଥିଲା ଆମ ପାଇଁ ରୋଚକ ଖାଦ୍ୟ ଓ ସେ ସବୁକୁ ତା’ ଦେହରୁ ହାସଲ କରିବା ପାଇଁ ଆମ ପିଲାମାନଙ୍କ ମଧ୍ୟରେ ମୋଟା ମୋଟା କଳମ ଓ ବାଉଁଶ କଣି ଫୋପଡ଼ର ନିର୍ଧୁମ ପ୍ରତିଯୋଗିତା ଚାଲେ।ବର୍ଷା ଋତୁ ଆସିଲେ ତା’ ଦେହରେ ହାଲକା ସବୁଜ ପତ୍ର ସବୁ କଅଁଳେ।ଯେତେବେଳେ କଳା ହାଣ୍ଡିଆ ମେଘ ଆକାଶରେ ଉଠେଇ ଆସେ,ସୂର୍ଯ୍ୟଙ୍କର କିରଣ ମେଘ ଉହାଡରେ ଅଧା ଲୁଚି ଯାଏ ଓ ଅଧା ଦିଶେ, ଧୀରେ ଧୀରେ ପବନ ବହିବା ଆରମ୍ଭ କରେ,ଠିକ ସେତିକି ବେଳକୁ ତେନ୍ତୁଳି ଗଛର ସବୁଠୁ ଉପର ଡାଳରେ ଥିବା କଅଁଳିଆ ପତ୍ର ଉପରେ ସୂର୍ଯ୍ୟଙ୍କର ମେଘ ଉହାଡରୁ ଛିଟିକି ଆସୁଥିବା ସୁନେଲି କିରଣ , ଗଛର କାହିଁ କେତେ ଉପରେ ଭାସି ଯାଉଥିବା କଳା ବାଦଲ ଏବଂ ତେନ୍ତୁଳି ଗଛ ଉପର ଦେଇ ଉଡି ଯାଉଥିବା ବଗ ପକ୍ଷୀର ତୋଫା ଧଳା ରଙ୍ଗ ଏକ ଅପୂର୍ବ ମନୋରମ ଦୃଶ୍ୟ ସୃଷ୍ଟି କରୁଥିଲା। ବର୍ଷା ଋତୁରେ କଳା ହାଣ୍ଡିଆ ମେଘ ଉଠେଇ ଆସିବାର ଉପକ୍ରମ ହେଲେ, ମୁଁ ଯୁଆଡେ ଥାଏ, ଡିଆଁ ଟାଏ ମାରି ଆସି ବାରି ଦୁଆର ପାଖେ ଠିଆ ହୋଇ ସେ ମନୋରମ ଦୃଶ୍ୟ ଦେଖିବାର ଲୋଭ ସମ୍ବରଣ କରିପାରେ ନାହିଁ।
ସେ ବର୍ଷ ଗୋଟେ ନୂଆ କଥା ମୋ ଆଖିରେ ପଡ଼ିଲା।ଯଦିଓ ବହୁତ ବଗ ପକ୍ଷୀ ଆସି ତେନ୍ତୁଳି ଗଛରେ ବସନ୍ତି,କିନ୍ତୁ କେବେ ସେ ଗଛରେ ବଗ ବସା କରିବାର ଦେଖି ନାହିଁ।କିନ୍ତୁ ସେଥର ତେନ୍ତୁଳି ଡାଳରେ ଗୋଟେ ବଗ ବସା କଲା।ମୁଁ ବୋଉକୁ ଡାକି ଆଣି ଦେଖେଇଲି।ବୋଉ କହିଲା,”ହଉ ବସା କରୁ।ତମେ ପିଲାମାନେ ସେ ଆଡକୁ କେହି ଫୋପାଡ ମାରିବ ନି।ଯଦି ବସାରେ ଅଣ୍ଡା ଥିବ ଭାଙ୍ଗିଯିବ।ମା’ ବଗ ମନ ଦୁଖ କରିବ।”
ବୋଉର ସେକଥା ଶୁଣି, ମୁଁ ଆଉ ସାହି ପିଲାଙ୍କୁ ସେଠି ପୁରେଇ ଦେଲି ନାହିଁ,କାଳେ କିଏ ତେନ୍ତୁଳି ଖାଇବା ବାହାନାରେ ଫୋପଡ଼ ମରିଦେଵ,ବସାରେ ଥିବା ଅଣ୍ଡା ଭାଙ୍ଗିଯିବ ଓ ମା’ ବଗ ମନ ଦୁଖ କରିବ…ବୋଉ ଚେତେଇ ଦେଇଛି।
