ଅସରପା ବିଷୟକ ୟ୍ୟାଡୁସ୍ୟାଡୁ କଥା

ସତ୍ୟନାରାୟଣ ଗନ୍ତାୟତ

ହଠାତ୍ ତା’ ଷ୍ଟଡି ରୁମରୁ ଏକ ଅତର୍ଚ୍ଛା ଚିତ୍କାର କଲା ପ୍ଲସ ଟୁ ପଢୁଥିବା ଆମ ସାନ ଝିଅ ! ପତ୍ନୀ ଶୁଣୁଶୁଣୁ ରନ୍ଧା ଘରୁ ତରତରରେ ଗଲେ । ହେଲେ ଯିବା ପରେ ସେ ବି ଝିଅ ପରି “ଏ ମାଆ ଲୋ” କହି ଜୋରରେ ଚିଲ୍ଲେଇ ଉଠିଲେ । କାରଣ ଲମ୍ବା ନିଶ ହଳକ ହଲାଇ ସେମାନଙ୍କ ଆଡ଼ିକି ମାଡ଼ି ଆସିଥିଲା ଅସରପା ନାମରେ ସୁପରିଚିତ ବାଦାମୀ ରଙ୍ଗର ସେଇ କୀଟଟି !

“ଓଃ, କେତେ ହିଟ୍ ସ୍ପ୍ରେ କରିଥିଲି, ହେଲେ ଯୋଉ କଥାକୁ ସେଇ କଥା ? ଆମ ଘରେ ତଥାପି ଅସରପା ଅତ୍ର ତତ୍ର ସର୍ବତ୍ର ଦୌଡୁଚନ୍ତି ?” ଏକରକମ ବିଳପିତ ସ୍ୱରରେ କହି ଉଠିଲେ ପତ୍ନୀ !

ଜାଣିଛୁ, ଏସବୁ ଶୁଣି ଆପଣ ନିଶ୍ଚେ କହିବେ ଯେ ଅସରପାଏ ତ’ ଫି ଘରର ସ୍ଥାୟୀ ବାସିନ୍ଦା । ରନ୍ଧା ଘରର ଡବାମାନଙ୍କ ସନ୍ଧି, ଶୋଇବା ଘରର ଅନ୍ଧାରୁଆ ଖଟ ତଳ,ଏପରିକି ପଢା ଘରର ବହିଥାକ ବା ଡ୍ରଇଁରୁମର ଟି’ ପୟ ତଳ, ଯେକୌଣସି ଥାନରେ ଏମାନେ ସଗର୍ବ ଓ ସହର୍ଷ ରହିପାରନ୍ତି । ଆମ ଆହାର ସେମାନଙ୍କୁ ଆଦୌ ଲୋଡ଼ା ପଡ଼େନି ଜୀବନ ଧାରଣ ପାଇଁ । ବରଂ ଆମେ ଡରୁଥିବା ସହ ନାପସନ୍ଦ କରୁଥିବା ଏହି ଜୀବଟି କିନ୍ତୁ ଆମ ବର୍ଜ୍ୟ ଚିଜମାନଙ୍କୁ ଖାଇ ବଞ୍ଚିବା ମାଧ୍ୟମରେ ଆମର ସେବା କରିଥାଏ ।

Brown cockroach (Periplaneta brunnea), insect species of cockroach in the family Blattidae, Isalo National Park, Madagascar wildlife animal

ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା ଏସବୁ କିଛି ଖାଇବାକୁ ନମିଳିଲେ ସୁଦ୍ଧା ଅସରପା ବିନା ଖାଦ୍ୟରେ କେବଳ କାନ୍ଥରେ ଲିପା ଅଠା ବା ବହିର କାଗଜ ଖାଇ ବି ମାସେ ଯାଏଁ ଜୀଇଁ ରହିପାରେ । ଏଥିରୁ ସ୍ପଷ୍ଟ ଅନୁମୋୟ ଯେ ଏ ଧରା ବକ୍ଷରେ ଜୀବନ ଧାରଣର କଳା ଅନ୍ତତଃ ଆମଠୁ ବେଶ୍ ଜଣା ଅସରପାଙ୍କୁ । ବିଜ୍ଞାନ କହେ ଡାଇନୋସର ମାନଙ୍କ ସମସାମୟିକ ଏ ଜୀବଟି ଡାଇନୋସର ମାନେ ଅଦୃଶ୍ୟ ହୋଇ ଯିବା ପରେ ସୁଦ୍ଧା ଆତଯାତ ହେଉଥିବା ପଛର କାରଣ ହେଲା ଏମାନଙ୍କ ଠେଇଁ ଯେନ ତେନ ପ୍ରକାରେଣ ଜୀଇଁ ରହିବାର ଜିଦ୍ ଭରପୁର ହୋଇ ରହିଛି । ଏମାନଙ୍କ ଏମିତି ମର୍ତ୍ତ୍ୟ ରହଣିକୁ ଏହା ଭିତରେ କୁଆଡ଼େ ପ୍ରାୟ ତିରିଶି କୋଟିରୁ ବେଶୀ ବର୍ଷ ବିତିଗଲାଣି । ଅସରପା ସମ୍ପର୍କୀୟ ଆହୁରି ଏତେ ବିଜ୍ଞାନ ସମ୍ମତ ତଥ୍ୟମାନ ରହିଛି, ଯାହା ଶୁଣିଲେ ଜଣେ ଉଭୟ ଆମୋଦ ଓ ଆଶ୍ଚର୍ଯ୍ୟରେ ଅଭିଭୂତ ହେବାକୁ ବାଧ୍ୟ ।

​ମଣିଷ କଣ ଯେ କୌଣସି ଜୀବ ମୁଣ୍ଡ କାଟ ପରେ ନିଷ୍ରାଣ ହୋଇ ଯାଉଥିବା ବେଳେ ଅସରପା କିନ୍ତୁ​ ତା’ ମୁଣ୍ଡ କଟିଯିବା ପରେ ସୁଦ୍ଧା ପ୍ରାୟ ଏକ ସପ୍ତାହ ଯାଏଁ ବଞ୍ଚି ରହିପାରେ ! ଏଥକୁ କାରଣ ହେଲା ସେ ତା ଶରୀରରେ ଥିବା ଛୋଟ ଛୋଟ ଛିଦ୍ର ଦ୍ୱାରା ଶ୍ୱାସ କ୍ରିୟା ସମ୍ପାଦନ କରିଥାଏ ।

ପୁନଶ୍ଚ ଆମେ ସଚରାଚର ଯେଉଁ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ହେଲେ ମାନବ ସଭ୍ୟତାର ସମୂଳ ଧ୍ୱଂସ ହେବାନେଇ ଆତଙ୍କିତ ହୋଇଥାଉ, ଅସରପାର ସେଥକୁ ଖାତିର ଇ ନାହିଁ । କାରଣ ମଣିଷଙ୍କ ତୁଳନାରେ ପରମାଣୁ ବିକିରଣ ସହିବା କ୍ଷମତା ତା’ର କାଇଁରେ କଣ ! ସୁତରାଂ ସେ ଜୀଇଁ ରହି ତା ସ୍ୱଭାବ ସୁଲଭ ଗତିରେ ଆତଯାତ ହେଉଥିବ ଇ ହେଉଥିବ ।

ଅସରପା କାମୁଡ଼େନି କି ତା’ ଠେଇଁ ବିଷ ବି ନ ଥାଏ । ତେବେ ସୁଦ୍ଧା ମହା ମହା ପାରିବାର ଲୋକେ ମଧ୍ୟ ତାକୁ ଅଯଥାରେ ଭୟ ଓ ଘୃଣା କରିଥାନ୍ତି । ଘୃଣା କରିବା ବେଳେ ତ ଥୋକେ “ଅସରପା ଗୋଟେ କୋଉ ଚଢେଇରେ ଗଣା ଯେ !” କହି ପକାଇଥାନ୍ତି ସିନା ଯେତେବେଳେ ସତସତିକା ଅସରପାଟିଏ ତା’ ଡେଣା ମେଲି ଉଡ଼ିବାରମ୍ଭ କରେ, ତା ଦେଖିବା ଏତେ ଅପ୍ରତ୍ୟାଶିତ ଆତଙ୍କ ସୃଷ୍ଟି କରେ ଯେ ଆଉ କହନ୍ତୁନି ! ତେବେ ଏଭଳି ଭୟ କୁଆଡ଼େ ବିଶେଷ ଭାବେ ଏକ ମନସ୍ତାତ୍ତ୍ୱିକ ସ୍ଥିତିର ପରିଚାୟକ ଅଟଇ !

ହଁ, ଯେତେ ଚେଷ୍ଟା ଓ ଅପଚେଷ୍ଟା ସତ୍ତ୍ୱେ ଅସରପାଏ ବିଶେଷ ଭାବେ ସେମାନଙ୍କ ନିଶାକାଳୀନ ସଶବ୍ଦ ରାଜୁତି ମାଧ୍ୟମରେ ଆମ ପତ୍ନୀଙ୍କ ପରି ଗୃହିଣୀମାନଙ୍କୁ ଅବଶ୍ୟ ଦହଗଞ୍ଜ କରିଥାନ୍ତି । ଭଲା ସୁନ୍ଦରିଆ ରୂପ ଥାନ୍ତା ଏମାନଙ୍କର ! ଆଖିକୁ ଭଲ ଦିଶୁଥିବା ଯାବତ ନାକରା ଚିଜଙ୍କୁ ଆଦରି ନେବା ପ୍ରାୟେ ଏମାନଙ୍କୁ ବି ଆପଣେଇ ହୋଇଥାନ୍ତା କି କଣ !

ତଥାପି ଥରେ ମୁକୁଳା ମନ ନେଇ ଭୟ ପରିହାର ପୂର୍ବକ ଭାବନ୍ତୁ ତ ! ଜଗତର ପ୍ରାଚୀନତମ ଏହି କ୍ଷୁଦ୍ର କୀଟଟି ସତରେ କେତେ ଅଦ୍ଭୁତ ନୁହଁଇ ! ସ୍ଥିତି ହେଉ ବା ଦୁଃସ୍ଥିତି, ସେଥକୁ ତା’ ପରବାୟ ଇ ନାଇଁ । ସବୁ କିଛି ଆପଣେଇ ନିଜ ଅଭ୍ୟନ୍ତରରେ ସାଇତି ଥିବା ତା’ ଅସୀମ ଧୈର୍ଯ୍ୟ ବଳରେ ସେ ଆପେଆପେ ଚଳିଯାଏ, ଯାହା ଆମ ସମେତ ଆଉ କେଉଁ ପ୍ରାଣୀଙ୍କ ପାଇଁ ସ୍ୱପ୍ନ ପ୍ରାୟ ସିନା ! ତେଣୁ ଅସରପା କହିଲେ ଏ ପୃଥିବୀର ପ୍ରାଚୀନତମ ଇତିହାସର ଜୀବନ୍ତ ସ୍ୱରୂପକୁ ବୁଝାଏ ବୋଲି ନିଶ୍ଚେ କହିହେବ !

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *