ଅପର ପକ୍ଷରେ ଶ୍ରଦ୍ଧାର୍ପଣ

ସତ୍ୟନାରାୟଣ ଗନ୍ତାୟତ

ବର୍ଷର ବାର ମାସ ମଧ୍ୟରେ ଆଶ୍ୱିନ ମାସ ଏଭଳି ଏକ ଅନନ୍ୟ ମାସ, ଯାହାର କୃଷ୍ଣପକ୍ଷ ଆମ ଜୀବନଧାରା ସହ ଅନ୍ତରଙ୍ଗ ଭାବେ ଜଡ଼ିତ । ଉପରେ ତୋଫା ତୋରା ଆକାଶ ଓ ତଳେ ଅନୁରୂପେ ବିମଣ୍ଡିତା ଧରା ! ଅପର ପକ୍ଷ ନାମେ ଏକ ମାହାର୍ଘ୍ୟ ଓ ପାବନାବସର ନେଇ । ଆଶ୍ୱିନ ଆସେ । ଲାଗେ ଆକାଶ ଯେମିତି ଗମ୍ଭୀର ହୋଇ ସ୍ମରଣ କରାଇଦେଉଛି ତା’ଠି ତାରା ହୋଇ ଯାଇଥିବା ଆମ ଆତ୍ମୀୟ ଓ ଆତ୍ମୀୟୋପମ ସଭିଙ୍କୁ ! ଅତୀତ ସହ ବର୍ତ୍ତମାନକୁ ସମ୍ପର୍କିତ କରିଦେଉଛି ଏକ ଦିବ୍ୟ ରଜ୍ଜୁରେ ।

ଏହି ପକ୍ଷ ଅପର ପକ୍ଷ, ଏହି କାରଣରୁ ଯେ ଅନ୍ୟ ଅନେକ କିଛି ପରେ କରି ପହିଲେ ଏହି ପକ୍ଷରେ ପୁଜ୍ୟ ଓ ପ୍ରଣମ୍ୟମାନଙ୍କୁ ଆମ ଶ୍ରଦ୍ଧା ନିବେଦନ ପୂର୍ବକ ସ୍ମରଣ କରିବା । ଏହି ଶ୍ରଦ୍ଧାରୁ ହିଁ ଜାତ ଶ୍ରାଦ୍ଧ ଯାହା ଏହି ପକ୍ଷ ପାଳନାବସରରେ ପ୍ରମୁଖ କର୍ତ୍ତବ୍ୟ । ତର୍ପଣ ଓ ଦାନ ମାଧ୍ୟମରେ ପକ୍ଷ ବ୍ୟାପୀ ସ୍ମରଣକୁ ହିଁ ଧ୍ୟେୟ ଓ କର୍ତ୍ତବ୍ୟ ମଣିବା ମାଧ୍ୟମରେ ଏହି ପକ୍ଷର ଯଥାର୍ଥ ପାଳନ ସମ୍ଭବ ହୋଇଥାଏ । ପୂର୍ବଜଙ୍କୁ ସ୍ମରିବା ଅର୍ଥ ସଶ୍ରଦ୍ଧ ଅତୀତାବଲୋକନ । ତେଣୁ ତ’ ଏହି ପକ୍ଷ ଅନନ୍ୟ ଓ ପାବନ ! ଏହାର ଅର୍ଥ ଗତାନୁଗତିକ ଓ ସମସାମୟିକ ଜୀବନରୁ ନିଜକୁ ଅପସାରଣ କରତଃ ପୂର୍ବାପର ଭାବେ ସମୟ ନିର୍ବାହ କରିବା । ପୂର୍ଣ୍ଣିମା ଆଲୋକର ଔଜଲ୍ୟ ପରିତ୍ୟାଗ କରି ଜାଗତିକ ସୁଖଙ୍କୁ ପଛରେ ପକାଇ ଅମାବାସ୍ୟାର ଅମା ଅନ୍ଧାର ରୂପୀ ସତ୍ୟ ଦିଗକୁ ନିରବରେ ମୁହାଁଇ କାୟୋ ମନୋ ବାକ୍ୟରେ ପୂର୍ବସୂରୀଙ୍କ ସଶ୍ରଦ୍ଧ ସ୍ମୃତି ଚାରଣୀରେ ନିମଗ୍ନ ରହିବା ହେଉଛି ପ୍ରକୃତ ଅପରପକ୍ଷର ଶ୍ରଦ୍ଧାର୍ପଣ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପିତାମାତା ଆଦି ସମ୍ପର୍କୀୟଙ୍କ ଦେହାବସାନର ତିଥିରେ ଶ୍ରାଦ୍ଧ କରା ଯାଉଥିବା ସତ୍ତ୍ୱେ ଏହି ପକ୍ଷ ସାରା ତର୍ପଣ ଦାନ ଆଦି ମାଧ୍ୟମରେ ସେମାନଙ୍କ ସମେତ ସାମଗ୍ରିକ ଭାବେ ସମସ୍ତ ପିତୃଲୋକ ଓ ମାତୃଲୋକଙ୍କୁ ଶ୍ରଦ୍ଧାର୍ପଣ ସହ ଗୋଚର ଅଗୋଚରରେ ଅବେଳ ବିଦାୟ ନେଇଥିବା ସକଳ ଆତ୍ମୀୟ ଓ ଆତ୍ମୀୟୋପମଙ୍କୁ ମଧ୍ୟ ତର୍ପଣ ଓ ପିଣ୍ଡ ଦାନ ଆଦି ମାଧ୍ୟମରେ ତୃପ୍ତ କରାଯିବା ଏହି ପକ୍ଷର ବିଧି ଅଟେ । ପୁନଶ୍ଚ ଏହି କ୍ରମରେ ନିରନ୍ନ ତୃଷାର୍ତ୍ତ ଜନ, ପଶୁ ଓ ପକ୍ଷୀଙ୍କୁ ସୁଦ୍ଧା ସଯତ୍ନ କ୍ଷୁଧା ତୃଷା ନିବାରଣ ପୂର୍ବକ ଶ୍ରଦ୍ଧା ନିବେଦନ କଲେ ତାହା ବ୍ୟାପକ ଓ ବୃହତ୍ତର ଅର୍ଥରେ ଯଥାର୍ଥ ଅପର ପକ୍ଷ ପାଳନ ଭାବେ ପରିଗଣିତ ହୋଇଥାଏ । ପରିଶେଷରେ ପକ୍ଷାନ୍ତରେ ଆସେ ସର୍ବପିତୃ ଅମାବାସ୍ୟା ବା ମହାଳୟା ଅମାବାସ୍ୟା, ଯାହାକୁ ସକଳ ପିତୃମାତୃଲୋକ ଆତୁର ହୋଇ ରହିଥାନ୍ତି । ସୁତରାଂ ତିଥି ପାଳନ ସତ୍ତ୍ୱେ ହେଉ କି ତିଥି ବିସ୍ମୃତ ହୋଇଥିବା କାରଣରୁ ହେଉ ଏହି ପାବନ ତିଥିରେ ପୁନଶ୍ଚ ପିଣ୍ଡ ଦାନ ମାଧ୍ୟମରେ ଶ୍ରାଦ୍ଧ ସମ୍ପନ୍ନ କରିବା ଅତ୍ୟନ୍ତ ପାବନ ଓ ମହନୀୟ ଭାବେ ଗ୍ରହଣୀୟ ହୋଇଥାଏ ।