ମୁଁ ମଝିରେ ମଝିରେ ବସା ଆଡେ ଚାହୁଁଥାଏ।ହଠାତ ଦିନେ ଦେଖିଲା ବେଳକୁ ଗୋଟେ କିଚିରି ମିଚିରି ଶବ୍ଦ ଶୁଭିଲା।ବୋଉକୁ ଯାଇ କହିଲି।ବୋଉ ଆସି ଦେଖିଲା ଦୂରରୁ ଓ କହିଲା ଦୁଇଟା ବଗ ଛୁଆ ଦୃଶ୍ୟମାନ ହେଉଛନ୍ତି।ମୁଁ ଖୁସିଟାଏ ହେଲି।
ପୋଖରୀ କୂଳରେ ଓ ଧାନ ବିଲ ପାଣିରେ ବଗ ମାଛ ଧରି ଖାଏ ବୋଲି ଆମେ ଦେଖିଛୁ।ଦିନେ ଦେଖିଲି ମା’ ବଗ ଥଣ୍ଟରେ ଟିକି ମାଛ ଧରି ଆଣି ବସାରେ ତା’ ପିଲାଙ୍କ ଥଣ୍ଟରେ ଧରେଇ ଦେଉଛି ଓ ପିଲା ବଗ ଦି’ ଟା ତାକୁ ଧୀରେ ଧୀରେ ଖାଉଛନ୍ତି। ତା’ ପରଦିନ ବାପା ବିଲରେ ବସେଇଥିବା ଅନ୍ଧୁଲିରେ ପଡିଥିବା ଚୁନା ମାଛ ଧରି ଘରକୁ ଆସନ୍ତେ,ମୁଁ ଚୁପକିନା ସେଥିରୁ ଛୋଟ ଛୋଟ ଦଣ୍ଡିକିରି ଓ କେରାଣ୍ଡି ଗୋଟେ ସାରୁ ପତରରେ ଗୁଡେଇ ନେଇ ଗଛ ପାଖରେ ରଖି ଆସିଲି।ଭାବିଲି,ମା’ ବଗ ହୁଏତ ଦେଖି ପାରି ସେ ମାଛକୁ ନେଇ ପିଲା ବଗଙ୍କୁ ଖାଇବାକୁ ଦେବ।ସହଜରେ ଖାଦ୍ୟ ପାଇଗଲେ ଆଉ ପିଲାଙ୍କୁ ଛାଡି ଦୂରକୁ ଖାଦ୍ୟ ଅନ୍ୱେଷଣରେ ଯିବ ନାହିଁ। ପତରକୁ ରଖିଦେଇ ମୁଁ ଆସି ଆମ ବାରି ଦୁଆର ପାଖେ ଲୁଚିକରି ଦେଖୁଥାଏ।ବହୁ ସମୟ ଅପେକ୍ଷା କରି ଦେଖିଲି,ନା କାଇଁ ମା’ ବଗ ତ ଆସିଲାନି।
ମୋ ମନ ଟିକେ ଦୁଃଖ ହେଲା।ଏହିପରି ଦୁଇ ଦିନ ଗଲା ପରେ ,ତୃତୀୟ ଦିନ ଦେଖିଲି ,ମା ବଗ ପତରରୁ ଥରକୁ ଥର ଥଣ୍ଟରେ ମାଛ ନେଉଛି ଓ ପିଲା ବଗମାନେ ଖୁବ ଖୁସିରେ ଖାଉଛନ୍ତି।ମୋ ମନ ଖୁସିରେ ଭରିଗଲା।
ଆସ୍ତେ ଆସ୍ତେ ବଗ ପିଲା ବଡ ହେଲେ,ପକ୍ଷୀ ଝାଡ଼ିଲେ,ଡାଳରେ ଏପଟ ସେପଟ ହୋଇ ଟିକେ ଟିକେ ଡେଇଁଲେ।ଏବେ ମା’ ବଗ କୁଆଡେ ଉଡି ଯାଉଥିଲା ଓ ପିଲା ମାନଙ୍କ ପାଇଁ ଖାଦ୍ୟ ଧରି ଫେରୁଥିଲା।
ଦିନେ ମୁଁ ଖରାବେଳେ ଖାଇସାରି ଶୋଇଲା ପରେ ଉଠି ବାରିପଟେ ମୁହଁ ଧୋଉଛି, ଦେଖିଲି ଆକାଶରେ କଳା ହାଣ୍ଡିଆ ମେଘ ଦାନା ବାନ୍ଧୁଛି।ସଂଗେ ସଂଗେ ଆକାଶ ସାରା ଘୋଟିଯିବ ଓ ସୁ ସୁ ପବନ,ବିଜୁଳି ଓ ଘଡଘଡି ସହ ମାଡି ଆସିବ ଚାହୁଁ ଚାହୁଁ। ଉହୁଙ୍କି ଚାହିଁଲି ବସା ଆଡେ।ମୋତେ ଲାଗିଲା,ମା’ ବଗ ନାହିଁ।ପବନ ବର୍ଷା ଆସିଲେ ,ପିଲା ବଗ ଦି’ ଟା କ’ଣ କରିବେ।ମୁଁ ତେନ୍ତୁଳି ଗଛ ଉପରକୁ ଚାହିଁଲି।କଅଁଳ ପତ୍ର ଉପରେ ,କଳା ବାଦଲ ଉହାଡରେ ଲୁଚିଯାଉଥିବା ସୂର୍ଯ୍ୟଙ୍କର ହାଲକା କିରଣ,ମୋର ପ୍ରିୟ ସେ ମନୋରମ ଦୃଶ୍ୟ ମୋତେ ଆମୋଦିତ କରୁନଥିଲା,ମୁଁ ଆଶଙ୍କିତ ଥିଲି।ବାରି ଦୁଆରେ ମୁଁ ଆକାଶକୁ ଆଉଥରେ ଚାହିଁଛି ତ ଆକାଶକୁ ଚକ୍ ଚକ୍ କରି ସୁନେଲି ଗାର ଟିଏ ଦି’ ଫାଳ କରି ଚିରି ଦେଇ ଲିଭି ଗଲା।ମୁଁ ଆଉ କିଛି ଚିନ୍ତା କରିବା ପୂର୍ବରୁ ମୋତେ ଝଟକା ଦେଇ କିଏ ପଛରୁ ଘର ଭିତରକୁ ଟାଣି ନେଲା ଓ ପଣତ କାନିରେ ମୋ’ ଦୁଇ କାନକୁ ବନ୍ଦ କରି ଛାତିରେ ଜାକି ଧରିଲା ପ୍ରଚଣ୍ଡ ଘଡଗଡ଼ି ଶବ୍ଦକୁ ପ୍ରତିହତ କରିବା ପାଇଁ।ତା’ ସତ୍ତ୍ୱେ ମୁଁ ପଣତକାନି ଭିତରୁ ମୁହଁ ଝିଙ୍କି ନେଇ ତେନ୍ତୁଳି ଗଛର ବସା ଆଡକୁ ସନ୍ତ୍ରସ୍ତ ହୋଇ ଚାହିଁଲି ଓ ମୋତେ ଚମତ୍କୃତ କଲା ଭଳି ଦୃଶ୍ୟମାନ ହେଲା ମା’ ଟିଏ ତା’ର ଦୁଇ ଡେଣା ତଳେ ଶାବକ ଦୁଇଟିକୁ ଜଡେଇ ନେଉଛି ମମତା ଓ ନିରାପତ୍ତାର ମୂର୍ତ୍ତିମନ୍ତ ଦେବୀଟିଏ ଭଳି।
“ମା” ସବୁବେଳେ ଛୁଆ ପାଇଁ “ମମତାର ଛାଉଣି”
କେବେ ସେ ପକ୍ଷୀର “ଡେଣା” ଓ କେବେ “ପଣତ କାନି”

ଜଣେ କବି ଓ ଲେଖକ ଭାବେ ପରିଚିତ ନାରାୟଣ ଚନ୍ଦ୍ର ଧଳ ଓଡିଶା ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ । ସେ ଏବେ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ଯୁଗ୍ମ ସଚିବ ଅଛନ୍ତି ।

Related Posts

Leave a Reply

Your email address will not be published. Required fields are marked *