ଭୁବନେଶ୍ୱର : ଟାଇମପାସ ପ୍ରକାଶନ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁସ୍ତକ ପର୍ବରେ ଲୋକାର୍ପିତ ହୋଇଯାଇଛି ବିଶିଷ୍ଟ ଲେଖକ ଓ ଅନୁବାଦକ ପ୍ରଦୀପ କୁମାର ରାୟଙ୍କ ଫିଚର ପୁସ୍ତକ ‘ଅନନ୍ୟା ଅତୁଳନୀୟା’। ବିଶ୍ୱର ଅଶୀ ଜଣ ପ୍ରେରଣାଦାୟୀ ନାରୀଙ୍କ ସଂଘର୍ଷ ଓ ସଫଳତାର ଲୋମହର୍ଷଣକାରୀ କାହାଣୀକୁ ନେଇ ସଂକଳିତ ଏହି ପୁସ୍ତକ ଉନ୍ମୋଚନ କରି ବରିଷ୍ଠ ଲେଖିକା ପ୍ରଫେସର ସଂଘମିତ୍ରା ମିଶ୍ର କହିଥିଲେ ଯେ ଯୋଉ ଘରର ମୂଳଦୁଆ ଯେତେ ଟାଣ, ସେ ଘର ସେତେ ଅଧିକ ମହଲା ପର୍ଯ୍ୟନ୍ତ ଯାଇପାରେ ! ନାରୀ ସବୁ ସଭ୍ୟତାର ମୂଳଦୁଆ ପରି ।
ଗାଳ୍ପିକା ତଥା ‘କାଦମ୍ବିନୀ’ର ସଂପାଦିକା ଡ. ଇତି ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁସ୍ତକଟିର ଭୂୟସୀ ପ୍ରଶଂସା କରି କହିଥିଲେ ଯେ ସମାଜରେ ସଂସ୍କାର ଆଣିଥିବା ନାରୀମାନଙ୍କୁ ଇତିହାସ ସବୁବେଳେ ଅଣଦେଖା କରିଥାଏ । କିନ୍ତୁ ପୁରାଣ ଓ ସାହିତ୍ୟ ସାହସିନୀ ନାରୀଙ୍କର ଗାଥା ବର୍ଣ୍ଣନା କରିଆସିଛି । ସେହିପରି ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ତଥା ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା କହିଥିଲେ ଯେ ନିଜ ସମୟର ଚିନ୍ତାଧାରାଠାରୁ ଅଧିକ ଭାବିଥାଏ ଜଣେ ନାରୀ । ନାରୀମାନେ ଅଧା ପୃଥିବୀର ଅଧିଶ୍ଵରୀ ।
ଲେଖକ ଶ୍ରୀ ରାୟ ପୁସ୍ତକ ପଛର ପ୍ରେରଣା ଓ ଉପଲବ୍ଧି ବଖାଣିଥିବାବେଳେ ଲେଖକ ତଥା ‘ଟାଇମପାସ୍’ର ନିର୍ଦ୍ଦେଶକ ସରୋଜ ବଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବିଭୂତି ଖୁଣ୍ଟିଆ, ତିଳୋତ୍ତମା ଦାସ, ସୋନମ ଦାସ, ସୁବ୍ରତ ମହାନ୍ତି, ସମ୍ବିତ ଲେଙ୍କା ଓ ସମାସ ବଳ । ଶତାଧିକ ଲେଖକ ଓ ପାଠକ ପୁସ୍ତକ ପର୍ବରେ ଯୋଗଦେଇ ଏହାକୁ ସଫଳ କରିଥିଲେ ।