ସୁତରାଂ ଏହି ପାଳନକୁ ଆମ ପାରମ୍ପରିକ କୃତଜ୍ଞତା ଜ୍ଞାପନର ମହବସର ବୋଲି କହିହେବ । ଶ୍ରଦ୍ଧାରୁ ଜାତ ଶ୍ରାଦ୍ଧ ଓ ତର୍ପଣ ମାନେ ତୃପ୍ତି ପ୍ରଦାନ । ଭାବଗତ ଶ୍ରଦ୍ଧା ଭରେ ସ୍ମରଣ ହିଁ ଏହି ପକ୍ଷର ମୂଳ ସନ୍ଦେଶ । ଏହି ପକ୍ଷ ପ୍ରକାରାନ୍ତରେ ଆମକୁ ସ୍ମରଣ କରାଇଦିଏ ଆମ ପୂର୍ବଜଙ୍କ ଅପାର ଅବଦାନ ଓ ଆଶୀର୍ବାଦ, ଯାହା ଆମେ ଭୋଗି ଚାଲିଛୁ । ସେମାନଙ୍କ ବର୍ତ୍ତମାନ କିଭଳି ସେମାନେ ଆମ ପାଇଁ ବିନିଯୋଗ କରି ଯାଇଛନ୍ତି । ତର୍ପଣର ଜଳଧାର ପରି ଆମ ଜୀବନ କେମିତି ଚିର ପ୍ରବାହିତ ହେଉଥାଏ । ଅତୀତକୁ ସୁମରି ବର୍ତ୍ତମାନ ଉପଲବ୍ଧ ଆତ୍ମୀୟଙ୍କୁ ବି ସମପରିମାଣରେ ଶ୍ରଦ୍ଧା ନିବେଦନ କରିବା କେତେ ଗୁରୁତ୍ୱପୂର୍ଣ୍ଣ, ଏହି ପକ୍ଷ ବୁଝାଇ ଦେଇଥାଏ । ଅନ୍ୟ ରୋପିତ ବୃକ୍ଷର ଫଳ ଆମେ ଏବେ ଭକ୍ଷଣ କରୁଛୁ । ଅନୁରୂପ ଭାବେ ଆମେ ବି ବୃକ୍ଷଲତା ଜୀବଜଗତ ପ୍ରତି ଆତ୍ମିକ ଶ୍ରଦ୍ଧା ନିବେଦନ କରିବା ଚାହି । ମୁଠାଏ ଅନ୍ନ, ପୋଷେ ଜଳ, କିଞ୍ଚିତ ସ୍ନେହ, ପ୍ରେମ କରୁଣା ଓ ସହଯୋଗ ହିଁ ଯେ ଜୀବନର ଅସଲ ଆଧାର,ଏହା ଏହି ପକ୍ଷ ପାଳନ ମଧ୍ୟରେ ସ୍ୱତଃ ଅନୁଭବି ପାରିବାରେ ହିଁ ଶ୍ରଦ୍ଧାର୍ପଣର ସାର୍ଥକତା ସନ୍ନିହିତ ।

ଅପର ପକ୍ଷର ଶ୍ରଦ୍ଧାର୍ପଣ ପ୍ରକୃତ ପକ୍ଷେ ଆମ ଜୀବନଧାରାର ଏକ ନିରବ ଅନୁରଣନ । ଜନମ ଓ ମରଣର ଗତାନୁଗତିକ ପ୍ରବାହ ଭିତରେ ଆମେ ନିର୍ବାହ କରୁଥିବା ଜୀବନ ଓ ଏହି କ୍ଷେତ୍ରରେ ସମ୍ପୃକ୍ତ ଆମ ଆତ୍ମୀୟ ତଥା ସାରା ଜଗତର ବିଭିନ୍ନ ଜୀବଙ୍କ ସହ ଆମ ଆତ୍ମିକ ବନ୍ଧନର ସୁଦୃଢୀକରଣ ହେଲେ ହିଁ ଆମ ଜୀବନ ଜୀବନୋପମ ହୋଇଥାଏ । ଏହା ସୃଚାଇ ଦେଇଥାଏ ଅପର ପକ୍ଷ । ପୂର୍ବଜଙ୍କୁ ସୁମରି ଶ୍ରଦ୍ଧା ପ୍ରଦର୍ଶନ ସହ ସେମାନଙ୍କ ସୁଗୁଣଗୁଡ଼ିକୁ ଜୀବନର ପ୍ରତି ମୂହୁର୍ତ୍ତରେ ଆମେ କେତେ ପାଳନ କରିଥାଉ, ତାହାର ଏକ ଐକାନ୍ତିକ ଓ ନିଷ୍ଠାପର ଆତ୍ମସମୀକ୍ଷଣ କରି ସେମାନଙ୍କ ନିର୍ଦ୍ଦେଶିତ ପଥଗାମୀ ହେବା ହିଁ ଆମଠାରୁ ଅପର ପକ୍ଷର ଶ୍ରଦ୍ଧାର୍ପଣ ଆଶା କରିଥାଏ ।

ଏମିତିରେ ଆମର ସେଇ ମହାନୁଭବମାନଙ୍କ ଜୀବନର ଗତିପଥ ହିଁ ଯେ ଆମ ଜୀବନର ନିର୍ଭରଯୋଗ୍ୟ ସୁପଥ, ଏଥକୁ ସଂଶୟ ନାହିଁ !

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *