ସତ୍ୟନାରାୟଣ ଗନ୍ତାୟତ

ଠାଏ ପଢିଥିବା ମନେପଡୁଛି,” ପଥର ଫାଟି ପାଣି ବୋହୁଅଛି ରୋକିବାର ଶକ୍ତି ଅଛି କାହାର ?” ଅର୍ଥାତ ପାଣିର ତରଳାବସ୍ଥା ସୁଦ୍ଧା ରହିରହି ସ୍ରୋତ ହୋଇ ବୋହି ଯାଇପାରେ ! ସେତେବେଳେ ତା’ ଆଗରେ ପଥର ବି ନାଚାର । ସେ ସ୍ରୋତ ତାକୁ ଫଟାଇ ବୋହି ଚାଲେ । ଏଥିରୁ ସ୍ପଷ୍ଟ ଯେ ସବୁବେଳେ ସବୁକଥା ଥିର ବା ଥମ୍ ହୋଇ ନରହିବା ପ୍ରାକୃତିକ ଅଟେ । ଶୃଙ୍ଖଳିତ ହୋଇହୋଇ ରହିଥିବା ଅନେକ କ୍ଷେତ୍ରରେ ବିଶୃଙ୍ଖଳା ଅସମ୍ଭାଳ ହୁଏ । ହଁ, ଅରାଜକତା ଶବ୍ଦଟି ଆମକୁ ଏସବୁ କଥାକୁ ନେଇ ଭାବିବାର ଖୋରାକ ଯୋଗାଉଛି ।

ଉପରେ ଉପରେ ଲାଗୁଛି ଏସବୁ ଉଭୟ ପ୍ରାକୃତିକ ଓ ସ୍ୱାଭାବିକ । ପରକ୍ଷଣେ କିନ୍ତୁ ମନଶ୍ଚକ୍ଷୁରେ ଦିଶିଯାଉଛି ରାଜରାସ୍ତାରେ ଦୃପ୍ତ ପଦପାତ ସହ ଏକମୁହାଁ ହୋଇ ଧାବମାନ ଜନଙ୍କ ଏକ ଭୀତିପ୍ରଦ ମହାସ୍ରୋତ, ଯାହା ସକଳ ଶୃଙ୍ଖଳାଙ୍କୁ ପରିହାର ପୂର୍ବକ ଶାସନର ଅବମାନନା କରିବାକୁ ସତେ ଅବା ବଦ୍ଧ ପରିକର ! ଏହି ପ୍ରତ୍ୟକ୍ଷାନୁଭୂତି ଓ ନଦୀର ବିଶୃଙ୍ଖଳିତ ରୂପ ବନ୍ୟା ଉଭୟ ସ୍ୱାଭାବିକ ଭାବେ ଗ୍ରହଣୀୟ ଲାଗେ ନାହିଁ । ଯଦିଓ ଉଭୟ ସଙ୍ଘାତରୁ ଜାତ । କାରଣ ଏହି ପ୍ରସଙ୍ଗରେ “ଅରାଜକତା” ଶବ୍ଦଟି ସହ ରାଜା ଓ ରାଜକୀୟ ଶାସନ ଜଡ଼ିତ । ରାଜନୀତିକୁ ଶ୍ରେଷ୍ଠ ନୀତି କୁହାଯାଇଛି । ଏହାର କାରଣ ହେଲା ରାଜନୀତି ରାଜଧର୍ମ ପାଳନ ପାଇଁ ଉଦ୍ଦିଷ୍ଟ । ଅନ୍ୟାୟ, ଅଧର୍ମ ଓ ଅତ୍ୟାଚାର ଆଦି ବର୍ଜନ ପୂର୍ବକ ବିନା ପକ୍ଷପାତିତାରେ ସକଳ ପ୍ରଜାଙ୍କୁ ସମ ଭାବେ ଆଦରି ଶାସନ କରି ଶୃଙ୍ଖଳାର ପ୍ରତିଷ୍ଠା କରିବା ହିଁ ଅତୀତରେ ଥିଲା ରାଜାରାଜୁଡ଼ା ଶାସନର ମୂଳଭିତ୍ତି । ତେବେ ସେତେବେଳେ ମଧ୍ୟ କେବେକେବେ ଏହାର ବ୍ୟତିକ୍ରମ ଘଟୁଥିଲା ଓ ପ୍ରଜାନୁରଞ୍ଜକ ହେବା ବଦଳରେ କତିପୟ ରାଜା ଅତ୍ୟାଚାରୀ ହୋଇ ଉଠୁଥିଲେ । ଏଭଳି କ୍ଷେତ୍ରରେ ସମୟ ସୃଷ୍ଟ ସ୍ୱାଭାବିକ ପରିଣତି ଭାବେ ପରିଦୃଷ୍ଟ ହେଉଥିଲା ଅରାଜକତା । ଫଳସ୍ୱରୂପ କୁଶାସନର ହେଉଥିଲା ଅବସାନ ଓ ଆରମ୍ଭ ହେଉଥିଲା ଏକ ଆଶାଭରା ନୂତନ ଶାସନ, ଯାହା ପ୍ରାକୃତିକ ଭାବେ ସଂଘଠିତ କୋଟିକୋଟି ଗ୍ରହ ନକ୍ଷତ୍ରାଦିଙ୍କ ମଧ୍ୟରେ ପାରସ୍ପରିକ ଧକ୍କା ଓ ତଜ୍ଜନିତ ବିସ୍ଫୋରଣରୁ ଆମର ଏହି ଶାନ୍ତ, ସୁନ୍ଦର ପୃଥିବୀର ଉଦ୍ଭବ ସହ ହୁଏତ ତୁଳନୀୟ !

