ଶିବାଶିଷ ପାଢ଼ୀ

ବୟସ ବେଶୀ, ହେଲେ ବୁଦ୍ଧି କମ । ସମୟ ସହ ଜମା ବଢ଼ି ନାହିଁ ଶରୀର । ସେ ତ ସେମିତି ସ୍ଥିର ହୋଇ ରହିଯାଇଛି ଆଠ ନଅ ବର୍ଷରେ ।

ବସିଥାଏ ତା ବାପା ସହ । କେବେ କେମିତି ତା’ ମାଆ ସହ । ଆମ ଘରଠୁଁ ଅଫିସ ଯିବା ରାସ୍ତାରେ ଗୋଟିଏ ଛୋଟିଆ ଛକ ପଡ଼େ । ପାହାଡ଼ିଆ ଜଙ୍ଗଲ ମଝିରେ କିଛି ସମତଲ ଭୂଇଁ । ସେଇଠି ଆଠ ଦଶ ପରିବାର ରହନ୍ତି । ସେଇ ଛକରେ ସେମାନଙ୍କ ଦୋକାନ ।
ଦୋକାନ କହିଲେ ପାନ ପୁଡ଼ିଆ, ମିକଚର ଭଳିଆ ଅଳ୍ପ କିଛି ଜିନିଷ । ସେସବୁ ପାଇଁ ଲୋକେ ଅଟକନ୍ତି ସେଠାରେ ।

ସମସ୍ତଙ୍କ ସହ କଥା ହେବା ପାଇଁ ଆଗ୍ରହର ସହ ଆଗେଇ ଆସେ ପିଲାଟି । ହେଲେ ତାର ଅଦ୍ଭୁତ ପ୍ରାୟ ଦେଖାଯାଉଥିବା ଚେହେରା ଏବଂ ଅସ୍ପଷ୍ଟ କଥା ପାଇଁ ପ୍ରାୟ ସମସ୍ତେ ପରିହାସ କରନ୍ତି ତାକୁ । କିଏ କେତେ ପ୍ରକାର ନାଆଁ ଦେଇଥାନ୍ତି । ସେ ନାମ ଧରି ଡାକନ୍ତି ଆଉ ଅନେକ ପ୍ରଶ୍ନ କରନ୍ତି । ଅସ୍ପଷ୍ଟ ଶବ୍ଦରେ ଶିଶୁ ସୁଲଭ ଉତ୍ତର ଦିଏ ପିଲାଟି । ହସନ୍ତି ଲୋକେ । ଟାଇମପାସ କରନ୍ତି । ପିଲାଟି ଜାଣି ପାରେ ନାହିଁ କିଛି । ତାର ବାପା ମାଆ ଜାଣନ୍ତି । ନିଶ୍ଚୟ ଖରାପ ବି ଲାଗେ, ହେଲେ ଚୁପ୍ ରହି ଏକ ଅସହାୟତାର ହସ ହସନ୍ତି କେବଳ ପେଟପାଟଣା ପାଇଁ ।

ମୁଁ କିନ୍ତୁ କେବେ ପରିହାସ କରିପାରେ ନାହିଁ । ବରଂ ତାକୁ ଦେଖିଲେ ମୁଁ ଭଗବାନଙ୍କୁ ଧନ୍ୟବାଦ ଦିଏ । ରହିଯାଏ କିଛି ସମୟ । ତାକୁ ଅନେକ କଥା ପଚାରେ । ହାତ ମିଳାଇ ଥାଏ । ନବୁଝିଲେ ବି ତାର ସମସ୍ତ କଥା ବୁଝିବାର ଅଭିନୟ କରେ । ଭରଷା ପାଏ ସେ । ମୋତେ ଅନେକକଥା କୁହେ । ଶେଷକୁ ସେ ହସେ । ଆଉ ସେ ନିର୍ଭେଜାଲ ହସ ମୋତେ ବହୁତ ଖୁସି ଦିଏ । ଗଢି ହୋଇଯାଏ ଏକ ଅଲଗା ସ୍ୱତନ୍ତ୍ର ସମ୍ପର୍କ । ମୁଁ ଖୁସି ପାଏ । ସେ ପିଲାଟି ବି ଖୁସି ହୁଏ ଆଉ ଖୁସି ହୁଅନ୍ତି ତାର ତାର ବାପାମାଆ । ଏକ ଅଦୃଶ୍ୟ ରଜ୍ଜୁ ଯେମିତି ଭିଡ଼ି ଦିଏ ଆମକୁ । ତାର ବାପାମାଆ ପରେ ମୋତେ ହିଁ ଭାରି ଭଲପାଏ ସେ । ମୋର କଥା ମାନେ । ତାର ମାଆ ମୋତେ କହନ୍ତି ଏକଥା ।

ମୋର ବଦଳି ହେବାପରେ ଆଉ ସେ ରାସ୍ତାରେ ଯାଉ ନଥିଲି ମୁଁ । ତଥାପି ଅତୁଟ ଥିଲା ସେ ସମ୍ପର୍କ । କେବେ କେମିତି ଗଲେ ଭାରି ଖୁସି ହେଉଥିଲେ ସେମାନେ । ଭୀଷଣ କାର୍ଯ୍ୟବ୍ୟସ୍ତତା ଏବଂ ପୁଣିଥରେ ଦୂର ସ୍ଥାନକୁ ବଦଳି ପରେ ମୁଁ ଅନେକଦିନ ହେଲା ଯାଇ ନଥିଲି ସେପଟେ । ଏପରିକି ଗୋଟିଏ ଦୁର୍ଘଟଣାରେ ତାର ବାପାର ମୃତ୍ୟୁବେଳକୁ ମଧ୍ୟ୍ୟ ଯାଇ ପାରିନଥିଲି ମୁଁ । ଏକ ସରକାରୀ କାମରେ ଭୁବନେଶ୍ୱରରେ ଥିଲି । ଫେରିବା ପରେ ବି ମୁଁ ଯାଉ ନଥିଲି । ସତ କହିବାକୁ ଗଲେ, ମୋର ଇଛା ହେଉ ନଥିଲା ଜମା । ଭୀଷଣ ଦୁଃଖ ଲାଗୁଥିଲା ମୋତେ । କଣ କହିବି ? କେମିତି ବୁଝାଇବି ସେ ମାଆ ପୁଅଙ୍କୁ ? ପ୍ରାୟ ଚାରିମାସ କଟିଥିଲା ଏମିତିରେ । ହଠାତ ଦିନେ ଫୋନ କରିଥିଲେ ତାର ମାଆ ।କହିଥିଲେ :

ସମୟ ବାହାର କରିକି ଥରେ ଆସନ୍ତୁ । ବାବୁ ଆପଣକୁ ଖୋଜୁଛି ବହୁତ ।

ଆଉ ଉପାୟ ନଥିଲା । ଯାଇଥିଲି ମୁଁ । ସେଇଠି କିନ୍ତୁ ଆଉ ଆଗ ଭଳିଆ ନଥିଲା କିଛି । ବାପା ଗଲାପରେ ବି ସେ ଦୋକାନ ଥିଲା କିନ୍ତୁ ଏକ ଅଦ୍ଭୁତ ନୀରବତା ଥିଲା ସେଠାରେ । ମାଆ ପୁଅଙ୍କ ଆଗ ଭଳିଆ ଚେହେରା ନଥିଲା । ପିଲାଟି ଶୁଖି ଯାଇ କେମିତି ଗୋଟିଏ ଅଲଗା ପ୍ରକାର ଲାଗୁଥିଲା । ଆଗ ଭଳି ହସୁ ନଥିଲା ସେ, ବରଂ ଚୁପଚାପ ବସିଥିଲା ଗୋଟିଏ କୋଣରେ । ମୋତେ ଦେଖୁଦେଖୁ ମୋ ହାତକୁ ଧରି ପକାଇଲା ସେ । କହିଲା :

ମୋର ବାପା ମରିଗଲା ଦାଦା । ମୋର ବାପା ମରିଗଲା ।

ହଁ ହଁ କହୁଥିଲି ମୁଁ । କିନ୍ତୁ ବାରମ୍ବାର ସେହି କଥା ହିଁ କହୁଥିଲା ସେ । ତାର ମାଆ ବି କାନ୍ଦୁଥିଲେ । ସେ କହିଥିଲେ :

ତା ମୁଣ୍ଡରେ ଏକଥା ଘର କରିଯାଇଛି । ଆପଣ ଟିକେ ବୁଝାଇଦେଲେ ସେ ବୁଝିବ । ସବୁବେଳେ ବାଉଳିଚାଉଳି ହେଉଛି । ୟେ ଠିକ ରହିଲେ ତ ମୁଁ କିଛି କରିବି, ନହେଲେ ପେଟ ଚାଲିବ କେମିତି ? ମୁଁ ଦେଖୁଥିଲି ସେ ନିରିମାଖୀ ମାଆକୁ । ନାହିଁନାହିଁ ମଧ୍ୟ୍ୟରେ ଏକ ଦିବ୍ୟାଙ୍ଗ ପୁଅ । ଭଗବାନଙ୍କ ବିଚାରକୁ ମୁଁ ବୁଝିପାରୁ ନଥିଲି । କଣ ବା କହିବି ?
ସେ ପୁଣି କହୁଥିଲା :

ବାପା ମରିଗଲା ଦାଦା । ହଠାତ ବାଟ ପାଇଗଲି ମୁଁ । ବସିଗଲି ତା ପାଖରେ । ପର୍ସରେ ଥିଲା ମୋ ବାପାଙ୍କ ଫୁଲହାର ପିନ୍ଧା ଫୋଟୋ । ମୁଁ କହିଲି :

ବାପାମାନେ ମରିଯାଆନ୍ତି’ରେ । ବାପା ସବୁଦିନେ ରହେ ନାହିଁ । ବାପା ହୋଇଛି ମାନେ ସେ ମରିବ ନିଶ୍ଚୟ । ଏଇ ଦେଖ ! ମୋର ବାପା । ସେ ବି ମରିଗଲେଣି କେବେଠୁ । ବାପାମାନେ ମରିଯାଆନ୍ତି’ରେ ।

ହଠାତ ଚୁପ୍ ହୋଇଗଲା ସେ । ମୋ ହାତରୁ ଝିଙ୍କି ନେଇଗଲା ଫୋଟୋକୁ । ଅନେକ ସମୟ ଯାଏଁ ବଡ଼ବଡ଼ ଆଖିରେ ସେମିତି ହିଁ ଦେଖି ଚାଲିଥିଲା ସେ । ଶେଷକୁ ଯେମିତି ଅନେକ କିଛି ବୁଝିଗଲା । ଫୋଟୋକୁ ଫେରାଇଦେଲା । କହିଲା :

ସବୁ ବାପା ମରିକି କୁଆଡ଼େ ଯାଆନ୍ତି ?
ହସିଦେଲି ମୁଁ । କହିଲି :

କୁଆଡ଼େ ଯାଆନ୍ତି ନାହିଁ’ରେ । ସେଇଠି ଥାଆନ୍ତି । ଦିନ ବେଳା ଶୁଅନ୍ତି ଆଉ ରାତି ହେଲେ ଆକାଶରେ ମିଟିମିଟି କରନ୍ତି । ସେଇଠୁ ଆମକୁ ଦେଖୁଥାନ୍ତି । ତାରାଭର୍ତ୍ତି ଆକାଶକୁ ଦେଖାଇ ଫେରୁଥିଲି ମୁଁ । ଆଖି ଛଳଛଳ ହେଉଥିଲା । ବହୁତ ମନେ ପଡୁଥିଲେ ବାପା । ଫେରିକି ଚାହିଁଲା ବେଳକୁ ତାରାଭର୍ତ୍ତି ଆକାଶରୁ ତା ବାପାଙ୍କୁ ଖୋଜୁଥିଲା ସେ ।

ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮

ଲେଖକ ପରିଚୟ

ପ୍ରାୟତଃ ଚାରି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁର କଳେବରରେ ଛୋଟ ନିଶ୍ଚେ, କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ ବୋଲି ପାଠକୀୟ ମତାମତ କୁହେ ।

Related Posts

Leave a Reply

Your email address will not be published. Required fields are marked *