ଭୁବନେଶ୍ଵର : ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଜୀବନୀ ପୁସ୍ତକ ‘ବ୍ଲକବଷ୍ଟରରୁ ବାଲାଟବକ୍ସ ଅନୁଭବ ମହାନ୍ତି’ ଭୁବନେଶ୍ଵରର ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଟାଇମପାସ ପବ୍ଲିକେସନ ଦ୍ବାରା ପ୍ରକାଶିତ ଏହି ପୁସ୍ତକର ରଚନା କରିଛନ୍ତି ସମ୍ବାଦିକା ତଥା ଲେଖିକା ଜାଗୃତି ଶୁକ୍ଳା । ଲେଖକ ମାନସ ପଢିଆରୀ ଏହାର ଓଡ଼ିଆ ସଂସ୍କରଣ ଅନୁବାଦ କରିଛନ୍ତି ।
ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ଯୋଗଦାନରୁ ଆରମ୍ଭ କରି ତାଙ୍କ ରାଜନୈତିକି କ୍ୟାରିୟର ଏବଂ ଓଡ଼ିଶାବାସୀଙ୍କ ପାଇଁ ତାଙ୍କର ଦୃଢ ନିଷ୍ଠା ପର୍ଯ୍ୟନ୍ତ ଅନେକ ଅକୁହା କଥା ଏହି ପୁସ୍ତକରେ ବର୍ଣ୍ଣିତ । ଏହି ପୁସ୍ତକ ଅନୁଭବଙ୍କ ବାପା ସ୍ଵର୍ଗତ ପ୍ରଫେସର ଅଭୟ କୁମାର ମହାନ୍ତିଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ବୋଲି ପ୍ରକାଶକଙ୍କ ପକ୍ଷରୁ କୁହାଯାଇଛି । ବରିଷ୍ଠ ଲେଖକ ଦେବଦାସ ଛୋଟରାୟ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଭିନେତା କୁନା ତ୍ରିପାଠୀ, ପ୍ରଦ୍ୟୁମ୍ନ ଲେଙ୍କା, ବୁଦ୍ଧାଦିତ୍ୟ ମହାନ୍ତି, ପ୍ରକାଶକ ସରୋଜ ବଳ, ଲେଖିକା ଜାଗୃତି ଶୁକ୍ଳା ଓ ଲେଖକ ମାନସ ପଢିଆରୀ ପ୍ରମୁଖ ଯୋଗ ଦେଇଥିଲା ବେଳେ ଅନୁଭବଙ୍କ ମାଆ ମଧୁମିତା ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।