ଅରାଜକତା କେବଳ ଦୃଶ୍ୟମାନ ଜଗତରେ ହିଁ ନଥାଏ । ଏହା ବରଂ ମାନବୀୟ ଚେତନାର ଏକ ସହଜାତ ଲକ୍ଷଣ, ଯାହା ଶାସନ ବ୍ୟବସ୍ଥା ସହ ସ୍ୱାଭାବିକ ଭାବେ ସମ୍ପର୍କିତ । ​ସୁତରାଂ ଏହି ଜଗତକୁ ଉଭୟ ସର୍ଜନା ଓ ବିନାଶର ଏକ ପ୍ରାକୃତିକ ସହାବସ୍ଥାନ ବୋଲି କହି ହେବ ।

ବହୁଜନଙ୍କ ବାଣୀ ଈଶ୍ୱରବାଣୀ, ବହୁଜନ ହିତାୟ, ବହୁଜନ ସୁଖାୟ ଭଳି ଆଦର୍ଶ ବକ୍ତବ୍ୟମାନଙ୍କ ବାସ୍ତବାୟନ ସ୍ୱପ୍ନ ହୋଇଯାଏ । ତା ବଦଳରେ ଯେନ, ତେନ, ପ୍ରକାରେଣ ହାସଲ କରାଯାଇଥିବା ଜନମତ ଜାତି, ଧର୍ମ ଓ ବାହୁବଳାଦିକୁ ଆୟୁଧ କରି ଶାସିବା ସହ ଗ୍ରାସିବା ଓ ନାଶିବା ହିଁ ଧ୍ୟେୟ ଓ କରଣୀୟ ହୋଇ ଚାଲେ । ଏହା ଫଳରେ ଶାସନ ସୃଷ୍ଟ ଅରାଜକତା ଧୀରେଧୀରେ ମଥା ତୋଳି କ୍ରମେ ଉଗ୍ର ରୂପ ଧାରଣ କରିବା ଅବଧାରିତ ହୋଇଥାଏ ।

ମୌଳିକ ​ଅଧିକାର ସାବ୍ୟସ୍ତ କରିବା ପାଇଁ ଧାବମାନ ହୋଇହୋଇ ଅବଶେଷେ ନିରାଶ ହେବା, ପ୍ରତି କ୍ଷେତ୍ରରେ ଦୁର୍ନୀତି ହିଁ ନୀତି ହୋଇଯାଇଥିବା ବ୍ୟବସ୍ଥାର କରୁଣ ଶୀକାର ହେବା ଓ ବଡ଼ଲୋକଙ୍କୁ ନା କହିଲେ ଆକ୍ରମଣାକ୍ରାନ୍ତ ହେବା ଆଦି ପ୍ରତିବାଦ କରିବା ପାଇଁ ଯଥେଷ୍ଟ ହୁଏ । ତେବେ ଯେତେ ଶୃଙ୍ଖଳିତ ପ୍ରତିବାଦ କଲେ ବି ତାକୁ ନାନା ଆଳରେ ଭଣ୍ଡୁର କରିବା ବି ସମତାଳରେ ଚାଲେ । ଫଳରେ ଏହି ଅନ୍ୟାୟ ସଂଖ୍ୟା ଗରିଷ୍ଠଙ୍କୁ ସଙ୍ଗଠିତ ଭାବେ ରାଜରାସ୍ତାକୁ ଟାଣି ଆଣେ ଓ ଏସବୁ ଅବଶେଷେ ଅରାଜକତା ଭାବେ ପରିଗଣିତ ହୋଇଯାଏ । ତେବେ ଏସବୁ ପାଇଁ ଶାସନର ଏକଛତ୍ରବାଦ ଓ ବୈଧାନିକ ଅପାରଗତା ଯେ ଦାୟୀ ଏକଥା ଶାସକୀୟ ଅନୁଶୀଳନ ମଧ୍ୟକୁ ତଥାପି ଆସେ ନାହିଁ । ବରଂ ଅତି ସହଜରେ କୁହାଯାଏ ଏହା ସଂଖ୍ୟା ଗରିଷ୍ଠଙ୍କ ସୃଷ୍ଟ ଅଯଥା ଅରାଜକତା !

​ଫଳତଃ ଅଦୃଶ୍ୟ ଅପାରଗତା ଦୃଶ୍ୟମାନ ହୋଇ ତାହା ଅରାଜକତା ପାଲଟି ବାରାନ୍ତରେ ସମସ୍ତ ବ୍ୟବସ୍ଥାକୁ ଅଚଳ କରିଦିଏ । କିଛି କ୍ଷେତ୍ରରେ ନୂଆ ସୃଷ୍ଟି ପାଇଁ ପ୍ରବଣତା ପ୍ରକଟ ହୋଇ ପୁରୁଣାକୁ ଫୋପାଡ଼ି ଦେବାକୁ ବ୍ୟଗ୍ରତା ଜୋର ଧରେ । ଆଖି ବୁଜି ସହିଯିବା ସୁଦୂର ପରାହତ ହୁଏ । ସୁତରାଂ ସମକାଳର ସକଳ ଅରାଜକତା ପଛରେ ବ୍ୟବସ୍ଥା ଗତ ଅତି ନିୟନ୍ତ୍ରଣଜନିତ ବିଷମ ସ୍ଥିତି ହିଁ ଦାୟୀ, ଏକଥା ମନେରଖି ସର୍ବଦା ସ୍ୱେଚ୍ଛାଚାରିତା ବର୍ଜନ ପୂର୍ବକ ସହମତିରେ ସକଳ ଶାସନ ଚଳାଇବା ଜରୁରୀ । ଫଳରେ ମଣିଷ ମନରେ ସ୍ୱାଭାବିକ ଭାବେ ଲୁଚି ରହିଥିବା ଅମାନିଆପଣ କ୍ରମେ ଲୋପ ପାଇଯିବ ଓ ଅରାଜକତା ଆଡ଼କୁ ତାକୁ ଆଉ ଉସକାଇବ ନାହିଁ । ସେତେବେଳେ ଯାଇ ଯେଝାମତେ ଶୃଙ୍ଖଳିତ ହୋଇ ନିଜେ ଜୀଇଁବା ସହ ଅନ୍ୟ ସଭିଙ୍କ ପାଇଁ ସମ ଭାବେ ଜୀବନାନୁଭବର ପଥ ଫେଇ ହେବ । ଏମିତିରେ ଅତି ହିଁ ଇତିକୁ ଆମନ୍ତ୍ରି ଥାଏ, ନୁହେଁ କି ?

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *